ଗାନ୍ଧୀ ପରିବାରର କନ୍ୟା ପ୍ରିୟଙ୍କା ସକ୍ରିୟ ରାଜନୀତିକୁ ଆସିବା ପରେ ଓ କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିବା ପରେ ଏବେ ନିର୍ବାଚନ ଅଭିଯାନର ମୁଡ଼ରେ ଆଗେଇବାରେ ଲାଗିଛନ୍ତି। ଦଳକୁ କିପରି ଉତ୍ତରପ୍ରଦେଶରେ ଶକ୍ତିଶାଳୀ କରିବେ ତାହାର ବ୍ଲୁ ପ୍ରିଣ୍ଟ ପ୍ରିୟଙ୍କା ବନାଇଥିବା କୁହାଯାଉଛି । ଲୋକସଭାର ୪୨ଟି ଆସନ ଏବେ ତାଙ୍କର ଟାର୍ଗେଟରେ। ରାହୁଲ ଗାନ୍ଧୀଙ୍କ ଉପରୁ ଚାପ କମାଇବା ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶ ପାଇଁ ବିଶେଷ ଫୋକସ କରିବା ଲକ୍ଷ୍ୟରେ ପ୍ରିୟଙ୍କା ଗାନ୍ଧୀଙ୍କୁ ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ଦିଆଯାଇ ଉତ୍ତରପ୍ରଦେଶ ପୂର୍ବର ପ୍ରଭାରୀ ନିଯୁକ୍ତ କରାଯାଇଛି।
ସର୍ବଭାରତୀୟ କଂଗ୍ରେସ ଦଳର ମୁଖ୍ୟାଳୟକୁ ଆସି ପ୍ରିୟଙ୍କା କିଛି ଦିନ ତଳେ ଆନୁଷ୍ଠାନିକ ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ନେବା ମାତ୍ରକେ ସ୍ୱତନ୍ତ୍ର ଅଭିଯାନ ମୁଡ଼ରେ ପ୍ରିୟଙ୍କା ରହିଥିବା ଜଣାପଡିଗଲାଣି। କାରଣ ଆଜିଠାରୁ ପ୍ରିୟଙ୍କା ଉତ୍ତରପ୍ରଦେଶ ଗସ୍ତ ଆରମ୍ଭ କରିଛନ୍ତି। ଛତ୍ତରପ୍ରଦେଶ ଗସ୍ତ ଆରମ୍ଭ କରି କିଛି ଦିନ ସେଠାରେ ପ୍ରିୟଙ୍କା କାଟିବେ। ଏହାର କିଛି ଦିନ ପରେ ପୁଣି ୟୁପି ଗସ୍ତରେ ଆସି ଲମ୍ୱା ସମୟ ପ୍ରିୟଙ୍କା ରହିବେ ବୋଲି ଜଣାପଡିଛି।
ଫେବୃଆରୀ ୧୮ତାରିଖରୁ ପ୍ରିୟଙ୍କାର ୟୁପିର ପୂର୍ବଭାଗର ଅଭିଯାନ ଆରମ୍ଭ ହେବ। ପୁରା ଏକମାସ ପୂର୍ବ ଉତ୍ତରପ୍ରଦେଶରେ ପ୍ରିୟଙ୍କା ରହିବାର ଯୋଜନା ପ୍ରସ୍ତୁତ ହୋଇଛି । ଏହାର ଅଧୀନରେ ପ୍ରତ୍ୟେକ ଦିନ ସେ ଗୋଟିଏ ଲୋକସଭା କ୍ଷେତ୍ରରେ ସମୟ କାଟିବେ। କର୍ମକର୍ତ୍ତାମାନଙ୍କୁ ଭେଟି ଆଲୋଚନା କରିବା ସହ ସେଠାରେ ସଭା ବି କରିବେ। ଏହି ଏକମାସ ଭିତରେ ରୋଡ଼ ଶୋ’ ବ୍ୟାପକ ଭାବରେ କରିବା ପାଇଁ ପ୍ରିୟଙ୍କା ଯୋଜନା କରିଥିବା କୁହାଯାଉଛି।