ନୂଆଦିଲ୍ଲୀ: ଦେଶରେ ୨,୪୩,୦୦୦ ପୋକ୍ସୋ (ଯୌନ ଅପରାଧରୁ ଶିଶୁ ସୁରକ୍ଷା) ମାମଲା ବିଚାରାଧୀନ ରହିଛି । ୨୦୨୨ରେ ମାତ୍ର ୩ ପ୍ରତିଶତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଯଦି କୌଣସି ନୂଆ ମାମଲା ସାମ୍ନାକୁ ନ ଆସେ ତେବେ ଏହି ମାମଲାଗୁଡ଼ିକର ସମାଧାନ ପାଇଁ ଅଦାଲତକୁ ୯ ବର୍ଷ ସମୟ ଲାଗିବ ।
ଫାଷ୍ଟଟ୍ରାକ୍ କୋର୍ଟ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ବିଚାରାଧୀନ ପୋକ୍ସୋ ମାମଲାର ରିପୋର୍ଟ ପ୍ରକାଶ କରିଛନ୍ତି । ପ୍ରକାଶିତ ରିପୋର୍ଟରେ ଏହି ଦାବି କରାଯାଇଛି । ଭାରତୀୟ ଶିଶୁ ସୁରକ୍ଷା ପାଣ୍ଠି (ଆଇସିପିଏଫ୍) ସଂଗଠନ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ଆଇନ ମନ୍ତ୍ରାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ନ୍ୟାସନାଲ କ୍ରାଇମ ରିପୋର୍ଟ ବ୍ୟୁରୋ (ଏନସିଆରବି)ର ତଥ୍ୟକୁ ବ୍ୟବହାର କରାଯାଇଛି । ୨୦୨୩ ଜାନୁଆରି ସୁଦ୍ଧା ୨ ଲକ୍ଷ ୬୮ ହଜାର ୩୮ଟି ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ମାତ୍ର ୮୯୦୯ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।
ବର୍ଷକୁ ମାତ୍ର ୨୮ଟି ମାମଲାରେ ଦୋଷୀ ସାବ୍ୟସ୍ତ
୨୦୧୯ରେ କେନ୍ଦ୍ର ସରକାର ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ ଯୋଜନାକୁ ଆଗକୁ ବଢ଼ାଇଥିଲେ, ଯେଉଁଥିରେ ବର୍ଷକ ମଧ୍ୟରେ ପୋକ୍ସୋ ମାମଲାର ସମାଧାନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ କେନ୍ଦ୍ର ସରକାର ୧୯୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଥିଲେ।
ଅଧ୍ୟୟନରୁ ଜଣାପଡିଛି ଯେ ପ୍ରତ୍ୟେକ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତି ୪ ମାସରେ ୪୧-୪୨ଟି ମାମଲା ଏବଂ ପ୍ରତିବର୍ଷ ୧୬୫ଟି ମାମଲାର ସମାଧାନ କରିବା କଥା, କିନ୍ତୁ ପ୍ରତିବର୍ଷ ମାତ୍ର ୨୮ଟି ମାମଲାର ସମାଧାନ ହେଉଛି ।
ପରିସ୍ଥିତିରେ କିପରି ସୁଧାର ଆସିବ?
ଆଇସିପିଏଫର ପ୍ରତିଷ୍ଠାତା ତଥା କୈଳାସ ସତ୍ୟାର୍ଥୀଙ୍କ ପୁଅ ଭୁବନ ରିଭୁ କହିଛନ୍ତି ଯେ ପୋକ୍ସୋ ଆକ୍ଟ କୁ ଏପରି କରାଯିବା ଉଚିତ ଯେପରି ପ୍ରତ୍ୟେକ ପୀଡ଼ିତ ଶିଶୁଙ୍କୁ ନ୍ୟାୟ ମିଳିପାରିବ ।
ଏହି ସ୍ଥିତିରେ କିପରି ସୁଧାର ଆସିପାରିବ ସେ ନେଇ ରିପୋର୍ଟରେ ବର୍ଣ୍ଣନା କରାଯାଇଛି
- ପୋକ୍ସୋ ମାମଲାର ଡ୍ୟାସବୋର୍ଡ ୱେବ୍ ପୋର୍ଟାଲରେ ରହିବା ଉଚିତ ।
- ଫାଷ୍ଟଟ୍ରାକ୍ କୋର୍ଟ ସଂଖ୍ୟା ବୃଦ୍ଧି କରାଯାଉ ।
- ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଦିଆଯିବା ଦରକାର, ଯାହାଦ୍ୱାରା ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାରେ ପଛରେ ନ ପଡ଼ିବେ ।