ଦେଶରେ ଏକାସାଙ୍ଗରେ ନିର୍ବାଚନ ସପକ୍ଷରେ ୮୧% ଲୋକ

Must read

  • ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କମିଟିକୁ ମିଳିଲା ୨୧ ହଜାର ପରାମର୍ଶ
  • ୧୭ ଦଳ ମଧ୍ୟ ଦେଲେ ମତାମତ

ନୂଆଦିଲ୍ଲୀ: ଦେଶର ୮୧% ଲୋକ ଏକାଠି ନିର୍ବାଚନ କରିବାକୁ ମତାମତ ଦେଇଛନ୍ତି । ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ପ୍ୟାନେଲକୁ ସାରା ଦେଶରୁ ୨୧ ହଜାର ପରାମର୍ଶ ମିଳିଛି । ଏହା ଉପରେ ୧୭ଟି ରାଜନୈତିକ ଦଳ ମଧ୍ୟ ନିଜର ମତ ରଖିଛନ୍ତି । କମିଟି ୪୬ଟି ଦଳର ମତାମତ ଲୋଡ଼ିଥିଲା । ଜାନୁଆରୀ ୨୧ ତାରିଖ ରବିବାର ଏକ ସରକାରୀ ବିବୃତିରେ ଏହା ପ୍ରକାଶ ପାଇଛି ।

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜାନୁଆରୀ ୫ତାରିଖରେ ଏକ ନୋଟିସ୍ ଜାରି କରି ଜାନୁଆରୀ ୧୫ ତାରିଖ ସୁଦ୍ଧା ଜନସାଧାରଣଙ୍କ ଠାରୁ ପରାମର୍ଶ ମାଗିଥିଲେ । ତେବେ କଂଗ୍ରେସ ଓ ଟିଏମସି ସମେତ ଅନେକ ବିରୋଧୀ ଦଳ ଏକ ଦେଶ-ଗୋଟିଏ ନିର୍ବାଚନକୁ ବିରୋଧ କରିଛନ୍ତି ।

ଜାନୁଆରୀ ୨୧ ତାରିଖ ରବିବାର ଦିନ ଏକ ରାଷ୍ଟ୍ର-ଗୋଟିଏ ନିର୍ବାଚନ କମିଟିର ତୃତୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ସମୁଦାୟ ୨୦,୯୭୨ଟି ପ୍ରସ୍ତାବ ଆସିଛି । ଗୁଲାମ ନବୀ ଆଜାଦ, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ପଞ୍ଚଦଶ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ କେ ସିଂହ, ଲୋକସଭାର ପୂର୍ବତନ ମହାସଚିବ ସୁଭାଷ ସି କଶ୍ୟପ ଏବଂ ପୂର୍ବତନ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ନିର୍ବାଚନ ଆୟୋଗଙ୍କ ପରାମର୍ଶକୁ ମଧ୍ୟ କମିଟି ଗୁରୁତ୍ୱ ଦେଇଛି । ଜାନୁଆରୀ ୨୭ରେ କମିଟିର ବୈଠକ ବସିବାର ସମ୍ଭାବନା ରହିଛି ।

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କ’ଣ ?

ବର୍ତମାନ ଦେଶରେ ବିଭିନ୍ନ ସମୟରେ ରାଜ୍ୟ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ଅର୍ଥ ସମଗ୍ର ଦେଶରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବା । ଅର୍ଥାତ ଲୋକସଭା ଓ ବିଧାନସଭାର ସଦସ୍ୟ ଚୟନ ପାଇଁ ଭୋଟରମାନେ ଗୋଟିଏ ଦିନ, ସଙ୍ଗେ ସଙ୍ଗେ କିମ୍ବା ପର୍ଯ୍ୟାୟକ୍ରମେ ଭୋଟ ଦେବେ ।

ସ୍ୱାଧୀନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିଲା, କିନ୍ତୁ ୧୯୬୮ ଓ ୧୯୬୯ରେ ଅନେକ ବିଧାନସଭା ଅକାଳ ଭଙ୍ଗ ହୋଇଯାଇଥିଲା । ଏହାପରେ ୧୯୭୦ରେ ଲୋକସଭା ମଧ୍ୟ ଭଙ୍ଗ ହୋଇଥିଲା । ଏହି କାରଣରୁ ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ପରମ୍ପରା ଭାଙ୍ଗି ଯାଇଥିଲା ।

ପ୍ରସ୍ତୁତ ହେଲା ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ବ୍ଲୁପ୍ରିଣ୍ଟ, ସହମତି ହେଲେ ୨୦୨୯ରୁ କାର୍ଯ୍ୟକାରୀ ହେବ ଯୋଜନା

ଏକ ଦେଶ-ଗୋଟିଏ ନିର୍ବାଚନ ଉପରେ ବିଚାର କରୁଥିବା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଆଇନ କମିଶନଙ୍କ ଏହି ପ୍ରସ୍ତାବରେ ଯଦି ସବୁ ପକ୍ଷ ରାଜି ହୁଅନ୍ତି ତେବେ ୨୦୨୯ରୁ ଏହା ଲାଗୁ ହେବ । ଏଥିପାଇଁ ୨୦୨୬ ଡିସେମ୍ବର ସୁଦ୍ଧା ୨୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ପଡ଼ିବ ।

ଚଳିତ ମାସ ପ୍ରାରମ୍ଭରେ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଓ ମିଜୋରାମରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏହାକୁ ସାମିଲ କରାଯାଇ ନାହିଁ । ତେଣୁ ଏହି ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇ ଜୁନ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଏହାପରେ ସମସ୍ତ ରାଜ୍ୟରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବ ।

More articles

LEAVE A REPLY

Please enter your comment!
Please enter your name here

Latest article