ନୂଆଦିଲ୍ଲୀ: ଦେଶରେ ବିଦ୍ୟୁତ ସଙ୍କଟ ଦେଖାଦେବନି। ଭୟ କରିବାର କୌଣସି କାରଣ ନାହିଁ। ଅଯଥାରେ ଏନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍ କେ ସିଂହ କହିଛନ୍ତି। ଦେଶବାସୀଙ୍କୁ ଆଶ୍ବାସନା ଦେଇ ସେ କହିଛନ୍ତି ଯେ ଅଯଥାରେ ଲୋକଙ୍କ ମନରେ ଭୟ ସୃଷ୍ଟି କରାଯାଉଛି। ସାରା ଦେଶର ଚାହିଦା ପୂରଣ କରିବା ଲାଗି ଆମ ପାଖରେ ଆବଶ୍ୟକ ପରିମାଣର ବିଜୁଳି ରହିଛି। ଆମେ ସମସ୍ତଙ୍କୁ ବିଦ୍ୟୁତ ଯୋଗାଇ ଦେଉଛୁ। ଯଦି କାହାର ବିଜୁଳି ଦରକାର ମୋତେ କୁହନ୍ତୁ ମୁଁ ଯୋଗାଣ ବ୍ୟବସ୍ଥା କରିବି ବୋଲି ସେ କହିଛନ୍ତି। କୋଇଲା ସ୍ଥିତିରେ ବ୍ୟାପକ ସୁଧାର ହେଉଥିବାର ସୂଚନା ଦେଇ ସେ କହିଛନ୍ତି ଯେ ବିଦ୍ୟୁତ ଉତ୍ପାଦନ କରୁଥିବା ପାୱାର ପ୍ଲାଣ୍ଟ୍ଗୁଡ଼ିକ ପାଖରେ ଚାରି ଦିନର ଆବଶ୍ୟକତା ପୂରଣ ହେବା ଭଳି କୋଇଲା ରହିଛି। ନିୟମିତ ଭାବେ କୋଇଲା ସ୍ଥିତିରେ ସୁଧାର ହେଉଛି। ବିଭ୍ରାନ୍ତୀକର ତଥ୍ୟ ଦେଇଥିବାରୁ ସେ ଟାଟା ଓ ଗେଲ୍କୁ ସମାଲୋଚନା ମଧ୍ୟ କରିଛନ୍ତି। ଏକ ବଡ଼ ଧରଣର ବିଦ୍ୟୁତ ସଙ୍କଟ ଆସିବାର ଆଶଙ୍କା ରହିଥିବା ନେଇ ଗତକାଲି ଟାଟା ପାୱାର ପକ୍ଷରୁ ଦିଲ୍ଲୀବାଦୀଙ୍କୁ ସତର୍କ କରାଇଥିଲା।
ଏହି ପ୍ରସଙ୍ଗରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ନିଜ ପକ୍ଷ ରଖାଯାଇଛି। ବିଦ୍ୟୁତ ଚାହିଦା ପୂରଣ ପାଇଁ ଦେଶରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ ରହିଛି ବୋଲି କୋଇଲା ମନ୍ତ୍ରଣାଳୟ ଆଶ୍ୱାସନା ଦେଇଛି । ବିଦ୍ୟୁତ ଯୋଗାଣ ବ୍ୟାଘାତ ହେବା ନେଇ ସମସ୍ତ ପ୍ରକାର ଆଶଙ୍କା ଭିତ୍ତିହୀନ। ପାୱାର ପ୍ଲାଣ୍ଟଗୁଡ଼ିକରେ ପାଖାପାଖି ୭୨ ଲକ୍ଷ ଟନ କୋଇଲା ମହଜୁଦ ରହିଛି, ଯାହା କି ୪ ଦିନର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ। କୋଲ ଇଣ୍ଡିଆ ପାଖରେ ଏବେ ଥିବା ୪୦୦ ଲକ୍ଷ ଟନ୍ରୁ ଅଧିକ କୋଇଲା ପାୱାର ପ୍ଲାଣ୍ଟ୍କୁ ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପାୱାର ପ୍ଲାଣ୍ଟ୍କୁ ଦିଆଯାଉଥିବା କୋଇଲା ହେଉଛି ରୋଲିଂ ଷ୍ଟକ୍। ଅର୍ଥାତ ପ୍ରତିଦିନ ସେମାନଙ୍କୁ କୋଇଲା ଯୋଗାଣ କରାଯାଏ। ତେଣୁ ଏକ ଲମ୍ବା ସମୟ ପର୍ଯ୍ୟନ୍ତ କୋଇଲା ଅଭାବ ରହିବ ନାହିଁ। ଯଦି କୌଣସି ଦିନ ଷ୍ଟକ୍ ହ୍ରାସ ପାଇଥିବ ତେବେ ତାହାର ପରବର୍ତ୍ତୀ ଦିନଗୁଡ଼ିକରେ ସ୍ଥିତିରେ ସୁଧାର ହୋଇଥାଏ। ପାୱାର ପ୍ଲାଣ୍ଟ୍ର ଦୈନିକ ଆବଶ୍ୟକତା ହେଉଛି ୧୮.୫ ଲକ୍ଷ ଟନ୍ କୋଇଲା। ସେମାନଙ୍କୁ ପ୍ରତିଦିନ ହାରାହାରି ୧୭.୫ ଲକ୍ଷ ଟନ୍ କୋଇଲା ଯୋଗାଇ ଦିଆଯାଉଛି। ମୌସୁମୀ ବର୍ଷା ସମୟରେ କୋଇଲା ଉତ୍ପାଦନ ଓ ଯୋଗାଣ କିଛିଟା ପ୍ରଭାବିତ ହୋଇଥିଲା। ସେଥିପାଇଁ ଯେଉଁ ଅଭାବ ଦେଖାଦେଇଥିଲା ତାହାକୁ ପ୍ରତିଦିନ ଭରଣା କରାଯାଉଛି ବୋଲି କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ପାୱାର ପ୍ଲାଣ୍ଟ୍ଗୁଡ଼ିକୁ ଚଳିତ ବର୍ଷର ପ୍ରଥମ ୬ ମାସରେ ୨୫୫ ନିୟୁତ ଟନ୍ କୋଇଲା ଯୋଗାଇ ଦିଆଯାଇଛି। କିଛି ଦିନ ପୂର୍ବରୁ ଦୈନିକ ୧୪ ଲକ୍ଷ ଟନ୍ କୋଇଲା ଦିଆଯାଉଥିଲା। ବର୍ଷା କମିଆସୁଥିବାରୁ ଏହି ଯୋଗାଣ ଏବେ ୧୫ ଲକ୍ଷ ଟନକୁ ବୃଦ୍ଧି ପାଇଛି ଓ ଅକ୍ଟୋବର ଶେଷ ସୁଦ୍ଧା ଏହା ଦୈନିକ ୧୬ ଲକ୍ଷ ଟନ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଦେଶର ଆଲୁମିନିୟମ, ସିମେଣ୍ଟ, ଇସ୍ପାତ ଆଦି ଅଣ-ବିଦ୍ୟୁତ ଶିଳ୍ପର ଚାହିଦା ପୂରଣ ପାଇଁ କୋଲ୍ ଇଣ୍ଡିଆ ଦିନକୁ ୨.୫ ଲକ୍ଷ ଟନରୁ ଅଧିକ କୋଇଲା ଯୋଗାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ପର୍ଯ୍ୟନ୍ତ ମୌସୁମୀ ବର୍ଷା ଲାଗି ରହିବାରୁ ପାୱାର ପ୍ଲାଣ୍ଟ୍ଗୁଡ଼ିକରେ ମହଜୁଦ ରହୁଥିବା କୋଇଲା ପରିମାଣ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇବା ପରେ ଦେଶରେ ବଡ଼ ଧରଣର ବିଦ୍ୟୁତ ସଙ୍କଟ ଦେଖାଦେବ ବୋଲି ଅନୁମାନ କରାଯାଉଛି। ଦିଲ୍ଲୀରେ ବିଦ୍ୟୁତ ବଣ୍ଟନ କରୁଥିବା ସଂସ୍ଥା ଟାଟା ପାୱାର ପକ୍ଷରୁ ସମ୍ଭାବ୍ୟ ବିଦ୍ୟୁତ ସଙ୍କଟ ବିଷୟରେ ଲୋକମାନଙ୍କୁ ସତର୍କ କରାଯିବା ପରେ ସାରା ଦେଶର ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା। ସେହି ଭୟ ଦୂର କରିବା ଲାଗି ଆଜି ଶକ୍ତିମନ୍ତ୍ରୀ ଶ୍ରୀ ସିଂହଙ୍କୁ ସାମ୍ନାକୁ ଆସି ଦେଶବାସୀଙ୍କୁ ଆଶ୍ବାସନା ଦେବାକୁ ପଡ଼ିଛି। ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ ଓ ଦିଲ୍ଲୀ ଭଳି ରାଜ୍ୟର ସରକାର ମଧ୍ୟ କୋଇଲା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ।