ଧାରା-୩୭୦କୁ ନେଇ ବିତର୍କ
ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା କେବେ ପୁନରୁଦ୍ଧାର ହେବ ଏବଂ କେବେ ହେବ ନିର୍ବାଚନ ? ସୁପ୍ରିମକୋର୍ଟରେ ଏହାର ଜବାବ ରଖିଛନ୍ତି ସରକାର । ଧାରା-୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣିବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଜମ୍ମୁ-କଶ୍ମୀରରେ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ । ଏହି ନିଷ୍ପତ୍ତି ନିର୍ବାଚନ ଆୟୋଗ ଓ ରାଜ୍ୟ ନିର୍ବାଚନ ୟୁନିଟ୍ ଉପରେ ନିର୍ଭର କରୁଛି । କେନ୍ଦ୍ର ଆହୁରି ମଧ୍ୟ କହିଛି ଯେ ଜମ୍ମୁ-କଶ୍ମୀରରେ ଭୋଟର ତାଲିକା ଅପଡେଟ୍ କରିବା ପ୍ରକ୍ରିୟା ଚାଲିଛି, ଏହାକୁ ଶେଷ କରିବାକୁ ଏକ ମାସ ସମୟ ଲାଗିବ । କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇ ଆଣିବାକୁ କିଛି ସମୟ ଲାଗିବ ବୋଲି ସରକାର କହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଯେକୌଣସି ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ।
କାଶ୍ମୀରରେ ତିନୋଟି ସ୍ତରରେ ହେବ ନିର୍ବାଚନ
ଯେ ଜମ୍ମୁ-କଶ୍ମୀରରେ ତିନୋଟି ସ୍ତରରେ ନିର୍ବାଚନ ହେବ ବଁଲି ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ପ୍ରଥମେ ପଞ୍ଚାୟତ ସ୍ତରରେ, ଦ୍ୱିତୀୟରେ ପୌର ସଂସ୍ଥା ଏବଂ ପରେ ବିଧାନସଭା ନିର୍ବାଚନ । ସଲିସିଟର ଜେନେରାଲ କହିଛନ୍ତି ଯେ ଲଦାଖ ପାହାଡ଼ ବିକାଶ ପରିଷଦ, ଲେହ ପାଇଁ ନିର୍ବାଚନ ଶେଷ ହୋଇଛି ଏବଂ ଆସନ୍ତା ମାସରେ କାର୍ଗିଲରେ ନିର୍ବାଚନ ଅନୁଷ୍ଠିତ ହେବ । ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ସ୍ପଷ୍ଟ ସମୟସୀମା ଦେଇପାରୁନାହାନ୍ତି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ମଧ୍ୟ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଅସ୍ଥାୟୀ ବୋଲି ସ୍ପଷ୍ଟ କରିଛନ୍ତି । ଏହାକୁ ପୂର୍ଣ୍ଣାଙ୍ଗ ରାଜ୍ୟ କରିବା ପାଇଁ ପ୍ରକ୍ରିୟା ଚାଲିଛି ବୋଲି କେନ୍ଦ୍ର କହିଛି ।
କେନ୍ଦ୍ରର ଯୁକ୍ତି
୨୦୧୮ ତୁଳନାରେ ୨୦୨୩ରେ ଆତଙ୍କବାଦୀ ଘଟଣା ୪୫.୨% ହ୍ରାସ ପାଇଛି ଏବଂ ଅନୁପ୍ରବେଶ ୯୦% ହ୍ରାସ ପାଇଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ପଥର ମାଡ଼ ଭଳି ଆଇନ ଶୃଙ୍ଖଳା ମାମଲା ୯୭% ହ୍ରାସ ଘଟିଛି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ସଂଖ୍ୟା ୬୫% ହ୍ରାସ ପାଇଛି । ୨୦୧୮ରେ ୧୭୬୭ଟି ପଥର ମାଡ଼ ଘଟଣା ଘଟିଥିବାବେଳେ ଏବେ ତାହା ଶୂନ ରହିଛି । କେନ୍ଦ୍ର କହିଛି ଯେ ୨୦୧୮ରେ ୫୨ଟି ସଟଡାଉନ୍ ହୋଇଥିଲା ଏବଂ ବର୍ତ୍ତମାନ ଏହା ଶୂନ ରହିଛି ।
ଧାରା ୩୭୦ ଉଚ୍ଛେଦ ବିରୋଧରେ ଅନ୍ୟତମ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ସରକାର ୫ ହଜାର ଲୋକଙ୍କୁ ଅଟକ ରଖିଛନ୍ତି, ଧାରା ୧୪୪ ଲାଗୁ କରାଯାଇଛି । ଇଣ୍ଟରନେଟ୍ ବନ୍ଦ ହୋଇଯାଇଥିଲା ଏବଂ ଲୋକମାନେ ଡାକ୍ତରଖାନା ମଧ୍ୟ ଯାଇପାରିନଥିଲେ । ଗଣତନ୍ତ୍ରକୁ ଉପହାସ କରିବା ଉଚିତ ନୁହେଁ ଏବଂ ବନ୍ଦ ବିଷୟରେ କହିବା ଉଚିତ ନୁହେଁ ।