ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଭାରତ ପାଇଁ ଆଉ ଏକ ଖୁସି ଖବର, ଏହି ସଂଖ୍ୟା ଦେଖିବା ପରେ ଚିନ୍ତାରେ ରହିବ ଚୀନ

Must read

ନୂଆଦିଲ୍ଲୀ: ଅର୍ଥନୀତି କ୍ଷେତ୍ରରେ ଭାରତ ପାଇଁ ଆଉ ଏକ ଖୁସି ଖବର ଆସିଛି । ଭାରତର ଅର୍ଥନୀତି ସୁଦୃଢ଼ ହୋଇଛି । ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଆସିଥିବା ଏହି ତଥ୍ୟ ଭାରତର ସ୍ଥିତିକୁ ସୁଦୃଢ଼ କରିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସର ତଥ୍ୟ ସାମ୍ନାକୁ ଆସିଛି । ଚଳିତ ଆର୍ଥିକ ବର୍ଷ ଭଲ ଭାବେ ଆରମ୍ଭ ହୋଇଛି । ପ୍ରଥମ ତ୍ରୟମାସରେ ଭାରତର ଅର୍ଥନୀତି ଭଲ ପ୍ରଦର୍ଶନ କରିଥିବାବେଳେ ଭାରତର ଅଭିବୃଦ୍ଧି ହାର ୭.୮ ପ୍ରତିଶତରେ ପହଞ୍ଚିଛି । ଏହି ପରିସଂଖ୍ୟାନ ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ବିଶ୍ୱର ଯେକୌଣସି ପ୍ରମୁଖ ଅର୍ଥନୀତି ତୁଳନାରେ ଦ୍ରୁତତମ ଅଭିବୃଦ୍ଧି ହାର ।

ପରିସଂଖ୍ୟାନ ଉପରେ ଏକ ନଜର

ଅଗଷ୍ଟ ୩୧, ଗୁରୁବାର ଜିଡିପି ତଥ୍ୟ ପ୍ରକାଶ ପାଇଛି । ଜୁନ୍ ତ୍ରୟମାସରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଗତ ୪ ତ୍ରୈମାସରେ ସବୁଠାରୁ ଦ୍ରୁତତମ ରହିଛି । ଜୁନ୍ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତରେ ପହଞ୍ଚିଛି । ଏହା ପୂର୍ବରୁ ମାର୍ଚ୍ଚ ତ୍ରୟମାସରେ ଅଭିବୃଦ୍ଧି ହାର ୬.୧ ପ୍ରତିଶତ ସ୍ତରରେ ରହିଥିଲା । ଡିସେମ୍ବର ତ୍ରୟମାସରେ ଜିଡିପି ୪.୫ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ଯଦି ଆପଣ କ୍ଷେତ୍ର ଆଧାରରେ ପ୍ରଦର୍ଶନକୁ ଦେଖନ୍ତି, ତେବେ ଜୁନ୍ ତ୍ରୈମାସରେ କୃଷି କ୍ଷେତ୍ରର ପ୍ରଦର୍ଶନ ଶ୍ରେଷ୍ଠ ରହିଛି । ଜାତୀୟ ପରିସଂଖ୍ୟାନ ତଥ୍ୟ (ଏନ୍ଏସ୍ଓ) ପକ୍ଷରୁ ଗୁରୁବାର ଏହି ତଥ୍ୟ ପ୍ରକାଶ ପାଇଛି । ଏନଏସଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, କୃଷି କ୍ଷେତ୍ର ଶ୍ରେଷ୍ଠ ପ୍ରଦର୍ଶନ କରିଛି । ୨୦୨୨-୨୩ ର ସମାନ ତ୍ରୟମାସରେ କୃଷି କ୍ଷେତ୍ରରେ ୨.୪ ପ୍ରତିଶତ ଅଭିବୃଦ୍ଧି ଘଟିଥିବାବେଳେ ଏହା ୩.୫ ପ୍ରତିଶତ ରହିଛି । ତେବେ ଏହି ତ୍ରୟମାସରେ ମାନୁଫାକ୍ଚରିଂ ସେକ୍ଟରର ଅଭିବୃଦ୍ଧି ୪.୭ ପ୍ରତିଶତକୁ ଖସି ଆସିଛି । ଗତବର୍ଷ ଏହି ସମୟରେ ଏହା ୬.୧ ପ୍ରତିଶତ ଥିଲା ।

ଆରବିଆଇର ପୂର୍ବାନୁମାନ

ରିଜର୍ଭ ବ୍ୟାଙ୍କର ପୂର୍ବାନୁମାନ ଅନୁଯାୟୀ, ଜୁନ୍ ତ୍ରୟମାସରେ ଭାରତୀୟ ଅର୍ଥନୀତି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା । ପ୍ରଥମ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ହାର ୮ ପ୍ରତିଶତ ରହିବ ବୋଲି ଆରବିଆଇ ଆକଳନ କରିଥିଲା । ତେବେ ଆରବିଆଇର ଆକଳନ ତୁଳନାରେ ଅଭିବୃଦ୍ଧି ହାର ସାମାନ୍ୟ କମ୍ ରହିଛି । ଆପଣଙ୍କୁ କହିରଖୁଛୁ ଯେ ଅନେକ ରେଟିଂ ଏଜେନ୍ସି ଭାରତର ଅଭିବୃଦ୍ଧି ହାରର ଆକଳନକୁ ସଂଶୋଧନ କରିଛନ୍ତି । ଆଇଏମଏଫ ୨୦୨୩ ପାଇଁ ଅଭିବୃଦ୍ଧି ହାର ୫.୯ ପ୍ରତିଶତ ରହିବ ବୋଲି ଆକଳନ କରିଥିଲା, କିନ୍ତୁ ପରେ ଏହାକୁ ୬.୧ ପ୍ରତିଶତକୁ ସଂଶୋଧନ କରିଥିଲା । ସେହିପରି ରେଟିଂ ଏଜେନ୍ସି ଏହାର ଆକଳନକୁ ୬ ପ୍ରତିଶତରୁ ୬.୩ ପ୍ରତିଶତକୁ ବୃଦ୍ଧି କରିଛି ।

ଦ୍ରୁତ ଗତିରେ ବଢ଼ୁଛି ଭାରତ

ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଏହାକୁ ସାରା ବିଶ୍ୱ ପାଇଁ ଆଖି ଖୋଲିଦେଇଛି । ଅର୍ଥନୀତିର ଭଲ ପ୍ରଦର୍ଶନ ସହିତ ଭାରତ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ ପାଲଟିଛି । ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ରେ ପରିଣତ ହେଉଛି । ବିଶ୍ୱର ପ୍ରମୁଖ ଦେଶଗୁଡ଼ିକ ଉପରେ ନଜର ପକାଇଲେ ଜୁନ୍ ତ୍ରୈମାସରେ ଆମେରିକାର ଅଭିବୃଦ୍ଧି ହାର ୨.୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ଜୁନ୍ ତ୍ରୟମାସରେ ଚୀନ୍ ୬.୩ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ସେହିପରି ବ୍ରିଟେନର ଅର୍ଥନୀତି ୦.୪ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଛି ।

More articles

LEAVE A REPLY

Please enter your comment!
Please enter your name here

Latest article