ନୂଆଦିଲ୍ଲୀ-ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ସେପ୍ଟେମ୍ବର ୫ରେ ଇଣ୍ଡିଆ ମେଣ୍ଟର ସାଂସଦମାନଙ୍କୁ ନେଇ ଏକ ବୈଠକ ଡକାଇଛନ୍ତି ।
ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନ ପାଇଁ ବିରୋଧୀ ଦଳମାନେ ରଣନୀତି ସ୍ଥିର କରିବେ ବୋଲି ସୂତ୍ରରୁ ପ୍ରକାଶ । ଖଡଗେ ତାଙ୍କ ରାଜାଜୀ ମାର୍ଗ ସ୍ଥିତ ବାସଭବନରେ ଏହି ବୈଠକ ଡାକିଛନ୍ତି । ସଂସଦର ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ବିରୋଧୀ ଇଣ୍ଡିଆ ମେଣ୍ଟ ପରସ୍ପର ସହ ମିଶି କାମ କରୁଛି ଏବଂ ୨୦୨୪ ଲୋକସଭା ନିର୍ବାଚନ ସହିତ ବିଭିନ୍ନ କ୍ଷେତ୍ରରେ ଏକଜୁଟ ହୋଇ ବିଜେପିକୁ ମୁକାବିଲା କରିବାକୁ ଯୋଜନା କରୁଛି । ନିକଟରେ ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ଏହି ମେଣ୍ଟ ଏକାଠି କାର୍ଯ୍ୟ କରିଛି ।