ନୂଆଦିଲ୍ଲୀ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମତଦାତା ସୂଚୀରେ ଇତିହାସ ରଚିଛି ତେଲେଙ୍ଗାନା । ତେଲେଙ୍ଗାନା ଗଠନ ପରେ ପ୍ରଥମ ଥର ପାଇଁ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ଚଳିତ ମାସ ୩୦ ତାରିଖରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ନିର୍ବାଚନ ଆୟୋଗ ତେଲେଙ୍ଗାନାର ଚୂଡ଼ାନ୍ତ ଭୋଟର ତାଲିକା ଜାରି କରିଛନ୍ତି । ଏହି ତାଲିକାକୁ ଦେଖିଲେ ଜଣାପଡୁଛି ଯେ ଭୋଟର ଲିଙ୍ଗ ଅନୁପାତ ୧୦.୨କୁ ବୃଦ୍ଧି ପାଇଛି । ଚଳିତ ବର୍ଷ ଜାନୁଆରୀରେ ଲିଙ୍ଗ ଅନୁପାତ ୯୯୨ ଥିବାବେଳେ ଗତ ମାସରେ ଏହା ୯୯୮କୁ ବୃଦ୍ଧି ପାଇ ଏବେ ୧୦୦୦.୨ରେ ପହଞ୍ଚିଛି । ଅକ୍ଟୋବର ୩୧ ତାରିଖ ସୁଦ୍ଧା ମିଳିଥିବା ବିବରଣୀରେ ସଂଶୋଧନ ପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି ।
ପୁରୁଷଙ୍କ ତୁଳନାରେ ମହିଳା ମତଦାତାଙ୍କ ସଂଖ୍ୟା ଅଧିକ
ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ତେଲେଙ୍ଗାନାରେ ସମୁଦାୟ ୩,୨୬,୧୮,୨୦୫ ଜଣ ମତଦାତା ଅଛନ୍ତି । ଏମାନଙ୍କ ମଧ୍ୟରେ ୧ କୋଟି ୬୨ ଲକ୍ଷ ୯୮ ହଜାର ୪୧୮ ଜଣ ପୁରୁଷ ଓ ୧ କୋଟି ୬୩ ଲକ୍ଷ ୧ ହଜାର ୭୦୫ ଜଣ ମହିଳା ମତଦାତା ରହିଛନ୍ତି । ତେଲେଙ୍ଗାନାରେ ତୃତୀୟ ଲିଙ୍ଗର ୨୬୭୬ ଜଣ ମତଦାତା ପଞ୍ଜୀକୃତ ହୋଇଛନ୍ତି।
୩୬ ନିୟୁତ ନାମ ଯୋଡ଼ାଯାଇଛି
ଭୋଟର ତାଲିକାରେ ୩୫ ଲକ୍ଷ ୭୩ ହଜାରରୁ ଅଧିକ ଲୋକଙ୍କ ନାମ ଯୋଡ଼ି ହୋଇଛି । ଏଥିସହ ପ୍ରାୟ ୯ ଲକ୍ଷ ଲୋକଙ୍କ ନାମ ହଟାଇ ଦିଆଯାଇଛି । ପାଖାପାଖି ୧୬ ଲକ୍ଷ ନାମ ସେମାନଙ୍କ ମତଦାନ ଠିକଣା ବଦଳାଇଛନ୍ତି ।
ତୃତୀୟ ଲିଙ୍ଗର ରେକର୍ଡ ପଞ୍ଜୀକରଣ
ମତଦାତା ସୂଚୀରେ ସାମିଲ କରିବା ପାଇଁ ନିର୍ବାଚନ ଆୟୋଗ ସମସ୍ତ ଜିଲ୍ଲାରେ ତୃତୀୟ ଲିଙ୍ଗପାଇଁ ନାମାଙ୍କନ ଶିବିର ଆୟୋଜନ କରି ସେମାନଙ୍କ ଉପରେ ଗୁରୁତ୍ୱାରୋପ କରିଥିଲେ । ତୃତୀୟ ଲିଙ୍ଗର ସଂଗଠନଗୁଡ଼ିକ ସହ ମଧ୍ୟ ବୈଠକ ହୋଇଥିଲା । ନିରନ୍ତର ପ୍ରୟାସ ପରେ ଚଳିତ ବର୍ଷ ଜାନୁଆରୀରେ ତେଲେଙ୍ଗାନାରେ ତୃତୀୟ ଲିଙ୍ଗଭାବେ ପରିଚୟ ଦେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଜାନୁଆରି ପୂର୍ବରୁ ତେଲେଙ୍ଗାନାରେ ମାତ୍ର ୧୯୫୨ ତୃତୀୟ ଲିଙ୍ଗ ଭୋଟର ପଞ୍ଜୀକୃତ ହୋଇଥିଲେ ।
ଯୁବ ମତଦାତାଙ୍କ ସଂଖ୍ୟା ଅଧିକ
୧୮ରୁ ୧୯ ବର୍ଷ ବୟସବର୍ଗର ଭୋଟରଙ୍କ ସଂଖ୍ୟା ୯ ଲକ୍ଷ ୯୯ ହଜାରରୁ ଅଧିକ, ଯାହା କି ମୋଟ ଭୋଟରଙ୍କ ୩.୦୬ ପ୍ରତିଶତ । ତେଲେଙ୍ଗାନାରେ ମଧ୍ୟ ଏହି ବୟସ ବର୍ଗରେ ଏହା ସର୍ବାଧିକ ସଂଖ୍ୟା । ଏହି ବୟସ ବର୍ଗରେ ଲିଙ୍ଗ ଅନୁପାତ ୭୦୭ରୁ ୭୫୩କୁ ବୃଦ୍ଧି ପାଇଛି । ରାଜ୍ୟରେ ୪ ଲକ୍ଷ ୪୦ ହଜାରରୁ ଅଧିକ ଭୋଟର ଅଛନ୍ତି, ଯେଉଁମାନଙ୍କ ବୟସ ୮୦ ବର୍ଷରୁ ଅଧିକ ଏବଂ ୫ ଲକ୍ଷ ୬ ହଜାରରୁ ଅଧିକ (୫.୦୬.୯୨୧) ଭିନ୍ନକ୍ଷମ ଅଛନ୍ତି ।