ନୂଆଦିଲ୍ଲୀ : କେବଳ ଐତିହାସିକ ନୁହେଁ ବରଂ ଆଜିର ଦିନରେ ଆଇନର ଜଟିଳ ବାସ୍ତବତା ମଧ୍ୟ ଜାତିଗତ ବିଭାଜନକୁ ସ୍ଥାୟୀ କରିଛି ବୋଲି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି । ଏଭଳି ସ୍ଥିତିରେ ସଂରକ୍ଷଣ ଓ ରାଜ୍ୟର ଅନ୍ୟାନ୍ୟ ସକାରାତ୍ମକ ପ୍ରୟାସ ଅସମାନତା ଦୂର କରିବା ପାଇଁ ଆଶାର କିରଣ ପାଲଟିଛି । ବେଙ୍ଗାଲୁରୁରେ ଅନୁଷ୍ଠିତ ୩୬ତମ ଆଇନ ଏସିଆ ସମ୍ମିଳନୀରେ ମୁଖ୍ୟବକ୍ତାଭାବେ ଯୋଗଦେଇ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଏହା କହିଛନ୍ତି । ଆଇନରେ ଥିବା ଜଟିଳତାକୁ ଆମେ ସ୍ୱୀକାର କରିବା ଦରକାର ଯାହା ଅସମାନତାକୁ ବଜାୟ ରଖିଥାଏ ।
ସରକାରୀ ହସ୍ତକ୍ଷେପ ସାମାଜିକ କୁସଂସ୍କାର ଦୂର କରିପାରିବ
ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଆଜି ସ୍ୱାଧୀନତାର ଅର୍ଥ ବଦଳିଯାଇଛି । ଐତିହାସିକ ଦୃଷ୍ଟିକୋଣରୁ ସ୍ୱାଧୀନତାର ଅର୍ଥ ବ୍ୟକ୍ତିଗତ କାର୍ଯ୍ୟ ଓ ନିଷ୍ପତ୍ତିରେ ସରକାରୀ ହସ୍ତକ୍ଷେପରୁ ମୁକ୍ତି, କିନ୍ତୁ ସମସାମୟିକ ପଣ୍ଡିତମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ସାମାଜିକ ପୂର୍ବାଗ୍ରହକୁ ଦୂର କରିବାରେ ସରକାରଙ୍କ ଭୂମିକାକୁ ଅଣଦେଖା କରାଯାଇପାରିବ ନାହିଁ । ଯେଉଁଠି ସରକାର ହସ୍ତକ୍ଷେପ କରନ୍ତି ନାହିଁ, ସେଠାରେ ସାମାଜିକ ଓ ଅର୍ଥନୈତିକ ସମୃଦ୍ଧ ସମୁଦାୟ ଆପେ ଆପେ ଐତିହାସିକଭାବେ ଅବହେଳିତ ଲୋକଙ୍କ ଉପରେ ଆଧିପତ୍ୟ ବଜାୟ ରଖନ୍ତି । ଆଦିବାସୀ ସମ୍ପ୍ରଦାୟର ଉଦାହରଣ ଦେଇ ସେ ବୁଝାଇଥିଲେ ଯେ ସେମାନଙ୍କ ପାଇଁ ସେମାନଙ୍କ ଜମିର ଅଧିକାର ହେଉଛି ସ୍ୱାଧୀନତା ଏବଂ ଜମି ଉପରେ ସରକାରଙ୍କ ଅଧିକାର ସେମାନଙ୍କ ପ୍ରତି ଭେଦଭାବ ଦର୍ଶାଉଛି ।
ଏକ ଅଲଗା ପରିଚୟ ସହିତ ବନ୍ଧା ହୁଅନ୍ତୁ ନାହିଁ
ପ୍ରଧାନ ବିଚାରପତି କହିଛନ୍ତି ଯେ ଆମ ସମାଜରେ ଥିବା ଅନ୍ତର୍ନିହିତ ବ୍ୟବସ୍ଥାଗତ ଭେଦଭାବକୁ ଦୂର କରିବା ପାଇଁ ଏହା ଜରୁରୀ ଯେ ଲୋକମାନେ ଭିନ୍ନ ଭିନ୍ନ ପରିଚୟ ସହିତ ବନ୍ଧା ନ ହୁଅନ୍ତୁ । ଭିନ୍ନକ୍ଷମ ବ୍ୟକ୍ତିମାନେ କୌଣସି ସୁବିଧା ପାଇଁ ଯୋଗ୍ୟତା ପ୍ରମାଣପତ୍ର ପାଇବାକୁ ବାଧ୍ୟ ହୁଅନ୍ତି ଏବଂ ଏଥିପାଇଁ ମାନଦଣ୍ଡ ସ୍ଥିର କରିବା ଅନେକ ସୁବିଧାରୁ ବଞ୍ଚିତ ହୋଇଥାଏ । ଏଭଳି ସ୍ଥିତିରେ ଆମେ ସେମାନଙ୍କୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି । ସେହିଭଳି ‘ଲିଙ୍ଗଭିତ୍ତିକ’ ଆଇନ ପ୍ରଣୟନ କରିବାଦ୍ୱାରା ପୁରୁଷମାନେ ଉପକୃତ ହେବା ସହ ମହିଳାମାନେ କ୍ଷତିଗ୍ରସ୍ତ ହୋଇଥିଲେ । ସଶସ୍ତ୍ର ବାହିନୀରେ ମହିଳାମାନଙ୍କୁ ସ୍ଥାୟୀ କମିସନ୍ ଦେବା ପାଇଁ ଅନୁମତି ଦେବା ଏବଂ ମଦ ସମ୍ବନ୍ଧୀୟ କୌଣସି ଅନୁଷ୍ଠାନରେ ମହିଳାଙ୍କ ନିଯୁକ୍ତି ଉପରେ ଲାଗିଥିବା ନିଷେଧାଦେଶକୁ ହଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦୁଇଟି ରାୟକୁ ପ୍ରଧାନ ବିଚାରପତି ଉଲ୍ଲେଖ କରିଛନ୍ତି ।