କଂଶୀରାମଙ୍କଠାରୁ ଆରମ୍ଭ କରି ଆକାଶ ଆନନ୍ଦଙ୍କ ପର୍ଯ୍ୟନ୍ତ, ମାୟାବତୀ ଉତ୍ତରାଧିକାରୀଭାବେ କ’ଣ ହସ୍ତାନ୍ତର କରୁଛନ୍ତି ?

Must read

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ତାଙ୍କ ଉତ୍ତରାଧିକାରୀଭାବେ ମନୋନୀତ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ମାୟାବତୀ ଏହି ଘୋଷଣାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରୁଛନ୍ତି । ବହୁଜନ ସମାଜ ପାର୍ଟି ଯେଉଁ ପରିବର୍ତ୍ତିତ ସମୟ ଦେଇ ଗତି କରୁଛି, ସେଥିରେ ମାୟାବତୀଙ୍କ ଏହି ଘୋଷଣା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ତେବେ ରାଜନୈତିକ ଦୃଷ୍ଟିରୁ ଦଳ ପାଇଁ ସ୍ଥିତି ଏପରି ହୋଇଛି ଯେ, ଏହି ଘୋଷଣାକୁ ରାଜନୈତିକ ମହଲରେ ସେତିକି ଗୁରୁତ୍ୱ ଦିଆଯାଉନାହିଁ । ସାମ୍ପ୍ରତିକ ଯୁଗରେ ଦଳ ନିଜର ମୂଳ ମତଦାତା ଦଳିତମାନଙ୍କ ମଧ୍ୟରେ ବିଶ୍ୱାସ ହରାଇସାରିଛି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, କଂଶୀରାମଙ୍କଠାରୁ ନେତୃତ୍ୱନେବା ପରେ ମାୟାବତୀ ଆକାଶ ଆନନ୍ଦଙ୍କୁ ଉତ୍ତରାଧିକାରୀ ସୂତ୍ରରେ କ’ଣ ହସ୍ତାନ୍ତର କରୁଛନ୍ତି ।

କ୍ରମାଗତଭାବେ ନିର୍ବାଚନ ହାରିବାରେ ଲାଗିଛି ଦଳ

୨୦୦୭ ପରଠାରୁ ଦଳର ନିର୍ବାଚନୀ ପ୍ରଦର୍ଶନ କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି । ୨୦୧୧ ୟୁପି ବିଧାନସଭା ନିର୍ବାଚନରେ ଦଳ ୨୦୦୭ରେ ୨୦୬ ଆସନରୁ ୮୦କୁ ଖସି ଆସିଥିଲା । ୨୦୧୭ରେ ବିଏସପିର ପ୍ରଦର୍ଶନ ଆହୁରି ଖସିଯାଇଥିଲା । ଦଳ ମାତ୍ର ୧୯ଟି ଆସନରେ ସୀମିତ ରହିଥିଲା । ଦଳର ଭୋଟ ପ୍ରତିଶତ ପାଖାପାଖି ୪ ପ୍ରତିଶତ ହ୍ରାସ ପାଇ ୨୨ ପ୍ରତିଶତରେ ପହଞ୍ଚିଛି । ୨୦୨୨ରେ ମଧ୍ୟ ସ୍ଥିତିରେ ସୁଧାର ଆସିନଥିଲା । ଦ୍ୱିତୀୟ ଥର ପାଇଁ ବିଜେପି ୟୁପିରେ କ୍ଷମତାକୁ ଆସିବା ପରେ ବିଏସପିର ଆସନ ମାତ୍ର ଗୋଟିଏରେ ସୀମିତ ରହିଛି । ଗୋଟିଏ ପରେ ଗୋଟିଏ ନିର୍ବାଚନ ହାରିବାର ପ୍ରଭାବ ଦଳ ଉପରେ ସ୍ପଷ୍ଟଭାବେ ଦେଖିବାକୁ ମିଳୁଛି । ଗତ ଏକ ଦଶନ୍ଧି ମଧ୍ୟରେ ମାୟାବତୀଙ୍କର ଅନେକ ବିଶ୍ୱସ୍ତ ନେତା ଅନ୍ୟ ଦଳରେ ଯୋଗ ଦେଇଛନ୍ତି । ଏହା ସହ ଦଳର ତୃଣମୂଳ ସ୍ତରର ସଂଗଠନ ଦୁର୍ବଳ ହୋଇପଡ଼ିଛି । ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଫେସର ଭିକେ ରାୟ କହିଛନ୍ତି ଯେ ଅଧିକାଂଶ ନେତା ଦୀର୍ଘ ଦିନ ଧରି କ୍ଷମତାରୁ ଦୂରରେ ରହିଲେ ନିଜ ରାଜନୈତିକ ଦଳକୁ ମଜବୁତ କରିଥାନ୍ତି । ରାୟଙ୍କ କହିବା ଅନୁଯାୟୀ, ମାୟାବତୀ ସେହି ସୁଯୋଗ ହାତଛଡ଼ା କରିଥିବା ଜଣାପଡ଼ିଛି । ତାଙ୍କ ଦଳ ନିଜର ମୂଳ ମିଶନକୁ ଭୁଲିଯାଇଛି। ପ୍ରଖ୍ୟାତ ଦଳିତ ନେତା କଂଶୀରାମ ନିର୍ଯାତିତ ସମ୍ପ୍ରଦାୟ ପାଇଁ ଲଢ଼ିବା ପାଇଁ ବିଏସପି ଗଠନ କରିଥିଲେ । ଏହାର ଲକ୍ଷ୍ୟ ଥିଲା ସାରା ଦେଶରେ ଦଳିତ ଓ ଗରିବଙ୍କ ନିର୍ବାଚନୀ ସ୍ୱର ହେବା । ସ୍ଥିତି ହେଉଛି ୟୁପି ବାହାରେ ବିଏସପି ସବୁସ୍ଥାନରେ ଦୁର୍ବଳ ଦେଖାଯାଉଛି । ରାଜସ୍ଥାନରେ ବିଏସପି ନିଜର ସ୍ଥିତିକୁ ସାମାନ୍ୟ ସୁଧାରିଥିଲା କିନ୍ତୁ କଂଗ୍ରେସ ତାହାକୁ ନଷ୍ଟ କରିଦେଇଛି ।

୫ ରାଜ୍ୟର ବିଧାନସଭା ନିର୍ବାଚନରେ ଝଟକା

ନିକଟରେ ୫ଟି ରାଜ୍ୟର ନିର୍ବାଚନରେ ଦଳର ପ୍ରଦର୍ଶନ ମଧ୍ୟ ବିଶେଷ ଉତ୍ସାହଜନକ ନୁହେଁ । ଦଳ ରାଜସ୍ଥାନରେ ଗତଥର ୬ଟି ଆସନ ଜିତିଥିବାବେଳେ ଏଥର ମାତ୍ର ୨ଟି ଆସନରେ ବିଜୟୀ ହୋଇଛି । ୨୦୧୮ ତୁଳନାରେ ଏଥର ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ବିଏସପିର ଭୋଟ ପ୍ରତିଶତ ହ୍ରାସ ପାଇଛି । ରାଜସ୍ଥାନରେ ୨୦୧୮ରେ ବିଏସପିର ଭୋଟ ପ୍ରତିଶତ ୪.୦୨ ପ୍ରତିଶତ ଥିବାବେଳେ ଏଥର ତାହା ୧.୮୨ ପ୍ରତିଶତକୁ ଖସି ଆସିଛି । ମଧ୍ୟପ୍ରଦେଶରେ ମଧ୍ୟ ବିଏସପିକୁ ଝଟକା ଲାଗିଛି । ବିଏସପି ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି ସହ ମେଣ୍ଟ କରି ୧୭୮ଟି ବିଧାନସଭା ଆସନରେ ଲଢ଼ିଥିଲା । ଏଭଳି ସ୍ଥିତିରେ ସହଯୋଗୀ ଦଳ ଗୋଟିଏ ଆସନ ପାଇଥିଲେ ମଧ୍ୟ ବିଏସପି ଖାଲି ହାତରେ ରହିଥିଲା । ଦଳର ଭୋଟ ପ୍ରତିଶତ ମଧ୍ୟ ୨୦୧୮ରେ ୫ ପ୍ରତିଶତ ଥିବାବେଳେ ୩.୩୧ ପ୍ରତିଶତକୁ ଖସି ଆସିଛି । ୨୦୧୮ରେ ବିଏସପି ୨ଟି ଆସନରେ ବିଜୟୀ ହୋଇଥିଲା । ଏବଂ ମତଦାନ ହାର ୫.୦୧ ଥିଲା । ସେହିଭଳି ଛତିଶଗଡ଼ରେ ମଧ୍ୟ ଦଳର ପ୍ରଦର୍ଶନ ଖରାପ ରହିଥିଲା । ଦଳ ୫୩ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ସମସ୍ତଆସନରେ ପରାଜୟ ବରଣ କରିଥିଲା । ଭୋଟ ମଧ୍ୟ ମାତ୍ର ୨ ପ୍ରତିଶତକୁ ଖସି ଆସିଛି । ୨୦୧୮ ନିର୍ବାଚନରେ ଛତିଶଗଡ଼ରେ ବିଏସପି ୨ଟି ଆସନରେ ବିଜୟୀ ହୋଇଥିବାବେଳେ ଭୋଟ ପ୍ରତିଶତ ୩.୦୯ ପ୍ରତିଶତ ଥିଲା । ତେଲେଙ୍ଗାନାରେ ମଧ୍ୟ ଦଳର ଖାତା ଖାଲି ପଡ଼ିଛି । ଏଭଳି ସ୍ଥିତିରେ ବିଏସପିର ରାଷ୍ଟ୍ରୀୟ ଦଳର ସ୍ଥିତି ମଧ୍ୟ ବିପଦରେ ପଡ଼ିଛି ।

ରାଜ୍ୟରେ ଦୁର୍ବଳ ସଂଗଠନ

ଦଳିତ ରାଜନୀତିର ଚେହେରା କୁହାଯାଉଥିବା ମାୟାବତୀ ଏବେ ପୂର୍ବ ଭଳି ମଜବୁତ ସ୍ଥିତିରେ ନାହାନ୍ତି । ଦଳର ସବୁଠାରୁ ବଡ଼ ଆଧାର ରାଜ୍ୟ ୟୁପିରେ ଦଳର ସଂଗଠନ ଦୁର୍ବଳ ହୋଇଛି । ଏହି କାରଣରୁ ଦଳ ୨୦୦୭ ପରଠାରୁ ୟୁପିରେ କ୍ଷମତା ଦଖଲ କରିବାରେ ସକ୍ଷମ ହୋଇନାହିଁ । ଏହାବ୍ୟତୀତ ମଧ୍ୟପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ ସମେତ ଉତ୍ତର ଭାରତର ରାଜ୍ୟଗୁଡ଼ିକରେ ଦଳୀୟ ସଂଗଠନର ଅବସ୍ଥା ଖରାପ ରହିଛି । ଏଭଳି ସ୍ଥିତିରେ ମାୟାବତୀଙ୍କ ପାଖରେ ଇତିହାସର ମାନ୍ୟତା ବ୍ୟତୀତ ଅନ୍ୟକିଛି ଠୋସ୍ ସ୍ଥିତି ନାହିଁ । ଦଳ ନିଜର ମୂଳ ଦଳିତ ଭୋଟରଙ୍କୁ ମଧ୍ୟ ଏକାଠି ରଖିବାରେ ବିଫଳ ହୋଇଛି । କ୍ଷମତାରୁ ଦୂରେଇ ରହିବା ପରେ ମାୟାବତୀ ନିଜ ପ୍ରତିମୂର୍ତ୍ତି ନିର୍ମାଣ ଓ ଦଳ ବିରୋଧରେ ଦୁର୍ନୀତିର ସାଂଘାତିକ ଅଭିଯୋଗର ସମ୍ମୁଖୀନ ହୋଇଥିଲେ ।

ମାୟାବତୀଙ୍କ ସୋସିଆଲ ଇଞ୍ଜିନିୟରିଂ

ମାୟାବତୀ ଭାରତୀୟ ରାଜନୀତିରେ ଆମୂଳଚୂଳ ପରିବର୍ତ୍ତନ ଆଣିଥିଲେ । ସେ ପ୍ରଥମେ ଏକ ମେଣ୍ଟ ଗଠନ କରିବାରେ ସଫଳ ହୋଇଥିଲେ ଯେଉଁଥିରେ ସାମାଜିକ ଗୋଷ୍ଠୀର ମେଣ୍ଟ ଥିଲା । ମାୟାବତୀଙ୍କର ବ୍ରାହ୍ମଣ ଓ ଦଳିତମାନଙ୍କର ସାମାଜିକ ଇଞ୍ଜିନିୟରିଂର ଅତୁଳନୀୟ ମିଶ୍ରଣ ଥିଲା । ତାଙ୍କ ସାମାଜିକ ପୁନର୍ଗଠନର ଉଦ୍ଦେଶ୍ୟ କେବଳ ଅତିରିକ୍ତ ଭୋଟ ହାସଲ କରିବା ନୁହେଁ ବରଂ ତାଙ୍କର କୌଣସି ପ୍ରତିଦ୍ୱନ୍ଦ୍ୱୀ ଯେପରି ସେମାନଙ୍କର ପାରମ୍ପରିକ ଭୋଟ ବ୍ୟାଙ୍କକୁ ବଜାୟ ରଖିପାରିବେ ନାହିଁ ତାହା ସୁନିଶ୍ଚିତ କରିବା ମଧ୍ୟ ଥିଲା । ସେ ସପାରୁ ମୁସଲମାନ, ବିଜେପିରୁ ଉଚ୍ଚ ଜାତିର ଏବଂ ଅଜିତ ସିଂହଙ୍କ ଆରଏଲଡିରୁ ଜାଟମାନଙ୍କ ସମର୍ଥନ ପାଇବାରେ ସମର୍ଥ ହୋଇଥିଲେ । ସତୀଶ ମିଶ୍ରଙ୍କୁ ମାୟାବତୀ ଦଳର ପ୍ରଥମ ବ୍ରାହ୍ମଣ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକଭାବେ ନିଯୁକ୍ତ କରିଥିଲେ । ଅଗଷ୍ଟ ୨୦୦୩ରେ ସତୀଶ ମିଶ୍ର ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ । ଅଦାଲତରେ ସେ କେବଳ ମାୟାବତୀଙ୍କୁ ସଫଳତାର ସହ ରକ୍ଷା କରିନଥିଲେ ବରଂ ବ୍ରାହ୍ମଣମାନଙ୍କୁ ମାୟାବତୀଙ୍କ ନିକଟତର କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିଏସପିର ହାତୀକୁ ଉଚ୍ଚ ଜାତିର ହିନ୍ଦୁମାନଙ୍କ ପାଇଁ ଗଣେଶଭାବେ ଚିହ୍ନିତ କରାଯାଇଥିଲା । ତେବେ ବର୍ତ୍ତମାନ ବିଏସପିର ଏହି ସୋସିଆଲ ଇଞ୍ଜିନିୟରିଂ ଲୋପ ପାଇଥିବା ଜଣାପଡ଼ିଛି ।

ସେତେବେଳେ ବିଏସପି ଶକ୍ତିଶାଳୀ ଥିଲା

ବିଏସପି ଏକଦା (୨୦୦୭) ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ତୃତୀୟ ବୃହତ୍ତମ ରାଜନୈତିକ ଦଳ ଥିଲା । ମେଣ୍ଟ ରାଜନୀତି ସମୟରେ ମାୟାବତୀ ଦଳିତ ନେତାଭାବେ ନେତୃତ୍ୱ ନେଉଥିଲେ । ତାଙ୍କର ଅଭିଳାଷ ସବୁବେଳେ ସ୍ପଷ୍ଟ ଥିଲା । ଜଣେ ସରକାରୀ କର୍ମଚାରୀଙ୍କ ଝିଅ ମାୟାବତୀ ୧୯୮୪ରେ ତାଙ୍କ ଗୁରୁ କଂଶୀରାମଙ୍କ ସହ ରାଜନୀତିରେ ପ୍ରବେଶ କରିଥିଲେ । ସେହି ବର୍ଷ ସେ ମୁଜାଫରନଗରରୁ ଲୋକସଭା ଆସନ ପାଇଁ ପ୍ରଥମ ନିର୍ବାଚନ ଲଢ଼ିଥିଲେ । ତେବେ ଏହି ନିର୍ବାଚନରେ ମାୟାବତୀଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ମୁଲାୟମ ସିଂହ ଯାଦବଙ୍କ ସହାୟତାରେ ୧୯୯୫ରେ ସେ ପ୍ରଥମ ଥର ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ରାଜନୈତିକ କ୍ୟାରିୟରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ ହୋଇଥିଲା । ତେବେ ଏହି ମେଣ୍ଟ ମାତ୍ର ୪ ମାସ ଚାଲିଥିଲା ।

ବିଜେପି ସହିତ ବିଏସପିର ମେଣ୍ଟ

ମାୟାବତୀ ମଧ୍ୟ ତାଙ୍କ କଠୋର ପ୍ରତିଦ୍ୱନ୍ଦ୍ୱୀ ବିଜେପି ସହ ହାତ ମିଳାଇବାକୁ ପଛାଇ ନ ଥିଲେ । ୧୯୯୭ରେ ସେ ପ୍ରଥମ ଥର ପାଇଁ ବିଜେପି ସହ ହାତ ମିଳାଇଥିଲେ । ଏହି କାରଣରୁ ସେ ଚାହୁଁଥିଲେ ଯେ ୟୁପି ମୁଲାୟମଙ୍କ ଶାସନର ଗୁଣ୍ଡାଗିରିରୁ ମୁକ୍ତି ପାଇବ । ତାଙ୍କ ଗୁରୁ କଂଶୀରାମ ଖୋଲାଖୋଲିଭାବେ କହିଥିଲେ ଯେ ଏହା ଏକ ସ୍ୱଳ୍ପକାଳୀନ ବ୍ୟବସ୍ଥା ଥିଲା । ସେ ଠିକ୍ କହିଥିଲେ କିନ୍ତୁ ଏହା ଶେଷଥର ନୁହେଁ ଯେ ହାତୀକୁ ୟୁପିରେ ପଦ୍ମର ସମର୍ଥନ ମିଳିଥିଲା । ମାୟାବତୀ ବିଜେପି ସହ ମେଣ୍ଟ କରି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୦୦୨ରେ ସେ ପୁଣି ଥରେ ବିଜେପି ସହାୟତାରେ ସିଂହାସନରେ ବସିଥିଲେ କିନ୍ତୁ ତାଜ କରିଡର ଦୁର୍ନୀତି ଯୋଗୁଁ ୧୮ ମାସ ମଧ୍ୟରେ ଇସ୍ତଫା ଦେଇଥିଲେ । ୨୦୦୭ରେ ୟୁପିରେ ବିଏସପି ୨୦୬ଟି ଆସନରେ ବିଜୟୀ ହୋଇଥିଲା । ସେତେବେଳେ ଦଳର ୨୧ ଜଣ ଲୋକସଭା ସାଂସଦ ଥିଲେ । ମୁଲାୟମଙ୍କ ଏକମାତ୍ର ବିକଳ୍ପଭାବେ ନିଜକୁ ଉପସ୍ଥାପନ କରି ୨୦୦୭ରେ ୩୦ ପ୍ରତିଶତରୁ ଅଧିକ ଭୋଟ ପାଇ ରାଜ୍ୟରେ ନିର୍ଣ୍ଣାୟକ ବିଜୟ ହାସଲ କରିଥିଲେ ।

ମତଦାତାଙ୍କ ମନରୁ ଭୟ ଦୂର କଲେ ମାୟାବତୀ

ବିଏସପି କ୍ଷମତାକୁ ଆସିବା ପରେ ଏସ୍ ସି/ଏସ୍ ଟି ଅତ୍ୟାଚାର ନିବାରଣ ଆଇନକୁ କଡ଼ାକଡ଼ିଭାବେ କାର୍ଯ୍ୟକାରୀ କରାଯାଇଥିଲା । ପୂର୍ବରୁ ଥାନାରୁ ଫେରାଇ ଦିଆଯାଉଥିବା ଏବଂ ଏତଲା ଦେବାକୁ ଡରୁଥିବା ଅଭିଯୋଗକାରୀମାନେ ଏବେ ନିଜ ଉପରେ ଭରସା ରଖିଛନ୍ତି । ଅର୍ଥାତ୍ ଦଳିତ ଆଇଏଏସ, ଆଇପିଏସ ଏବଂ ଅନ୍ୟ ସରକାରୀ କର୍ମଚାରୀମାନେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅଧିକ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଥିଲେ । ବିଏସପି ସରକାର ମଧ୍ୟ ଦଳିତଙ୍କ ସପକ୍ଷରେ ଜମି ସଂସ୍କାର ଆଣିଥିଲେ । କେବଳ ୧୯୯୭ରେ ବିଏସପି ଶାସନ କାଳରେ ୮୧,୫୦୦ ଦଳିତଙ୍କୁ ଜମି ସଂସ୍କାର ମାଧ୍ୟମରେ ୫୨,୦୦୦ ଏକରରୁ ଅଧିକ ଜମି ଦିଆଯାଇଥିଲା । ଆମ୍ବେଦକର ଗ୍ରାମ ଯୋଜନା, ଯାହା ମୁଖ୍ୟତଃ ଦଳିତ ଗ୍ରାମ ଏବଂ ଦଳିତ ଅଞ୍ଚଳରେ ଭିତ୍ତିଭୂମି ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିଲା, ୟୁପିରେ ଗ୍ରାମୀଣ ଦଳିତମାନଙ୍କ ଅବସ୍ଥାରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଆଣିଥିଲା । ହେଲେ ଏବେ ଏସବୁ ଇତିହାସ ପାଲଟିଛି ।

ଆକାଶ ଆନନ୍ଦକୁ ଉତ୍ତରାଧିକାରୀସୂତ୍ରରେ କ’ଣ ମିଳୁଛି ?

ଏବେ ମୌଳିକ କଥା ହେଉଛି ମାୟାବତୀ ବଂଶବାଦ ରାଜନୀତିରେ ନୂଆ ଉତ୍ତରାଧିକାରୀଙ୍କୁ କ’ଣ ହସ୍ତାନ୍ତର କରୁଛନ୍ତି । ଏହାର ଉତ୍ତର ହେଉଛି ମାୟାବତୀ ଏକ ଦୁର୍ବଳ ସଂଗଠନର ଚ୍ୟାଲେଞ୍ଜକୁ ଭବିଷ୍ୟତର ନେତାଙ୍କ ହାତରେ ହସ୍ତାନ୍ତର କରୁଛନ୍ତି, ୟୁପିର ଖରାପ ସ୍ଥିତି ଏବଂ ଉତ୍ତର ଭାରତରେ ଦଳର ମରିଯାଇଥିବା ଭିତ୍ତିଭୂମିକୁ ହସ୍ତାନ୍ତର କରୁଛନ୍ତି । ଗୋଟିଏ ପରେ ଗୋଟିଏ ନିର୍ବାଚନରେ ପରାଜୟ ପରେ ବିଏସପିର ଜାତୀୟ ଦଳର ମାନ୍ୟତା ମଧ୍ୟ ବିପଦରେ ପଡ଼ିଛି । ଏଭଳି ସ୍ଥିତିରେ ଦଳର ମୂଳ ଦଳିତ ଭୋଟରଙ୍କ ମଧ୍ୟରେ ଦଳର ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ନୂଆ ଉତ୍ତରାଧିକାରୀଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ରହିବ । ଏହା ସହ ଦଳର ନେତାମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ସେମାନେ ପୂର୍ବ ମୁଖିଆଙ୍କ ଭୁଲରୁ ଶିଖିଥିବା ଦେଖାଇବାକୁ ପଡ଼ିବ ।

More articles

LEAVE A REPLY

Please enter your comment!
Please enter your name here

Latest article