କାଶ୍ମୀର ଏକ ଅବିଚ୍ଛେଦ୍ୟ ଅଙ୍ଗ: ଧାରା-୩୭୦ ପ୍ରତ୍ୟାବର୍ତ୍ତନର ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ସୁପ୍ରିମ ଝଟକା

Must read

ନୂଆଦିଲ୍ଲୀ: ଧାରା-୩୭୦ ଉଚ୍ଛେଦ ପ୍ରକ୍ରିୟାକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି । ସୋମବାର ରାୟ ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଧାରା-୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସମ୍ବିଧାନ ସଭାର ସୁପାରିସ ରାଷ୍ଟ୍ରପତିଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଜମ୍ମୁ-କଶ୍ମୀର ସମ୍ବିଧାନ ସଭା ଭଙ୍ଗ ହେବା ପରେ ମଧ୍ୟ ଧାରା-୩୭୦ର ଅବସାନ ନେଇ ବିଜ୍ଞପ୍ତି ଜାରି କରିବାର ରାଷ୍ଟ୍ରପତିଙ୍କ କ୍ଷମତା ଜାରି ରହିଛି । ଧାରା-୩୭୦ ଅନୁଯାୟୀ ସ୍ୱତନ୍ତ୍ର ପରିସ୍ଥିତି ରହିଛି କି ନାହିଁ ସେ ନେଇ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଉପରେ ଏହି ଅଦାଲତ ବିଚାର କରିପାରିବେ ନାହିଁ । ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୩ଟି ରାୟ ଦେଇଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏହି ଖଣ୍ଡପୀଠର ମୁଖ୍ୟ ଥିଲେ । ଖଣ୍ଡପୀଠରେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ଗବାଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ଏହି ରାୟ ଶୁଣାଇଛନ୍ତି । ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଏସ କେ କୌଲ ଏକ ଅଲଗା ରାୟ ଲେଖିଛନ୍ତି । ପଢନ୍ତୁ ଧାରା-୩୭୦କୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟର ବଡ଼ କଥା ।

ଧାରା-୩୭୦କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ

  • ଡିସେମ୍ବର ୨୦୧୮ରେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନର ବୈଧତା ଉପରେ ରାୟ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଏହାକୁ ଆବେଦନକାରୀ ବିଶେଷଭାବେ ଚ୍ୟାଲେଞ୍ଜ କରିନାହାନ୍ତି ।
  • ଯେତେବେଳେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଏ, ସେତେବେଳେ ରାଜ୍ୟଗୁଡ଼ିକରେ କେନ୍ଦ୍ରର କ୍ଷମତା ଉପରେ ସୀମା ରହିଥାଏ । ଧାରା-୩୫୬ ଅନୁଯାୟୀ କ୍ଷମତା ପ୍ରୟୋଗ ପାଇଁ ଯଥାର୍ଥ କାରଣ ରହିବା ଆବଶ୍ୟକ ।
  • ସାମ୍ବିଧାନିକ ବ୍ୟବସ୍ଥା ଜମ୍ମୁ-କଶ୍ମୀର ନିଜର ସାର୍ବଭୌମତ୍ୱକୁ ବଜାୟ ରଖିଛି ବୋଲି ସୂଚାଉ ନାହିଁ । ଜମ୍ମୁ-କଶ୍ମୀର ରାଜ୍ୟ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ତାହା ଭାରତୀୟ ସମ୍ବିଧାନର ଧାରା-୧ ଓ ୩୭୦ରୁ ସ୍ପଷ୍ଟ ହୋଇଛି ।

ଧାରା-୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା : ପ୍ରଧାନ ବିଚାରପତି

  • ଜମ୍ମୁ-କଶ୍ମୀର ସମ୍ବିଧାନ ସଭା ଭଙ୍ଗ ହେବା ପରେ ମଧ୍ୟ ଧାରା-୩୭୦(୩) ଅନୁଯାୟୀ ବିଜ୍ଞପ୍ତି ଜାରି କରିବାର ରାଷ୍ଟ୍ରପତିଙ୍କ କ୍ଷମତା ଜାରି ରହିଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି ।
  • ଜମ୍ମୁ-କଶ୍ମୀରକୁ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପୁନର୍ଗଠନ ବୈଧ କି ନାହିଁ ତାହା ନିର୍ଦ୍ଧାରଣ କରିବା ଆମେ ଆବଶ୍ୟକ ମନେକରୁନାହୁଁ । ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳଭାବେ ପୁନର୍ଗଠନ କରାଯାଇଛି କାରଣ ଧାରା-୩ ରାଜ୍ୟର ଏକ ଅଂଶକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାକୁ ଅନୁମତି ଦେଇଥାଏ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।
  • ସଂସଦ ଏକ ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିପାରିବ କି ବୋଲି ଯେଉଁ ପ୍ରଶ୍ନ ଉଠିଛି ତାହା ଏବେବି ବଳବତ୍ତର ରହିଛି ।
  • ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ କରାଇବା ପାଇଁ ଭାରତର ନିର୍ବାଚନ ଆୟୋଗ ପଦକ୍ଷେପ ନେବାକୁ ଆମେ ନିର୍ଦ୍ଦେଶ ଦେଉଛୁ ବୋଲି ଖଣ୍ଡପୀଠ କହିଛନ୍ତି । ଖୁବଶୀଘ୍ର ରାଜ୍ୟର ମାନ୍ୟତା ପୁନରୁଦ୍ଧାର କରାଯିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।
  • ବିଦ୍ରୋହ କାରଣରୁ ଜନସଂଖ୍ୟାର ଏକ ବଡ଼ ଅଂଶ ପଳାୟନ କରିଛି ଏବଂ ପରିସ୍ଥିତି ଏପରି ଥିଲା ଯେ ସେନାକୁ ଡାକିବାକୁ ପଡ଼ିଥିଲା । ରାଜ୍ୟବାସୀଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ୁଛି ଏବଂ ପିଢ଼ି ପରେ ପିଢ଼ି ଲୋକେ ଆଘାତ ଭୋଗୁଛନ୍ତି, ରାଜ୍ୟରେ ଏହାର ଚିକିତ୍ସାର ଆବଶ୍ୟକତା ରହିଛି।
  • ଜଷ୍ଟିସ୍ ସଞ୍ଜୀବ ଖାନ୍ନା କହିଛନ୍ତି, ଧାରା ୩୬୭ରେ ସଂଶୋଧନ ଆଇନରେ ଭୁଲ ଥିଲା କିନ୍ତୁ ସମାନ ଉଦ୍ଦେଶ୍ୟ ୩୭୦(୩) ମାଧ୍ୟମରେ ହାସଲ କରାଯାଇଥିଲା ଏବଂ ତେଣୁ ସିଓ ୨୭୩ ବୈଧ ବୋଲି ବିବେଚନା କରାଯାଏ ।

ଏହି ଶୁଣାଣି ୧୬ ଦିନ ଧରି ଚାଲିଥିଲା

୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୬ ଦିନ ଧରି ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଧାରା-୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ୨୦ରୁ ଅଧିକ ପିଟିସନ ଦାଖଲ କରାଯାଇଥିଲା । ୫ ଅଗଷ୍ଟ ୨୦୧୯ ତାରିଖରେ ସରକାର ସମ୍ବିଧାନର ଧାରା-୩୭୦ ଉଚ୍ଛେଦ କରିଥିଲେ । ଏହା ତତ୍କାଳୀନ ଜମ୍ମୁ-କଶ୍ମୀର ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିଲା । ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳଜମ୍ମୁ-କଶ୍ମୀର ଏବଂ ଲଦାଖରେ ବିଭକ୍ତ କରାଯାଇଛି ।

ଧାରା-୩୭୦: ସୁପ୍ରିମକୋର୍ଟ ଓକିଲଙ୍କ ଯୁକ୍ତି ଶୁଣିଲେ

ଧାରା-୩୭୦ ଉପରେ ଶୁଣାଣିବେଳେ ସୁପ୍ରିମକୋର୍ଟ ଅନେକ ଜଣାଶୁଣା ଓକିଲଙ୍କ ଯୁକ୍ତି ଶୁଣିଥିଲେ । କେନ୍ଦ୍ର ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ରାକେଶ ଦ୍ୱିବେଦୀ, ଭି ଗିରି ଓ ଅନ୍ୟମାନେ ଯୁକ୍ତି ଉପସ୍ଥାପନ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ, ଗୋପାଳ ସୁବ୍ରମଣ୍ୟମ, ରାଜୀବ ଧୱନ, ଜାଫର ଶାହା, ଦୁଷ୍ମନ୍ତ ଦବେ ଏବଂ ଅନ୍ୟମାନେ ଯୁକ୍ତି ଉପସ୍ଥାପନ କରିଥିଲେ ।

ଧାରା-୩୭୦: ସପକ୍ଷରେ ଓ ବିପକ୍ଷରେ ଦିଆଯାଇଥିବା ଯୁକ୍ତି

  • ଧାରା-୩୭୦ ଉଚ୍ଛେଦ କରାଯାଇପାରିବ ନାହିଁ ବୋଲି ଆବେଦନକାରୀମାନେ ଯୁକ୍ତି ବାଢ଼ିଥିଲେ । କେବଳ ଜମ୍ମୁ-କଶ୍ମୀର ସମ୍ବିଧାନ ସଭାର ସୁପାରିସ କ୍ରମେ ରାଷ୍ଟ୍ରପତି ଏହାକୁ ଉଚ୍ଛେଦ କରିପାରିବେ । ସମ୍ବିଧାନ ସଭା ୧୯୫୧ରୁ ୧୯୫୭ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରିଥାନ୍ତା, କିନ୍ତୁ ଏହାପରେ ଏହାକୁ ଉଚ୍ଛେଦ କରାଯାଇପାରିବ ନାହିଁ ।
  • ବରିଷ୍ଠ ଆଇନଜୀବୀ ସିବଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଜମ୍ମୁ-କଶ୍ମୀର ସମ୍ବିଧାନ ସଭାର କାର୍ଯ୍ୟକାଳ ଶେଷ ହୋଇଥିବାରୁ ୧୯୫୭ ପରେ ଏହାକୁ ଉଚ୍ଛେଦ କରାଯାଇପାରିବ ନାହିଁ । ଏହା କୌଣସି ସାମ୍ବିଧାନିକ କାର୍ଯ୍ୟ ନୁହେଁ ।
  • କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ କହିଥିଲେ ଯେ ଗୃହମନ୍ତ୍ରୀ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ଉପସ୍ଥାପନ କରିବା ସମୟରେ କହିଥିଲେ ଯେ ଉପଯୁକ୍ତ ସମୟରେ ରାଜ୍ୟର ମାନ୍ୟତା ଦିଆଯିବ । କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ସ୍ଥାୟୀ ନୁହେଁ ।
  • ସଲିସିଟର ଜେନେରାଲ ସୁପ୍ରିମକୋର୍ଟରେ କହିଥିଲେ ଯେ ସ୍ୱାଧୀନତାର ୭୫ ବର୍ଷ ପରେ ସେଠାକାର ଲୋକଙ୍କୁ ଏକ ଅଧିକାର ମିଳିଛି, ଯେଉଁଥିରୁ ସେମାନେ ବଞ୍ଚିତ ହୋଇଛନ୍ତି । ଏହାକୁ ଉଚ୍ଛେଦ କରାଯିବା ଦ୍ୱାରା ଦେଶର ଅନ୍ୟାନ୍ୟ ଲୋକଙ୍କୁ ବହୁ ସଂଖ୍ୟାରେ ମୌଳିକ ଅଧିକାର ଉପଲବ୍ଧ ହେଉଛି । ସେହି ଅଧିକାର ଜମ୍ମୁ-କଶ୍ମୀରବାସୀଙ୍କୁ ମଧ୍ୟ ମିଳିଥିଲା । ସେମାନଙ୍କର ଏକ ବ୍ୟାପକ ସାର୍ବଭୌମତ୍ୱ ମଧ୍ୟ ରହିଛି ।

More articles

LEAVE A REPLY

Please enter your comment!
Please enter your name here

Latest article