ନୁଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ବିକ୍ଷୋଭ ଉପରେ କଟକଣା ଲଗାଇବା ପାଇଁ ନୂଆ ନିୟମ ଲାଗୁ କରିଛି । ଏହି ନିୟମକୁ ଉଲ୍ଲଂଘନ କରୁଥିବା ଛାତ୍ରଛାତ୍ରୀଙ୍କୁ ମୋଟା ଅଙ୍କର ଜରିମାନାଠାରୁ ଆରମ୍ଭ କରି ବହିଷ୍କାର ପର୍ଯ୍ୟନ୍ତ ଦଣ୍ଡ ଭୋଗିବାକୁ ପଡ଼ିପାରେ ।
ପୂର୍ବରୁ କୁଳପତି, ରେଜିଷ୍ଟ୍ରାର ଓ ପ୍ରୋକ୍ଟରଙ୍କ କାର୍ଯ୍ୟାଳୟ ଥିବା ପ୍ରଶାସନିକ ବ୍ଲକର ୧୦୦ ମିଟର ଭିତରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିକ୍ଷୋଭକୁ ନିଷିଦ୍ଧ କରାଯାଇଛି ।
ତେବେ ନଭେମ୍ବର ୨୦୨୩ରେ ଅନୁମୋଦନ ପାଇଥିବା ସଂଶୋଧିତ ଚିଫ୍ ପ୍ରୋକ୍ଟର ଅଫିସ (ସିପିଓ) ମାନୁଆଲରେ ଶ୍ରେଣୀଗୃହ ଓ ଲ୍ୟାବ୍ ସମେତ ଶିକ୍ଷାନୁଷ୍ଠାନର ୧୦୦ ମିଟର ଭିତରେ ବିକ୍ଷୋଭକୁ ନିଷେଧ କରାଯାଇଛି । ଏହା ପୂର୍ବରୁ ପ୍ରଶାସନିକ ବ୍ଲକକୁ ନେଇ ଲାଗୁ ହୋଇଥିବା କଟକଣାକୁ ବଢ଼ାଇ ଦିଆଯାଇଛି ।
ଏହି କଟକଣାକୁ ଉଲ୍ଲଂଘନ କଲେ ୨୦ ହଜାର ଟଙ୍କା ଜରିମାନା କିମ୍ବା କ୍ୟାମ୍ପସରୁ ବହିଷ୍କାର ମଧ୍ୟ ହୋଇପାରେ । ଏହାବ୍ୟତୀତ ଧର୍ମ, ଜାତି କିମ୍ବା ସମ୍ପ୍ରଦାୟ ପ୍ରତି ଦେଶ ବିରୋଧୀ କିମ୍ବା ଅସହିଷ୍ଣୁତା ସୃଷ୍ଟି କରୁଥିବା କୌଣସି କାର୍ଯ୍ୟକଳାପ ୧୦,୦୦୦ ଟଙ୍କା ଜରିମାନାରେ ଦଣ୍ଡିତ ହେବେ ବୋଲି ବିଶ୍ୱବିଦ୍ୟାଳୟର ନୂତନ ମାନୁଆଲରେ କୁହାଯାଇଛି ।
ଗତ ଅକ୍ଟୋବର ମାସରେ ବିଶ୍ୱବିଦ୍ୟାଳୟରେ ଭାଷା ବିଦ୍ୟାଳୟ ନିର୍ମାଣ କାନ୍ଥରେ ଦେଶ ବିରୋଧୀ ସ୍ଲୋଗାନ ଲେଖାଯାଇଥିବା ଘଟଣା ଦେଖିବାକୁ ମିଳିଥିଲା ଏବଂ ଏହାର ତଦନ୍ତ ପାଇଁ ପ୍ରଶାସନ ଏକ କମିଟି ଗଠନ କରିବାକୁ ଘୋଷଣା କରିଥିଲା ।
ଜେଏନୟୁ ଛାତ୍ର ସଂସଦ (ଜେଏନୟୁଏସୟୁ) ନୂଆ ନିୟମକୁ ସମାଲୋଚନା କରି ଏହାକୁ ‘ଅସନ୍ତୋଷକୁ ଦମନ’ କରିବା ଏବଂ କ୍ୟାମ୍ପସ ସକ୍ରିୟତାକୁ ସୀମିତ କରିବାର ପ୍ରୟାସ ବୋଲି କହିଛି । ସଂଶୋଧିତ ମାନୁଆଲକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି ।
ତେବେ ଶିକ୍ଷାଗତ ଓ ପ୍ରଶାସନିକ ଶୃଙ୍ଖଳା ବଜାୟ ରଖିବା ଏବଂ ବାଧା ସୃଷ୍ଟିକୁ ରୋକିବା ପାଇଁ ନୂଆ ନିୟମାବଳୀ ଜରୁରୀ ବୋଲି ବିଶ୍ୱବିଦ୍ୟାଳୟ ପ୍ରଶାସନ କହିଛି ।
ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ କ୍ୟାମ୍ପସ ଭିତରେ ନିର୍ଦ୍ଧାରିତ ପ୍ରତିବାଦ କ୍ଷେତ୍ର ଛାତ୍ରଛାତ୍ରୀଙ୍କ ଚିନ୍ତା ବ୍ୟକ୍ତ କରିବା ପାଇଁ ଯଥେଷ୍ଟ ।