ମନ୍ତ୍ରୀଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଡିସେମ୍ବର ୧୩ରେ ସଂସଦର ଅନୁପ୍ରବେଶ ମାମଲାରେ ସଂସଦ ସଚିବାଳୟ ୮ ଜଣ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କରିଛି । ନିଲମ୍ବିତ ହୋଇଥିବା ସୁରକ୍ଷାକର୍ମୀମାନେ ହେଲେ ରାମପାଲ, ଅରବିନ୍ଦ, ବୀର ଦାସ, ଗଣେଶ, ଅନିଲ, ପ୍ରଦୀପ, ବିମିତ ଓ ନରେନ୍ଦ୍ର ।
ଆଜି ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ପହଞ୍ଚି କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଅନୁରାଗ ଠାକୁର ଏହି ବୈଠକରେ ଉପସ୍ଥିତ ଥିଲେ ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ସଂସଦ ବାହାରେ ପୂର୍ବରୁ ରେକି କରି ସାରିଥିଲେ । ସମସ୍ତ ଅଭିଯୁକ୍ତ ସୋସିଆଲ ମିଡିଆ ପେଜ୍ ‘ଭଗତ ସିଂହ ଫ୍ୟାନ୍ କ୍ଲବ୍’ ସହ ଜଡ଼ିତ ଥିଲେ ।
ପ୍ରାୟ ଦେଢ଼ ବର୍ଷ ତଳେ ସମସ୍ତ ଅଭିଯୁକ୍ତଙ୍କୁ ମହୀଶୂରରେ ଠାବ କରାଯାଇଥିଲା । ଅଭିଯୁକ୍ତ ସାଗର ଜୁଲାଇରେ ଲକ୍ଷ୍ନୌରୁ ଦିଲ୍ଲୀ ଆସିଥିଲେ ମଧ୍ୟ ସଂସଦ ଭବନଭିତରକୁ ପ୍ରବେଶ କରିପାରିନଥିଲେ । ଡିସେମ୍ବର ୧୦ତାରିଖରେ ଗୋଟିଏ ପରେ ଗୋଟିଏ ସମସ୍ତେ ନିଜ ନିଜ ରାଜ୍ୟରୁ ଦିଲ୍ଲୀରେ ପହଞ୍ଚିଥିଲେ ।
ଘଟଣା ଦିନ ସମସ୍ତ ଅଭିଯୁକ୍ତ ଇଣ୍ଡିଆ ଗେଟ୍ ନିକଟରେ ଏକାଠି ହୋଇ ସମସ୍ତଙ୍କୁ ରଙ୍ଗ ସ୍ପ୍ରେ ବଣ୍ଟନ କରିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସଂସଦ ସୁରକ୍ଷା ଉଲ୍ଲଂଘନର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅନ୍ୟ କେହି ଅଛନ୍ତି ।