ବୁଷ୍ଟର ଟିକା ନେବାର ସମୟ ଆସିଲା କି ?
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପ୍ରାୟ ୭ ମାସ ତଳେ କୋଭିଡ୍-୧୯ ପାଇଁ ଜନସ୍ୱାସ୍ଥ୍ୟ ପରାମର୍ଶ ପ୍ରତ୍ୟାହାର କରିନେଇଥିଲେ ମଧ୍ୟ ଭୂତାଣୁ ଚାଲିଯିବାର ନାଁ ନେଉନାହିଁ । ଓମିକ୍ରୋନ୍ ଭାରିଏଣ୍ଟ ଅନେକ ନୂଆ ସବ୍-ଭାରିଏଣ୍ଟରେ ପରିଣତ ହୋଇଛି, ଯାହାର ସଦ୍ୟତମ ହେଉଛି ଜେଏନ୍-୧, ଯାହା ଦ୍ରୁତ ଗତିରେ ସଂକ୍ରମିତ ହେବାରେ ଲାଗିଛି । ଗୁରୁବାର ଭାରତରେ ୬ ଜଣଙ୍କର କୋଭିଡରେ ମୃତ୍ୟୁ ରେକର୍ଡ କରାଯାଇଛି- କେରଳରେ ୩, କର୍ଣ୍ଣାଟକରେ ୨ ଏବଂ ପଞ୍ଜାବରେ ଜଣେ । ସେହିପରି ୫୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମେ’ ପରେ ଏହା ଗତ ୭ ମାସ ମଧ୍ୟରେ ସର୍ବାଧିକ ସଂଖ୍ୟା । କୋଭିଡ୍-୧୯ ଗୁରୁତର ଲକ୍ଷଣ କିମ୍ବା ମୃତ୍ୟୁର କାରଣ ନୁହେଁ । ପଜିଟିଭ୍ ଚିହ୍ନଟ ହେଉଥିବା ଅଧିକାଂଶ ଲୋକଙ୍କଠାରେ କେବଳ ସାମାନ୍ୟ ଲକ୍ଷଣ ରହିଛି । ବିମାନବନ୍ଦରରେ କୌଣସି ଟ୍ରାଭେଲ ଆଡଭାଇଜରି ଜାରି କରିବା କିମ୍ବା ଆରଟି-ପିସିଆର ବାଧ୍ୟତାମୂଳକ କରିବାକୁ ସରକାରଙ୍କର କୌଣସି ଯୋଜନା ନାହିଁ । ଭାରତ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ଏହାକୁ ଏକ ନୂଆ ଲହର କହିବା ପୂର୍ବରୁ ସେମାନେ ଆଉ କିଛିଦିନ ଅପେକ୍ଷା କରିବେ । ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ସେ ସତର୍କ କରାଇ ଦେଇଛନ୍ତି ଯେ ଜେଏନ-୧ ଡବ୍ଲୁଏଚ୍ଓର ଶେଷ ‘ଭାରିଏଣ୍ଟ ଅଫ୍ ଇଣ୍ଟରେଷ୍ଟ’ ହୋଇନପାରେ ତେଣୁ ସତର୍କତାର ଆବଶ୍ୟକତା ରହିଛି ।
ଥଣ୍ଡା କିମ୍ବା ଜ୍ୱର ପାଇଁ ସମସ୍ତଙ୍କ ପରୀକ୍ଷା କରିବା ଜରୁରୀ କି ?
ଡବ୍ଲ୍ୟୁଏଚଓର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟ ସ୍ୱାମୀନାଥନ କହିଛନ୍ତି ଯେ ଇନଫ୍ଲୁଏଞ୍ଜା ଏ (ଏଚ୍୧ଏନ୍୧ ଓ ଏଚ୍୩ଏନ୍୨), ଆଡେନୋଭାଇରସ୍, ରାଇନୋଭାଇରସ୍ ଓ ଶ୍ୱାସକ୍ରିୟା ଜନିତ ଭୂତାଣୁ ଯୋଗୁଁ ହେଉଥିବା ଶ୍ୱାସକ୍ରିୟା ଜନିତ ସଂକ୍ରମଣ ବର୍ଷା ଋତୁର ରୋଗ ସୃଷ୍ଟି କରିପାରେ, ଏହାର ଲକ୍ଷଣ କୋଭିଡ-୧୯ ସହ ସମାନ । ସେ କହିଛନ୍ତି, ଥଣ୍ଡା ଓ ଜ୍ୱର ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରୀକ୍ଷା କରିବା ସମ୍ଭବ ନୁହେଁ । ଗମ୍ଭୀର ଶ୍ୱାସକ୍ରିୟା ଜନିତ ରୋଗ କିମ୍ବା ନିମୋନିଆ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କୁ ହିଁ ପରୀକ୍ଷା କରିବା ଜରୁରୀ ।
ଟେଷ୍ଟିଂ କମ୍ ହେଲେ କରୋନାକୁ ବଢ଼ିବାରୁ କିପରି ରୋକାଯିବ ?
ଯଦି କମ୍ ଲୋକଙ୍କ ପରୀକ୍ଷା କରାଯାଉଛି, ତେବେ କରୋନା ମାମଲା ବଢ଼ୁଛି କି ନାହିଁ ତାହା ଜାଣିବା କଷ୍ଟକର ହୋଇପଡ଼ୁଛି । କିନ୍ତୁ ସଂକ୍ରମଣ ବଢ଼ିବ କି ନାହିଁ ତାହା ଆକଳନ କରିବାର ଏକ ଉପାୟ ରହିଛି । ଏହି ଉପାୟରେ ବର୍ଜ୍ୟଜଳ ପରୀକ୍ଷା କରାଯାଉଛି । ଗ୍ଲେନେଗଲ୍ସ ଗ୍ଲୋବାଲ ହେଲ୍ଥ ସିଟିର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ସୁବ୍ରମଣ୍ୟମ ସ୍ୱାମୀନାଥନ କୁହନ୍ତି ଯେ ଅନେକ ଦେଶରେ କେଉଁ ପ୍ରକାର ସଂକ୍ରମଣ ବ୍ୟାପୁଛି ତାହା ଜାଣିବା ପାଇଁ ବର୍ଜ୍ୟଜଳ ନମୁନା ପରୀକ୍ଷା କରାଯାଏ ।
ଆମେ ମାସ୍କ ପିନ୍ଧିବା ଉଚିତ କି ?
- ପୂର୍ବତନ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର କେ କୋଲାଣ୍ଡାସାମୀ କୁହନ୍ତି, ବନ୍ଦ କୋଠରୀ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ଏକ ଭଲ ଚିନ୍ତାଧାରା, ଯେପରିକି ବିବାହ ହଲ୍, ଟ୍ରେନ୍ ଏବଂ ବସ୍ । ତେବେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ।
- ବୟସ୍କ, ଗର୍ଭବତୀ ମହିଳା ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକମାନେ ଯଥାସମ୍ଭବ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବାରୁ ଦୂରେଇ ରୁହନ୍ତୁ । ଯିବାକୁ ହେଲେ ମାସ୍କ ପିନ୍ଧନ୍ତୁ ।
- ଶ୍ୱାସରୋଗ, ଥଣ୍ଡା କିମ୍ବା କାଶ ଥିବା ଲୋକମାନେ ମଧ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ଉଚିତ ।
- ମାସ୍କ ପିନ୍ଧିବାଦ୍ୱାରା କେବଳ କୋଭିଡ-୧୯ ନୁହେଁ, ଅନ୍ୟାନ୍ୟ ବାୟୁବାହିତ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ ।
ଏବେ ବୁଷ୍ଟର ଡୋଜ ନେବା ଜରୁରୀ କି ?
କରୋନା ଟିକା ଗମ୍ଭୀର ରୋଗରୁ ରକ୍ଷା କରିବାରେ ଫଳପ୍ରଦ ସାବ୍ୟସ୍ତ ହୋଇଛି, କିନ୍ତୁ ସମୟ କ୍ରମେ ଶରୀରରେ ଏହାର ପ୍ରଭାବ ହ୍ରାସ ପାଇଥାଏ । ଅଧିକାଂଶ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି କିମ୍ବା ଅତି କମରେ ୨ଟି ଟିକା ନେଇଛନ୍ତି, ତଥାପି ସେମାନେ ପୁଣି ସଂକ୍ରମିତ ହେଉଛନ୍ତି । ଏହି କାରଣରୁ ଡବ୍ଲ୍ୟୁଏଚଓ ଜେଏନ-୧ ଭାରିଆଣ୍ଟକୁ ‘ଭାରିଏଣ୍ଟ ଅଫ୍ କନସର୍ନ’ ଘୋଷଣା କରିଛି, କାରଣ ଏହା ଦ୍ରୁତ ଗତିରେ ବ୍ୟାପୁଛି । ଭାରତ ସମେତ ଅନେକ ଦେଶରେ ଟିକାର ଅପଡେଟ୍ ଭର୍ସନ ଉପଲବ୍ଧ ହୋଇସାରିଛି ।
ଆପୋଲୋ ହସ୍ପିଟାଲର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଏସ୍ ରାମାସୁବ୍ରମଣ୍ୟନ୍ କହନ୍ତି, ବୟସ୍କ, ରୋଗ ପ୍ରତିରୋଧକ ଶକ୍ତି ସଂପନ୍ନ ବ୍ୟକ୍ତି ଏବଂ ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ବୁଷ୍ଟର ଡୋଜ ନେବା ଜରୁରୀ ।
ସରକାର କ’ଣ ସତର୍କତା ଅବଲମ୍ବନ କରୁଛନ୍ତି ?
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଟିଏସ୍ ସେଲଭାଭିନାୟାଗମ୍ କହିଛନ୍ତି ଯେ ଔଷଧ ମହଜୁଦ, ଅମ୍ଳଜାନ ଆବଶ୍ୟକତା ଏବଂ ଜରୁରୀକାଳୀନ ପରିସ୍ଥିତିରେ କ’ଣ କରାଯିବ ତାହା ଯାଞ୍ଚ କରିବା ପରେ ଡାକ୍ତରଖାନାଗୁଡ଼ିକୁ ମକ୍ ଡ୍ରିଲ୍ କରିବାକୁ କୁହାଯାଇଛି ।