୨୦୨୪ ପୂର୍ବରୁ କଂଗ୍ରେସରେ ବଡ଼ ଧରଣର ଅଦଳବଦଳ

Must read

  • ଓଡ଼ିଶା ଦାୟିତ୍ୱରେ ଡ. ଅଜୟ କୁମାର
  • ଛତିଶଗଡ଼ ଦାୟିତ୍ୱରେ ସଚିନ ପାଇଲଟ
  • ୟୁପିରୁ ଇସ୍ତଫା ଦେବେ ପ୍ରିୟଙ୍କା 

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବଡ଼ ଧରଣର ଅଦଳବଦଳ କରିଛି । ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ୟୁପି କଂଗ୍ରେସର ଏଆଇସିସି ପ୍ରଭାରୀ ପଦରୁ ମୁକ୍ତ କରାଯାଇଛି । ଏହାବ୍ୟତୀତ ସଚିନ ପାଇଲଟଙ୍କୁ ଛତିଶଗଡ଼ କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ରମେଶ ଚେନ୍ନିଥାଲାଙ୍କୁ ଏଆଇସିସି ମହାରାଷ୍ଟ୍ର ପ୍ରଭାରୀ କରାଯାଇଛି । ଅବିନାଶ ପାଣ୍ଡେଙ୍କୁ ୟୁପି କଂଗ୍ରେସ ସାଧାରଣ ସମ୍ପାଦକ ପଦ ଦିଆଯାଇଛି । ପ୍ରିୟଙ୍କା ଗାନ୍ଧି ଭଦ୍ରା ବିନା କୌଣସି ବିଭାଗରେ ସାଧାରଣ ସମ୍ପାଦକ ପଦରେ ରହିବେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ତାଙ୍କ ଦଳରେ ଏହି ବଡ଼ ପରିବର୍ତ୍ତନ କରିଛନ୍ତି । ଏଥିପାଇଁ ସେ ୧୨ ଜଣ ସାଧାରଣ ସମ୍ପାଦକ ଓ ୧୨ ଜଣ ରାଜ୍ୟ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଦଳର ସଂଗଠନ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏହି ସୂଚନା ଦେଇଛନ୍ତି ।

ଏମାନଙ୍କ ମଧ୍ୟରେ ସବୁଠାରୁ ପ୍ରମୁଖ ନାମ ହେଉଛି ପ୍ରିୟଙ୍କା ଗାନ୍ଧି ଭଦ୍ରା । ତାଙ୍କୁ ମହାସଚିବଭାବେ ବଜାୟ ରଖାଯାଇଛି । କିନ୍ତୁ ବର୍ତ୍ତମାନ ତାଙ୍କୁ କୌଣସି ରାଜ୍ୟ କିମ୍ବା ଅନ୍ୟ କୌଣସି ଦାୟିତ୍ୱ ଦିଆଯାଇନାହିଁ । ଗତ ପାଞ୍ଚବର୍ଷ ଧରି ସେ ଉତ୍ତରପ୍ରଦେଶର ପ୍ରଭାରୀ ଭୂମିକାରେ ଅଭିନୟ କରୁଥିଲେ । ପ୍ରିୟଙ୍କା ଗାନ୍ଧିଙ୍କ ସ୍ଥାନରେ ଦଳର ସାଧାରଣ ସମ୍ପାଦକ ଅବିନାଶ ପାଣ୍ଡେଙ୍କୁ ଉତ୍ତରପ୍ରଦେଶର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଡ. ଅଜୟ କୁମାରଙ୍କୁ ଓଡ଼ିଶା ଦାୟିତ୍ୱ ସମେତ ତାମିଲନାଡ଼ୁ ଓ ପଣ୍ଡିଚେରୀର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ।

ଯୁବବର୍ଗଙ୍କ ଉପରେ କଂଗ୍ରେସର ଫୋକସ ବଢ଼ିଲା

କଂଗ୍ରେସର ଏହି ପରିବର୍ତ୍ତନ ଏପରି ସମୟରେ କରାଯାଇଛି ଯେତେବେଳେ ଛୋଟ ବଡ଼ ସମସ୍ତ ରାଜନୈତିକ ଦଳ ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ସେପଟେ ବିରୋଧୀ ଇଣ୍ଡି ମେଣ୍ଟର ସହଯୋଗୀ ଦଳମଧ୍ୟରେ ଆସନ ବଣ୍ଟନ ପ୍ରକ୍ରିୟା ତୀବ୍ର ହେବାରେ ଲାଗିଛି । ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନରୁ ଶିକ୍ଷା ନେଇ କଂଗ୍ରେସ ଯୁବ ଓ ନୂଆ ଚେହେରାଙ୍କୁ ପ୍ରାଥମିକତା ଦେବାରେ ବ୍ୟସ୍ତ ରହିଛି । ନିକଟରେ ଶେଷ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ମତଭେଦର ପରିଣାମ ଭୋଗିବାକୁ ପଡ଼ିଥିଲା । ଲୋକସଭା ନିର୍ବାଚନ ପୂର୍ବରୁ ଦଳ ଯେକୌଣସି ପ୍ରକାର ଆଭ୍ୟନ୍ତରୀଣ କନ୍ଦଳକୁ ଶେଷ କରିବାକୁ ଚାହୁଁଛି । ଛତିଶଗଡ଼ କଂଗ୍ରେସର ପ୍ରଭାରୀଭାବେ ସଚିନ ପାଇଲଟଙ୍କ ନିଯୁକ୍ତିକୁ ଏହା ସହ ଯୋଡ଼ାଯାଉଛି । ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ସାଧାରଣ ସମ୍ପାଦକ ଓ ଛତିଶଗଡ଼ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସାଧାରଣ ସମ୍ପାଦକ କୁମାରୀ ଶୈଳଜାଙ୍କୁ ଛତିଶଗଡ଼ରୁ ହଟାଇ ଉତ୍ତରାଖଣ୍ଡ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ସୁଖଜିନ୍ଦର ସିଂ ରନ୍ଧାୱା ରାଜସ୍ଥାନର ଦାୟିତ୍ୱରେ ରହିବେ ।

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କାହିଁକି ଦାୟିତ୍ୱରୁ ମୁକ୍ତ କରାଗଲା ?

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ୟୁପି କଂଗ୍ରେସ ପ୍ରଭାରୀ ପଦରୁ ମୁକ୍ତ କରିବାର ସ୍ପଷ୍ଟ କାରଣ ରହିଛି । ତାଙ୍କୁ ଦଳର ଷ୍ଟାର ପ୍ରଚାରକଭାବେ ପ୍ରାର୍ଥୀ କରାଯିବ । ଲୋକସଭା ନିର୍ବାଚନ ପ୍ରଚାରରେ ସେ ରାଲି କରିବାର ସମ୍ଭାବନା ରହିଛି । କଂଗ୍ରେସ ସାଂସଦ ସୟଦ ନସିର ହୁସେନଙ୍କୁ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟାଳୟର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦଳର ନେତା ପ୍ରଣବ ଝାଙ୍କୁ ଏଆଇସିସି ସମ୍ପାଦକ, ଯୋଗାଯୋଗ ପ୍ରଭାରୀଭାବେ ନିଯୁକ୍ତ କରିଛନ୍ତି ।

ବେଣୁଗୋପାଳ ସଂଗଠନ ସାଧାରଣ ସମ୍ପାଦକଭାବେ ଦାୟିତ୍ୱ ତୁଲାଇବେ । ସେହିପରି ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ଦଳର ଯୋଗାଯୋଗ ବିଭାଗ ଦାୟିତ୍ୱରେ ରହିବେ । ଅଜୟ ମାକେନ ଦଳର କୋଷାଧ୍ୟକ୍ଷ ଭୂମିକାରେ ରହିବେ। ତାଙ୍କ ସହ ଦୁଇ ନେତା ମିଲିନ୍ଦ ଦେଓରା ଓ ବିଜୟ ଇନ୍ଦ୍ର ସିଂଲାଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ରଣଦୀପ ସିଂ ସୁରଜେୱାଲାଙ୍କୁ ମଧ୍ୟପ୍ରଦେଶ ଦାୟିତ୍ୱରୁ ହଟାଇ ଦିଆଯାଇଛି । ଏବେ ସେ କେବଳ କର୍ଣ୍ଣାଟକ ଦାୟିତ୍ୱରେ ରହିବେ । ତାଙ୍କ ସ୍ଥାନରେ ଜିତେନ୍ଦ୍ର ସିଂହଙ୍କୁ ମଧ୍ୟପ୍ରଦେଶ ପ୍ରଭାରୀଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

More articles

LEAVE A REPLY

Please enter your comment!
Please enter your name here

Latest article