- ଜେଏନ-୧ ଭାରିଆଣ୍ଟର ୯ ରୋଗୀ
- କେରଳରେ ଆଉ ଜଣେ ମୃତ
- ସାରା ଦେଶରେ ୨୪ ଘଣ୍ଟାରେ ୭୦୭ ଆକ୍ରାନ୍ତ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରବିବାର ୫୦ଟି ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥିରୁ ୯ ଟି ମାମଲା ଜେଏନ-୧ ଭାରିଆଣ୍ଟର ରହିଛି । କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ରାଜ୍ୟରେ ୮୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରବିବାର କେରଳରେ କରୋନାରେ ଆଉ ଏକ ମୃତ୍ୟୁ ଘଟିଛି । ଗତ ୪ ଦିନରେ ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ କେରଳରେ କୋରୋନାର ସବୁଠାରୁ ଅଧିକ ସକ୍ରିୟ ମାମଲା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪୨୫ ନୂଆ ମାମଲା ସାମ୍ନାକୁ ଆସିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୭୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୯୨କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୩୩୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କେରଳରେ ୨୯୬ ଜଣ ସୁସ୍ଥ ହୋଇଛନ୍ତି ।
କେରଳ ପରେ କର୍ଣ୍ଣାଟକରେ କରୋନାର ପ୍ରଭାବ ସବୁଠାରୁ ଅଧିକ ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟାମଧ୍ୟରେ ୧୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସୁସ୍ଥ ହୋଇଛନ୍ତି । କର୍ଣ୍ଣାଟକରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି ପାଇଛି ।
ଅନ୍ୟପକ୍ଷରେ ଅମୃତସରରେ ଲଣ୍ଡନର ଜଣେ ୬୦ ବର୍ଷୀୟା ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
କାହିଁକି ବଢୁଛି କେରଳରେ ବଢ଼ୁଛି ସଂକ୍ରମଣ ?
କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଶୁକ୍ରବାର, ଡିସେମ୍ବର ୨୨ରେ କହିଥିଲେ ଯେ ନଭେମ୍ବର ମାସରୁ ରାଜ୍ୟରେ କୋଭିଡ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟ ରାଜ୍ୟ ତୁଳନାରେ ଏଠାରେ ଅଧିକ ଟେଷ୍ଟିଂ କରାଯାଉଥିବାରୁ ଏଭଳି ହେଉଛି । କରୋନାର ନୂଆ ଭାରିଆଣ୍ଟ ଜେଏନ-୧ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ।
ଡବ୍ଲ୍ୟୁଏଚଓ ଦାବି କରିଛି – ୧ ମାସରେ ବିଶ୍ୱରେ ୫୨% ମାମଲା ବୃଦ୍ଧି ପାଇଛି
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ, ଗତ ଏକ ମାସ ମଧ୍ୟରେ ସମଗ୍ର ବିଶ୍ୱରେ କୋରୋନା ମାମଲାରେ ୫୨% ବୃଦ୍ଧି ଘଟିଛି । ନଭେମ୍ବର ୧୯ରୁ ଡିସେମ୍ବର ୧୭ ମଧ୍ୟରେ ୮,୫୦,୦୦୦ ମାମଲା ସାମ୍ନାକୁ ଆସିଛି ଏବଂ ୩,୦୦୦ ମୃତ୍ୟୁ ଘଟିଛି । ତେବେ ଏହି ଏକ ମାସ ମଧ୍ୟରେ ମୃତ୍ୟୁ ହାର ୮% ହ୍ରାସ ପାଇଛି । ଅର୍ଥାତ୍ ଗତ ମାସରେ ୮% ଅଧିକ ଲୋକ କରୋନାରେ ପ୍ରାଣ ହରାଇଥିଲେ ।
୪୧ଟି ଦେଶରେ ବ୍ୟାପିଛି ଜେଏନ-୧ ଭାରିଆଣ୍ଟ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ, କରୋନାର ନୂଆ ଜେଏନ-୧ ଭାରିଏଣ୍ଟ ବର୍ତ୍ତମାନ ସୁଦ୍ଧା ୪୧ଟି ଦେଶକୁ ବ୍ୟାପିସାରିଛି । ଫ୍ରାନ୍ସ, ଆମେରିକା, ବ୍ରିଟେନ, ସିଙ୍ଗାପୁର, କାନାଡା ଏବଂ ସ୍ୱିଡେନରେ ସର୍ବାଧିକ ଜେଏନ-୧ ମାମଲା ରହିଛି । ଭାରତରେ ଡିସେମ୍ବର ୨୨ ତାରିଖ ସୁଦ୍ଧା ୨୩ଟି ନୂଆ ଭାରିଏଣ୍ଟ ମାମଲା ସାମ୍ନାକୁ ଆସିଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ମାମଲାରେ ସାମାନ୍ୟ ଲକ୍ଷଣ ରହିଛି ।
ଡବ୍ଲ୍ୟୁଏଚଓ ଜେଏନ-୧କୁ ‘ଭାରିଏଣ୍ଟ୍ ଅଫ୍ ଇଣ୍ଟରେଷ୍ଟ’ରେ ଅନ୍ତର୍ଭୁକ୍ତ କରିଛି । ଡବ୍ଲୁଏଚଓ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ଳେଷଣରେ କୁହାଯାଇଛି ଯେ ବର୍ତ୍ତମାନର ଟିକା ଜେଏନ-୧ ଭାରିଆଣ୍ଟ ଉପରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ । ଏହା ଲୋକଙ୍କ ପାଇଁ ବିଶେଷ ବିପଦ ସୃଷ୍ଟି କରେ ନାହିଁ ।
ତେବେ ସତର୍କତା ମୂଳକ ପଦକ୍ଷେପସ୍ୱରୂପ ଡବ୍ଲୁଏଚଓ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଜନଗହଳିପୂର୍ଣ୍ଣ, ବନ୍ଦ କିମ୍ବା ପ୍ରଦୂଷିତ ବାୟୁ ଅଞ୍ଚଳରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଆବଶ୍ୟକ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି ।
କେନ୍ଦ୍ରର ନିର୍ଦ୍ଦେଶ- ସବୁ ଜିଲ୍ଲାରେ ପରୀକ୍ଷା ହେବା ଦରକାର
ନୂଆ ଭାରିଆଣ୍ଟକୁ ନେଇ ଡିସେମ୍ବର ୧୮ରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଆଡଭାଇଜରି ଜାରି କରିଛନ୍ତି । ଏଥିରେ ସମସ୍ତ ରାଜ୍ୟକୁ ଅଧିକରୁ ଅଧିକ କୋଭିଡ ପରୀକ୍ଷା କରିବାକୁ କୁହାଯାଇଛି । ଜିନୋମ ସିକ୍ୱେନ୍ସିଂ ପାଇଁ ପଜିଟିଭ ନମୁନା ପରୀକ୍ଷାଗାରକୁ ପଠାଇବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।
କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ କଟକଣା ଲାଗୁ କରି ସୀମାରେ (କେରଳ, ତାମିଲନାଡୁ ରାଜ୍ୟ) ଆତଙ୍କିତ ହେବା କିମ୍ବା ତଦାରଖ ବଢ଼ାଇବାର ଆବଶ୍ୟକତା ନାହିଁ । ତେବେ କେରଳ ଓ ତାମିଲନାଡୁ ସୀମାରେ ଥିବା ସମସ୍ତ ସୀମାନ୍ତ ଜିଲ୍ଲାରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ସମୟରେ ଲୋକଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭାରତକୁ ଜେଏନ-୧ ଭାରିଏଣ୍ଟ କେଉଁଠୁ ଆସିଲା ?
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକ ଡାକ୍ତର ରାଜୀବ ବହଲଙ୍କ କହିବାନୁଯାୟୀ, ଡିସେମ୍ବର ୮ ତାରିଖରେ କେରଳର ତିରୁବନନ୍ତପୁରମରେ ପ୍ରଥମ ଜେଏନ-୧ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଜଣେ ୭୯ ବର୍ଷୀୟା ମହିଳାଙ୍କ ରିପୋର୍ଟ ପଜିଟିଭ ଆସିଥିଲେ । ମହିଳାଙ୍କଠାରେ ଇନଫ୍ଲୁଏଞ୍ଜା ଭଳି ରୋଗର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା । ତେବେ ପରେ ସେ ସୁସ୍ଥ ହୋଇଯାଇଥିଲେ ।
ୟୁରୋପୀୟ ଦେଶ ଲକ୍ସେମବର୍ଗରେ ପ୍ରଥମେ କୋଭିଡ ସବ୍ ଭାରିଆଣ୍ଟ ଜେଏନ-୧ ଚିହ୍ନଟ ହୋଇଥିଲା । ଏଠାରୁ ଏହା ସବୁ ଦେଶରେ ବ୍ୟାପିବାକୁ ଲାଗିଲା । ଏହି ସବ୍ ଭାରିଆଣ୍ଟ ପିରୋଲୋ ଭାରିଆଣ୍ଟ (ବିଏ.୨.୮୬) ସହ ଜଡ଼ିତ । ଏହା ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିରୋଧରେ ବିପଜ୍ଜନକ ବୋଲି କୁହାଯାଉଛି । ଏହି କାରଣରୁ ନୂଆ ସବ୍ ଭାରିଆଣ୍ଟକୁ ନେଇ ସତର୍କ ସୂଚନା ଜାରି କରାଯାଇଛି ।
ଡିସେମ୍ବର ୮ରେ ଆମେରିକାରେ ଜେଏନ-୧ର ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ
ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ସିଡିସି) କହିଛି ଯେ ଡିସେମ୍ବର ୮ ସୁଦ୍ଧା ଆମେରିକାରେ ଆନୁମାନିକ ୧୫% ରୁ ୨୯% କୋଭିଡ୍ ମାମଲା ରେ ସବଭାରିଏଣ୍ଟ ଜେଏନ-୧ ରହିଛି । ସେପ୍ଟେମ୍ବରମାସରେ ପ୍ରଥମ ଜେଏନ-୧ ରୋଗୀ ଆସିଥିଲେ ।