ନୂଆଦିଲ୍ଲୀ: ଭାରତୀୟ ମେଣ୍ଟରେ ଆସନ ବଣ୍ଟନକୁ ନେଇ ବିବାଦ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଦିଲ୍ଲୀ, ପଞ୍ଜାବ, ୟୁପି ଓ ପଶ୍ଚିମବଙ୍ଗ ପରେ ଏବେ ବିହାରରେ ମଧ୍ୟ ସ୍ଥାନୀୟ ଦଳମାନେ କଂଗ୍ରେସକୁ ଆସନ ଦେବାକୁ ରାଜି ନୁହଁନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ବିହାରରେ ଆରଜେଡି କହିଛି ଯେ ସେ ସହଯୋଗୀ କଂଗ୍ରେସକୁ ମାତ୍ର ୬ଟି ଆସନ ଦେଇପାରିବେ । ଆରଜେଡି ଓ ଜେଡିୟୁ ୧୭ରୁ ୧୭ ଟି ଆସନରେ ଲଢିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଆରଜେଡି କହିଛି ଯେ ସିପିଆଇ ଏମଏଲ ଏବଂ ସିପିଆଇ ପାଇଁ ୨ଟି ଏବଂ କଂଗ୍ରେସ ପାଇଁ ୪ଟି ଆସନ ଛାଡ଼ିପାରେ ।
ୟୁପିରେ ମଧ୍ୟ ଏସପି ସହ କଂଗ୍ରେସର କୌଣସି କଥାବାର୍ତ୍ତା ହେଉନାହିଁ
ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି କଂଗ୍ରେସକୁ କହିଛି ଯେ ସେମାନେ ସେମାନଙ୍କୁ ମାତ୍ର ୮ଟି ଆସନ ଦେଇପାରିବେ । ଏହି ୮ଟି ଆସନ ମଧ୍ୟରେ ବାରାଣାସୀ, ଲକ୍ଷ୍ନୌ ଭଳି ଆସନ ରହିଛି, ଯେଉଁଠି ସପାର ବିଶେଷ ଉପସ୍ଥିତି ନାହିଁ । ଅନ୍ୟପକ୍ଷରେ କଂଗ୍ରେସ ଏହି ଦୁଇ ରାଜ୍ୟରେ ସହଯୋଗୀଙ୍କଠାରୁ ଅଧିକ ଆସନ ଆଶା କରୁଛି ଏବଂ ଆଲୋଚନା ପାଇଁ ଅଧିକ ପ୍ରୟାସ କରିପାରେ ।
ପଶ୍ଚିମବଙ୍ଗରେ ୨ଟି ଆସନ ଦେବାକୁ ଚାହୁଁଛି ଟିଏମସି
ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୪୨ଟି ଆସନରୁ ମାତ୍ର ୨ଟି ଆସନ ଦେଇପାରେ । ତେବେ ମେଣ୍ଟ ହେଲେ କଂଗ୍ରେସ ୬ରୁ ୮ଟି ଆସନ ହାତେଇବାକୁ ଲକ୍ଷ୍ୟ ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ଟିଏମସି ଏହାର ପ୍ରସ୍ତାବ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଜଣାଇଛି ।
ପଞ୍ଜାବରେ ଆପ୍ ସହ ମୁହାଁମୁହିଁ ପରିସ୍ଥିତି
ଆମ୍ ଆଦମୀ ପାର୍ଟି ମଧ୍ୟ ଇଣ୍ଡି ମେଣ୍ଟର ଅଂଶ ବିଶେଷ, କିନ୍ତୁ ପଞ୍ଜାବରେ ଆସନ ବଣ୍ଟନକୁ ନେଇ କଂଗ୍ରେସ ଓ ଆପ୍ ମଧ୍ୟରେ ବିବାଦ ଲାଗି ରହିଛି । ଆମ୍ ଆଦମୀ ପାର୍ଟି ଏଠାରେ ସମସ୍ତ ୧୩ଟି ଲୋକସଭା ଆସନରେ ଲଢ଼ିବାକୁ ଚାହୁଁଛି । ସେ କଂଗ୍ରେସକୁ ଗୋଟିଏ ବି ଆସନ ଦେବାମୁଡରେ ନାହିଁ । ଏହାକୁ ନେଇ ଉଭୟ ଦଳର ନେତାଙ୍କ ତରଫରୁ ଅନେକ ବୟାନ ଦିଆଯାଇଛି ।