- ୯ଟି ରାଜ୍ୟରୁ ୮୫ଟି ଆସନ ମାଗିବ କ୍ରଂଗ୍ରେସ
- ଜାନୁଆରୀ ୧୪ ପୂର୍ବରୁ ଆସନ ବୁଝାମଣା ସମ୍ଭବ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଇଣ୍ଡି ମେଣ୍ଟରେ ଆସନ ବୁଝାମଣା ପୂର୍ବରୁ ଶୁକ୍ରବାର-ଶନିବାର (ଡିସେମ୍ବର ୨୯-୩୦) କଂଗ୍ରେସର ଜାତୀୟ ମେଣ୍ଟ କମିଟି ମାରାଥନ୍ ଆଲୋଚନା କରିଥିଲା ।
ଏଥିରେ ଦଳ ୧୦ଟି ରାଜ୍ୟର ରାଜ୍ୟ ସଭାପତି ଓ ବିଧାୟକ ଦଳ ନେତାଙ୍କୁ କହିଛି ଯେ ଦଳ ଏକାକୀ ୨୯୧ଟି ଆସନରେ ଲଢ଼ିବ ଏବଂ ୯ଟି ରାଜ୍ୟରୁ ୮୫ଟି ଆସନ ଇଣ୍ଡି ମେଣ୍ଟରୁ ଦାବି କରାଯିବ ।
କମିଟି ବୈଠକରେ ବିହାର, ବଙ୍ଗଳା, ଝାଡ଼ଖଣ୍ଡ, ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡୁ, କେରଳର ନେତାମାନଙ୍କୁ କୁହାଯାଇଛି ଯେ ଲୋକସଭାର ଚିତ୍ରକୁ ଦୃଷ୍ଟିରେ ରଖି ଇଣ୍ଡି ମେଣ୍ଟରେ ଆସନ ବଣ୍ଟନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।
ମେଣ୍ଟ ଦଳମାନଙ୍କ ସହ ସମନ୍ୱୟ ପାଇଁ କିଛି ମାନଦଣ୍ଡ ସ୍ଥିର କରାଯାଇଛି । ଏହା ଅନୁଯାୟୀ ଗତ ନିର୍ବାଚନରେ ଯେଉଁ ସଂସଦୀୟ ଆସନରେ କଂଗ୍ରେସ ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିଲେ, ସେଠାରେ କୌଣସି ଆପୋଷ ବୁଝାମଣା କରାଯିବ ନାହିଁ । ୨୦୧୪ ପରେ ହୋଇଥିବା ଦୁଇଟି ସଂସଦୀୟ ଓ ବିଧାନସଭା ନିର୍ବାଚନର ଫଳାଫଳକୁ ଆଧାର କରି ଦଳ ଆସନ ମାଗିବ ।
ଏହି ସବୁ ରାଜ୍ୟରେ କଂଗ୍ରେସ ଏକାକୀ ଲଢ଼ିବ
ଉତ୍ତର-ପୂର୍ବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦ଟି ଆସନ । ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ, ହରିୟାଣା, ହିମାଚଳ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନର ସମସ୍ତ ଆସନ ଏବଂ ତେଲେଙ୍ଗାନା ଓ ଉତ୍ତରାଖଣ୍ଡର ୨୨ଟି ଆସନ ରହିଛି ।
ଏହି ସବୁ ରାଜ୍ୟରେ ମେଣ୍ଟ: ଆସନ ଉପରେ ଦାବି
ବିହାର | ୯ |
ଦିଲ୍ଲୀ | ୫ |
ପଞ୍ଜାବ | ୮ |
ତାମିଲନାଡୁ | ୧୦ |
ୟୁପି | ୧୦ |
ପଶ୍ଚିମବଙ୍ଗ | ୫ |
ଜମ୍ମୁ-କଶ୍ମୀର | ୩ |
ମହାରାଷ୍ଟ୍ର | ୨୬ |
୮୫ ମୋଟ |
୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ୩୭୫ରୁ ଅଧିକ ଆସନରେ ଲଢ଼ିବ ବୋଲି ନିଶ୍ଚିତ । ୨୦୧୪ ନିର୍ବାଚନରେ ଦଳ ୪୬୪ ଓ ୨୦୧୯ରେ ୪୨୧ ଜଣ ପ୍ରାର୍ଥୀ ଦେଇଥିଲା । ସେଥିମଧ୍ୟରୁ ୨୦୧୪ ନିର୍ବାଚନରେ ୨୨୪ ଟି ଆସନରେ ଏହାର ପ୍ରାର୍ଥୀ ଦ୍ୱିତୀୟ ଏବଂ ୨୦୧୯ ନିର୍ବାଚନରେ ୨୦୯ ଟି ଆସନରେ ଦ୍ୱିତୀୟ ସ୍ଥାନରେ ଥିଲେ ।
ଜିତିଥିବା ସଂଖ୍ୟା ଓ ଦ୍ୱିତୀୟ ସ୍ଥାନରେ ଥିବା ଆସନ ଆଧାରରେ ମେଣ୍ଟ ଶାସିତ ରାଜ୍ୟଗୁଡ଼ିକରେ ଦଳ ୮୫ରୁ ଅଧିକ ଆସନ ଦାବି କରିବ । ଅବଶିଷ୍ଟ ରାଜ୍ୟରେ କଂଗ୍ରେସ ୨୯୧ଟି ଆସନରେ ଲଢ଼ିବ ।
ଜାନୁଆରୀ ୧୪ ପୂର୍ବରୁ ଆସନ ବୁଝାମଣା
ଜାତୀୟ କମିଟି ଏହାର ରିପୋର୍ଟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଦାନ କରିବ । ଜାନୁଆରି ପ୍ରଥମ ସପ୍ତାହରେ ଖଡ଼ଗେ ଇଣ୍ଡି ମେଣ୍ଟର ବାକି ନେତାଙ୍କ ସହ ଆଲୋଚନା ପାଇଁ ତାଙ୍କ ପ୍ରତିନିଧି ନିଯୁକ୍ତ କରିବେ ।
ଜାନୁଆରୀ ୪ତାରିଖରେ ସେ ରାଜ୍ୟ କଂଗ୍ରେସ ସଭାପତି ଓ ବିଧାୟକ ଦଳ ନେତାଙ୍କ ବୈଠକ ଡକାଇଛନ୍ତି । ସେହିଦିନ ଦଳର ଇସ୍ତାହାର କମିଟିର ମଧ୍ୟ ବୈଠକ ବସିବ । ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରା ପୂର୍ବରୁ ଆସନ ବୁଝାମଣା କରାଯିବ ।