କଂଗ୍ରେସର ପୂର୍ବତନ ସାଂସଦ ଲକ୍ଷ୍ମଣ ସିଂହଙ୍କ ଆଶ୍ଚର୍ଯ୍ୟଜନକ ବୟାନ
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଜଣେ ସାଧାରଣ ଦଳୀୟ କର୍ମୀ ଓ ସାଂସଦ ଏବଂ ତାଙ୍କୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ ବୋଲି କଂଗ୍ରେସର ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ସାନ ଭାଇ ଲକ୍ଷ୍ମଣ ସିଂହ କହିଛନ୍ତି । ଲକ୍ଷ୍ମଣ ସିଂହ ଶନିବାର ମଧ୍ୟପ୍ରଦେଶର ଗୁନାସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ଏହି କଥା କହିଛନ୍ତି ।
ଲୋକସଭାରେ ବୟାନ ଦେବାବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଚେହେରା ଟିଭିରେ କାହିଁକି ଖୁବ୍ କମ୍ ଦେଖାଯାଏ ବୋଲି ସାମ୍ବାଦିକମାନେ ତାଙ୍କୁ ପଚାରିବାରୁ ସିଂହ କହିଛନ୍ତି, ରାହୁଲ ଗାନ୍ଧୀ ଜଣେ ସାଂସଦ, ସେ (ଦଳର) ସଭାପତି ନୁହଁନ୍ତି ଏବଂ ଜଣେ କଂଗ୍ରେସ କର୍ମୀ । ଆପଣମାନେ (ଗଣମାଧ୍ୟମ) ରାହୁଲ ଗାନ୍ଧିଙ୍କ ପ୍ରତି ଏତେ ଧ୍ୟାନ ଦେବା ଉଚିତ ନୁହେଁ କି ଆମେ ଏହା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।
୫ ଥର ସାଂସଦ ଓ ୩ ଥର ବିଧାୟକ ହୋଇଥିବା ଲକ୍ଷ୍ମଣ ସିଂହ କହିଛନ୍ତି ଯେ ରାହୁଲ ଗାନ୍ଧି କେବଳ ଜଣେ ସାଂସଦ ଏବଂ ଦଳର ବାକି ସାଂସଦଙ୍କ ସହ ସମାନ । ଜନ୍ମରୁ ନୁହେଁ ବରଂ କର୍ମଦ୍ୱାରା ମଣିଷ ବଡ଼ ହୋଇଯାଏ । ରାହୁଲ ଗାନ୍ଧିଙ୍କୁ ଏତେ ବଡ଼ ନେତା ଭାବନ୍ତୁ ନାହିଁ, ମୁଁ ବି ନୁହେଁ । ସେ ଜଣେ ସାଧାରଣ ସାଂସଦ । ଆପଣ ତାଙ୍କୁ କୌଣସି ଧ୍ୟାନ ଦିଅନ୍ତୁ କି ନାହିଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ।
ରବିବାର ଏ ସମ୍ପର୍କରେ ପଚରାଯିବାରୁ ଲକ୍ଷ୍ମଣ ସିଂହ କହିଛନ୍ତି ଯେ ରାହୁଲ ଗାନ୍ଧି ନିଜେ କହିଛନ୍ତି ଯେ ସେ ଜଣେ ଦଳୀୟ କର୍ମୀ । ଗତ ମାସରେ ଅନୁଷ୍ଠିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଗୁନା ଜିଲ୍ଲାର ଚାଚୁରା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ପେଞ୍ଚି ଲକ୍ଷ୍ମଣ ସିଂହଙ୍କୁ ୬୧,୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ।