ହିଟ୍ ଆଣ୍ଡ ରନ୍ ମାମଲା ନୂଆ ଆଇନରେ କ’ଣ ଅଛି ଯାହା ଡ୍ରାଇଭରଙ୍କ ହୋସ ଉଡ଼ାଇ ଦେଇଛି ?

Must read

ନୂଆଦିଲ୍ଲୀ: ୟୁପି, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ. ସବୁ ରାଜ୍ୟର ଟ୍ରକ୍ ଡ୍ରାଇଭର ଓ ଟ୍ରାନ୍ସପୋର୍ଟ ଅପରେଟରମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ଏହାର କାରଣ ହେଉଛି ‘ହିଟ୍ ଆଣ୍ଡ ରନ୍’ ମାମଲାରେ ଅଣାଯାଇଥିବା ନୂଆ ଆଇନ । ଏଥିରେ ‘ହିଟ୍ ଆଣ୍ଡ ରନ୍’କୁ କଡ଼ାକଡ଼ିଭାବେ ମୁକାବିଲା କରିବାର ବ୍ୟବସ୍ଥା କରାଯାଇଛି । ଏହା ଭାରତୀୟ ନ୍ୟାୟ ବିଧିର ଏକ ଅଂଶ । ଏହା ଅଧୀନରେ ଏଭଳି ମାମଲାରେ ଡ୍ରାଇଭରଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ କୁହାଯାଇଛି । ଯାହା ଡ୍ରାଇଭରଙ୍କ ହୋସ ଉଡ଼ାଇ ଦେଇଛି । ଏହି ଆଇନକୁ ବିରୋଧ କରି ଦେଶର ଅନେକ ରାଜ୍ୟରେ ଡ୍ରାଇଭରମାନେ ଚକ୍କାଜାମ ଆରମ୍ଭ କରିଛନ୍ତି । କଠୋର ବ୍ୟବସ୍ଥା ମାଧ୍ୟମରେ ସଡ଼କ ଦୁର୍ଘଟଣା ରୋକିବା ସରକାରଙ୍କ ଉଦ୍ଦେଶ୍ୟ । ଅପରପକ୍ଷରେ ଚାଳକମାନେ ଅନୁଭବ କରୁଛନ୍ତି ଯେ ଏହା ସେମାନଙ୍କ ଉପରେ ଅତ୍ୟଧିକ କଟକଣା ହେବ । କ’ଣ ରହିଛି ଏହି ସମ୍ପୂର୍ଣ୍ଣ ଆଇନ ? ହିଟ୍ ଆଣ୍ଡ ରନ୍ ଧାରା କ’ଣ ଯାହାକୁ ନେଇ ଡ୍ରାଇଭରମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି ? ଏପର୍ଯ୍ୟନ୍ତ ବ୍ୟବସ୍ଥା କ’ଣ ଥିଲା ? ଆସନ୍ତୁ ଜାଣିବା ଏହି ସବୁ ପ୍ରଶ୍ନର ଉତ୍ତର ।

ହିଟ୍ ଆଣ୍ଡ ରନ୍ ମାମଲାରେ ନୂଆ ଆଇନର କେଉଁ ବ୍ୟବସ୍ଥାକୁ ବିରୋଧ କରାଯାଉଛି ?

ଟ୍ରକ୍ ଓ ବସ୍ ଚାଳକମାନେ ଭାରତୀୟ ନ୍ୟାୟ ସଂହିତାର ବ୍ୟବସ୍ଥାକୁ ବିରୋଧ କରୁଛନ୍ତି । ଏହି ବିଲରେ ବେପରୁଆ ଗାଡ଼ି ଚାଳନା, ଗୁରୁତର ସଡ଼କ ଦୁର୍ଘଟଣା ଘଟାଇ କୌଣସି ପୁଲିସ କିମ୍ବା ପ୍ରଶାସନିକ ଅଧିକାରୀଙ୍କୁ ନ ଜଣାଇ ଘଟଣାସ୍ଥଳରୁ ଫେରାର ହୋଇଗଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୭ ଲକ୍ଷ ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି ।

ହିଟ୍ ଆଣ୍ଡ ରନ୍‌କୁ ନେଇ ନୂଆ ଆଇନକୁ ବିରୋଧ କରିବାର କାରଣ କ’ଣ ?

‘ହିଟ୍ ଆଣ୍ଡ ରନ୍’ ମାମଲାରେ ବିଦେଶ ଭଳି କଠୋର ବ୍ୟବସ୍ଥା କରାଯାଇଛି ବୋଲି ଡ୍ରାଇଭରମାନେ ଦାବି କରିଛନ୍ତି । ଏହାକୁ ଆଣିବା ପୂର୍ବରୁ ବିଦେଶ ଭଳି ଉନ୍ନତ ସଡ଼କ ଓ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବା ଦିଗରେ ଧ୍ୟାନ ଦିଆଯିବା କଥା । ନୂଆ ନିୟମ ଯୋଗୁଁ ଡ୍ରାଇଭରମାନେ ଚାକିରି ଛାଡୁଛନ୍ତି ବୋଲି ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମଟିସି) କହିଛି । ସମଗ୍ର ଦେଶରେ ୨୫ରୁ ୩୦ ପ୍ରତିଶତ ଡ୍ରାଇଭରଙ୍କ ଅଭାବ ରହିଛି । ଏଭଳି ଆଇନ ଡ୍ରାଇଭରଙ୍କ ଅଭାବକୁ ଆହୁରି ବଢ଼ାଇବ । ଦେଶର ଅର୍ଥନୀତିରେ ସଡ଼କ ପରିବହନକାରୀ ଓ ଡ୍ରାଇଭରଙ୍କ ପ୍ରମୁଖ ଅବଦାନ ରହିଛି । ଆନ୍ଦୋଳନରତ ଡ୍ରାଇଭରମାନେ କହିଛନ୍ତି ଯେ ନୂଆ ଆଇନ ଅନୁଯାୟୀ’ହିଟ୍ ଆଣ୍ଡ ରନ୍’ ମାମଲାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୭ ଲକ୍ଷ ଟଙ୍କା ଜରିମାନା ହୋଇପାରେ । ଚାଳକମାନେ କେମିତି ଏତେ ପରିମାଣର ଟଙ୍କା ଦେବେ ?

ଏପର୍ଯ୍ୟନ୍ତ ହିଟ୍ ଆଣ୍ଡ ରନ୍ ଉପରେ କ’ଣ ଆଇନ ରହିଛି ?

ବର୍ତ୍ତମାନ ସୁଦ୍ଧା ହିଟ୍ ଆଣ୍ଡ ରନ୍ ମାମଲା ଆଇପିସି ଧାରା-୨୭୯ (ବେପରୁଆ ଗାଡି ଚଳାଇବା), ୩୦୪(ଏ) (ଅବହେଳା ଯୋଗୁଁ ମୃତ୍ୟୁ) ଏବଂ ୩୩୮ (ଜୀବନ ପ୍ରତି ବିପଦ ସୃଷ୍ଟି କରିବା) ଅନୁଯାୟୀ ମାମଲା ରୁଜୁ ହେଉଛି । ଏଥିରେ ୨ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ସ୍ୱତନ୍ତ୍ର ମାମଲାରେ ଆଇପିସିର ଧାରା-୩୦୨ ମଧ୍ୟ ଯୋଡାଯାଇଛି ।

ଏବେ ହିଟ୍ ଆଣ୍ଡ ରନ୍ ଆଇନରେ କ’ଣ ପରିବର୍ତ୍ତନ ହୋଇଛି ?

ଦଫା-୧୦୪(୨) ଅନୁଯାୟୀ, ଯଦି ଅଭିଯୁକ୍ତ ଡ୍ରାଇଭର ହିଟ୍ ଆଣ୍ଡ ରନ୍ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଏ କିମ୍ବା ପୁଲିସ କିମ୍ବା ମାଜିଷ୍ଟ୍ରେଟଙ୍କୁ ସୂଚନା ନ ଦିଏ ତେବେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଏଥିସହ ୭ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ।

କେଉଁ ରାଜ୍ୟରେ ଡ୍ରାଇଭରମାନେ ଆଇନକୁ ବିରୋଧ କରୁଛନ୍ତି ?

ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ, ଗୁଜରାଟ ସମେତ ଦେଶର ଅଧିକାଂଶ ରାଜ୍ୟରୁ ଟ୍ରକ୍ ଓ ବସ୍ ଚାଳକମାନେ ନୂଆ ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ପରିବହନ ସେବା ସହିତ ଯୋଗାଣ ଶୃଙ୍ଖଳା ଉପରେ ଏହାର ପ୍ରଭାବ ପଡ଼ିପାରେ ।

ଚାଳକଙ୍କ ଦାବି କ’ଣ ?

ସରକାର ହିଟ୍ ଆଣ୍ଡ ରନ୍ ସମ୍ପର୍କିତ ନୂଆ ଆଇନ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ବସ୍ ଓ ଟ୍ରକ୍ ଚଳାଚଳ କରିବ ନାହିଁ ବୋଲି ଚାଳକମାନେ ଦାବି କରିଛନ୍ତି । ଅନେକ ରାଜ୍ୟରେ ଚାଳକମାନେ ବସ୍ ଓ ଟ୍ରକ୍ ଚଳାଇବାକୁ ମନା କରିଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ ପରିବହନ ନିୟମକୁ ମଧ୍ୟ ପରିବହନ ବ୍ୟବସାୟୀମାନେ ବିରୋଧ କରିଛନ୍ତି । ଅଲ୍ ଇଣ୍ଡିଆ ଟ୍ରକ୍ ଡ୍ରାଇଭର୍ସ ଆସୋସିଏସନ୍ ଜାନୁଆରି ୧ତାରିଖରେ ଧର୍ମଘଟ ଡାକରା ଦେଇଥିଲା ।

ଦ୍ୱନ୍ଦ୍ୱ ସ୍ଥିତି

ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ପରିବହନ କମିଟି ଅଧ୍ୟକ୍ଷ ସିଏଲ ମୁକାତିଙ୍କ କହିବାନୁଯାୟୀ, ହିଟ୍ ଆଣ୍ଡ ରନ୍ ମାମଲାରେ ହଠାତ୍ କଠୋର ବ୍ୟବସ୍ଥା ଲାଗୁ ହୋଇଥିବାରୁ ଚାଳକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article