- ଦେଶର ଦିଗକୁ ପ୍ରଭାବିତ କରିବ ଏହି ମାମଲା
- ଏଗୁଡ଼ିକ ମଧ୍ୟରେ ରହିଛି ଜ୍ଞାନବାପି, ନିର୍ବାଚନରେ ମାଗଣା ମାମଲା
ନୂଆଦିଲ୍ଲୀ: ୨୦୨୪ରେ ଏଭଳି ୧୧ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଓ ନିଷ୍ପତ୍ତି ସୁପ୍ରିମକୋର୍ଟରେ ହେବାର ଅଛି, ଯାହା ଦେଶର ସ୍ଥିତିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ଏହି ୧୧ଟି ମାମଲା କ’ଣ ?
୧. ଇଲେକ୍ଟୋରାଲ ବଣ୍ଡ ସ୍କିମ୍
ରାଜନୈତିକ ଦଳମାନଙ୍କୁ ପାଣ୍ଠି ଯୋଗାଣ ପାଇଁ ଇଲେକ୍ଟୋରାଲ ବଣ୍ଡ୍ ଯୋଜନାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନ୍ ଉପରେ ସୁପ୍ରିମକୋର୍ଟର ୫ ଜଣବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି । ତେଣୁ ଚାନ୍ଦା ନେବାରେ ସ୍ୱଚ୍ଛତା ଅଭାବରୁ ଏହାକୁ ବାତିଲ କରିବାକୁ ଦାବି ହୋଇଛି ।
୨. ଇଡିର କ୍ଷମତା
୨୭ ଜୁଲାଇ ୨୦୨୨ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କ୍ଷମତା ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ହୋଇଥିବା ରିଭ୍ୟୁ ପିଟିସନ୍ ଉପରେ ସୁପ୍ରିମକୋର୍ଟ ୨୦୨୪ରେ ନିଷ୍ପତ୍ତି ନେବେ । ୨୭ ଜୁଲାଇ ୨୦୨୨ର ରାୟରେ ସୁପ୍ରିମକୋର୍ଟ କହିଥିଲେ ଯେ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଇଡିର ଗିରଫ, ସମ୍ପତ୍ତି ଜବତ କରିବା ଏବଂ ସର୍ଚ୍ଚ କରିବାର ଅଧିକାର ରହିଛି ।
୩. ଅଧିକାରୀଙ୍କ ଉପରେ ଦିଲ୍ଲୀ ସରକାରଙ୍କ କ୍ଷମତା
ଅଧିକାରୀଙ୍କ ଉପରେ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ କେନ୍ଦ୍ର ସରକାର ସଂସଦରୁ ନୂଆ ଆଇନ ପାରିତ କରିଛନ୍ତି । ଦିଲ୍ଲୀର ଅଧିକାରୀଙ୍କ ବଦଳି କ୍ଷମତା କେନ୍ଦ୍ର ପାଖରେ ରହିବ । ନୂଆବର୍ଷରେ ଦିଲ୍ଲୀ ସରକାରଙ୍କ ଚ୍ୟାଲେଞ୍ଜର ଶୁଣାଣି କରିବେ ସୁପ୍ରିମକୋର୍ଟ ।
୪. ରାଜନୈତିକ ଦଳଗୁଡ଼ିକର ନିର୍ବାଚନରେ ମାଗଣା ଘୋଷଣା
ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ସମୟରେ ମାଗଣା ଘୋଷଣା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି । ଏଥିରେ କୁହାଯାଇଛି ଯେ ଦେଶର ଟିକସଦାତାମାନେ ମାଗଣା ନିର୍ବାଚନୀ ପ୍ରତିଶ୍ରୁତି ଦ୍ୱାରା ପ୍ରଭାବିତ ହେଉଛନ୍ତି । ଏପରି କରୁଥିବା ଦଳଗୁଡ଼ିକର ମାନ୍ୟତା ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି । ୨୦୨୪ରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ ।
୫. ଅବିବାହିତ ମହିଳାଙ୍କୁ ସରୋଗେସିର ଅଧିକାର ରହିଛି
ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଏକ ପିଟିସନରେ ଅବିବାହିତ ମହିଳାଙ୍କୁ ସରୋଗେସିର ଅଧିକାର ଦେବାକୁ ଦାବି କରାଯାଇଛି । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିଭି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ । ୨୦୨୪ରେ ଏହି ଆବେଦନର ଶୁଣାଣି ହେବ ।
୬. ସିଏଏର ଧାରା-୬(ଏ)ର ସାମ୍ବିଧାନିକ
ନାଗରିକତା ସଂଶୋଧନ ଆଇନ (ସିଏଏ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ୧୭ଟି ଆବେଦନ ଉପରେ ୨୦୨୩ ଡିସେମ୍ବର ୧୨ରେ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ । ନୂଆ ବର୍ଷରେ କୋର୍ଟ ଏହା ଉପରେ ରାୟ ଶୁଣାଇବେ ।
୭. ଜ୍ଞାନବାପି କମ୍ପ୍ଲେକ୍ସର ମାଲିକାନା ପ୍ରସଙ୍ଗ
ଜ୍ଞାନବାପି କମ୍ପ୍ଲେକ୍ସର ମାଲିକାନା ପ୍ରସଙ୍ଗରେ ନିମ୍ନ ଅଦାଲତରେ ମନ୍ଦିର ପକ୍ଷର ମାମଲାର ଶୁଣାଣି ପାଇଁ ସବୁଜ ସଙ୍କେତ ଦେବା ସହ ଡିସେମ୍ବର ୧୯ତାରିଖରେ ଆହ୍ଲାବାଦ ହାଇକୋର୍ଟ ମସଜିଦ୍ ପକ୍ଷର ୫ଟି ଆବେଦନକୁ ଖାରଜ କରିଦେଇଥିଲେ । ଏହି ମାମଲାରେ ମନ୍ଦିର ପକ୍ଷରୁ ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ କରାଯାଇଛି । ୨୦୨୪ ଜାନୁଆରିରେ ସୁପ୍ରିମକୋର୍ଟରେ ଶୁଣାଣି ସମ୍ଭବ ।
୮. ପୂଜାସ୍ଥଳୀ ଆଇନ ୧୯୯୧କୁ ଚ୍ୟାଲେଞ୍ଜ
ପୂଜାସ୍ଥଳୀ ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର ହୋଇଛି । ଏହି ପିଟିସନ୍ ଜରିଆରେ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି ହୋଇଛି । ୧୫ ଅଗଷ୍ଟ ୧୯୪୭ ପୂର୍ବରୁ ଧାର୍ମିକ ସ୍ଥଳଗୁଡ଼ିକର ସ୍ଥିତାବସ୍ଥା ବଜାୟ ରଖିବାକୁ ଏହି ଆଇନରେ କୁହାଯାଇଛି । ନୂଆ ବର୍ଷରେ ଶୁଣାଣି ସମ୍ଭବ ।
୯. ଦାଗୀ ନେତାଙ୍କ ଉପରେ ଆଜୀବନ ନିଷେଧାଦେଶ
ଅପରାଧିକ ମାମଲାରେ ଅଭିଯୁକ୍ତ ସାଂସଦ ଓ ବିଧାୟକଙ୍କ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୨୩ ନଭେମ୍ବର ୯ତାରିଖରେ ରାୟ ଶୁଣାଇ ବିଭିନ୍ନ ନିର୍ଦ୍ଦେଶନାମା ଜାରି କରିଥିଲେ । ଦାଗୀ ନେତାଙ୍କୁ ନିର୍ବାଚନ ଲଢ଼ିବା ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇବା ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ବିଚାର କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ । ଏହା ଉପରେ ଶୁଣାଣୀ ହୋଇପାରେ ।
୧୦. ମହିଳାଙ୍କ ଧାର୍ମିକ ସ୍ୱାଧୀନତା
୨୦୨୪ରେ ମହିଳାଙ୍କ ଧାର୍ମିକ ସ୍ୱାଧୀନତା ପ୍ରସଙ୍ଗର ଶୁଣାଣି କରିପାରିବେ ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଏଥିରେ ସାବରିମାଳା ମନ୍ଦିରରେ ମହିଳାଙ୍କୁ ପ୍ରବେଶ ଅନୁମତି ଦେବା ନିଷ୍ପତ୍ତିର ଶୁଣାଣି, ଦାଉଦି ବୋହରା ସମ୍ପ୍ରଦାୟର ମହିଳାଙ୍କ ମଧ୍ୟରେ ସୁନ୍ନା ପ୍ରଥା, ମସଜିଦରେ ମହିଳାଙ୍କ ନମାଜ ପଢ଼ିବାର ଅଧିକାର, ପାର୍ସୀ ମହିଳାଙ୍କ ସମ୍ପତ୍ତି ଅଧିକାର ଆଦି ରହିଛି ।
୧୧. ରାଜ୍ୟପାଳଙ୍କ କ୍ଷମତା
ଅନେକ ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ବିଧାନସଭାରେ ଗୃହୀତ ବିଲକୁ ରାଜ୍ୟପାଳମାନେ ଦୀର୍ଘ ଦିନ ଧରି ଅଟକାଇ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଛି । ଏସବୁ ମାମଲାରେ ରାଜ୍ୟପାଳଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ଏହି ମାମଲାର ଶୁଣାଣି ଜାନୁଆରିରେ ହେବ ।