ସୋରେନଙ୍କ ମାମଲା କାହିଁକି ଅଲଗା
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତୃତୀୟ ଥର ପାଇଁ ଇଡି ସମନରେ ହାଜର ହୋଇନଥିବା ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିପାରେ । ଆମ୍ ଆଦମୀ ପାର୍ଟି ଦାବି କରୁଛି ଯେ ଇଡି ଗୁରୁବାର କେଜ୍ରିୱାଲଙ୍କ ବାସଭବନରେ ଚଢ଼ାଉ କରି ତାଙ୍କୁ ଗିରଫ କରିବ । ସେପଟେ ଗୁରୁବାର ସକାଳୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନ ବାହାରେ ଉତ୍ତେଜନା ପ୍ରକାଶ ପାଇଛି । ସେଠାରେ ପୁଲିସ ମୁତୟନ ବଢ଼ାଇ ଦିଆଯାଇଛି । ଗଣମାଧ୍ୟମ ପାଇଁ ଏକ ଅଲଗା ଏନକ୍ଲୋଜର କରାଯାଇଛି ଯାହା ସାଧାରଣ ସମୟରେ ହୋଇନଥାଏ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଉଥିବା ଉଭୟ ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା କିନ୍ତୁ ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବାକୁ ଅନୁମତି ଦିଆଯାଇଥିଲା । ତେବେ କେଜ୍ରିୱାଲଙ୍କ ଗିରଫଦାରୀକୁ ଆମ୍ ଆଦମୀ ପାର୍ଟି କାହିଁକି ଡରୁଛି ? ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଡିର ଗୋଟିଏ କି ଦୁଇଟି ନୁହେଁ ବରଂ ୭ଟି ସମନ ଅଣଦେଖା କରିଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । କେଜ୍ରିଓ୍ଵାଲଙ୍କ ମାମଲା ସୋରେନଙ୍କ ଠାରୁ କେମିତି ଅଲଗା ?
ଇଡିକୁ କେଜ୍ରିୱାଲଙ୍କ ଜବାବ
କେଜ୍ରିଓ୍ଵାଲ ଏଜେନ୍ସି ଆଗରେ ହାଜର ହେବାକୁ ମନା କରିଦେଇଛନ୍ତି ଏବଂ କହିଛନ୍ତି ଯେ ଇଡି ସମନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଆଇନ ବିରୋଧୀ । ଇଡିକୁ ଦେଇଥିବା ଜବାବରେ ସେ ଏଜେନ୍ସିକୁ ସ୍ପଷ୍ଟ କରିବାକୁ କହିଛନ୍ତି ଯେ ସମନକୁ ସାକ୍ଷୀଭାବେ ପଠାଯାଇଛି ନା ସନ୍ଦିଗ୍ଧ ଭାବେ । ଇଡିକୁ ଲେଖିଥିବା ଚିଠିରେ ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସମନ ଦୁର୍ଭାଗ୍ୟଜନକ ଏବଂ ଏଜେନ୍ସି ନିଜେ ବିଚାରପତି, ଜୁରୀ ଏବଂ ଜଲ୍ଲାଦ ଭୂମିକା ନିର୍ବାହ କରୁଛି । କେଜ୍ରିୱାଲ ଇଡିକୁ ପ୍ରଶ୍ନର ତାଲିକା ପଠାଇବାକୁ କହିଛନ୍ତି, ସେ ତାହାର ଉତ୍ତର ଦେବେ ।
ଚତୁର୍ଥ ଥର ପାଇଁ ସମନ ଜାରି କରିପାରେ ଇଡି
ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ବାରମ୍ବାର ସମନ ସତ୍ତ୍ୱେ ହାଜର ହୋଇ ନ ପାରିବାରୁ ଏଜେନ୍ସି ଏବେ ଅରବିନ୍ଦ କେଜ୍ରିୱାଲଙ୍କ ଜବାବ ଉପରେ ଅଧ୍ୟୟନ କରୁଛି । ମିଳିଥିବା ସୂଚନା ଅନୁଯାୟୀ, ଇଡି ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚତୁର୍ଥ ସମନ ପଠାଇପାରେ ।
‘ଆଜି ଗିରଫ ହେବ’, ହଙ୍ଗାମା କରୁଛି ଆପ୍
ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବ ବୋଲି ଆମ୍ ଆଦମୀ ପାର୍ଟି ବୁଧବାର ବିଳମ୍ବିତ ରାତିରୁ ହୋହଲ୍ଲା କରୁଛି । ଦିଲ୍ଲୀ ମନ୍ତ୍ରୀ ଆତିଶୀ ମଧ୍ୟରାତ୍ରରେ ସୂତ୍ରରୁ ପ୍ରକାଶ କରି କହିଛନ୍ତି, ଖବର ଆସୁଛି ଯେ ଆସନ୍ତାକାଲି (ଗୁରୁବାର) ସକାଳେ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଇଡି ଚଢ଼ାଉ କରିବାକୁ ଯାଉଛି । ତାଙ୍କୁ ଗିରଫ କରାଯାଇପାରେ । ଆତିଶୀଙ୍କ ପରେ ଅନ୍ୟ ଜଣେ ମନ୍ତ୍ରୀ ସୌରଭ ଭରଦ୍ୱାଜ ମଧ୍ୟ ଲେଖିଛନ୍ତି, ‘ଶୁଣିବାକୁ ମିଳୁଛି ଯେ ଆସନ୍ତାକାଲି ସକାଳେ ଇଡି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିବ ।
କେଜ୍ରିଓ୍ଵାଲଙ୍କ ମାମଲା ସୋରେନଙ୍କଠାରୁ କେମିତି ଅଲଗା ?
କେଜ୍ରିୱାଲ ବାରମ୍ବାର ଇଡି ସମନକୁ ଅଣଦେଖା କରିବା ତଦନ୍ତକାରୀ ଅଧିକାରୀଙ୍କୁ ତାଙ୍କୁ ହେପାଜତକୁ ନେବାର ବିକଳ୍ପ ଦେଇଥାଏ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଡିର ୭ଟି ସମନକୁ ଅଣଦେଖା କରିଥିଲେ ମଧ୍ୟ ଏଜେନ୍ସି ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏହାର ମୁଖ୍ୟ କାରଣ ହେଉଛି ସୋରେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଖରାପ କରିପାରେ । କିନ୍ତୁ ଜାତୀୟ ରାଜଧାନୀରେ ଆଇନ ଶୃଙ୍ଖଳା ସିଧାସଳଖ କେନ୍ଦ୍ର ଅଧୀନରେ ଆସୁଥିବାରୁ ଦିଲ୍ଲୀରେ ଏଜେନ୍ସିର ଏଭଳି ଚିନ୍ତା ନାହିଁ ।