ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲଗାତାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୋଟିସକୁ ଅବମାନନା କରୁଛନ୍ତି । ମଦ ଦୁର୍ନୀତିରେ ଇଡି ତାଙ୍କୁ ତିନିଥର ପଚରାଉଚରା ପାଇଁ ଡାକିଛି । ସେ ହାଜର ନ ହେବାକୁ ବିଭିନ୍ନ ବାହାନା କରୁଛନ୍ତି । ପଚରାଉଚରା ପାଇଁ ଇଡି ତାଙ୍କୁ ଡାକି ଗିରଫ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଇଡିର ୭ଟି ନୋଟିସରେ ସେ ହାଜର ହୋଇନହାନ୍ତି । ଅଲ୍ଟିମେଟମଭାବେ ସେ ଇଡିର ସପ୍ତମ ନୋଟିସକୁ ମଧ୍ୟ ଅବମାନନା କରିଛନ୍ତି । ଇଡି ଶୁକ୍ରବାର ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପଚରାଉଚରା ପାଇଁ ଦିଲ୍ଲୀ ଡକାଇଛି । ଯେକୌଣସି ସମୟରେ ସେମାନଙ୍କୁ ଗିରଫ କରାଯାଇପାରେ ବୋଲି ମଧ୍ୟ ସେମାନେ କହୁଛନ୍ତି । ତେଜସ୍ୱୀଙ୍କ ଦଳ ଆରଜେଡିର ରାଜ୍ୟସଭା ସଦସ୍ୟ ମନୋଜ ଝା କହିଛନ୍ତି ଯେ ଆଗାମୀ ଦିନରେ ଇଡି ତେଜସ୍ୱୀଙ୍କୁ ଗିରଫ କରିବ । ଅନ୍ୟପକ୍ଷରେ ନୀତୀଶ କୁମାର ଇଣ୍ଡି ମେଣ୍ଟଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି । ନୀତୀଶ କୁମାର ମଧ୍ୟ ଲାଲୁ ପରିବାରଠାରୁ ନିଜକୁ ଦୂରେଇ ରଖିବା ଆରମ୍ଭ କରିଛନ୍ତି । ଏହାକୁ ନେଇ ବିହାରର ରାଜନୈତିକ କରିଡରରେ ଚର୍ଚ୍ଚା ଜୋର ଧରିଛି ।
ଆଦେଶ ଅବମାନନା
ଏହି ନେତାମାନେ ବିଜେପି ବିରୋଧୀ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ ଏବଂ ଆୟକର ବିଭାଗକୁ ଅବମାନନା କରୁଛନ୍ତି, ଯେମିତି ସେମାନଙ୍କୁ ବିଜେପି ଏହାର ଏଜେଣ୍ଟଭାବେ ପ୍ରତିଷ୍ଠିତ କରିଛି । କେବେ ଅଦାଲତରେ, କେତେବେଳେ ସଂସଦରେ ତ କେତେବେଳେ ରାଜରାସ୍ତାରେ ଏହି ଅନୁଷ୍ଠାନଗୁଡ଼ିକୁ ଦିଆଯାଇଥିବା ଅଧିକାରକୁ ବିରୋଧୀ ଦଳର ନେତାମାନେ ଚ୍ୟାଲେଞ୍ଜ କରୁଛନ୍ତି । ସେମାନଙ୍କ ଆଭିମୁଖ୍ୟରୁ ଜଣାପଡ଼ୁଛି ଯେ ଦିନେ ସେମାନଙ୍କ ବିରୋଧରେ ନିଆଯାଇଥିବା ନିଷ୍ପତ୍ତି ଉପରେ ସେମାନେ ଅଦାଲତକୁ ବିଜେପିର ଇଶାରାରେ କାମ କରୁଛନ୍ତି ବୋଲି ଅଭିଯୋଗ କରିବା ଉଚିତ ନୁହେଁ । ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ନା ମିଥ୍ୟା ତାହା ପଚରାଉଚରା ଓ ତଦନ୍ତ ପରେ ଜଣାପଡ଼ିବ, କିନ୍ତୁ ଗିରଫ ଭୟରେ ସେମାନେ ହାଜର ହେଉନାହାନ୍ତି । ସମ୍ବିଧାନର ସୁରକ୍ଷା ପାଇଁ ଦାବି କରୁଥିବା ଏହି ନେତାମାନେ ଯେତେବେଳେ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ଉପହାସ କରୁଛନ୍ତି, ସେତେବେଳେ ସେମାନେ ସମ୍ବିଧାନକୁ ନେଇ ଚିନ୍ତିତ ବୋଲି କିପରି ବିଶ୍ୱାସ କରାଯାଇପାରିବ ?
ଗିରଫ କରିବା ପାଇଁ ପ୍ରସ୍ତୁତି ଚାଲିଛି: କେଜ୍ରିୱାଲ
କେଜ୍ରିଓ୍ଵାଲଙ୍କୁ ତୃତୀୟ ଥର ପାଇଁ ନୋଟିସ୍ ଜାରି କରାଯାଇ ଗୁରୁବାର ଇଡି ପଚରାଉଚରା ପାଇଁ ଡାକିଥିଲା । ସେ ହାଜର ହୋଇନହାନ୍ତି । ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ସେ ନିଜର କଥା ବଜାୟ ରଖିଛନ୍ତି । ସେ କହିଛନ୍ତି ଯେ ଗତ ଦୁଇବର୍ଷ ଧରି ମଦ ଦୁର୍ନୀତିକୁ ନେଇ ଚର୍ଚ୍ଚା ଚାଲିଛି । ଏହି ସମୟରେ ବିଜେପିର ଅନେକ ଏଜେନ୍ସି ଅନେକ ଚଢ଼ାଉ କରିଛନ୍ତି । ଅନେକଙ୍କୁ ଗିରଫ କରାଯାଇଛି । ଆଶ୍ଚର୍ଯ୍ୟର କଥା ପୂରା ଘଟଣାରେ ଗୋଟିଏ ପଇସା ବି ମିଳିନାହିଁ । କୌଣସି ସ୍ଥାନରୁ ଟଙ୍କାଟିଏ ବି ଉଦ୍ଧାର ହୋଇନାହିଁ । ଯଦି ଦୁର୍ନୀତି ହେଉଥିଲା, ତେବେ ଟଙ୍କା କୁଆଡ଼େ ଗଲା ? ସତ କଥା ହେଉଛି କାହାକୁ ଠକେଇ କରାଯାଇନାହିଁ । ଆମ୍ ଆଦମୀ ପାର୍ଟିର ଅନେକ ନେତା ନକଲି ମାମଲାରେ ଜେଲରେ ଅଛନ୍ତି । କାହା ବିରୁଦ୍ଧରେ କିଛି ମିଳୁନାହିଁ କି କିଛି ପ୍ରମାଣିତ ହେଉନାହିଁ । ବିଜେପି ମଧ୍ୟ ମୋତେ ଗିରଫ କରିବାକୁ ଚାହୁଁଛି । ମୋର ସବୁଠାରୁ ବଡ଼ ସମ୍ପତ୍ତି ଏବଂ ଶକ୍ତି ହେଉଛି ମୋର ସଚ୍ଚୋଟତା । ସେମାନେ ମିଥ୍ୟା ଅଭିଯୋଗ କରି ମୋତେ ବଦନାମ କରିବାକୁ ଚାହୁଁଛନ୍ତି । ବିଜେପିର ଉଦ୍ଦେଶ୍ୟ ତଦନ୍ତ ନୁହେଁ ବରଂ ମୋତେ ଲୋକସଭା ନିର୍ବାଚନରେ ପ୍ରଚାରରୁ ରୋକିବା । ମୋ ଶରୀରର ପ୍ରତିଟି ରକ୍ତବୁନ୍ଦା ଦେଶ ପାଇଁ । ଦିଲ୍ଲୀ ସରକାରଙ୍କ ଦୁଇ ମନ୍ତ୍ରୀ ଆତିଶୀ ଏବଂ ସୌରଭ ଭରଦ୍ୱାଜ ବୁଧବାର ବିଳମ୍ବିତ ରାତିରେ ‘ଏକ୍ସ’ରେ ଲେଖିଛନ୍ତି- ଖବର ଆସୁଛି ଯେ ଗୁରୁବାର ସକାଳେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଇଡି ଚଢ଼ାଉ କରିବ । ତାଙ୍କୁ ଗିରଫ କରାଯିବାର ସମ୍ଭାବନା ମଧ୍ୟ ରହିଛି । ସୌରଭ ଭରଦ୍ୱାଜ ସ୍ପଷ୍ଟ ଭାବରେ ଲେଖିଛନ୍ତି- ଇଡି ତାଙ୍କୁ ଆସନ୍ତାକାଲି ସକାଳେ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଗିରଫ କରିବାକୁ ଯାଉଛି ।
ଇଡିର ଅଲଟିମେଟମକୁ ଖାତିର ନାହିଁ!
ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରାଉଚରା କରିବାକୁ ଚାହୁଁଛି ଇଡି । ଇଡି ପକ୍ଷରୁ ତାଙ୍କୁ ୭ଥର ନୋଟିସ ପଠାଯାଇଥିଲେ ମଧ୍ୟ ସେ ହାଜର ହୋଇନହାନ୍ତି । ସେମାନେ ଅଦାଲତରେ ନିଜ ପକ୍ଷ ରଖିବାପାଇଁ ଉପାୟ ଖୋଜିବା ଜାରି ରଖିଛନ୍ତି । ଇଡି ୧୪ ଅଗଷ୍ଟ ୨୦୨୩ରେ ହେମନ୍ତ ସୋରେନଙ୍କୁ ପ୍ରଥମ ନୋଟିସ୍ ପଠାଇଥିଲା । ଦ୍ତୀୟ ନୋଟିସ୍ ୨୪ ଅଗଷ୍ଟ ୨୦୨୩ରେ, ତୃତୀୟ ନୋଟିସ୍ ୯ ସେପ୍ଟେମ୍ବର ୨୦୨୩ରେ, ଚତୁର୍ଥ ନୋଟିସ୍ ୨୩ ସେପ୍ଟେମ୍ବର ୨୦୨୩ରେ, ପଞ୍ଚମ ନୋଟିସ୍ ୪ ଅକ୍ଟୋବର ୨୦୨୩ ଏବଂ ଷଷ୍ଠ ନୋଟିସ୍ ୧୨ ଡିସେମ୍ବର ୨୦୨୩ରେ ପଠାଯାଇଥିଲା । ୨୯ ଡିସେମ୍ବର ୨୦୨୩ରେ ଇଡି ପକ୍ଷରୁ ତାଙ୍କୁ ସପ୍ତମ ନୋଟିସ୍ ପଠାଯାଇଥିଲା ଏବଂ ତାଙ୍କ ସୁବିଧା ଅନୁଯାୟୀ ପଚରାଉଚରା ପାଇଁ ତାରିଖ, ସମୟ ଏବଂ ସ୍ଥାନ କହିବାକୁ କୁହାଯାଇଥିଲା, ଯାହାଫଳରେ ଅଧିକାରୀଙ୍କ ଟିମ୍ ତାଙ୍କୁ ପଚରାଉଚରା କରିପାରିବ । ହେମନ୍ତ ସପ୍ତମ ନୋଟିସର ଜବାବ ପଠାଇଥିଲେ ମଧ୍ୟ ପ୍ରଶ୍ନ କରିବାକୁ ମନା କରିଦେଇଛନ୍ତି ।
ଗିରଫ ଆଶଙ୍କାରେ ତେଜସ୍ୱୀ
ଲ୍ୟାଣ୍ଡ ଫର ଜବ୍ ଦୁର୍ନୀତିରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପଚରାଉଚରା କରିବାକୁ ଚାହୁଁଛି ଇଡି । ଅତୀତରେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସିମାନେ ତାଙ୍କୁ ପଚରାଉଚରା କରିଛନ୍ତି । ଲାଲୁ ରେଳମନ୍ତ୍ରୀ ଥିବାବେଳେ ଚାକିରି ପାଇଁ ଜମି ନିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଇଡି ତାଙ୍କୁ ଶୁକ୍ରବାର ଦିଲ୍ଲୀ ଡାକିଛି । ତେବେ ତେଜସ୍ୱୀ ଯାଦବ ଏହାକୁ ବିଜେପିର ନିର୍ଦ୍ଦେଶରେ କେନ୍ଦ୍ରୀୟ ଏଜେନ୍ସିର ଖେଳ ବୋଲି କହୁଛନ୍ତି । ଆରଜେଡିର ରାଜ୍ୟସଭା ସଦସ୍ୟ ମନୋଜ ଝା କହିଛନ୍ତି ଯେ ଆସନ୍ତା ୪ ମାସ ପର୍ଯ୍ୟନ୍ତ ବିରୋଧୀ ଦଳ ନେତାମାନେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିମାନଙ୍କ ଟାର୍ଗେଟରେ ରହିବେ । ବିଜେପିର ନିର୍ଦ୍ଦେଶରେ ଏହି ଏଜେନ୍ସିମାନେ ତେଜସ୍ୱୀ ଯାଦବ, ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲଙ୍କ ଭଳି ନେତାଙ୍କୁ ଗିରଫ କରିପାରନ୍ତି ।