ଏନଡିଏକୁ ଜେଡିୟୁ ଆସିବା ପରେ ବଦଳିଲା ପୂରା ସମୀକରଣ

Must read

ଲୋକସଭା ନିର୍ବାଚନରେ ଆସନ ବଣ୍ଟନ ପାଇଁ ଆସିପାରେ ନୂଆ ଫର୍ମୁଲା

ନୂଆଦିଲ୍ଲୀ: ବିହାରରେ ଜେଡିୟୁ ଏନଡିଏରେ ସାମିଲ ହେବା ପରେ ବିଜେପି ପୁଣିଥରେ କ୍ଷମତାକୁ ଆସିଛି । କିନ୍ତୁ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଆସନ ବଣ୍ଟନକୁ ନେଇ ବିଜେପିର ସମସ୍ୟା ବଢ଼ିବାରେ ଲାଗିଛି । ସୂତ୍ରରୁ ପ୍ରକାଶ ଯେ ଏନଡିଏରେ ଆସନ ବଣ୍ଟନର ଗାଣିତିକ ଫର୍ମୁଲା ଖୋଜିବା ପାଇଁ ପଦକ୍ଷେପ ମଧ୍ୟ ଆରମ୍ଭ ହୋଇଛି । କୁହାଯାଉଛି ଯେ ବିଜେପି ଓ ଜେଡିୟୁ ପ୍ରମୁଖ ସହଯୋଗୀ ଦଳ । କିନ୍ତୁ ଅନ୍ୟ ୪ଟି ସହଯୋଗୀ ଦଳକୁ ସମ୍ମାନଜନକ ଆସନ ଦେବା ପାଇଁ ପ୍ରସ୍ତୁତି ଚାଲିଛି, ଯାହାଫଳରେ ମେଣ୍ଟ ମଜବୁତ ରହିବ । ବାସ୍ତବରେ ଯେତେବେଳେ ଜେଡିୟୁକୁ ଏନଡିଏରେ ସାମିଲ କରାଯାଇନଥିଲା ସେତେବେଳେ ସହଜରେ ଏହି ଆସନ ବଣ୍ଟନ ହେବ ବୋଲି ଆଶା କରାଯାଉଥିଲା, କିନ୍ତୁ ଜେଡିୟୁ ଆସିବା ପରେ ସମୀକରଣ ବଦଳିଯାଇଛି ।

ଏପରି ହୋଇପାରେ ଏନଡିଏରେ ଆସନ ବୁଝାମଣା

ତେବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ କୌଣସି ସହଯୋଗୀ ଦଳକୁ ଅସହଜ ହେବାକୁ ଦେବାକୁ ରାଜି ନୁହଁନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏନଡିଏରେ ସାମିଲ ଥିବା ସମସ୍ତ ଦଳର ନେତା ଉପସ୍ଥିତ ଥିଲେ । ଯଦି ସୂତ୍ରକୁ ବିଶ୍ୱାସ କରାଯାଏ ତେବେ ବିହାରରେ ଲୋକସଭା ନିର୍ବାଚନରେ ଜେଡିୟୁ ବିଜେପି ତୁଳନାରେ କମ ଆସନ ପାଇପାରେ । ବିହାରରେ ମୋଟ ୪୦ଟି ଲୋକସଭା ଆସନ ରହିଛି । ସେଥିମଧ୍ୟରୁ ବିଜେପି ୧୭ରୁ ୧୮ଟି ଆସନରେ ଲଢ଼ିବାକୁ ଚାହୁଁଛି । ସେହିପରି ଜେଡିୟୁକୁ ୧୪ରୁ ୧୫ଟି ଆସନ ଦିଆଯାଇପାରେ । ବର୍ତ୍ତମାନ ବିଜେପିର ୧୭ ଓ ଜେଡିୟୁର ୧୬ ସାଂସଦ ଅଛନ୍ତି ।

ଏଲଜେପିର ଉଭୟ ଗୋଷ୍ଠୀକୁ ମିଳିପାରେ ଆସନ

ଏଲଜେପିର ଦୁଇ ଗୋଷ୍ଠୀ ଚିରାଗ ପାଶୱାନ ଏବଂ ପଶୁପତି କୁମାର ପାରସଙ୍କ ଦଳରେ ମଧ୍ୟ ୬ ଜଣ ସାଂସଦ ଅଛନ୍ତି । ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ଆନୁପାତିକ ହେବାର ସମ୍ଭାବନା ରହିଛି । ଜିତନ ରାମ ମାଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏବଂ ଉପେନ୍ଦ୍ର କୁଶୱାହାଙ୍କ ଆରଏଲଏସପି ମଧ୍ୟ ଏନଡିଏରେ ସାମିଲ ହୋଇଥିବାରୁ ସେମାନେ ମଧ୍ୟ ୩ରୁ ୪ଟି ଆସନ ପାଇପାରନ୍ତି ।

More articles

LEAVE A REPLY

Please enter your comment!
Please enter your name here

Latest article