ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ଆଉ ଅଧିକ ସମୟ ବାକି ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ତରୀଣ ବଜେଟ ଆସିଛି । ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ମଧ୍ୟ ଶେଷ ହୋଇଛି । ଏବେ ଲୋକସଭା ନିର୍ବାଚନ ତାରିଖ ଘୋଷଣାକୁ ଅପେକ୍ଷା କରାଯାଇଛି । ଅପରପକ୍ଷରେ କ୍ଷମତାର ହ୍ୟାଟ୍ରିକ୍ ପାଇଁ ପ୍ରସ୍ତୁତ ହେଉଥିବା ବିଜେପି ନେତୃତ୍ୱାଧୀନ ଏନ୍ ଡିଏ ମେଣ୍ଟ ବିରୋଧରେ ଲଢ଼େଇ କେତେ ? ବିରୋଧୀ ଦଳଠାରୁ ମୋଦି କେତେ ଶକ୍ତିଶାଳୀ ହେବେ ? ନିର୍ବାଚନ ପୂର୍ବରୁ ଇଣ୍ଡି ମେଣ୍ଟରେ ଦେଖାଦେଇଥିବା ଅସ୍ଥିରତା ପରେ ଏହି ପ୍ରଶ୍ନ ଉଠିଛି । କେନ୍ଦ୍ରର ଅନ୍ତରୀଣ ବଜେଟକୁ ନେଇ ବିରୋଧୀ ଦଳମାନେ ପ୍ରଥମ ଥର ପାଇଁ ଏକ ସ୍ୱରରେ ଥିଲେ ମଧ୍ୟ ବିରୋଧୀ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଦେଖିବାକୁ ମିଳୁଛି ।
କେଉଁଠି ରହିଛି ଆସନ ବୁଝାମଣା ?
୨୮ ଦଳ ବିଶିଷ୍ଟ ଇଣ୍ଡି ମେଣ୍ଟରେ ନିର୍ବାଚନ ପୂର୍ବରୁ ସହଯୋଗୀ ବିଭାଜନ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତବର୍ଷ ଡିସେମ୍ବର ମାସରୁ କଂଗ୍ରେସ ଓ ଅନ୍ୟ ସହଯୋଗୀ ଦଳମଧ୍ୟରେ ଆସନ ବୁଝାମଣା ପାଇଁ ଆଲୋଚନା ଚାଲିଛି । ପାଖାପାଖି ୫୦ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ୍ ତଥ୍ୟ ଜନସାଧାରଣଙ୍କ ସାମ୍ନାକୁ ଆସିନାହିଁ । ସେପଟେ ଇଣ୍ଡି ମେଣ୍ଟର ଆବାହକ ଦୌଡ଼ରେ ସାମିଲ ହୋଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମେଣ୍ଟ ବଦଳାଇ ସାରିଛନ୍ତି । ଏହା ଏନଡିଏକୁ କେତେ ଶକ୍ତି ଦେବ ପ୍ରସଙ୍ଗ ନୁହେଁ, ତାହା ଇଣ୍ଡି ମେଣ୍ଟ କେତେବଡ଼ ଝଟକା ସୃଷ୍ଟି କରିଛି ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । କଂଗ୍ରେସ ହୁଏତ ଏହାର ପ୍ରଭାବକୁ ଅଣଦେଖା କରୁଛି, କିନ୍ତୁ ରାଜନୈତିକ ବିଶ୍ଳେଷକମାନେ ଏହାକୁ ମୋଦୀଙ୍କ ବିରୋଧରେ ଲଢ଼େଇରେ ଏକ ବଡ଼ ଝଟକାଭାବେ ଦେଖୁଛନ୍ତି ।
ନିଜ ଢୋଲ ନିଜେ ପିଟୁଛନ୍ତି
କଂଗ୍ରେସ ହେଉଛି ଇଣ୍ଡି ମେଣ୍ଟର ସବୁଠାରୁ ବଡ଼ ଦଳ । ଏଭଳି ସ୍ଥିତିରେ ମେଣ୍ଟରେ ସାମିଲ ଥିବା ୨୮ଟି ଦଳ ମଧ୍ୟରେ ଏହାର ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦିଲ୍ଲୀ, ପଞ୍ଜାବ, କେରଳ ଓ ପଶ୍ଚିମବଙ୍ଗରେ କଂଗ୍ରେସ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଛି । ଦିଲ୍ଲୀ ଓ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସର ଆଞ୍ଚଳିକ ୟୁନିଟ୍ ମେଣ୍ଟ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରୁନାହାନ୍ତି । ପଞ୍ଜାବରେ ମଧ୍ୟ ଆମ୍ ଆଦମୀ ପାର୍ଟି ସମସ୍ତ ଆସନରେ ନିର୍ବାଚନ ଲଢ଼ିବ ବୋଲି କୁହାଯାଉଛି । ସେହିପରି ମମତା ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗରେ ଏକାକୀ ଲଢ଼ିବା କଥା କହିଛନ୍ତି । ବର୍ତ୍ତମାନ ଏହି ଦୁଇଦଳ ମଧ୍ୟରେ ମତଭେଦର ସ୍ୱର ସାମ୍ନାକୁ ଆସୁଥିଲା ଯେ ଇଣ୍ଡି ମେଣ୍ଟ ପାଇଁ ମହାରାଷ୍ଟ୍ରରୁ ଶୁଭ ଖବର ଆସୁନାହିଁ । ମହାରାଷ୍ଟ୍ରର ମହାବିକାଶ ଆଘାଡିରେ ଯୋଗ ଦେଇଥିବା ପ୍ରକାଶ ଆମ୍ବେଦକର ସ୍ପଷ୍ଟଭାବେ କହିଛନ୍ତି ଯେ ଇଣ୍ଡି ମେଣ୍ଟ ପ୍ରାୟ ଶେଷ ହୋଇଯାଇଛି । ପ୍ରକାଶ କହିଛନ୍ତି ଯେ ରାଜ୍ୟରେ ଆସନ ବଣ୍ଟନକୁ ନେଇ ଶିବସେନା ଏବଂ ଏନସିପି ସହ ଆଲୋଚନା ଚାଲିଛି । କଂଗ୍ରେସ ସହ କୌଣସି କଥାବାର୍ତ୍ତା ହେଉନାହିଁ ।
ମୋଦିଙ୍କ ସହ କେମିତି ପ୍ରତିଦ୍ୱନ୍ଦ୍ୱିତା କରିବେ ?
ଏହି ସମୟରେ ବିଜେପିର ସ୍ଥିତିକୁ ସମୁଦ୍ରରେ ଏକ ବଡ଼ ଜାହାଜଭାବେ ଦେଖିବାକୁ ମିଳୁଛି । କିଷାନ ସମ୍ମାନ ନିଧି, ମାଗଣା ଖାଦ୍ୟଶସ୍ୟ ଯୋଜନା, ପିଏମ ଆବାସ ଯୋଜନା, ମୁଦ୍ରା ଋଣ ଭଳି କଲ୍ୟାଣକାରୀ ଯୋଜନାକୁ ମୋଦି ସରକାର ଦୃଢ଼ତାର ସହ ପରିଚାଳନା କରୁଛନ୍ତି । ସେପଟେ ବିହାର ଭଳି ବଡ଼ ରାଜ୍ୟରେ ଇଣ୍ଡି ମେଣ୍ଟ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ନିଜେ ନୀତୀଶ କୁମାର କହିଛନ୍ତି ଯେ ଇଣ୍ଡି ମେଣ୍ଟ ବହୁତ ଧୀରେ ଚାଲିଛି । କଂଗ୍ରେସ ହୁଏତ କହୁଛି ଯେ ଇଣ୍ଡି ମେଣ୍ଟର ଉଦ୍ଦେଶ୍ୟ ମୋଦିଙ୍କୁ କ୍ଷମତାରୁ ହଟାଇବା, କିନ୍ତୁ ତୃଣମୂଳ ସ୍ତରରେ ଏହା ଦୂରର କଥା ମନେହେଉଛି । ମୁଦ୍ରାସ୍ଫୀତି ଓ ବେକାରୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବାରେ ବିରୋଧୀ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଇଣ୍ଡି ମେଣ୍ଟ ପକ୍ଷରୁ ମିଳିତ ରାଲି କିମ୍ବା ପ୍ରଚାରକୁ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନାହିଁ । ରାଜନୈତିକ ବିଶ୍ଳେଷକଙ୍କ ମତରେ ସାଧାରଣ ନିର୍ବାଚନରେ ଲୋକଙ୍କ ମଧ୍ୟରେ ମୁଖ୍ୟ ପ୍ରସଙ୍ଗ ଓ ଧାରଣା ଲଢ଼େଇ କ୍ଷେତ୍ରରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ସମ୍ପୂର୍ଣ୍ଣ ପଛରେ ପଡ଼ିଛି । ଏଭଳି ସ୍ଥିତିରେ ମୋଦିଙ୍କ ସହ ଇଣ୍ଡି ମେଣ୍ଟ କିପରି ପ୍ରତିଦ୍ୱନ୍ଦ୍ୱିତା କରିପାରିବ ତାହା ସମୟ ହିଁ ସ୍ଥିର କରିବ ।