ଆସନ ବଣ୍ଟନକୁ ନେଇ ଏହି ତିନି ଦଳଙ୍କ ଯୋଗୁ କଂଗ୍ରେସ ଚିନ୍ତାରେ

Must read

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛିମାସ ବାକି ରହିଛି । ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟ ମୋଦି ସରକାରଙ୍କୁ ଟକ୍କର ଦେବା ପାଇଁ ପୂରା ପ୍ରୟାସ ଚଳାଇଛି । ସମସ୍ତ ବିରୋଧୀ ଦଳର ଇଣ୍ଡି ମେଣ୍ଟ ୪ ଥର ବୈଠକ କରିସାରିଲେଣି । କିନ୍ତୁ ବର୍ତ୍ତମାନ ଆସନ ବଣ୍ଟନକୁ ନେଇ କୌଣସି ଆଲୋଚନା ହେଉନାହିଁ । ଦିଲ୍ଲୀର ଅଶୋକା ହୋଟେଲରେ ବରିଷ୍ଠ ନେତାଙ୍କ ଏକ ବୈଠକ ହୋଇଥିଲା, କିନ୍ତୁ ଆସନ ବଣ୍ଟନ ପ୍ରସଙ୍ଗ ଅଟକି ରହିଛି । କଂଗ୍ରେସ ପାଇଁ ଆସନ ବଣ୍ଟନ ପ୍ରସଙ୍ଗ ଅଧିକ କଷ୍ଟସାଧ୍ୟ ମନେ ହେଉଛି । ୩ଟି ରାଜ୍ୟମଧ୍ୟରୁ କଂଗ୍ରେସ ଗୋଟିଏରେ ମେଣ୍ଟ କରିଥିବ ବେଳେ ବାକି ଦୁଇଟି ରାଜ୍ୟରେ ବିରୋଧୀ ଦଳରେ ଥିଲେ ମଧ୍ୟ ମୋଦି ସରକାରଙ୍କୁ ପରାସ୍ତ କରିବା ପାଇଁ ଗୋଟିଏ ମଞ୍ଚକୁ ଆସିଛି । ଏହି ୩ଟି ରାଜ୍ୟ ହେଉଛି ପଞ୍ଜାବ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ । ପଞ୍ଜାବରେ ଶାସକ ଆମ୍ ଆଦମୀ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏକାକୀ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ମହାରାଷ୍ଟ୍ରରେ ଶିବସେନା ୨୩ଟି ଆସନ ଦାବି କରିଥିବାରୁ ଆସନ ବୁଝାମଣା ଆହୁରି ଜଟିଳ ହୋଇଛି ।

ଟିଏମସିର ଏକଲା ଚଲୋ ସ୍ଲୋଗାନ

ପଶ୍ଚିମବଙ୍ଗରେ ୨୦୨୪ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଏକାକୀ ଲଢ଼ିବ ବୋଲି ମମତା ବାନାର୍ଜୀ ଘୋଷଣା କରିଛନ୍ତି । ସାରା ଦେଶରେ ଇଣ୍ଡି ମେଣ୍ଟରେ ସାମିଲ ହେବା କଥା ସେ ନିଶ୍ଚିତ ଭାବେ କହିଛନ୍ତି, କିନ୍ତୁ ପଶ୍ଚିମବଙ୍ଗରେ କୌଣସି ଆସନ ବଣ୍ଟାଯିବ ନାହିଁ କି କଂଗ୍ରେସ କିମ୍ବା ବାମପନ୍ଥୀଙ୍କ ସହ ମେଣ୍ଟ ହେବ ନାହିଁ । ପଶ୍ଚିମବଙ୍ଗରେ ବିଜେପିକୁ କେବଳ ତୃଣମୂଳ ହିଁ ପରାସ୍ତ କରିପାରିବ ବୋଲି ମମତା ସ୍ପଷ୍ଟ କରିଛନ୍ତି ।

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଏକାକୀ ଲଢ଼ି ମାତ୍ର ୨ଟି ଆସନରେ ବିଜୟୀ ହୋଇଥିବାବେଳେ ତୃଣମୂଳ ୨୨ଟି ଆସନରେ ବିଜୟୀ ହୋଇଥିଲା । ସେତେବେଳେ ମଧ୍ୟ ଅନେକ କଂଗ୍ରେସ ନେତା ସିପିଆଇ(ଏମ୍) ସହ ମିଶି ଲଢ଼ିବାକୁ ଦାବି କରିଥିଲେ, କିନ୍ତୁ ଦଳ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲା । ଏଥର ମମତାଙ୍କ ଏକାକୀ ଲଢ଼ିବାର ଘୋଷଣା ବଙ୍ଗଳା ରାଜନୀତିକୁ ଏକ ନୂଆ ଦିଗ ଦେଇପାରେ ।

୨୩ଟି ଆସନ ଚାହୁଁଛନ୍ତି ଉଦ୍ଧବ ଠାକରେ

ଉଦ୍ଧବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ୨୩ଟି ଆସନରେ ଲଢ଼ିବାକୁ ଦାବି କରିଥିଲେ ମଧ୍ୟ କଂଗ୍ରେସ ଏହାକୁ ଗ୍ରହଣ କରୁନାହିଁ । ମହାରାଷ୍ଟ୍ରରେ କଂଗ୍ରେସ, ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀ ଏବଂ ଉଦ୍ଧବ ଗୋଷ୍ଠୀ ନେତୃତ୍ୱାଧୀନ ଶିବସେନା ମେଣ୍ଟରେ ଅଛନ୍ତି । ଶିବସେନା ଲୋକସଭା ଆସନର ଏକ ବଡ଼ ଅଂଶ ଦାବି କରିଛି । ଦଳ ୨୩ଟି ଆସନ ଦାବି କରିଥିଲେ ମଧ୍ୟ କଂଗ୍ରେସ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ଅଶୋକ ଚୌହାନ ଏହି ଦାବିକୁ ଅତ୍ୟଧିକ ବୋଲି କହିବା ସହ ଦଳଗୁଡ଼ିକ ମଧ୍ୟରେ ବୁଝାମଣା ଜରୁରୀ ବୋଲି କହିଛନ୍ତି । ପ୍ରତ୍ୟେକ ଦଳ ଅଧିକ ଆସନ ଚାହୁଁଥିବାବେଳେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିବସେନାର ୨୩ଟି ଆସନ ଦାବି ବହୁତ ଅଧିକ ରହିଛି ।

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଓ ଏନସିପି ଏକାଠି ଲଢ଼ିଥିଲେ । ୪୮ଟି ଆସନରୁ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିବାବେଳେ ଏନସିପି ୪ଟି ଆସନରେ ବିଜୟୀ ହୋଇଛି । ୨୦୧୯ ନିର୍ବାଚନରେ ମଧ୍ୟ ଶିବସେନା ଓ ବିଜେପି ଏକାଠି ଲଢ଼ିଥିଲେ । ବିଜେପି ୨୩ଟି ଆସନ ଜିତିଥିବାବେଳେ ଶିବସେନା ୧୮ ଟି ଆସନରେ ବିଜୟୀ ହୋଇଥିଲା ।

ପଞ୍ଜାବରେ ଆପ୍‍ ଏକାକୀ ଲଢ଼ିବ

ପଞ୍ଜାବ କଂଗ୍ରେସ ନେତାମାନେ ଦଳୀୟ ହାଇକମାଣ୍ଡଙ୍କୁ ସ୍ପଷ୍ଟଭାବେ କହିଛନ୍ତି ଯେ ସେମାନେ ୨୦୨୪ ଲୋକସଭା ନିର୍ବାଚନରେ ଏକାକୀ ଲଢ଼ିବାକୁ ଚାହୁଁଛନ୍ତି । ଡିସେମ୍ବର ୨୬ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ରାଷ୍ଟ୍ରୀୟ ନେତା ଏବଂ ପଞ୍ଜାବର ବରିଷ୍ଠ ନେତାଙ୍କ ମଧ୍ୟରେ ଏହି ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ଆସନ ବଣ୍ଟନକୁ ନେଇ ବିଚାର ବିମର୍ଶ ହୋଇଥିଲା, ଯେଉଁଥିରେ ୩୦ରୁ ଅଧିକ କଂଗ୍ରେସ ନେତା ଉପସ୍ଥିତ ଥିଲେ । ବୈଠକ ପରେ ବିଧାୟକ ଦଳ ନେତା ପ୍ରତାପ ସିଂହ ବାଜୱା କହିଛନ୍ତି ଯେ ହାଇକମାଣ୍ଡ ସେମାନଙ୍କ କଥା ଶୁଣିଛନ୍ତି ଏବଂ ଦଳର ସ୍ୱାର୍ଥ ପ୍ରତି ଧ୍ୟାନ ଦିଆଯିବ ।

ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଡିସେମ୍ବର ୧୭ରେ ପଞ୍ଜାବର ଭଟିଣ୍ଡାରେ ଏକ ରାଲି କରିଥିଲେ । ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଶାସକ ଆମ୍ ଆଦମୀ ପାର୍ଟିକୁ ଭୋଟ୍ ଦେବା ପାଇଁ କେଜ୍ରିଓ୍ଵାଲ ଜନସାଧାରଣଙ୍କୁ ନିବେଦନ କରିଥିଲେ, ଯାହା ସୂଚାଇଦେଇଥିଲା ଯେ ଇଣ୍ଡି ମେଣ୍ଟର ସହଯୋଗୀ କଂଗ୍ରେସ ସହ ଆସନ ବୁଝାମଣା ହେବାର ଆଶା କମ୍ । ତେଣୁ ଏବେ ଦେଖିବାକୁ ବାକି ରହିଲା ପଞ୍ଜାବରେ କଂଗ୍ରେସ କ’ଣ ରଣନୀତି ପ୍ରସ୍ତୁତ କରୁଛି ଏବଂ ଆମ୍ ଆଦମୀ ପାର୍ଟି ଏକାକୀ ଲଢ଼ି କ’ଣ ପ୍ରଦର୍ଶନ କରିବ । ଦିଲ୍ଲୀ ଓ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର କାହା ସହ ମେଣ୍ଟ ନାହିଁ । ସେ କେବଳ ଇଣ୍ଡି ମେଣ୍ଟର ଏକ ଅଂଶ ।

More articles

LEAVE A REPLY

Please enter your comment!
Please enter your name here

Latest article