ରାଜ୍ୟସଭାରେ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ଓ ସେବା ସର୍ତ୍ତାବଳୀ ବିଲ୍ ପାରିତ
ନୂଆଦିଲ୍ଲୀ: ସଂସଦର ଶୀତ କାଳୀନ ଅଧିବେଶନର ସପ୍ତମ ଦିନରେ ଗୃହମନ୍ତ୍ରୀ ଅମିତ ଶାହ ତିନିଟି ଅପରାଧିକ ବିଲ୍ ପ୍ରତ୍ୟାହାର କରିନେଇଛନ୍ତି । ସେହି ବିଲ୍ ସ୍ଥାନରେ ଲୋକସଭାରେ ୩ଟି ନୂଆ ଅପରାଧିକ ବିଲ୍ ଆଗତ ହୋଇଛି ।
ଶାହ କହିଛନ୍ତି ଯେ ସଂସଦୀୟ କମିଟି ବିଲ୍ଗୁଡ଼ିକରେ ପରିବରତ୍ତନ ପାଇଁ ସୁପାରିସ କରିଛି । ସରକାର ପୂର୍ବ ବିଲ୍ଗୁଡ଼ିକରେ ସଂଶୋଧନ ଆଣିବା ପରିବର୍ତ୍ତେ ଏହି ପରିବର୍ତ୍ତନକୁ ଅନ୍ତର୍ଭୁକ୍ତ କରି ନୂଆ ବିଲ୍ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ।
ଡିସେମ୍ବର ୧୪-୧୫ରେ ଲୋକସଭାରେ ୩ଟି ନୂଆ ଆଇନଗତ ବିଲ୍ ଉପରେ ଆଲୋଚନା ହେବ
ଡିସେମ୍ବର ୧୪ ତାରିଖ ଗୁରୁବାର ଏହି ବିଲ୍ ଉପରେ ବିତର୍କ ହେବ ଏବଂ ଡିସେମ୍ବର ୧୫ ତାରିଖ ଶୁକ୍ରବାର ମତଦାନ ହେବ ବୋଲି ଶାହ କହିଛନ୍ତି । ଶାହ କହିଛନ୍ତି ଯେ ମୁଖ୍ୟତଃ ୫ଟି ବିଭାଗରେ ପରିବର୍ତ୍ତନ କରାଯାଇଛି । ଅଧିକାଂଶ ପରିବର୍ତ୍ତନ ବ୍ୟାକରଣ ଏବଂ ଭାଷା ସହିତ ଜଡ଼ିତ । ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ ତିନିଟି ବିଲ୍ ଉପରେ ଆଲୋଚନା ପାଇଁ ମୋଟ ୧୨ ଘଣ୍ଟା ସମୟ ଦିଆଯାଇଛି ।
ରାହୁଲ ଗାନ୍ଧି କହିଲେ- ବିଜେପି ପ୍ରସଙ୍ଗରୁ ଦୂରେଇ ଯିବାକୁ ଚାହୁଁଛି
ମଙ୍ଗଳବାର ସଂସଦ ଯିବା ପୂର୍ବରୁ ରାହୁଲ ଗାନ୍ଧୀ ନେହେରୁଙ୍କୁ ନେଇ ଅମିତ ଶାହ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ଦେଇଥିଲେ । ରାହୁଲ କହିଥିଲେ ଯେ ନେହେରୁଜୀ ଏହି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେମାନେ ବର୍ଷ ବର୍ଷ ଧରି ଜେଲରେ ଥିଲେ । ଅମିତ ଶାହା ଇତିହାସ ଜାଣନ୍ତି ନାହିଁ । ମୁଁ ଆଶା କରେ ନାହିଁ ଯେ ସେ ଇତିହାସ ଜାଣିବେ କାରଣ ସେ ଇତିହାସକୁ ପୁନଃଲିଖିତ କରନ୍ତି ।
ଏସବୁ ଏକ ବିଭ୍ରାନ୍ତି, ମୂଳ ପ୍ରସଙ୍ଗ ହେଉଛି ଜାତିଗତ ଜନଗଣନା ଓ ଅଂଶଗ୍ରହଣ । ଦେଶର ଟଙ୍କା କାହା ହାତରେ ଯାଉଛି ? ସେମାନେ (ବିଜେପି) ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନାହାନ୍ତି । ସେ ଭୟଭୀତ ଅଛନ୍ତି ଏବଂ ଏଥିରୁ ଦୂରେଇ ଯାଉଛନ୍ତି ।
ରାଜ୍ୟସଭାରେ ସିଇସି ଓ ଇସିଙ୍କ ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀକୁ ନିୟନ୍ତ୍ରଣ କରିବା ପାଇଁ ବିଲ୍ ଧ୍ୱନୀ ମତରେ ପାରିତ ହୋଇଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅଣଦେଖା କରିବା ପାଇଁ ଏହି ବିଲ୍ ଅଣାଯାଇଛି ବୋଲି ବିରୋଧୀମାନେ କହିଥିଲେ । ଏହାପରେ ସମସ୍ତ ବିରୋଧୀ ସାଂସଦ ଓ୍ଵାକ୍ ଆଉଟ୍ କରିଥିଲେ ।
ସିଇସି ନିଯୁକ୍ତି ସଂକ୍ରାନ୍ତ ବିଲ୍କୁ ନେଇ ରାଜ୍ୟସଭାରେ ହଙ୍ଗାମା
ଅନ୍ୟପକ୍ଷରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନର (ଇସି)ଙ୍କ ନିଯୁକ୍ତି ସଂକ୍ରାନ୍ତ ବିଲ୍ ରାଜ୍ୟସଭାରେ ପାରିତ ହୋଇଛି । ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ୍ ଆଗତ କରିଥିଲେ । ଏହା ନିର୍ବାଚନ ଆୟୋଗ (ନିର୍ବାଚନ କମିଶନରଙ୍କ ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟ ପରିଚାଳନା) ଆଇନ, ୧୯୯୧ର ସ୍ଥାନ ନେଇଛି । ବିଲ୍ ପାରିତ କରିବା ସମୟରେ ମେଘୱାଲ କହିଛନ୍ତି ଯେ ପୂର୍ବ ଆଇନରେ କିଛି ଦୁର୍ବଳତା ଥିବାରୁ ନୂଆ ଆଇନ ଜରୁରୀ ହୋଇପଡ଼ିଛି । ସୁପ୍ରିମକୋର୍ଟଙ୍କ ରାୟକୁ ଏଡ଼ାଇବା ପାଇଁ ଏହି ବିଲ୍ ଅଣାଯାଇଛି ବୋଲି ବିରୋଧୀଙ୍କ ଅଭିଯୋଗକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଥିଲେ ।
ଏହା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖରେ ରାଜ୍ୟସଭାରେ ଏହି ବିଲ୍ ଆଗତ ହୋଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କ୍ୟାବିନେଟ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ପ୍ୟାନେଲ ଇସି ନିଯୁକ୍ତ କରିବେ ବୋଲି ଜଣାପଡ଼ିଥିଲା ।
ପ୍ରଧାନ ବିଚାରପତିଙ୍କ ସ୍ଥାନରେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ କମିଟିରେ ସାମିଲ କରିବା ନେଇ ଜୋରଦାର ବିବାଦ ସୃଷ୍ଟି ହୋଇଥିଲା । ତେବେ ବିବାଦ ଓ ବିତର୍କ ପରେ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଥିଲା ।
ସୁପ୍ରିମକୋର୍ଟଙ୍କ ରାୟରେ କ’ଣ ଥିଲା ?
ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ସମୟରେ ସେମାନଙ୍କୁ ନିଯୁକ୍ତ କରୁଥିବା ପ୍ୟାନେଲରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ମୁଖ୍ୟ ବିଚାରପତି ରହିବା ଉଚିତ ବୋଲି ସୁପ୍ରିମକୋର୍ଟ ମାର୍ଚ୍ଚ ୨୦୨୩ରେ ନିର୍ଦ୍ଦେଶ ଦେଇଥିଲେ । ଯଦି ଲୋକସଭାରେ ବିରୋଧୀ ଦଳ ନେତା ନାହାନ୍ତି, ତେବେ ସେ ସବୁଠାରୁ ବଡ଼ ବିରୋଧୀ ଦଳର ନେତା ହେବା ଦରକାର । ସୁପ୍ରିମକୋର୍ଟ କହିଥିଲେ ଯେ ନିର୍ବାଚନ କମିଶନର ନିଯୁକ୍ତି ପାଇଁ କଲେଜିୟମ ଭଳି ବ୍ୟବସ୍ଥା ହେବା ଦରକାର, ଯାହାଦ୍ୱାରା ସ୍ୱଚ୍ଛତା ଆସିପାରିବ ।
ଷଷ୍ଠ ଦିନରେ ରାଜ୍ୟସଭାରେ ହଙ୍ଗାମା
ଏହା ପୂର୍ବରୁ ଷଷ୍ଠ ଦିନ ପାଇଁ ରାଜ୍ୟସଭା କାର୍ଯ୍ୟରେ ହଙ୍ଗାମା ହୋଇଥିଲା । ଗୃହମନ୍ତ୍ରୀ ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ଏବଂ ପୁନର୍ଗଠନ (ସଂଶୋଧନ) ବିଲ୍-୨୦୨୩ ଉପସ୍ଥାପନ କରିଛନ୍ତି । ସେମାନଙ୍କ ବିରୋଧରେ ଡିଏମକେ ସାଂସଦ ଏମ ଅବଦୁଲ୍ଲା ଦେଶକୁ ବିଭାଜନ କରିବା ନେଇ ପେରିଆରଙ୍କ ମତାମତ ସାମିଲ କରିଥିଲେ । ଏହା ଉପରେ ଅଧ୍ୟକ୍ଷ ଜଗଦୀପ ଧନଖର କଠୋରତା ଦେଖାଇ କହିଛନ୍ତି- ସଂସଦରେ ଦେଶ ବିରୋଧୀ ବକ୍ତବ୍ୟର କୌଣସି ସ୍ଥାନ ନାହିଁ ।
ଏହି ଦୁଇଟି ବିଲ୍ ରାଜ୍ୟସଭାରେ ପାରିତ ହୋଇଛି । ଅର୍ଥାତ୍ ଏବେ ଜମ୍ମୁରେ ୪୩, କାଶ୍ମୀରରେ ୪୭ ବିଧାନସଭା ଆସନ ରହିବ । ସିଟ୍ ସଂଖ୍ୟା ୯୦କୁ ବୃଦ୍ଧି ପାଇବ । ସେହିପରି ପିଓକେ ପାଇଁ ୨୪ଟି ଆସନ ସଂରକ୍ଷିତ ରଖାଯାଇଛି । ସଂସଦରେ କାଶ୍ମୀର ପଣ୍ଡିତଙ୍କ ପାଇଁ ୨ଟି ଏବଂ ପିଓକେ ପ୍ରବାସୀଙ୍କ ପାଇଁ ୧ଟି ଆସନ ସଂରକ୍ଷିତ ରହିବ ।
ବିରୋଧୀଙ୍କୁ ଅମିତ ଶାହଙ୍କ ଚେତାବନୀ
ରାଜ୍ୟସଭାରେ ବିତର୍କବେଳେ ଅମିତ ଶାହା ଧାରା-୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବିରୋଧୀଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଭୁଲ୍ କାହାର ବି ହୋଇପାରେ । ଫେରି ଆସ, ନଚେତ୍ ଯେତିକି ଅଛ ସେତିକି ମଧ୍ୟ ରହିବ ନାହିଁ । କଂଗ୍ରେସ ଏବେବି ୩୭୦ ହଟାଇବା ନିଷ୍ପତ୍ତିକୁ ଭୁଲ୍ ବୋଲି କହୁଛି । ସେମାନେ କେବେ ଭଲ କାମକୁ ସମର୍ଥନ କରନ୍ତି ନାହିଁ । ବାସ୍ତବରେ ଦିନସାରା ଏହି ବିଲ୍ ଉପରେ ବିତର୍କ ଚାଲିଥିବାବେଳେ ବିରୋଧୀ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଭୁଲ୍ ବୋଲି କହୁଥିଲେ । ଅମିତ ଶାହାଙ୍କ ଉତ୍ତର ସମୟରେ ବିରୋଧୀ ମଧ୍ୟ ରାଜ୍ୟସଭାକୁ ବର୍ଜନ କରିଥିଲେ ।