ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରତିଷ୍ଠା ସମାରୋହ ପୂର୍ବରୁ ଅଯୋଧ୍ୟାକୁ ମିଳିଥିବା ପୁନଃନିର୍ମାଣ କାରଣରୁ ଆଗାମୀ ମାସରେ ଉତ୍ତରପ୍ରଦେଶ ୨୦ ନିୟୁତରୁ ଅଧିକ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ରାମ ମନ୍ଦିର ଉଦ୍ଘାଟନ ସମାରୋହ ପୂର୍ବରୁ ଅଯୋଧ୍ୟା ସହରର ପୁନରୁଦ୍ଧାର ଓ ପୁନଃବିକାଶ ପାଇଁ ୧୦ ବିଲିୟନ ଡଲାର (ପ୍ରାୟ ୮୫,୦ କୋଟି ଟଙ୍କା) ଖର୍ଚ୍ଚ ହୋଇଥିବା ଆକଳନ କରାଯାଇଛି । ପାଖାପାଖି ୨୦୦ ବିଲିୟନ ଡଲାର ରାଜସ୍ୱ ସହିତ ପର୍ଯ୍ୟଟନ ଭାରତର ଅର୍ଥନୀତିରେ ପ୍ରାୟ ୭% ଯୋଗଦାନ ଦେଇଥାଏ, ଯାହାକି ଅଧିକାଂଶ ବୃହତ ଉଦୀୟମାନ ଏବଂ ବିକଶିତ ଅର୍ଥନୀତିଠାରୁ ୫ ପ୍ରତିଶତ ପଏଣ୍ଟ ପର୍ଯ୍ୟନ୍ତ କମ୍ ଅଟେ । ଏକ ନୂତନ ରିପୋର୍ଟରୁ ଜଣାପଡ଼ିଛି ଯେ ଅଯୋଧ୍ୟାର ଏହି ବ୍ୟାପକ ପୁନଃନିର୍ମାଣଦ୍ୱାରା ଉତ୍ତରପ୍ରଦେଶ ସରକାର ୨୫,୦୦୦ କୋଟି ଟଙ୍କାରୁ ଅଧିକ ଟିକସ ରାଜସ୍ୱ ଆଦାୟ କରିପାରିବେ ।
ବ୍ରୋକରେଜ୍ ଫାର୍ମ ଜେଫେରିଜ୍ ଅନୁଯାୟୀ, ନୂଆ ବିମାନବନ୍ଦର, ରେଳ ଷ୍ଟେସନ, ଟାଉନସିପ୍, ଉନ୍ନତ ସଡ଼କ ଯୋଗାଯୋଗ ଇତ୍ୟାଦି ସମେତ ଅଯୋଧ୍ୟାର ମୋଟ ପୁନଃନିର୍ମାଣ ପାଇଁ ପ୍ରାୟ ୮୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ଏହି ବିଶାଳ ଅଯୋଧ୍ୟା ପୁନଃନିର୍ମାଣ ବର୍ଷକୁ ୫୦ ନିୟୁତରୁ ଅଧିକ ପର୍ଯ୍ୟଟକଙ୍କୁ ସହରକୁ ଆକର୍ଷିତ କରିପାରିବ ବୋଲି ଜେଫେରିଜ୍ର ରିପୋର୍ଟରେ ଦର୍ଶାଯାଇଛି । ଅମୃତସରର ସୁବର୍ଣ୍ଣ ମନ୍ଦିରକୁ ବର୍ଷକୁ ୩୦-୩୫ ନିୟୁତ ଦର୍ଶକ ଆସୁଥିବାବେଳେ ତିରୁପତି ମନ୍ଦିରରେ ୨୫-୩୦ ନିୟୁତ ଲୋକ ଦର୍ଶନ କରିଥାନ୍ତି । ସମଗ୍ର ବିଶ୍ୱରେ ଭାଟିକାନ ସହରକୁ ପ୍ରତିବର୍ଷ ପ୍ରାୟ ୯ ନିୟୁତ ଏବଂ ସାଉଦି ଆରବର ମକ୍କାକୁ ପ୍ରାୟ ୨୦ ନିୟୁତ ପର୍ଯ୍ୟଟକ ଆସନ୍ତି ବୋଲି ରିପୋର୍ଟରେ କୁହାଯାଇଛି ।
ରାମ ମନ୍ଦିର ଜରିଆରେ ଉତ୍ତରପ୍ରଦେଶକୁ ମିଳିପାରେ ୪ ଲକ୍ଷ କୋଟି ଟଙ୍କା
ଅଯୋଧ୍ୟାରେ ପର୍ଯ୍ୟଟନକୁ ସହାୟତା କରିବା ଉଦ୍ଦେଶ୍ୟରେ ସହରର ପ୍ରଥମ ପର୍ଯ୍ୟାୟ ବିମାନବନ୍ଦର ଏବେ କାର୍ଯ୍ୟକ୍ଷମ ହୋଇଛି, ଯେଉଁଥିରେ ୧ ନିୟୁତ ଯାତ୍ରୀ ଅଛନ୍ତି । ଖୁବଶୀଘ୍ର ଏହାକୁ ୨୦୨୫ ସୁଦ୍ଧା ୬ ନିୟୁତକୁ ବୃଦ୍ଧି କରାଯିବ । ଏହାବ୍ୟତୀତ ରେଳବାଇ ଏହାର କ୍ଷମତାକୁ ଦ୍ୱିଗୁଣିତ କରି ଦୈନିକ ୬୦,୦୦୦ ଯାତ୍ରୀଙ୍କୁ ପହଞ୍ଚାଇଛି ।
ବର୍ତ୍ତମାନ ଅଯୋଧ୍ୟାରେ ୫୯୦ ରୁମ୍ ବିଶିଷ୍ଟ ପ୍ରାୟ ୧୭ଟି ହୋଟେଲ ରହିଛି । ୭୩ଟି ନୂଆ ହୋଟେଲ ପାଇପଲାଇନରେ ଥିବାବେଳେ ସେଥିମଧ୍ୟରୁ ୪୦ଟି ନିର୍ମାଣାଧୀନ ରହିଛି । ଇଣ୍ଡିଆନ ହୋଟେଲ, ମେରିଓଟ ଓ ୱିଣ୍ଡହାମ ହୋଟେଲ ପାଇଁ ଚୁକ୍ତି ସ୍ୱାକ୍ଷର କରିସାରିଥିବାବେଳେ ଆଇଟିସି ଅଯୋଧ୍ୟାରେ ସୁଯୋଗ ଖୋଜୁଛି । ଅଯୋଧ୍ୟାରେ ୧୦ ହୋଟେଲ ରୁମ୍ ଯୋଡ଼ିବାକୁ ଓୟୋ ଯୋଜନା କରିଛି ।
ଆଗାମୀ ବର୍ଷଗୁଡ଼ିକରେ ଅଯୋଧ୍ୟା ଏବଂ ଉତ୍ତରପ୍ରଦେଶ ପାଇଁ ଏକାଧିକ ଏଜେନ୍ସିଦ୍ୱାରା କରାଯାଇଥିବା ପର୍ଯ୍ୟଟନ ଆକଳନକୁ ଦୃଷ୍ଟିରେ ରଖି ବର୍ଷ ଶେଷ ସୁଦ୍ଧା ଉତ୍ତରପ୍ରଦେଶରେ ପର୍ଯ୍ୟଟକଙ୍କ ମୋଟ ଖର୍ଚ୍ଚ ୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରେ ବୋଲି ଏସ୍ ବିଆଇ ର ଏକ ରିପୋର୍ଟ ପ୍ରକାଶ ପାଇଛି ।
ଆଶା କରାଯାଉଛି ଯେ ଅଯୋଧ୍ୟାର ରାମ ମନ୍ଦିର ଖୁବ୍ ଶୀଘ୍ର ମକ୍କା ଏବଂ ଭାଟିକାନ୍ ପରି ଏକ ବିଶ୍ୱ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇପାରେ, ଯାହା ଉତ୍ତରପ୍ରଦେଶଦ୍ୱାରା ଉତ୍ପାଦିତ ଟିକସ ରାଜସ୍ୱରେ ବ୍ୟାପକ ଯୋଗଦାନ ଦେବ ।