ପାଟନା: ମହାମେଣ୍ଟ ସରକାର କରିଥିବା ଜାତିଗତ ସର୍ଭେରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ବିହାର ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ଜାତିଗତ-ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ, ବିହାରର ୩୪ ପ୍ରତିଶତ ପରିବାରର ମାସିକ ଆୟ ମାତ୍ର ୬ ହଜାର ଟଙ୍କା ।
ବିହାରରେ ଜାତିଗତ ଜନଗଣନାର ଅର୍ଥନୈତିକ ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ମୋଟ ଗରିବଙ୍କ ସଂଖ୍ୟା ୯୪ ଲକ୍ଷ ଉପରେ ଥିବା ରିପୋର୍ଟରେ ଦର୍ଶାଯାଇଛି । ଏଥିରେ ମଧ୍ୟ ଉଚ୍ଚ ଜାତିର ୨୫ ପ୍ରତିଶତ ଲୋକ ଗରିବ ବୋଲି ଦର୍ଶାଯାଇଛି । ସେମାନଙ୍କ ମାସିକ ଆୟ ପାଖାପାଖି ୬ ହଜାର । ପଛୁଆ ବର୍ଗଙ୍କ କଥା କହିବାକୁ ଗଲେ ୩୩ ପ୍ରତିଶତ ଲୋକ ଗରିବ । ରିପୋର୍ଟରୁ ସ୍ପଷ୍ଟ ହେଉଛି ଯେ ବିହାରରେ ହଙ୍ଗାମା ହେବ ।
ବିହାରରେ ୨୭.୫ ପ୍ରତିଶତ ଭୂମିହାର, ୨୫ ପ୍ରତିଶତ ବ୍ରାହ୍ମଣ, ୧୩ ପ୍ରତିଶତ କରଣ ଓ ପ୍ରାୟ ୨୫ ପ୍ରତିଶତ ରାଜପୁତ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ । ବିହାରରେ ହୋଇଥିବା ଜାତିଭିତ୍ତିକ ଜନଗଣନା ତଥ୍ୟ ଏହାକୁ ପ୍ରମାଣିତ କରୁଛି ।
ଏହା ପୂର୍ବରୁ ବିଧାନସଭା ପରିସରରେ ଜାତିଭିତ୍ତିକ ଜନଗଣନା ତଥ୍ୟ ଉପରେ ଆଲୋଚନା ଆରମ୍ଭ ହୋଇଥିଲା । କିଛି ହିସାବ ତଥ୍ୟ ସାର୍ବଜନୀନ ହୋଇଛି । ସାର୍ବଜନୀନ ତଥ୍ୟ ଅନୁଯାୟୀ, ବିହାରରେ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଭୂମିହାର ପରିବାରର ମୋଟ ଜନସଂଖ୍ୟା ୮.୩୬ ଲକ୍ଷ ବୋଲି ଆକଳନ କରାଯାଇଛି ।
ଉଚ୍ଚ ଜାତି ମଧ୍ୟରେ ଭୂମିହାରମାନେ ସବୁଠାରୁ ଗରିବ
ଭୂମିହାର ସମୁଦାୟ ମଧ୍ୟରୁ ୨୭.୫୮ ପ୍ରତିଶତ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ । ସେହିପରି ରାଜପୁତ ପରିବାରର ମୋଟ ଜନସଂଖ୍ୟାର ପ୍ରାୟ ୯.୫୩ ଲକ୍ଷ ଦୁର୍ବଳ । ଅର୍ଥାତ୍ ୨୪.୮୯ ପ୍ରତିଶତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ।
ସାଧାରଣ ବର୍ଗରେ କରଣ ପରିବାରର ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ପରିବାରର ଜନସଂଖ୍ୟା ୧.୭୦ ଲକ୍ଷ ବୋଲି କୁହାଯାଏ, ଅର୍ଥାତ୍ କରଣ ଜାତିର ମୋଟ ପରିବାର ଜନସଂଖ୍ୟାର ୧୩.୮୯ ପ୍ରତିଶତ ଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ । ଶେଖ୍ ପରିବାରର ମୋଟ ଜନସଂଖ୍ୟା ପ୍ରାୟ ୧୧ ଲକ୍ଷ ହୋଇଥିବାବେଳେ ସେଥିମଧ୍ୟରୁ ୨.୬୮ ଲକ୍ଷ ବା ୨୫.୮୪ ପ୍ରତିଶତ ପରିବାର ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବୋଲି କୁହାଯାଉଛି ।
ମାସକୁ ୧୦ ହଜାର ଟଙ୍କା ରୋଜଗାର କରୁଥିବା ଲୋକଙ୍କ ଜନସଂଖ୍ୟା
ରିପୋର୍ଟରେ ମାସିକ ୬,୦୦୦ରୁ ୧୦,୦୦୦ ଟଙ୍କା ମଧ୍ୟରେ ରୋଜଗାର କରୁଥିବା ପରିବାର ସଂଖ୍ୟା ୨୯.୬୧ ପ୍ରତିଶତ ବୋଲି ଦର୍ଶାଯାଇଛି । ସେମାନଙ୍କର ଜନସଂଖ୍ୟା ୮୧,୯୧,୩୮୦ ଅଟେ ।
ରାଜ୍ୟର ୬୩ ପ୍ରତିଶତରୁ ଅଧିକ ପରିବାରର ମାସିକ ଆୟ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ମାସିକ ୧୦ ହଜାର ଟଙ୍କାରୁ ଅଧିକ ରୋଜଗାର କରୁଥିବା ପରିବାରସଂଖ୍ୟା ୩୭ ପ୍ରତିଶତ ରହିଛି ।
ରିପୋର୍ଟ ଅନୁଯାୟୀ, ବିହାରରେ ସମୁଦାୟ ୯୪,୮୨,୭୮୬ ଲୋକ ଗରିବ ଅଛନ୍ତି । ରାଜ୍ୟର ମୋଟ ଜନସଂଖ୍ୟାର ୩୪.୧୩ ପ୍ରତିଶତ ଲୋକ ମାସିକ ୬,୦୦୦ ଟଙ୍କା ଆୟ ରେ ଜୀବନ ଯାପନ କରୁଛନ୍ତି ।
ସାଧାରଣ ବର୍ଗ ବିଷୟରେ କହିବାକୁ ଗଲେ ରାଜ୍ୟରେ ଉଚ୍ଚ ଜାତିର ମୋଟ ଜନସଂଖ୍ୟା ୪୩.୨୮ ଲକ୍ଷ । ସେଥିମଧ୍ୟରୁ ୧୦.୮୫ ଲକ୍ଷ ଲୋକ ଗରିବ । ପରିସଂଖ୍ୟାନ ଅନୁଯାୟୀ ଉଚ୍ଚ ଜାତିର ୨୫.୦୯ ପ୍ରତିଶତ ପରିବାର ଗରିବ ।