ପାଟନା: ବିହାରରେ ସଂରକ୍ଷଣର ପରିସରକୁ ୭୫ ପ୍ରତିଶତକୁ ବୃଦ୍ଧି କରାଯିବ । ଜାତିଗତ ସର୍ବେକ୍ଷଣ ତଥ୍ୟ ପ୍ରକାଶ କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି । ଜାତି ସର୍ବେକ୍ଷଣର ଅର୍ଥନୈତିକ ତଥ୍ୟ ରିପୋର୍ଟ ପ୍ରକାଶ ପାଇବା ପରେ ନୀତୀଶ କୁମାର ମଧ୍ୟ ସଂରକ୍ଷଣକୁ ନେଇ ବଡ଼ ବୟାନ ଦେଇଛନ୍ତି । ରାଜ୍ୟରେ ସଂରକ୍ଷଣର ପରିସର ୫୦ରୁ ୭୫ ପ୍ରତିଶତକୁ ବୃଦ୍ଧି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ବିହାର ବିଧାନସଭାରେ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ସଂରକ୍ଷଣକୁ ୫୦ରୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ କୁହାଯାଇଛି। ଇଡବ୍ଲ୍ୟୁଏସର ୧୦ ପ୍ରତିଶତ କୁ ମିଶାଇଲେ ସଂରକ୍ଷଣ ସୀମା ୭୫ ପ୍ରତିଶତକୁ ବୃଦ୍ଧି ପାଇବ ।
ନୀତୀଶ କୁମାରଙ୍କ ନୂଆ ବାଜି
ବିହାରରେ କାଷ୍ଟ ସର୍ଭେ ରିପୋର୍ଟ ଏବଂ ଅର୍ଥନୈତିକ ସର୍ଭେ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ନୂଆ ବାଜି ଲଗାଇଛନ୍ତି । ରାଜ୍ୟରେ ଜନସଂଖ୍ୟା ଅନୁଯାୟୀ ସଂରକ୍ଷଣ ଦେବାକୁ ସେ ଗୃହରେ ପ୍ରସ୍ତାବ ଦେଇଥିଲେ । ଏହାର ସୀମାକୁ ୭୫ ପ୍ରତିଶତକୁ ବୃଦ୍ଧି କରିବାକୁ କୁହାଯାଇଛି । ଜନସଂଖ୍ୟା ଅନୁପାତରେ ଓବିସି ବର୍ଗକୁ ସଂରକ୍ଷଣ ମିଳିବା ଦରକାର ବୋଲି ନୀତୀଶ କୁମାର କହିଛନ୍ତି । ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଉପରେ ଲାଗିଥିବା ୫୦ ପ୍ରତିଶତ ସୀମାକୁ ଉଚ୍ଛେଦ କରାଯାଉ । ଏହାକୁ ୫୦ରୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ସେ କହିଥିଲେ । ଦୁର୍ବଳ ଅର୍ଥନୈତିକ ବର୍ଗର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଭିନ୍ନ ହେବ ।
ନୂଆ ସଂରକ୍ଷଣ ପ୍ରସ୍ତାବରେ କ’ଣ ରହିଛି
- ଅନୁସୂଚିତ ଜାତିଙ୍କ ପାଇଁ ୨୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ
- ଅନୁସୂଚିତ ଜାତିକୁ ଏବେ ୧୬ ପ୍ରତିଶତ ସଂରକ୍ଷଣ ମିଳୁଛି
- ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ୪୩ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ
- ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କୁ ଏବେ ୩୦ ପ୍ରତିଶତ ସଂରକ୍ଷଣ ମିଳୁଛି
- ଅନୁସୂଚିତ ଜନଜାତିଙ୍କ ପାଇଁ ୨% ସଂରକ୍ଷଣ ପ୍ରସ୍ତାବ ଦିଆଯାଇଛି
- ଦୁର୍ବଳ ଅର୍ଥନୈତିକ ବର୍ଗପାଇଁ ପୂର୍ବ ଭଳି ୧୦ ପ୍ରତିଶତ ସଂରକ୍ଷଣ
- ଅଣସଂରକ୍ଷିତ ବର୍ଗ ପାଇଁ ମାତ୍ର ୨୫%
ଯଦି ନୀତୀଶ କୁମାର ତାଙ୍କ ସଂରକ୍ଷଣ ପ୍ରସ୍ତାବକୁ କାର୍ଯ୍ୟକାରୀ କରନ୍ତି, ତେବେ ଅଣସଂରକ୍ଷିତ ବର୍ଗପାଇଁ ମାତ୍ର ୨୫ ପ୍ରତିଶତ ଆସନ ବଳକା ରହିବ । ନୀତୀଶ କୁମାରଙ୍କ ପ୍ରସ୍ତାବ ଅନୁଯାୟୀ ପଛୁଆ ବର୍ଗ, ଅତ୍ୟନ୍ତ ପଛୁଆ ବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କୁ ସମୁଦାୟ ୬୫ ପ୍ରତିଶତ ସଂରକ୍ଷଣ ଦିଆଯିବ । ଦୁର୍ବଳ ଅର୍ଥନୈତିକ ଶ୍ରେଣୀ ପାଇଁ ଅଲଗା ୧୦ ପ୍ରତିଶତ ସଂରକ୍ଷଣ ରହିବ ।