ଆଦିବାସୀ ପରେ ଓବିସି, ପୁଣି ବ୍ରାହ୍ମଣ, ୨୦୨୪ ପାଇଁ ବିଜେପିର ସାମାଜିକ ଇଞ୍ଜିନିୟରିଂ ଯୋଜନା

Must read

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ଜିତିବା ପରେ ବିଜେପି ଫାଇନାଲ ଲଢ଼େଇ ପାଇଁ ୩ଟି ରାଜ୍ୟରେ ନିଜର ଅଧିନାୟକ ଘୋଷଣା କରିଛି । ଡିସେମ୍ବର ୩ତାରିଖରେ ନିର୍ବାଚନ ଫଳାଫଳ ଆସିବା ପରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ ଅଧିନାୟକଙ୍କ ନାମକୁ ଲୋକେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଭଜନ ଲାଲ ଶର୍ମାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀଭାବେ ମନୋନୀତ କରିଛି । ଏହା ପୂର୍ବରୁ ସୋମବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନାମ ଘୋଷଣା କରାଯାଇଛି । ପ୍ରାୟ ଏକ ସପ୍ତାହର କଠିନ ପରିଶ୍ରମ ପରେ ଦଳ ଆଦିବାସୀ ଚେହେରା ବିଷ୍ଣୁ ଦେବ ସାଇଙ୍କୁ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଭାବେ ନିଯୁକ୍ତ କରିବାକୁ ଘୋଷଣା କରିଥିଲା । ଏହି ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀଭାବେ ନୂଆ ଚେହେରା ଦେଇ ବିଜେପି ୨୦୨୪ ନିର୍ବାଚନ ପାଇଁ ବିରୋଧିଙ୍କ ସାମ୍ନାରେ ନୂଆ ରେଖା ଆଙ୍କିଛି । ଖାସ୍ କଥା ହେଉଛି ଏହି ନାମ ମାଧ୍ୟମରେ ବିଜେପି ଜାତିଗତ ସମୀକରଣର ପୂରା ଯତ୍ନ ନେଇଛି । ୨୦୨୪ ନିର୍ବାଚନରେ ପ୍ରାର୍ଥୀ ଚୟନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚେହେରାର ଆତ୍ମବିଶ୍ୱାସକୁ ଦୃଢ଼ ରଖିବାକୁ ଦଳୀୟ ହାଇକମାଣ୍ଡ ଗୁରୁତ୍ୱ ଦେଇଛନ୍ତି । ଆସନ୍ତୁ ଜାଣିବା ଏହି ତିନିଜଣ କିପରି ଦଳର ରଣନୀତିରେ ଫିଟ୍ ହୋଇପାରିବେ ।

ରାଜସ୍ଥାନ: ବ୍ରାହ୍ମଣ ନେତା ସହ ତିନି ରାଜ୍ୟର ନେତା ନିର୍ବାଚନ ଶେଷ

ଛତିଶଗଡ଼ରେ ଆଦିବାସୀ ଓ ମଧ୍ୟପ୍ରଦେଶରେ ଯାଦବ ସମ୍ପ୍ରଦାୟର ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ବିଜେପି ରାଜସ୍ଥାନର ଜଣେ ବ୍ରାହ୍ମଣ ନେତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛି । ଏହା ପୂର୍ବରୁ କଳ୍ପନାଜଳ୍ପନା କରାଯାଉଥିଲା ଯେ ଦୁଇଟି ରାଜ୍ୟ ପରେ ରାଜସ୍ଥାନରେ ବିଜେପି ସାଧାରଣ ବର୍ଗର ଚେହେରା ସାମ୍ନାକୁ ଆଣିପାରେ । ସନାତନ ଧର୍ମ ପ୍ରସଙ୍ଗରେ ଆକ୍ରମଣାତ୍ମକ ବିଜେପି ବ୍ରାହ୍ମଣ ଚେହେରା ମାଧ୍ୟମରେ ରାଜସ୍ଥାନ ତଥା ସାରାଦେଶରେ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି । ରାଜସ୍ଥାନରେ ବ୍ରାହ୍ମଣ ଭୋଟରଙ୍କ ସଂଖ୍ୟା ୮ରୁ ୯ ପ୍ରତିଶତ ପାଖାପାଖି ରହିଛି । ମୋଟାମୋଟିଭାବେ କହିବାକୁ ଗଲେ ରାଜ୍ୟରେ ବ୍ରାହ୍ମଣଙ୍କ ଜନସଂଖ୍ୟା ୮୫ ଲକ୍ଷରୁ ଅଧିକ । ଏଭଳି ସ୍ଥିତିରେ ଏହି ଜନସଂଖ୍ୟାର ସିଧାସଳଖ ପ୍ରଭାବ ରାଜ୍ୟର ୫୦ଟି ଆସନ ଉପରେ ରହିଛି । ବିଜେପି ରାଜ୍ୟ ସଭାପତି ସିପି ଯୋଶୀ ମଧ୍ୟ ଜଣେ ବ୍ରାହ୍ମଣ । ପୂର୍ବରୁ ରାଜସ୍ଥାନ ରାଜନୀତିରେ ବ୍ରାହ୍ମଣମାନେ ଅବହେଳିତ ଥିଲେ । ତେବେ ଏଥର ବିଜେପି ୨୦ ଜଣ ବ୍ରାହ୍ମଣଙ୍କୁ ଟିକେଟ୍ ଦେଇଛି । ହରିଦେବ ଯୋଶୀ ରାଜସ୍ଥାନର ପ୍ରଥମ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ । ଏଭଳି ସ୍ଥିତିରେ ବ୍ରାହ୍ମଣ ଭୋଟରମାନେ କଂଗ୍ରେସକୁ ସମର୍ଥନ କରୁଥିଲେ । ରାମ ମନ୍ଦିର ଆନ୍ଦୋଳନ ପରେ ସେମାନେ ଧୀରେ ଧୀରେ ବିଜେପି ଆଡ଼କୁ ମୁହାଁଇଥିଲେ । ଏଭଳି ସ୍ଥିତିରେ ବିଜେପି ଏବେ ଜଣେ ବ୍ରାହ୍ମଣଙ୍କୁ ମୁଖ୍ୟମନ୍ତ୍ରୀ କରି କଂଗ୍ରେସର ଭୋଟବ୍ୟାଙ୍କକୁ ଭାଙ୍ଗିବାକୁ ଚେଷ୍ଟା କରିଛି ।

ଛତିଶଗଡ଼ର ଆଦିବାସୀ ମୁଖ୍ୟମନ୍ତ୍ରୀ ୩ଟି ରାଜ୍ୟ ଉପରେ ନଜର ରଖିବେ

ଛତିଶଗଡ଼ରେ ଏଥର ବିଜେପିକୁ କ୍ଷମତାକୁ ଆଣିବାରେ ଆଦିବାସୀ ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟରେ ଆଦିବାସୀ ଜନସଂଖ୍ୟା ପ୍ରାୟ ୩୪ ପ୍ରତିଶତ । ଓବିସି (୪୧%) ପରେ ରାଜ୍ୟରେ ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟା ରହିଛି । ରାଜ୍ୟରେ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ୨୯ଟି ଆସନରୁ ବିଜେପି ୧୭ଟି ଆସନରେ ବିଜୟୀ ହୋଇଛି । ଏଭଳି ସ୍ଥିତିରେ ୨୦୨୪କୁ ଦୃଷ୍ଟିରେ ରଖି ଏହି ଆଦିବାସୀ ଗଡ଼କୁ ବଞ୍ଚାଇବା ଚ୍ୟାଲେଞ୍ଜ ଥିଲା । ସେଥିପାଇଁ ବିଜେପି ଆଦିବାସୀ ଚେହେରା ବିଷ୍ଣୁ ଦେବ ସାଇଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ରାଜ୍ୟର ପ୍ରଥମ ସିଏମ ଅଜିତ ଯୋଗୀ ମଧ୍ୟ ଆଦିବାସୀ ସମ୍ପ୍ରଦାୟରୁ ଆସିଥିଲେ । ଏଭଳି ସ୍ଥିତିରେ ବିଜେପି ରାଜ୍ୟରେ ଦ୍ୱିତୀୟ ଆଦିବାସୀ ମୁଖ୍ୟମନ୍ତ୍ରୀ ଦେଇ ଏକ ବଡ଼ ଅଂଶକୁ ବାର୍ତ୍ତା ଦେଇଛି । ଖାସ୍ କଥା ହେଉଛି ଛତିଶଗଡ଼ ମାଧ୍ୟମରେ ଦଳ ଓଡ଼ିଶା ଓ ଝାଡ଼ଖଣ୍ଡକୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରିଛି । ଝାଡ଼ଖଣ୍ଡ ଓ ଓଡ଼ିଶାରେ ମଧ୍ୟ ଆଦିବାସୀ ଭୋଟରମାନେ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଉଭୟ ରାଜ୍ୟରେ କ୍ଷମତାରୁ ଦୂରେଇ ଥିବା ବିଜେପି ପାଇଁ ଏହି ବାଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ୨୦୧୮ରେ ଛତିଶଗଡ଼ ଓ ଝାଡ଼ଖଣ୍ଡ ହାରିବା ପରେ ଦଳ ଏଥର ଆଦିବାସୀ ଭୋଟରଙ୍କୁ ସୁଦୃଢ଼ କରିବା ପାଇଁ ରଣନୀତି ଆପଣାଇଛି ।

ମଧ୍ୟପ୍ରଦେଶ: ଯାଦବ ମୁଖ୍ୟମନ୍ତ୍ରୀ ଜରିଆରେ ଓବିସି ଭୋଟରଙ୍କ ଉପରେ ନଜର

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଓବିସି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି କୌଣସି ସୁଯୋଗ ହାତଛଡ଼ା କରୁନାହିଁ । ମଧ୍ୟପ୍ରଦେଶରେ ଓବିସି ଭୋଟରଙ୍କ ସଂଖ୍ୟା ପାଖାପାଖି ୫୨ ପ୍ରତିଶତ ରହିଛି । ତେଣୁ ଦଳ ଏଥର ଶିବରାଜ ସିଂହ ଚୌହାନଙ୍କ ସ୍ଥାନରେ ମୋହନ ଯାଦବଙ୍କ ଉପରେ ରାଜନୈତିକ ଗୋଟି ଚାଳନା କରିଛି । ବ୍ରାହ୍ମଣ ନେତା ରାଜେନ୍ଦ୍ର ଶୁକ୍ଳା ଓ ଦଳିତ ସମ୍ପ୍ରଦାୟର ଜଗଦୀଶ ଦେଓରାଙ୍କୁ ଡେପୁଟି ସିଏମ୍ ଦେଇ ଦଳ ସନ୍ତୁଳନ ବଜାୟ ରଖିବାକୁ ଚେଷ୍ଟା କରିଛି । ଉଜ୍ଜୈନ ଦକ୍ଷିଣର ବିଧାୟକ ମୋହନ ଯାଦବଙ୍କୁ କମାଣ୍ଡ ଦେଇ ୟୁପି ଓ ବିହାର ସମେତ ଅନ୍ୟ ରାଜ୍ୟରେ ଯାଦବ ଭୋଟରଙ୍କ ମନ ଜିଣିବା ପାଇଁ ବିଜେପି ଏକ ବଡ଼ ବାର୍ତ୍ତା ଦେଇଛି । ମଧ୍ୟପ୍ରଦେଶରେ ଯାଦବ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ବିଜେପି ଉତ୍ତରପ୍ରଦେଶରେ ଅଖିଳେଶ ଯାଦବ ଓ ବିହାରରେ ଲାଲୁ ଯାଦବଙ୍କୁ ସିଧାସଳଖ ଚାଲେଞ୍ଜ କରିଛି । ୟୁପିରେ ଯାଦବଙ୍କ ସଂଖ୍ୟା ପାଖାପାଖି ୮ ପ୍ରତିଶତ ବୋଲି ଅନୁମାନ କରାଯାଉଛି । ଏଭଳି ସ୍ଥିତିରେ ଓବିସି ରାଜନୀତିରେ ଯାଦବଙ୍କ ଆଧିପତ୍ୟ ରହିଛି । ଏହା ସହ ମଧ୍ୟପ୍ରଦେଶରେ ପାଦ ଥାପିବାକୁ ଚେଷ୍ଟା କରୁଥିବା ଅଖିଳେଶ ଯାଦବଙ୍କୁ ମଧ୍ୟ ଝଟକା ଲାଗିଛି । ମୋହନ ଯାଦବଙ୍କ ଶ୍ୱଶୁର ଘର ମଧ୍ୟ ୟୁପିର ସୁଲତାନପୁରରେ ରୁହନ୍ତି । ଖାସ୍ କଥା ହେଉଛି ହିନ୍ଦୀ ହାର୍ଟଲ୍ୟାଣ୍ଡର ଅନ୍ୟତମ ବଡ଼ ରାଜ୍ୟ ମଧ୍ୟପ୍ରଦେଶର ଯାଦବଭାବେ ମୁଖ୍ୟମନ୍ତ୍ରୀ ଚେହେରା ଦେଇ ବିରୋଧୀଙ୍କ ଜାତିଗତ ଜନଗଣନାର ଧାରକୁ ମୁକାବିଲା କରିବାକୁ ବିଜେପି ଚେଷ୍ଟା କରିଛି । ଦଳ ଓବିସି ଭୋଟରଙ୍କୁ ବାର୍ତ୍ତା ଦେବାକୁ ଚାହୁଁଛି ଯେ ଦଳ ସେମାନଙ୍କ ବିରୋଧରେ ଯାଉନାହିଁ ।

More articles

LEAVE A REPLY

Please enter your comment!
Please enter your name here

Latest article