ନୂଆଦିଲ୍ଲୀ: ଦେଶରେ ଲିଭ୍ ଇନ୍ ରିଲେସନସିପ୍କୁ ନିଷିଦ୍ଧ କରିବା ପାଇଁ ସରକାର ଆଇନ ପ୍ରଣୟନ କରନ୍ତୁ ଏବଂ ପ୍ରେମ ବିବାହରେ ପିତାମାତାଙ୍କ ସହମତି ବାଧ୍ୟତାମୂଳକ କରାଯାଉ ବୋଲି ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ସାଂସଦ ଲୋକସଭାରେ ଦାବି ଉଠାଇଛନ୍ତି । ଏହା ବେଆଇନ ବୋଲି ସାଂସଦ ଦାବି କରିଛନ୍ତି ।
ହରିୟାଣାର ଭିଓ୍ଵାନି-ମହେନ୍ଦ୍ରଗଡ଼ରୁ ବିଜେପିର ଲୋକସଭା ସଦସ୍ୟ ଧର୍ମବୀର ସିଂହ ଲୋକସଭାରେ ଶୂନ୍ୟକାଳରେ କହିଛନ୍ତି ଯେ ଦେଶରେ ପ୍ରେମ ବିବାହ ବୃଦ୍ଧି ଯୋଗୁଁ ଛାଡ଼ପତ୍ର ମାମଲା ବୃଦ୍ଧି ପାଇଛି ଏବଂ ‘ଲିଭ୍ ଇନ୍’ ସମ୍ପର୍କ ଦେଶର ସଂସ୍କୃତିକୁ ନଷ୍ଟ କରୁଛି । ଆରେଞ୍ଜ ମ୍ୟାରେଜ୍ ସପକ୍ଷରେ ସେ ଯୁକ୍ତି ବାଢ଼ିଥିଲେ ।
ସିଂହ କହିଛନ୍ତି ଯେ ଭାରତୀୟ ସମାଜରେ ପାରମ୍ପରିକ ଭାବରେ ପୁଅ ଓ ଝିଅଙ୍କ ସହମତିରେ ପରିବାର ଦ୍ୱାରା ବିବାହ ଆୟୋଜନ କରାଯାଏ । ଏଭଳି ସମ୍ପର୍କରେ ପରିବାରର ପୃଷ୍ଠଭୂମିକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଛନ୍ତି । ସେ ଦାବି କରିଛନ୍ତି ଯେ ଗତ କିଛିବର୍ଷ ମଧ୍ୟରେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ଭଳି ଆମ ଦେଶରେ ଛାଡ଼ପତ୍ର ମାମଲା ବୃଦ୍ଧି ପାଇଛି ଏବଂ ଏହାର ଏକମାତ୍ର କାରଣ ହେଉଛି ପ୍ରେମ ବିବାହ ।
ବିଜେପି ସାଂସଦ କହିଛନ୍ତି ଯେ ଏଭଳି ସମ୍ପର୍କରେ ପରବର୍ତ୍ତୀ ସମୟରେ ଝଗଡ଼ା ବଢ଼ିଯାଏ ଏବଂ ଉଭୟ ପକ୍ଷର ବଂଶବାଦ ନଷ୍ଟ ହୋଇଯାଏ । ପ୍ରେମ ବିବାହ ମାମଲାରେ ପୁଅ ଓ ଝିଅର ପିତାମାତା ଏବଂ ଉଭୟ ପକ୍ଷର ସହମତି ବାଧ୍ୟତାମୂଳକ କରାଯାଉ ବୋଲି ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ପାଶ୍ଚାତ୍ୟ ଦେଶ ଭଳି ଭାରତରେ ମଧ୍ୟ ଲିଭ୍ ଇନ୍ ରିଲେସନ୍ ସିପ୍ ଭଳି ସାମାଜିକ କୁସଂସ୍କାର ବୃଦ୍ଧି ପାଉଛି, ଯାହାର ପରିଣାମ ଭୟଙ୍କର ହୋଇଥାଏ । ଏହା ଆମ ସଂସ୍କୃତିକୁ ନଷ୍ଟ କରୁଛି ।
ଏଭଳି ଚାଲିଲେ ଯେଉଁ ସଭ୍ୟତା ଓ ସଂସ୍କୃତି ପାଇଁ ଆମେ ପରିଚିତ, ତାହା ଦିନେ ଲୋପ ପାଇବ ବୋଲି ସେ କହିଛନ୍ତି । ସିଂ କହିଛନ୍ତି ଯେ ଲିଭ୍ ଇନ୍ ସମ୍ପର୍କକୁ ରୋକିବା ପାଇଁ ଦେଶରେ ଏକ ଆଇନ ପ୍ରଣୟନ କରାଯିବା ଉଚିତ ।