ନେହେରୁ କ’ଣ ପଦକ୍ଷେପ ନେଇଥିଲେ ?
ନୂଆଦିଲ୍ଲୀ: ନିକଟରେ ‘କ୍ୟାସ୍ ଫର୍ କ୍ୱେରି’ ମାମଲାରେ ମହୁଆ ମୋଇତ୍ରା ତାଙ୍କ ସାଂସଦ ପଦବୀ ହରାଇଛନ୍ତି । ଏବେ ସଂସଦର ସଦସ୍ୟତା ପୁନରୁଦ୍ଧାର ପାଇଁ ସେ ସଂଘର୍ଷ କରୁଛନ୍ତି । ସଂସଦକୁ ଫେରିବା ପରେ ତାଙ୍କର ଅନେକ ‘ଇଫ୍ ଆଣ୍ଡ୍ ବଟ୍’ ରହିଛି । ମହୁଆଙ୍କୁ ବହିଷ୍କାର କରିବା ଚର୍ଚ୍ଚାର ବିଷୟ ପାଲଟିଛି । ଟଙ୍କା ପାଇଁ ପ୍ରଶ୍ନ ପଚାରିବା ଅର୍ଥାତ୍ ପ୍ରଶ୍ନ ପାଇଁ ନଗଦ ଟଙ୍କାର ଖେଳ ବହୁତ ପୁରୁଣା । ସବୁଠାରୁ ପୁରୁଣା ମାମଲା ହେଉଛି ଏଚ୍ ଜି ମୁଦ୍ଗଲଙ୍କର । ତାହା ଥିଲା ୧୯୫୧ ମସିହାର କଥା । ମହୁଆଙ୍କ ସହ ୧୩ ଜଣ ସାଂସଦ ଏହିଭଳି ମାମଲାରେ ସଦସ୍ୟତା ହରାଇ ସାରିଛନ୍ତି । ୨୦୦୫ମସିହାରେ ୧୧ ଜଣ ସାଂସଦ କ୍ୟାସ ଫର କ୍ୱେରି ମାମଲାରେ ସଦସ୍ୟତା ହରାଇଥିଲେ। ମହୁଆଙ୍କ ବହିଷ୍କାର ପ୍ରସଙ୍ଗରେ ସଂସଦରେ ଆଲୋଚନାବେଳେ ମୁଦ୍ଗଲ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା । ସଂସଦରେ ନୈତିକତା କଥା ଆସିଲେ ଆପେ ଆପେ ତାଙ୍କ ନାଁ ଆସିଯାଏ । କ’ଣ ଥିଲା ଏଚ୍ ଜି ମୁଦ୍ଗଲଙ୍କ ସେହି ଐତିହାସିକ ମାମଲା ? ପରବର୍ତ୍ତୀ ସମୟରେ ଏହା କିପରି ଉଦାହରଣ ସୃଷ୍ଟି କଲା ? ଏଥିରେ ନେହେରୁଙ୍କ ଭୂମିକା କ’ଣ ଥିଲା ? ଆସନ୍ତୁ ଜାଣିବା ସେହି ସବୁ ପ୍ରଶ୍ନର ଉତ୍ତର ।
ତାହା ଥିଲା ୧୯୫୧ ମସିହାର କଥା । କ୍ୟାସ୍ ଫର୍ କ୍ୱେରିର ପ୍ରଥମ ମାମଲା ଭାରତର ଅସ୍ଥାୟୀ ସଂସଦରେ ପ୍ରକାଶ ପାଇଥିଲା । ଏହାପରେ ଏଚ୍ ଜି ମୁଦ୍ଗଲ ବମ୍ବେ ବୁଲିଅନ୍ ଆସୋସିଏସନକୁ ତାଙ୍କ ସଂସଦୀୟ ସେବା ପ୍ରଦାନ କରିଥିଲେ । ସେତେବେଳେ ବୁଲିଅନ୍ ଆସୋସିଏସନର ଜଣେ ବୋର୍ଡ ସଦସ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ସଂସଦରେ ସଂଘକୁ ସମର୍ଥନ କରିବାକୁ ଜଣେ ସାଂସଦ ପ୍ରସ୍ତୁତ ଅଛନ୍ତି ବୋଲି ସାଂସଦ କହିଥିଲେ । ଏହା ବଦଳରେ ସେ ୨୦ ହଜାର ଟଙ୍କା ମାଗିଥିଲେ । ଏହାପରେ ଏହି ପୂରା ଦୁର୍ନୀତି ପଦାକୁ ଆସିଥିଲା । ସଂସଦରେ ଏହାର ସପକ୍ଷରେ ବାତାବରଣ ସୃଷ୍ଟି କରିବା ପାଇଁ ବୋର୍ଡ ୫ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲା । ସଂଘ ମଧ୍ୟ ମୁଦ୍ଗଲଙ୍କୁ ୧୦୦୦ ଟଙ୍କା ଦେଇଥିଲା ।
ସେତେବେଳକୁ ନେହେରୁ ସତର୍କ ହୋଇଯାଇଥିଲେ
ତେବେ ମାମଲା ପ୍ରକାଶ ପାଇବାବେଳକୁ ନେହେରୁ ସତର୍କ ହୋଇଯାଇଥିଲେ । ଏ ନେଇ ସେମାନଙ୍କୁ ସୂଚନା ଦିଆଯାଇଥିଲା । ଏହାପରେ ନେହେରୁ ସାଂସଦଙ୍କୁ ଡାକିଥିଲେ । ମୁଦ୍ଗଲ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ଏହା ଭିନ୍ନ କଥା ଯେ ମୁଦ୍ଗଲଙ୍କ ସ୍ପଷ୍ଟୀକରଣରେ ନେହେରୁ ସନ୍ତୁଷ୍ଟ ନ ଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ମୁଦ୍ଗଲଙ୍କ ଆଚରଣର ତଦନ୍ତ ପାଇଁ ସଂସଦୀୟ କମିଟିକୁ ଏକ ପ୍ରସ୍ତାବ ପଠାଇଥିଲେ । ଏହା ପୂର୍ବରୁ ନେହେରୁ ଏହି ମାମଲାକୁ ବାଚସ୍ପତି ଜିଭି ମାୱଲଙ୍କରଙ୍କ ନିକଟରେ ଆଗତ କରିଥିଲେ । ନେହେରୁ ଗୃହକୁ ଏହା ମଧ୍ୟ କହିଥିଲେ ଯେ କିପରି ମୁଦ୍ଗଲ ସଂସଦରେ ବୁଲିୟନ ସଂଘ ସମ୍ପର୍କିତ ପ୍ରଶ୍ନ ଉଠାଇଥିଲେ । ଟିଟି କ୍ରିଷ୍ଣାମାଚାରୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଅନ୍ୟ ୪ ଜଣ ସଦସ୍ୟ ଥିଲେ ।
୧୯୫୧ ମସିହା ଅଗଷ୍ଟ ମାସରେ ଏହି କମିଟି ସଂସଦରେ ଏହାର ରିପୋର୍ଟ ଦାଖଲ କରିଥିଲା । ଏଥିରେ ମୁଦ୍ଗଲ ସଂଘ ସହ ମିଶିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାର ଏକ ମାସ ପରେ ୧୯୫୧ ମସିହା ସେପ୍ଟେମ୍ବର ୨୪ ତାରିଖରେ ନେହେରୁ ମୁଦ୍ଗଲଙ୍କୁ ବହିଷ୍କାର କରିବା ପାଇଁ ଗୃହରେ ଏକ ସଂକଳ୍ପ ପାରିତ କରିଥିଲେ । ବୁଲିଅନ୍ ଆସୋସିଏସନର କର୍ମଚାରୀଙ୍କୁ ଲେଖାଯାଇଥିବା ପ୍ରତ୍ୟେକ ଚିଠି ଉପରେ ମୁଦ୍ଗଲ ଗୃହରେ ନିଜ ମାମଲାକୁ ଦୃଢ଼ଭାବେ ସମର୍ଥନ କରିଥିଲେ । ଏହାପରେ ସେ ନେହେରୁ ଓ କୃଷ୍ଣମାଚାରୀଙ୍କୁ କଡ଼ା ସମାଲୋଚନା କରିଥିଲେ । ଆଞ୍ଚଳିକ କାର୍ଡ ଖେଳିବାକୁ ମଧ୍ୟ ସେ ହାତଛଡ଼ା କରିନଥିଲେ । ଗୃହ ତାଙ୍କୁ ବହିଷ୍କାର କରିବା ପୂର୍ବରୁ ମୁଦ୍ଗଲ ନିଜେ ଇସ୍ତଫା ଦେଇଥିଲେ ।
ମୁଦ୍ଗଲ କିଏ, ସେ କିପରି ରାଜନୀତିକୁ ଆସିଲେ ?
ସଂସଦରେ ପହଞ୍ଚିବା ପୂର୍ବରୁ ମୁଦ୍ଗଲଙ୍କ କ୍ୟାରିୟର ବହୁତ ରୋଚକ ଥିଲା । ତାଙ୍କର ପୁରା ନାମ ଥିଲା ହକେଶ୍ୱର ଗୁରୁସିଧା ମୁଦ୍ଗଲ । ମୁଦ୍ଗଲ ୧୮୯୯ ମସିହାରେ କର୍ଣ୍ଣାଟକର ହୁବଲିରେ ଜନ୍ମଗ୍ରହଣ କରିଥିଲେ । ୧୯୨୦ ମସିହାବେଳକୁ ସେ ଆମେରିକା ଚାଲି ଯାଇଥିଲେ। ସେ ନ୍ୟୁୟର୍କ କଲେଜରୁ ସ୍ନାତକ ହାସଲ କରିଥିଲେ । ଏହାପରେ ସେ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଏମଏ କରିଥିଲେ । ଆମେରିକାରେ ଥିବା ସମୟରେ ସେ ସାପ୍ତାହିକ ଖବରକାଗଜ ନିଗ୍ରୋ ୱାର୍ଲ୍ଡର ସମ୍ପାଦକ ହୋଇଥିଲେ । ମୁଦ୍ଗଲ ଆମେରିକାରେ ୧୭ ବର୍ଷ ରହିବା ପରେ ଭାରତ ଫେରିଥିଲେ । ଆମେରିକାର ଅଭିଜ୍ଞତାକୁ ଉପଯୋଗ କରି ସେ ଅନେକ ପ୍ରକାଶନ ଆରମ୍ଭ କରିଥିଲେ । ସେ ସାପ୍ତାହିକ ପତ୍ରିକା ‘ଇଣ୍ଡିଆନ୍ ମାର୍କେଟ୍’ର ପ୍ରକାଶକ ମଧ୍ୟ ଥିଲେ । ୧୯୫୦ ମସିହାରେ ସେ ଡ. ବିଆର୍ ଆମ୍ବେଦକର, ଜିଭି ମାଭାଲଙ୍କର ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସହ ଅସ୍ଥାୟୀ ସଂସଦର ଅଂଶ ହୋଇଥିଲେ ।