ଖୁବଶୀଘ୍ର ନୂଆ ଯୋଜନା ଆଣିବାକୁ ପ୍ରସ୍ତୁତ ହେଉଛି କେନ୍ଦ୍ର ସରକାର
ନୂଆଦିଲ୍ଲୀ: ସାମାଜିକ-ଅର୍ଥନୈତିକ ଦୃଷ୍ଟିରୁ ବଞ୍ଚିତ ସ୍କୁଲଝିଅମାନଙ୍କ ଡିଜିଟାଲ ସଶକ୍ତିକରଣ ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା ଆଣିପାରନ୍ତି । ଅନେକ ରାଜ୍ୟ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍ମାର୍ଟଫୋନ୍ ଦେବାକୁ ଯୋଜନା କରୁଛନ୍ତି । ଏଭଳି ଯୋଜନାକୁ ପ୍ରୋତ୍ସାହିତ କରିବା କିମ୍ବା ଅଭାବୀ ସ୍କୁଲ ଛାତ୍ରୀମାନଙ୍କୁ ସ୍ମାର୍ଟଫୋନ୍ ଦେବା ପାଇଁ ଆଉ ଏକ ଯୋଜନା ଆଣିବାକୁ ମଧ୍ୟ କେନ୍ଦ୍ର ବିଚାର କରୁଛି । ଶିକ୍ଷାର ବାର୍ଷିକ ସ୍ଥିତି ରିପୋର୍ଟ (ଗ୍ରାମୀଣ) ୨୦୨୩- ବିୟଣ୍ଡ ବେସିକ୍ସରୁ ଏହା ମଧ୍ୟ ଜଣାପଡ଼ିଛି ଯେ ୧୪-୧୮ ବର୍ଷ ବୟସର ପ୍ରାୟ ୯୦% ଯୁବକଙ୍କ ଘରେ ସ୍ମାର୍ଟଫୋନ୍ ଅଛି ଏବଂ ସମାନ ସଂଖ୍ୟକ ଯୁବକ ଏହାକୁ କିପରି ବ୍ୟବହାର କରିବେ ତାହା ଜାଣନ୍ତି । ଝିଅଙ୍କ ତୁଳନାରେ ଦୁଇଗୁଣରୁ ଅଧିକ ପୁଅ (୪୩.୭%) ପାଖରେ ସ୍ମାର୍ଟଫୋନ୍ ଅଛି (୧୯.୮%) । ଏହି ଡିଜିଟାଲ ବ୍ୟବଧାନକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଗମ୍ଭୀର ଅଛନ୍ତି ।
୨୦୧୭ ତୁଳନାରେ ୨୦୨୩ରେ ଡିଜିଟାଲ ସାକ୍ଷରତା ବୃଦ୍ଧି ପାଇଛି
ଏବେ ସାକ୍ଷରତା କେବଳ ପଢ଼ିବା ଓ ଲେଖିବାରେ ସୀମିତ ନାହିଁ । ଆଜିର ଯୁଗରେ ଡିଜିଟାଲ ସାକ୍ଷରତାର ଏକ ନୂଆ ଅଧ୍ୟାୟ ମଧ୍ୟ ଯୋଡ଼ି ହୋଇଛି । ଏବେ ଛାତ୍ରଛାତ୍ରୀମାନେ ସ୍ମାର୍ଟଫୋନ୍, କମ୍ପ୍ୟୁଟର, ଲାପଟପ୍ ଜରିଆରେ ପାଠ ପଢ଼ୁଛନ୍ତି । ୨୦୧୭ରେ ୭୩% ଛାତ୍ରଛାତ୍ରୀ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବାବେଳେ ୨୦୨୩ରେ ଏହି ସଂଖ୍ୟା ୯୦.୫୦%କୁ ବୃଦ୍ଧି ପାଇଛି । ଶିକ୍ଷା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କମ୍ପ୍ୟୁଟର ବ୍ୟବହାର ୨୬ ପ୍ରତିଶତରୁ ୮୫ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ୯୦ ପ୍ରତିଶତ ଯୁବକ ଏବେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି, ଯାହା କି ୭ ବର୍ଷ ପୂର୍ବେ ମାତ୍ର ୨୮ ପ୍ରତିଶତ ଥିଲା । ତେବେ ଗ୍ରାମାଞ୍ଚଳରେ ମାତ୍ର ୨୦ ପ୍ରତିଶତ ଝିଅଙ୍କ ପାଖରେ ନିଜସ୍ୱ ସ୍ମାର୍ଟଫୋନ୍ ରହିଛି । ସେମାନେ ନିଜ ପିତାମାତାଙ୍କ ଫୋନ୍ ବ୍ୟବହାର କରନ୍ତି । ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟ ରହିଛି ଯେଉଁମାନେ ଚଳିତ ବର୍ଷ ମାଗଣା ସ୍ମାର୍ଟଫୋନ୍ ଦେବାକୁ ଯୋଜନା କରୁଛନ୍ତି ।
ପାଠପଢ଼ା ସହ କାମ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି
ଶିକ୍ଷା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀକହିଛନ୍ତି ଯେ ସର୍ଭେରେ ଅନେକ ସକାରାତ୍ମକ ତଥ୍ୟ ସାମ୍ନାକୁ ଆସିଛି, ୧୪-୧୮ ବର୍ଷ ବୟସବର୍ଗର ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ନାମଲେଖା ୮୬.୮୦% କୁ ବୃଦ୍ଧି ପାଇଛି । ସେହିପରି ୧୪ ବର୍ଷର ଛାତ୍ରଛାତ୍ରୀଙ୍କ ନାମଲେଖା ମଧ୍ୟ ୯୬.୧୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏଥିସହିତ ଘର ବାହାରେ କାମ କରୁଥିବା ଏହି ବୟସ ବର୍ଗର ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବହୁତ ହ୍ରାସ ପାଉଛି । ଘର ବାହାରେ କାମ କରୁଥିବା ଗ୍ରାମୀଣ ଯୁବକଙ୍କ ସଂଖ୍ୟା ୨୦୧୭ରେ ୪୧.୬% ଥିବାବେଳେ ଏବେ ଏହା ୩୩.୩%କୁ ଖସି ଆସିଛି। ଘର ବାହାରେ କାମ କରୁଥିବା ଝିଅଙ୍କ ସଂଖ୍ୟା ୪୫.୧%ରୁ ୨୮%କୁ ଖସି ଆସିଛି । ଏମାନେ ହେଉଛନ୍ତି ଏଭଳି ଯୁବକ, ଯେଉଁମାନେ ଘର ବାହାରେ ପାଠ ପଢ଼ୁଥିଲେ ଏବଂ ବାଧ୍ୟ ହୋଇ ସେମାନଙ୍କୁ ପାଠପଢ଼ା ସହ କିଛି କାମ କରିବାକୁ ପଡ଼ୁଥିଲା । କିନ୍ତୁ ଏବେ କେବଳ ପାଠପଢ଼ାରେ ଧ୍ୟାନ ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।