- ଚାର୍ଟର ବିମାନ ବୁକ୍ କରିଛି କଂଗ୍ରେସ
ନୂଆଦିଲ୍ଲୀ: ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଘୋଡ଼ାବେପାରକୁ ଏଡ଼ାଇବା ପାଇଁ ପ୍ରସ୍ତୁତି କରିଛି ଛତିଶଗଡ଼ କଂଗ୍ରେସ । ଦଳୀୟ ସୂତ୍ରରୁ ପ୍ରକାଶ ଯେ ଫଳାଫଳ ଆସିବାମାତ୍ରେ ବିଜୟୀ ପ୍ରାର୍ଥୀଙ୍କୁ ବେଙ୍ଗାଲୁରୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏଥିପାଇଁ କଂଗ୍ରେସ ୭୨ ସିଟ୍ ବିଶିଷ୍ଟ ଚାର୍ଟର ବିମାନ ମଧ୍ୟ ବୁକ୍ କରିଛି । ବିଜୟୀ ବିଧାୟକଙ୍କ ସହ ଦଳୀୟ ନେତା ମଧ୍ୟ ରହିବେ । କର୍ଣ୍ଣାଟକ କଂଗ୍ରେସ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ । ସେଠାରେ ମଧ୍ୟ କଂଗ୍ରେସ ସରକାର ରହିଛି । ଛତିଶଗଡ଼ରେ ନଭେମ୍ବର ୭ ଓ ୧୭ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ଡିସେମ୍ବର ୩ତାରିଖରେ ଫଳାଫଳ ପ୍ରକାଶ ପାଇବ ।
ବିଜୟ ପରେ ସିଧାସଳଖ ରାୟପୁର ଆସିବାକୁ ନିର୍ଦ୍ଦେଶ
ମିଳିଥିବା ସୂଚନା ଅନୁଯାୟୀ, ଦଳ ସମସ୍ତ ପ୍ରାର୍ଥୀଙ୍କୁ ବିଜୟ ପ୍ରମାଣପତ୍ର ସିଧାସଳଖ ରାୟପୁର ନେବାକୁ କହିଛି । ଭିଆଇପି ରୋଡସ୍ଥିତ ଏକ ହୋଟେଲରେ ନବନିର୍ବାଚିତ ବିଧାୟକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଉଛି । ସମସ୍ତ ପ୍ରାର୍ଥୀ ଏଠାରେ ରାତିସାରା ଏକାଠି ରହିବେ ।
ଏକାଠି ବେଙ୍ଗାଲୁରୁ ଗସ୍ତରେ ଯିବେ ନବନିର୍ବାଚିତ ବିଧାୟକ
ସୂତ୍ରରୁ ପ୍ରକାଶ ଯେ ବସ୍ତରରୁ ସରଗୁଜା ପର୍ଯ୍ୟନ୍ତ କଂଗ୍ରେସ ଦଳର ନବନିର୍ବାଚିତ ବିଧାୟକଙ୍କୁ ଆସିବାକୁ ସମୟ ଲାଗିବ । ଏହାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଦିନ ଅର୍ଥାତ୍ ଡିସେମ୍ବର ୪ତାରିଖରେ ସମସ୍ତ ବିଜୟୀ ବିଧାୟକଙ୍କୁ ବେଙ୍ଗାଲୁରୁ ପଠାଯିବ ।
ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର
ଏଥର ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ରହିଛି । କୌଣସି ଗୋଟିଏ ଦଳର ପ୍ରବାହ ନାହିଁ । ଏହାକୁ ଆଧାର କରି ରାଜନୈତିକ ଦଳଗୁଡ଼ିକ ମଧ୍ୟ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳୁଛି । ଯଦି ବିଜୟ-ପରାଜୟର ସଂଖ୍ୟା ଅଧିକ ନୁହେଁ, ତେବେ ବିଧାୟକମାନଙ୍କୁ କିପରି ସୁରକ୍ଷିତ ରଖାଯିବ ?
୫୦ରୁ ୫୫ ସିଟରେ ବୃଦ୍ଧି ପାଇବ ଉତ୍ତେଜନା
୨୦୧୮ରେ କଂଗ୍ରେସ ଦଳ ଐତିହାସିକ ବିଜୟ ହାସଲ କରିଥିଲା । ଫଳାଫଳ ଆସିବାବେଳକୁ କଂଗ୍ରେସର ୬୮ ଜଣ ପ୍ରାର୍ଥୀ ବିଜୟୀ ହୋଇ ବିଧାୟକ ହୋଇଥିଲେ । ଏଥର କଂଗ୍ରେସ ପାଇଁ ସ୍ଥିତି ସେତେଟା ଅନୁକୂଳ ନୁହେଁ । ଯଦି ସଂଖ୍ୟାଗରିଷ୍ଠତା ଆସେ ଏବଂ ବିଜୟୀ ବିଧାୟକଙ୍କ ସଂଖ୍ୟା ୫୦ରୁ ୫୫ ମଧ୍ୟରେ ରହେ ତେବେ ଘୋଡ଼ା ବେପାର ହେବାର ଆଶଙ୍କା ବଢ଼ିବ ବୋଲି ଦଳ ଆଶଙ୍କା କରୁଛି ।
ଛତିଶଗଡ଼ ମଧ୍ୟପ୍ରଦେଶରୁ ଶିକ୍ଷା ନେଇଛି
୨୦୧୮ରେ ମଧ୍ୟପ୍ରଦେଶରେ କଂଗ୍ରେସ ଦଳ ସରକାର ଗଠନ କରିଥିଲା । ସରକାର ଗଢ଼ିବାର ଦେଢ଼ବର୍ଷ ପରେ କିଛି ବିଧାୟକ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଏହି କାରଣରୁ କଂଗ୍ରେସ ସରକାର ଭାଙ୍ଗିଯାଇଥିଲା । ମଧ୍ୟପ୍ରଦେଶ ବ୍ୟତୀତ ମହାରାଷ୍ଟ୍ର ଭଳି ଅନେକ ରାଜ୍ୟରୁ ଶିକ୍ଷା ନେଇ ଛତିଶଗଡ଼ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି ।