ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ସରକାର ପତନ ହୋଇପାରେ ବୋଲି ଜେଡିଏସ ନେତା ଏଚ. ଡି କୁମାରସ୍ୱାମୀ ରବିବାର ଦାବି କରିଛନ୍ତି । କୁମାରସ୍ୱାମୀ କହିଛନ୍ତି ଯେ ୫୦ରୁ ୬୦ ବିଧାୟକଙ୍କ ସମର୍ଥନ ଥିବା କଂଗ୍ରେସ ସରକାରରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ କଂଗ୍ରେସ ଦଳ ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି । ଏଥିପାଇଁ ବିଜେପି ନେତାଙ୍କ ସହ ଆଲୋଚନା ଚାଲିଛି ।
କର୍ଣ୍ଣାଟକରେ ହୋଇପାରେ ମହାରାଷ୍ଟ୍ର ଭଳି ସ୍ଥିତି
କର୍ଣ୍ଣାଟକରେ ଯେକୌଣସି ସମୟରେ ମହାରାଷ୍ଟ୍ର ଭଳି କିଛି ହୋଇପାରେ ବୋଲି ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ରାଜ୍ୟ ସଭାପତି ପୂର୍ବାନୁମାନ କରିଛନ୍ତି । ବର୍ତ୍ତମାନର ରାଜନୈତିକ ବାତାବରଣକୁ ଦେଖିଲେ କିଛି ବି ହୋଇପାରେ ।
କର୍ଣ୍ଣାଟକ କଂଗ୍ରେସରେ ସବୁକିଛି ଠିକ ଠାକ ନାହିଁ
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଜେଡିଏସ ନେତା କହିଛନ୍ତି ଯେ କର୍ଣ୍ଣାଟକରେ କଂଗ୍ରେସ ସରକାରରେ ସବୁକିଛି ଠିକ ନାହିଁ। ଏହି ସରକାର କେବେ ଭାଙ୍ଗିବ ମୁଁ ଜାଣେ ନାହିଁ । ଜଣେ ପ୍ରଭାବଶାଳୀ ମନ୍ତ୍ରୀ ତାଙ୍କ ବିରୋଧରେ ମାମଲାରୁ ବର୍ତ୍ତିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । କୁମାରସ୍ୱାମୀ କହିଛନ୍ତି ଯେ କେନ୍ଦ୍ର ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ଯେଉଁଥିରେ ଖସିଯିବାର କୌଣସି ସମ୍ଭାବନା ନାହିଁ ।
ନେତାଙ୍କ ନାମ ପଚାରିବାରୁ କୁମାରସ୍ୱାମୀ କହିଛନ୍ତି ଯେ ଛୋଟ ନେତାଙ୍କଠାରୁ ଏଭଳି ପଦକ୍ଷେପ ଆଶା କରାଯାଇପାରିବ ନାହିଁ । କେବଳ ପ୍ରଭାବଶାଳୀ ବ୍ୟକ୍ତି ହିଁ ଏଭଳି କାର୍ଯ୍ୟ କରିପାରିବେ ।