ନୂଆଦିଲ୍ଲୀ: ଏକ ଦେଶ, ଗୋଟିଏ ନିର୍ବାଚନ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ସମ୍ପାଦକଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଚିଠି ଲେଖିଛନ୍ତି । ଏଥିରେ ସେ କହିଛନ୍ତି ଯେ କଂଗ୍ରେସ ଦେଶରେ ଏକାସାଙ୍ଗରେ ନିର୍ବାଚନ କରିବାକୁ ବିରୋଧ କରୁଛି । ଖଡଗେ କହିଛନ୍ତି ଯେ ଯେଉଁ ଦେଶରେ ସଂସଦୀୟ ଶାସନ ବ୍ୟବସ୍ଥା ଗ୍ରହଣ କରାଯାଇଛି, ସେଠାରେ ଏକକାଳୀନ ନିର୍ବାଚନ ପାଇଁ କୌଣସି ସ୍ଥାନ ନାହିଁ । ଏହା ସମ୍ବିଧାନର ମୌଳିକ ଢାଞ୍ଚା ବିରୁଦ୍ଧରେ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସମ୍ବିଧାନର ମୌଳିକ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ।
ବାସ୍ତବରେ ଦେଶରେ ଏକାସାଙ୍ଗରେ ନିର୍ବାଚନ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଏଥିରେ ୮ ଜଣ ସଦସ୍ୟ ଅଛନ୍ତି । ୧୮ ଅକ୍ଟୋବର ୨୦୨୩ରେ କମିଟି ଏହି ମାମଲାରେ କଂଗ୍ରେସଠାରୁ ପରାମର୍ଶ ମାଗିଥିଲା । ଜାନୁଆରୀ ୧୭ତାରିଖରେ ଖଡଗେ କମିଟି ସମ୍ପାଦକ ନୀତିନ ଚନ୍ଦ୍ରାଙ୍କୁ ୪ ପୃଷ୍ଠାର ଏକ ଚିଠି ଲେଖି ଜବାବ ଦେଇଛନ୍ତି । ଏଥିରେ ୧୭ ପଏଣ୍ଟ ରହିଛି । ଗଣତନ୍ତ୍ର ବଜାୟ ରଖିବାକୁ ହେଲେ ଏକାସାଙ୍ଗରେ ନିର୍ବାଚନ କରାଇବା ଓ ହାଇପାୱାର କମିଟିକୁ ଭଙ୍ଗ କରିବା ଜରୁରୀ ବୋଲି କଂଗ୍ରେସ କହିଛି ।
ଖଡଗେଙ୍କ ଚିଠିର ୬ଟି ଗୁରୁତ୍ୱପୂର୍ଣ୍ଣ କଥା
ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି ପକ୍ଷପାତିତା କରୁଛି । କାରଣ ବିରୋଧୀ ଦଳର କୌଣସି ପ୍ରତିନିଧି ନାହାନ୍ତି ।
ଏକାସାଙ୍ଗରେ ନିର୍ବାଚନ ପାଇଁ ସରକାର ନିଜର ମତ ପ୍ରକାଶ କରିସାରିଛନ୍ତି । ସେମାନେ ଦେଶରେ ଏଭଳି ନିର୍ବାଚନ କରିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ଏହାକୁ ନେଇ କମିଟି ଗଠନ କରିବା କେବଳ ଏକ ପ୍ରଦର୍ଶନ ।
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ୨୦୧୮ରେ ସେ ସଂସଦରେ କହିଥିଲେ ଯେ ବାରମ୍ବାର ନିର୍ବାଚନ ବିକାଶ କାର୍ଯ୍ୟକୁ ବନ୍ଦ କରିଦେଇଥାଏ । କଂଗ୍ରେସ କହିବାକୁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ମୋଦି କାମ କରିବା ପରିବର୍ତ୍ତେ ନିର୍ବାଚନ ରଖୁଥିବାରୁ ବିକାଶ ହୋଇପାରୁନାହିଁ ।
ଏକାସାଙ୍ଗରେ ନିର୍ବାଚନ ହେଲେ ଖର୍ଚ୍ଚ ବଞ୍ଚିବ ବୋଲି କମିଟି ଯୁକ୍ତି ବାଢ଼ିଛି । ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ । ୨୦୧୪ ଲୋକସଭା ନିର୍ବାଚନରେ ୩୮୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଯାହା କି ଯଥେଷ୍ଟ ବୋଲି କମିଟି ଦାବି କରିଛି । ଅପରପକ୍ଷରେ ୨୦୧୬ରୁ ୨୦୨୨ ମଧ୍ୟରେ ବିଜେପିକୁ ୧୦,୧୨୨ କୋଟି ଟଙ୍କା ଦାନ ମିଳିଥିବାବେଳେ ସେଥିମଧ୍ୟରୁ ୫,୨୭୧.୯୭ କୋଟି ଟଙ୍କା ବେନାମୀ ବଣ୍ଡ ଥିଲା । ଯଦି କମିଟି ଓ ସରକାର ପ୍ରକୃତରେ ନିର୍ବାଚନ ଖର୍ଚ୍ଚକୁ ନେଇ ଗମ୍ଭୀର, ତେବେ ଇଲେକ୍ଟୋରାଲ ବଣ୍ଡ ପ୍ରକ୍ରିୟାକୁ ସ୍ୱଚ୍ଛ କରନ୍ତୁ ।
ଆଚରଣ ବିଧି ଉନ୍ନୟନ ମୂଳକ କାର୍ଯ୍ୟକୁ ପ୍ରଭାବିତ କରୁଛି ବୋଲି ଯେଉଁ ଯୁକ୍ତି କରାଯାଉଛି ତାହା ମଧ୍ୟ ଭିତ୍ତିହୀନ । ନିର୍ବାଚନ ସମୟରେ ବିଦ୍ୟମାନ ଯୋଜନା ଓ ପ୍ରକଳ୍ପ ଜାରି ରହିଛି ।
ଏକକାଳୀନ ନିର୍ବାଚନ କରାଇବା ପାଇଁ ଅନେକ ବିଧାନସଭା ଭଙ୍ଗ କରିବାକୁ ପଡ଼ିବ, ଯାହା ଏବେବି ସେମାନଙ୍କ କାର୍ଯ୍ୟକାଳର ଅଧା (ବା ତା’ଠାରୁ କମ୍) ଅଟେ । ସେହି ସବୁ ରାଜ୍ୟର ଭୋଟରଙ୍କ ପାଇଁ ଏହା ଏକ ଠକେଇ ହେବ ।
ସେପ୍ଟେମ୍ବର ୨୦୨୩ରେ ସରକାର ଏହି କମିଟି ଗଠନ କରିଥିଲେ
ସେପ୍ଟେମ୍ବର ୨ତାରିଖରେ କେନ୍ଦ୍ର ସରକାର ଏହି କମିଟି ଗଠନ କରିଥିଲେ । କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୨୩ରେ ଦିଲ୍ଲୀର ଯୋଧପୁର ଅଫିସର୍ସ ହଷ୍ଟେଲରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପୂର୍ବତନ ସାଂସଦ ଗୁଲାମ ନବୀ ଆଜାଦଙ୍କ ସମେତ ୮ ଜଣ ସଦସ୍ୟ ଥିଲେ ।
କମିଟି ଏହାର ପ୍ରଥମ ବୈଠକରେ ଏହି ପ୍ରସଙ୍ଗରେ ଦେଶର ରାଜନୈତିକ ଦଳଗୁଡ଼ିକର ମତାମତ ନେବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ କମିଟି ଦେଶର ୪୬ଟି ରାଜନୈତିକ ଦଳକୁ ଚିଠି ଲେଖି ସେମାନଙ୍କ ମତାମତ ଲୋଡ଼ିଛି । ଏଥିରେ ୬ଟି ଜାତୀୟ ଦଳ, ୩୩ଟି ରାଜ୍ୟ ଦଳ ଓ ୭ଟି ଅଣସ୍ୱୀକୃତିପ୍ରାପ୍ତ ଦଳ ରହିଛି ।
ଗୋଟିଏ ଦେଶ ଗୋଟିଏ ନିର୍ବାଚନ କ’ଣ ?
ବର୍ତମାନ ଦେଶରେ ବିଭିନ୍ନ ସମୟରେ ରାଜ୍ୟ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ୱାନ୍ ନେସନ୍ ଓ୍ଵାନ୍ ଇଲେକ୍ସନ୍ ଅର୍ଥ ସମଗ୍ର ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବା । ଅର୍ଥାତ୍ ଲୋକସଭା ଓ ବିଧାନସଭାର ସଦସ୍ୟ ଚୟନ ପାଇଁ ଭୋଟରମାନେ ଗୋଟିଏ ଦିନ, ସଙ୍ଗେ ସଙ୍ଗେ କିମ୍ବା ପର୍ଯ୍ୟାୟକ୍ରମେ ଭୋଟ ଦେବେ ।
ସ୍ୱାଧୀନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିଲା, କିନ୍ତୁ ୧୯୬୮ ଓ ୧୯୬୯ରେ ଅନେକ ବିଧାନସଭା ଅକାଳ ଭଙ୍ଗ ହୋଇଯାଇଥିଲା । ଏହାପରେ ୧୯୭୦ରେ ଲୋକସଭା ମଧ୍ୟ ଭଙ୍ଗ ହୋଇଥିଲା । ଏହି କାରଣରୁ ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ପରମ୍ପରା ଭାଙ୍ଗି ଯାଇଥିଲା ।