- କେରଳରେ ରୋଗୀ ଚିହ୍ନଟ
- ନୂଆ ଲହର ଆସିବ କି ?
- ୫ଟି ବଡ଼ ଅପଡେଟ
ନୂଆଦିଲ୍ଲୀ: କୋଭିଡ୍-୧୯ର ନୂଆ ଭାରିଏଣ୍ଟ ସାରା ବିଶ୍ୱର ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇ ଦେଇଛି । କରୋନାର ଜେଏନ୍-୧ ଷ୍ଟ୍ରେନ୍ ପୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ହୋଇପାରେ । ନିକଟରେ କେରଳରେ ଜେଏନ୍-୧ ଭାରିଏଣ୍ଟର ଏକ ମାମଲା ସାମ୍ନାକୁ ଆସିଛି । ଜଣେ ୭୮ ବର୍ଷୀୟ ବୃଦ୍ଧାଙ୍କ ଆରଟି-ପିସିଆର ପଜିଟିଭ୍ ନମୁନାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ମହିଳାଙ୍କଠାରେ ଇନଫ୍ଲୁଏଞ୍ଜା ଭଳି ରୋଗର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା । ଏବେ ସେ ସୁସ୍ଥ ହୋଇଛନ୍ତି । ଜେଏନ୍-୧ ଭାରିଆଣ୍ଟ ସମଗ୍ର ବିଶ୍ୱରେ କୋଭିଡ୍ ମାମଲା ବଢ଼ାଉଛି । ସିଙ୍ଗାପୁରରେ ସପ୍ତାହକ ମଧ୍ୟରେ ୫୬ ହଜାର ନୂଆ ମାମଲା ସାମ୍ନାକୁ ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କହିଛି ଯେ ଭୂତାଣୁ ବିକଶିତ ହେଉଛି ଏବଂ କ୍ରମାଗତ ଭାବରେ ବଦଳୁଛି । ଡବ୍ଲୁଏଚଓ ଜେଏନ-୧କୁ ବିଏ.୨.୮୬ର ଏକ ସବ୍-ଭାରିଏଣ୍ଟଭାବେ ବର୍ଣ୍ଣନା କରିଛି । ଏହାର ସ୍ପାଇକ୍ ପ୍ରୋଟିନରେ କେବଳ ଗୋଟିଏ ଅତିରିକ୍ତ ମ୍ୟୁଟେସନ୍ ରହିଛି । କୋଭିଡ୍ ସହ ଇନଫ୍ଲୁଏଞ୍ଜା ଏବଂ ଅନ୍ୟାନ୍ୟ ଭୂତାଣୁ ତଥା ବ୍ୟାକ୍ଟେରିଆ ବ୍ୟାପିବା ନେଇ ଡବ୍ଲ୍ୟୁଏଚ୍ଓ ମଧ୍ୟ ଚିନ୍ତା ପ୍ରକଟ କରିଛି ।
କେରଳରେ କୋଭିଡ୍ ଜେଏନ୍.୧ର ଏକ ନୂଆ ସବ୍ ଭାରିଆଣ୍ଟ ଯୋଗୁ ଡିସେମ୍ବର ୧୭ରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୟୁପିରେ ଜଣେ କୋଭିଡ ପଜିଟିଭ୍ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ ଏହି ରୋଗୀ ଜେଏନ୍-.୧ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ କି ନାହିଁ ତାହା ଜଣାପଡ଼ିନାହିଁ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁଯାୟୀ, ରବିବାର ଭାରତରେ ୩୩୫ ଟି ନୂତନ କୋଭିଡ -୧୯ ମାମଲା ରେକର୍ଡ କରାଯାଇଛି ଏବଂ ସକ୍ରିୟ ମାମଲା ସଂଖ୍ୟା ୧,୭୦୧କୁ ବୃଦ୍ଧି ପାଇଛି ।
କର୍ଣ୍ଣାଟକ ସରକାର ସବ୍ ଭାରିଆଣ୍ଟ ଜେଏନ୍.୧ କୁ ନେଇ ସତର୍କ ସୂଚନା ଜାରି କରିଛନ୍ତି। କେରଳରେ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି- ଚିନ୍ତା କରିବାର କିଛି ନାହିଁ। ଆମେ ନିରନ୍ତର ନଜର ରଖିଛୁ।
ନୂଆ କୋଭିଡ୍ ଭାରିଆଣ୍ଟକୁ ନେଇ ମନ୍ତ୍ରୀ କହିଲେ, କୌଣସି ଚିନ୍ତା ନାହିଁ
କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ରବିବାର କହିଛନ୍ତି ଯେ ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ କୋଭିଡ୍-୧୯ ଭାରିଆଣ୍ଟ ‘ଜେଏନ୍-୧’ ଚିନ୍ତାର କାରଣ ନୁହେଁ । ନିୟମିତ ସର୍ଭେଲାନ୍ସ କାର୍ଯ୍ୟକଳାପର ଏକ ଅଂଶ ଭାବରେ ଏହି ନୂତନ ମାମଲା ଚିହ୍ନଟ କରାଯାଇଛି ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଜଣେ ବରିଷ୍ଠ ଅଧିକାରୀ ଶନିବାର କହିଛନ୍ତି ।
ଜର୍ଜ କହିଛନ୍ତି ଯେ କିଛିମାସ ପୂର୍ବରୁ ସିଙ୍ଗାପୁର ବିମାନ ବନ୍ଦରରେ ସ୍କ୍ରିନିଂ କରାଯାଇଥିବା ଭାରତୀୟ ଯାତ୍ରୀଙ୍କ ମଧ୍ୟରେ ଏହା ମିଳିଥିଲା । ଚିନ୍ତା କରିବାର କିଛି ନାହିଁ । ସ୍ଥିତି ଉପରେ ନଜର ରଖାଯାଇଛି । ତେବେ ଯେଉଁମାନଙ୍କର ଅନ୍ୟାନ୍ୟ ଗମ୍ଭୀର ରୋଗ ରହିଛି ସେମାନେ ସତର୍କ ରହିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।
କୋଭିଡ୍ ସବ୍ ଭାରିଆଣ୍ଟ ଜେଏନ୍-୧ର ଲକ୍ଷଣ କ’ଣ
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଜେଏନ-୧ର ଲକ୍ଷଣ ମଧ୍ୟ ପୂର୍ବ କୋଭିଡ ଭାରିଆଣ୍ଟ ସହ ସମାନ । ଏହାଦ୍ୱାରା ଉପର ଶ୍ୱାସ କ୍ରିୟାରେ ସମସ୍ୟା ଦେଖାଦେଇଥାଏ । ସାମାନ୍ୟ ଜ୍ୱର, କାଶ, ନାକ ବନ୍ଦ, ଗଳା ଯନ୍ତ୍ରଣା, ନାକରୁ ପାଣି ବାହାରିବା, ମୁଣ୍ଡ ବିନ୍ଧା ଓ ପେଟ ଖରାପ ହେବା ଭଳି ସମସ୍ୟା ଦେଖାଦେଇଥାଏ । ଯେହେତୁ ଜେଏନ୍-୧ ଅତ୍ୟଧିକ ସଂକ୍ରାମକ, ତେଣୁ ଏହା କୋଭିଡ୍ର ପ୍ରମୁଖ ଷ୍ଟ୍ରେନରେ ପରିଣତ ହୋଇଛି ।
କରୋନା ଲହରର ଆଶଙ୍କା ? କିପରି ସୁରକ୍ଷା ଦେବେ
ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) ଅନୁଯାୟୀ, ଭୂତାଣୁର ସ୍ପାଇକ୍ ପ୍ରୋଟିନକୁ ଟାର୍ଗେଟ କରୁଥିବା ଟିକା ମଧ୍ୟ ଜେଏନ-୧ ଏବଂ ବିଏ.୨.୮୬ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେବା ଉଚିତ ।
ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲର ଚେଷ୍ଟ ମେଡିସିନର ବରିଷ୍ଠ ପରାମର୍ଶଦାତା ଡାକ୍ତର ଉଜ୍ଜ୍ୱଳ ପ୍ରକାଶ କହିଛନ୍ତି ଯେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ସତର୍କତା ଅବଲମ୍ବନ କରିବା ଜରୁରୀ ।
ଡାକ୍ତର ପ୍ରକାଶ କହିଛନ୍ତି ଯେ କୋଭିଡର ଏକ ନୂତନ ଲହର ଆସୁଛି ବୋଲି କହିବା ଠିକ୍ ହେବ ନାହିଁ । ଏହା ଅନ୍ୟ ଭୂତାଣୁ ସଂକ୍ରମଣ ଭଳି ଅତିକ୍ରମ କରିପାରେ ବୋଲି ସେ କହିଛନ୍ତି । ମାସ୍କ ପିନ୍ଧିବା ସହ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରିବାକୁ ଡାକ୍ତର ପ୍ରକାଶ ପରାମର୍ଶ ଦେଇଛନ୍ତି । ଲକ୍ଷଣ ଦେଖାଗଲେ ପରୀକ୍ଷା କରାଇ ନିଅନ୍ତୁ ।
ଭାରତରେ କୋଭିଡ୍ର କେତେ ସକ୍ରିୟ ମାମଲା
ସୋମବାର ଦେଶରେ ୧୨୭ ଟି ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୨୮କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ, ମୃତ୍ୟୁ ସଂଖ୍ୟା ୫୫,୩୩,୩୧୭କୁ ବୃଦ୍ଧି ପାଇଛି ।