ନୂଆଦିଲ୍ଲୀ: ଦିଲ୍ଲୀରେ ମଦ ନୀତି ଦୁର୍ନୀତି ମାମଲାରେ ଇଡି ସମନ ଏବଂ ଗିରଫ ହେବାଆଶଙ୍କା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏବେ ବିଜେପି ମୋତେ ଗିରଫ କରିବାକୁ ଚାହୁଁଛି । ଇଡି ମୋତେ ନକଲି ସମନ ଜାରି କରୁଛି । ମୋ ଓକିଲ ମୋତେ କହିଥିଲେ ଯେ ମୋ ବିରୋଧରେ ଆସିଥିବା ସମନ ବେଆଇନ । ମୋ ପ୍ରଶ୍ନର ଉତ୍ତର ଇଡି ପାଖରେ ନାହିଁ । ଯଦି ମୋ ବିରୋଧରେ ଆଇନଗତ ସମନ ଆସିବ ତେବେ ମୁଁ ସହଯୋଗ କରିବି ବୋଲି ସେ କହିଛନ୍ତି ।
ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ସମନ ?
ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ଏହି ସମନ ଜାରି କରାଯାଉଛି । ପଚରାଉଚରା ବାହାନାରେ କେଜ୍ରିୱାଲଙ୍କୁ ଡାକି ଗିରଫ କରିବା ବିଜେପିର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହାଦ୍ୱାରା କେଜ୍ରିଓ୍ଵାଲ ଲୋକସଭା ନିର୍ବାଚନରେ ପ୍ରଚାର କରିପାରିବେ ନାହିଁ । ସେ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି ବଳରେ ଆପ୍ ନେତାଙ୍କୁ ବିଜେପିରେ ଯୋଗ ଦେବାକୁ ପାଉଛି । ଯେଉଁମାନେ ବିଜେପିରେ ଯୋଗଦେବେ ସେମାନଙ୍କ ବିରୋଧରେ ସମସ୍ତ ମାମଲା ଲୁଚାଯାଉଛି ।
ଦୁଇ ବର୍ଷର ତଦନ୍ତରୁ କିଛି ମିଳିଲାନି
ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି ଯେ ମଦ ନୀତିର ଦୁର୍ନୀତିର ତଦନ୍ତ ଦୁଇ ବର୍ଷ ହେଲା ଚାଲିଛି । ପୂରା ତଦନ୍ତବେଳେ ସେମାନେ କିଛି ପାଇନଥିଲେ । ସତକଥା ହେଉଛି ଗୋଟିଏ ପଇସା ବି ଦୁର୍ନୀତି ହୋଇନାହିଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ଦୁର୍ନୀତି ହେଉଛି ତେବେ ଟଙ୍କା କେଉଁଠି । ଦେଶରେ କ’ଣ ଚାଲିଛି ? ଯାହା ଚାଲିଛି ତାହା ଅତ୍ୟନ୍ତ ବିପଜ୍ଜନକ ବୋଲି ସେ କହିଛନ୍ତି । ସେ କହିଥିଲେ ଯେ ମୋ ଶରୀର, ମନ ଓ ଧନ ଦେଶ ପାଇଁ । ମୁଁ ମୋର ପୂରା ହୃଦୟରୁ ସେମାନଙ୍କ ବିରୋଧରେ ଲଢ଼େଇ କରୁଛି । ସେ କହିଛନ୍ତି ଯେ ଏହି ଲଢେଇରେ ମୋତେ ଆପଣଙ୍କ ସମର୍ଥନ ଦରକାର ।