ନୂଆଦିଲ୍ଲୀ: ବୁଧବାର ସଂସଦରେ ଏକ ବଡ଼ ଧରଣର ସୁରକ୍ଷା ଉଲ୍ଲଂଘନ କରି ଦୁଇଜଣ ବ୍ୟକ୍ତି ଦର୍ଶକ ଗ୍ୟାଲେରୀରୁ ସାଂସଦମାନେ ବସିଥିବା ଅଞ୍ଚଳକୁ ଡେଇଁ ଥିଲେ, କନିଷ୍ଟରରୁ ହଳଦିଆ ଗ୍ୟାସ୍ ଛାଡ଼ି ସ୍ଲୋଗାନ ଦେଇଥିଲେ । ଖୁବ୍ ଶୀଘ୍ର ସେମାନଙ୍କୁ ସାଂସଦମାନେ କାବୁ କରିଥିଲେ । ଏହି ଦୁଇଜଣ ହେଲେ ସାଗର ଶର୍ମା ଓ ମନୋରଞ୍ଜନ ଡି.
ଲୋକସଭାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିବାବେଳେ ସଂସଦ ପରିସର ବାହାରେ ଜଣେ ପୁରୁଷ ଓ ଜଣେ ମହିଳା କନିଷ୍ଟରରୁ ରଙ୍ଗୀନ ଗ୍ୟାସ୍ ସିଞ୍ଚନ କରିବା ସହ ସ୍ଲୋଗାନ ଦେଇଥିଲେ । ଦୁହେଁ ହେଲେ ଅନମୋଲ ଓ ନୀଲମ ।
ଦୁଇ ଦଶନ୍ଧି ତଳେ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ସଂସଦରେ ସୁରକ୍ଷା ଉଲ୍ଲଂଘନ ପରେ ସମସ୍ତ ୪ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଚାରିଜଣ ପରସ୍ପରକୁ ଜାଣିଥିଲେ । ସେମାନେ ସୋସିଆଲ ମିଡିଆରେ ପରସ୍ପର ସହ ଯୋଡ଼ି ହୋଇ ଏହି ଯୋଜନା ପ୍ରସ୍ତୁତ କରିଥିଲେ ବୋଲି ସୂତ୍ରରୁ ପ୍ରକାଶ ।
ମିଳିଥିବା ସୂଚନା ଅନୁଯାୟୀ, ଏହି ଷଡ଼ଯନ୍ତ୍ରରେ ୬ ଜଣ ସମ୍ପୃକ୍ତ ଅଛନ୍ତି । ଦୁଇଜଣ ବ୍ୟକ୍ତି ପରିସର ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାବେଳେ ଅନ୍ୟ ଦୁଇଜଣ ବାହାରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଏବେ ଦୁଇଜଣ ସନ୍ଦିଗ୍ଧ ଫେରାର ଥିବାବେଳେ କର୍ତ୍ତୃପକ୍ଷ ଖୋଜାଖୋଜିକୁ ଜୋରଦାର କରିଛନ୍ତି ।
ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀ ବାହାରୁ ଆସିଥିବା ସମସ୍ତ ୫ ଜଣ ବ୍ୟକ୍ତି ଗୁରୁଗ୍ରାମରେ ଲଳିତ ଝା ନାମକ ଜଣେ ବ୍ୟକ୍ତିଙ୍କ ବାସଭବନରେ ଏକାଠି ରହିଥିଲେ । ଏଥିରୁ ୫ଜଣଙ୍କ ପରିଚୟ ମିଳିଥିବାବେଳେ ଷଷ୍ଠ ଜଣଙ୍କ ପରିଚୟ ମିଳିପାରିନାହିଁ । ଏଜେନ୍ସିର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂରା ଅପରେସନକୁ ସୁଚିନ୍ତିତଭାବେ ଯୋଜନା କରାଯାଇଥିଲା ।
ଅନୁପ୍ରବେଶକାରୀଙ୍କ ବିଷୟରେ ଆମେ କ’ଣ ଜାଣିଛୁ
ଶଙ୍କରଲାଲ ଶର୍ମାଙ୍କ ପୁଅ ସାଗର ଶର୍ମା ମଇସୁରୁ ଲୋକସଭା ସଦସ୍ୟ ପ୍ରତାପ ସିହ୍ନାଙ୍କ ଅତିଥିଭାବେ ଦର୍ଶକ ଗ୍ୟାଲେରୀକୁ ଆସିଥିଲେ । ସାଗର ହେଉଛନ୍ତି ଲକ୍ଷ୍ନୌର ଆଲମବାଗ ଥାନା ଅଞ୍ଚଳର ରାମନଗରର ବାସିନ୍ଦା ।
୩୫ ବର୍ଷୀୟ ମନୋରଂଜନ ଡି କର୍ଣ୍ଣାଟକର ମହୀଶୂରର ବାସିନ୍ଦା । ସେ ବେଙ୍ଗାଲୁରୁର ବିବେକାନନ୍ଦ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।
ସାଗର ଶର୍ମା ଓ ମନୋରଞ୍ଜନ ଡି ପବ୍ଲିକ ଗ୍ୟାଲେରୀରୁ ଚେମ୍ବରରୁ ଡେଇଁ ପଡ଼ିଥିଲେ । ଅନୁପ୍ରବେଶକାରୀମାନେ ଶୀଘ୍ର ଧରାପଡ଼ିଥିଲେ ।
ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଧରାପଡ଼ିଥିବା ନୀଲମ ହରିୟାଣାର ହିସାରରେ ଏକ ପିଜିରେ ରହୁଛନ୍ତି । ସେ ହରିୟାଣା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଅନ୍ୟପକ୍ଷରେ ଅନମୋଲ ମହାରାଷ୍ଟ୍ରର ଲାଟୁର ଜିଲ୍ଲାର ବାସିନ୍ଦା ।
ଦିଲ୍ଲୀ ପୋଲିସ କହିଛି ଯେ ନୀଲମ କିମ୍ବା ଅନମୋଲଙ୍କ ପାଖରେ ମୋବାଇଲ ଫୋନ ନ ଥିଲା । ସେମାନଙ୍କ ପାଖରେ କୌଣସି ବ୍ୟାଗ୍ କିମ୍ବା କୌଣସି ପରିଚୟ ପତ୍ର ନ ଥିଲା ।
ସେମାନେ ନିଜେ ସଂସଦରେ ପହଞ୍ଚିଥିବା ଦାବି କରିଛନ୍ତି ଏବଂ କୌଣସି ସଂଗଠନ ସହ ମିଶିଥିବା ମନା କରିଦେଇଛନ୍ତି । ପଚରାଉଚରା ପାଇଁ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରୁଛି ବୋଲି ଦିଲ୍ଲୀ ପୁଲିସ କହିଛି ।