୧୨୦ ବର୍ଷ ମଧ୍ୟରେ ସବୁଠାରୁ ଶୁଖିଲା ଅଗଷ୍ଟ: ସ୍ୱାଭାବିକ ଠାରୁ ୩୩% କମ୍ ବର୍ଷା

Must read

ଭୁବନେଶ୍ୱର: ଅଗଷ୍ଟ ଶେଷ ହେବାକୁ ଯାଉଛି ଏବଂ ଦେଶରେ ବର୍ଷା ନାହିଁ । ଅଗଷ୍ଟମାସରେ ଆଉ ଦୁଇ ଦିନ ବାକି ଥିବାବେଳେ ଉତ୍ତର-ପୂର୍ବର କିଛି ରାଜ୍ୟ ଓ ଦକ୍ଷିଣର କିଛି ଅଞ୍ଚଳକୁ ବାଦ୍ ଦେଲେ ଏହି ଦୁଇ ଦିନ ଭଲ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

୧୯୦୧ ପରଠାରୁ ଚଳିତ ବର୍ଷର ଅଗଷ୍ଟ ସବୁଠାରୁ ଶୁଖିଲା ଅଗଷ୍ଟରେ ପରିଣତ ହୋଇଛି । ମୌସୁମୀ ବିରତି ଯୋଗୁଁ ଉତ୍ତର-ପୂର୍ବ ଏବଂ ହିମାଚଳ-ଉତ୍ତରାଖଣ୍ଡ ବ୍ୟତୀତ ଅଗଷ୍ଟ ମାସରେ ବର୍ଷାର ଘୋର ଅଭାବ ଦେଖାଦେଇଥିଲା । ଫଳରେ ଅଗଷ୍ଟ ମାସର ହାରାହାରି ତାପମାତ୍ରା ୨୭.୫୫ ଡିଗ୍ରୀ ରହିଥିବାବେଳେ ହାରାହାରି ୨୯ ଦିନ ଏହାଠାରୁ ଅଧିକ ରହିଛି । ଏହି ଟ୍ରେଣ୍ଡ ଅନୁଯାୟୀ ଦୁଇ ଦିନ ପରେ ଅଗଷ୍ଟ ଶେଷ ହେଲେ ଏହା ଇତିହାସର ସବୁଠାରୁ ଉତ୍ତପ୍ତ ଅଗଷ୍ଟ ହୋଇପାରେ ।

ଅଗଷ୍ଟ ମାସର ୨୯ ଦିନ ମଧ୍ୟରୁ ୨୫ ଦିନରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । ବାସ୍ତବରେ ଅଗଷ୍ଟରେ ମୌସୁମୀର ତୃତୀୟ ବିରତି ଚାଲିଛି ଯାହା ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ଜାରି ରହିବ । ଅଗଷ୍ଟ ଶେଷବେଳକୁ ଏହି ମୌସୁମୀ ବ୍ରେକ୍ ଇତିହାସର ଚତୁର୍ଥ ବୃହତ୍ତମ ମୌସୁମୀ ବ୍ରେକ୍ ହେବ । ଚଳିତ ଅଗଷ୍ଟମାସରେ ୩୩% କମ୍ ବର୍ଷା ହୋଇଛି । ଏହି ସଂଖ୍ୟା ୩୫%କୁ ବୃଦ୍ଧି ପାଇପାରେ । ଏହା ଅଗଷ୍ଟରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବର୍ଷା ଅଭାବ ହେବ ।

ମୌସୁମୀ ବର୍ଷାର ଅଭାବ ୯%

ଦକ୍ଷିଣ ଭାରତରେ ଏହି ଅଭାବ ୬୧%, ମଧ୍ୟ ଭାରତରେ ୪୪% ଏବଂ ଉତ୍ତର-ପଶ୍ଚିମ ଭାରତରେ ୩୫% ରହିଛି । ଅଗଷ୍ଟ ୨୯ ତାରିଖ ସୁଦ୍ଧା ଭାରତରେ ୨୪୧ ମିଲିମିଟର ବର୍ଷା ହୋଇଥିବାବେଳେ ଏଥର ମାତ୍ର ୧୬୦ ମିଲିମିଟର ବର୍ଷା ହୋଇଛି । ଅର୍ଥାତ୍ ମୌସୁମୀ ବର୍ଷାରେ ୯% ଅଭାବ ଥିବାବେଳେ ଏବେ ସେପ୍ଟେମ୍ବରରେ ସ୍ୱାଭାବିକ ବର୍ଷା ହେଲେ ମଧ୍ୟ ଭରଣା କରିବା ସମ୍ଭବ ମନେ ହେଉନାହିଁ । ଏଭଳି ସ୍ଥିତି ଲାଗି ରହିଲେ ଗତ ୮ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ବର୍ଷା ମୌସୁମୀ ହେବ ।

ଅଗଷ୍ଟରେ ଅତି କମ୍ ବର୍ଷାର କାରଣ କ’ଣ ?

ପାଣିପାଗ ବିଜ୍ଞାନୀମାନେ ଅଗଷ୍ଟମାସରେ କମ୍ ବୃଷ୍ଟିପାତର କିଛି ତତ୍କାଳ କାରଣ ଦର୍ଶାଇଛନ୍ତି – ଉଦାହରଣସ୍ୱରୂପ, ବଙ୍ଗୋପସାଗରରେ ଏକ ଶକ୍ତିଶାଳୀ ବ୍ୟବସ୍ଥାର ଅନୁପସ୍ଥିତି, ମୌସୁମୀ ଟ୍ରଫ୍ ଲାଇନର ଗୋଟିଏ ପ୍ରାନ୍ତ ହିମାଳୟ ପାଦଦେଶକୁ ଯାଇଥିଲା । ଏହାବ୍ୟତୀତ ଏଭଳି ପରିସ୍ଥିତି ପଛରେ ଏଲ୍-ନିନୋ ସକ୍ରିୟ ଥିବା କୁହାଯାଉଛି । ଏଲ୍ ନିନୋ ସକ୍ରିୟ ହେଲେ ଭାରତରେ ମୌସୁମୀ ଦୁର୍ବଳ ହୋଇଯାଏ । ଏହି କାରଣରୁ ଦେଶର ଅନେକ ରାଜ୍ୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି ।

ଗତ ୬୫ ବର୍ଷ ମଧ୍ୟରେ ଏଲ୍-ନିନୋ ପ୍ରଶାନ୍ତ ମହାସାଗରରେ ୧୪ ଥର ସକ୍ରିୟ ରହିଛି । ସେଥିମଧ୍ୟରୁ ୯ ଥର ଭାରତରେ ବଡ଼ ଧରଣର ମରୁଡ଼ି ହୋଇଥିଲା । ସେହିପରି ୫ ଥର ମରୁଡ଼ି ହୋଇଥିଲେ ମଧ୍ୟ ଏହାର ପ୍ରଭାବ ସାମାନ୍ୟ ରହିଥିଲା । ପାଣିପାଗ ବିଜ୍ଞାନ ଏବଂ ଜଳବାୟୁ ପରିବର୍ତ୍ତନ ସ୍କାଏମେଟ୍ ସଭାପତି ଜି.ପି. ଶର୍ମା ୨୦୨୩ରେ ୧୯୯୧ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ବାସ୍ତବରେ ଯଦି ସ୍ୱାଭାବିକଠାରୁ ୧୦ ପ୍ରତିଶତ କମ୍ ବୃଷ୍ଟିପାତ ହୁଏ ତେବେ ପାଣିପାଗ ବିଜ୍ଞାନର ପରିଭାଷାରେ ଏହାକୁ ସାମାନ୍ୟ ମରୁଡ଼ି ବା ମଧ୍ୟମ ମରୁଡ଼ି ବର୍ଷ କୁହାଯାଏ ।

ଅଗଷ୍ଟ ମାସରେ ଅତି କମ୍ ବର୍ଷାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ କେମିତି ପଡ଼ିବ ?

ଭାରତରେ ଚାଷ ଜମି, ପୋଖରୀ ଓ ଜଳ ଉତ୍ସ ଭରିବା ପାଇଁ ଆବଶ୍ୟକ ଜଳର ୭୦% ବର୍ଷାଦ୍ୱାରା ପୂରଣ ହୋଇଥାଏ । ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ଅଗଷ୍ଟମାସରେ ଖୁବ୍ କମ୍ ବର୍ଷା ହୋଇଛି । ମୌସୁମୀ ଆରମ୍ଭ ହେବା ପରେ ଚାଷୀମାନେ ଧାନ, ମକା, ସୋୟାବିନ୍, ଆଖୁ, ଚିନାବାଦାମ ଇତ୍ୟାଦି ବୁଣିଥାନ୍ତି । ଦୀର୍ଘ ଦିନ ଧରି ମରୁଡି ଯୋଗୁଁ ମାଟିରେ ଆଉ କିଛି ବାକି ନାହିଁ, ଯାହା ଫସଲର ବୃଦ୍ଧିକୁ ପ୍ରଭାବିତ କରିଛି । ବିଶେଷଜ୍ଞଙ୍କ ମତରେ ଫସଲ ବର୍ଷା ପାଇଁ ଭୋକିଲା, ଏଥିରେ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଉତ୍ପାଦନ ହ୍ରାସ ପାଇପାରେ । ଯାହାର ପରିଣାମ ଖାଦ୍ୟଶସ୍ୟରେ ମୁଦ୍ରାସ୍ଫୀତି ଆକାରରେ ଦେଖିବାକୁ ମିଳିବ ।

ସେପ୍ଟେମ୍ବରରେ ଅଗଷ୍ଟ ଭଳି ମରୁଡ଼ି ହେବ କି ?

ମୌସୁମୀ ମଡ଼େଲର ବିଶ୍ଳେଷଣରୁ ଜଣାପଡିଛି ଯେ ଏହି ଋତୁର ଶେଷ ପର୍ଯ୍ୟାୟ ବୃଷ୍ଟିପାତ ସେପ୍ଟେମ୍ବର ୪ ପରେ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ହୋଇପାରେ । ତେବେ ଦେଶର ପଶ୍ଚିମ ଭାଗରେ ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୧୫ କିମ୍ବା ୧୬ତାରିଖରୁ ଆରମ୍ଭ ହୋଇପାରେ ବୋଲି ସଙ୍କେତ ମିଳିଛି । ଅନ୍ୟପକ୍ଷରେ ଆଇଏମଡିର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି, ମୌସୁମୀ ବିଦାୟ ସ୍ଥିତି ବର୍ତ୍ତମାନ ଅନିଶ୍ଚିତ । ସାଧାରଣତଃ ସେପ୍ଟେମ୍ବର ୧୭ତାରିଖରୁ ପଶ୍ଚିମ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଥାଏ ।

More articles

LEAVE A REPLY

Please enter your comment!
Please enter your name here

Latest article