ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ନୁହେଁ, ଗୋଟିଏ ଦେଶ ଦୁଇଟି ନିର୍ବାଚନର ସ୍ଥିତି ନିଶ୍ଚିତଭାବେ ଦେଶରେ ସୃଷ୍ଟି ହେଉଛି । ୨୦୨୪ରେ ଅଧା ଓ ୨୦୨୯ରେ ଅଧା ରାଜ୍ୟରେ ଏକାସାଙ୍ଗରେ ନିର୍ବାଚନ କରିବାକୁ ପ୍ରସ୍ତୁତି ଚାଲିଛି । ଏଥିପାଇଁ କ’ଣ ରହିଛି ସମ୍ପୂର୍ଣ୍ଣ ଯୋଜନା, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର…
ନୂଆଦିଲ୍ଲୀ : ଗୋଟିଏ ଦେଶ-ଗୋଟିଏ ନିର୍ବାଚନର ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଯେଉଁ ଫର୍ମୁଲା ଉପରେ ବିଚାର କରୁଛନ୍ତି ତାହା ଅଧୀନରେ ଗୋଟିଏ ଦେଶରେ ଦୁଇଟି ନିର୍ବାଚନ ହୋଇପାରିବ । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସେହି ରାଜ୍ୟଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇ ପାରିବ ଯେଉଁଠାରେ ସରକାର ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ଚାଲିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ସହିତ ଏଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବା ଦରକାର ।
ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ ଭଳି ରାଜ୍ୟ ସରକାରଙ୍କ କାର୍ଯ୍ୟକାଳ ଅଢ଼େଇ ବର୍ଷରୁ କମ୍ ରହିଛି, ସେମାନଙ୍କ କାର୍ଯ୍ୟକାଳ ୨୦୨୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ । ଏହାଦ୍ୱାରା ୨୦୨୯ ସୁଦ୍ଧା ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇପାରିବ । ଏଥିପାଇଁ ସରକାର ଆଇନଗତ ଦିଗ ଉପରେ ବିଚାର କରୁଛନ୍ତି ।
ସମ୍ବିଧାନରେ ସଂଶୋଧନ ଆଣିବାକୁ ପଡ଼ିବ
କେନ୍ଦ୍ର ସରକାର ଯେଉଁଭଳି ଭାବରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥା ଗ୍ରହଣ କରିବାକୁ ବିଚାର କରୁଛନ୍ତି ଏଥିପାଇଁ ସମ୍ବିଧାନରେ ସଂଶୋଧନ କରିବାକୁ ପଡ଼ିବ । ତା’ହେଲେ ହିଁ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ । କେବେ ଓ କେମିତି କାର୍ଯ୍ୟକାରୀ ହେବ ଏହି ବ୍ୟବସ୍ଥା ? ଏହା ସରକାର ନିଷ୍ପତ୍ତି ନେବେ । ବର୍ତ୍ତମାନ ଏଥିପାଇଁ ଏକ ସମ୍ପୂର୍ଣ୍ଣ ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି ।
ରାଜ୍ୟ ସରକାର ରାଜି ହେଲେ ହିଁ ଏହା ସମ୍ଭବ ହେବ
ଆଇନ ଆୟୋଗଙ୍କ କହିବା ଅନୁଯାୟୀ, ଯଦି ୫୦ ପ୍ରତିଶତ ରାଜ୍ୟ ଏହି ସଂଶୋଧନକୁ ଗ୍ରହଣ କରନ୍ତି ତେବେ ଏକାସାଙ୍ଗରେ ନିର୍ବାଚନ ସହଜରେ ହୋଇପାରିବ । ଜଷ୍ଟିସ ଜୀବନ ରେଡ୍ଡୀ କମିଟି ତାଙ୍କ ରିପୋର୍ଟରେ କହିଛି ଯେ ବିଧାନସଭାର କାର୍ଯ୍ୟକାଳ ବୃଦ୍ଧି କିମ୍ବା ହ୍ରାସ କରି ନିର୍ବାଚନ କରାଯାଇ ପାରିବ । ଲୋକ ପ୍ରତିନିଧି ଆଇନ, ୧୯୫୧ ସହିତ ସାମ୍ବିଧାନିକ ସଂଶୋଧନ କରିବାକୁ ପଡ଼ିବ ବୋଲି ଆଇନ ଆୟୋଗ କହି ସାରିଛନ୍ତି । ଯଦି ରାଜ୍ୟର ଦୁଇ ତୃତୀୟାଂଶ ସଦସ୍ୟ ରାଜି ହୁଅନ୍ତି, ତେବେ ସମ୍ପୃକ୍ତ ରାଜ୍ୟ ଏହି ପ୍ରକ୍ରିୟାରେ ସାମିଲ ହୋଇ ପାରିବେ ।
୨୦୧୪ ମସିହାରୁ ପ୍ରସ୍ତୁତି ଚାଲିଛି
୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଗଠନ ହେବା ପରଠାରୁ ଦେଶରେ ସମସ୍ତ ନିର୍ବାଚନ ଏକାସାଙ୍ଗରେ କରିବା ଦିଗରେ ଉଦ୍ୟମ ଆରମ୍ଭ ହୋଇଥିଲା । ୨୦୧୫ରେ ଆଇନ ଓ ନ୍ୟାୟ ସଂକ୍ରାନ୍ତ ସଂସଦୀୟ କମିଟି ନିଜର ୭୯ତମ ରିପୋର୍ଟରେ ଦୁଇଟି ପର୍ଯ୍ୟାୟରେ ଗୋଟିଏ ଦେଶରେ ନିର୍ବାଚନ କରାଇବାକୁ ପରାମର୍ଶ ଦେଇଥିଲେ । ୨୦୧୮ରେ ଆଇନ ଆୟୋଗ ମଧ୍ୟ ଏକ ଡ୍ରାଫ୍ଟ ଜାରି କରିଛନ୍ତି ।
ଯେଉଁ ରାଜ୍ୟଗୁଡ଼ିକ କ୍ଷମତାକୁ ଅଢ଼େଇ ବର୍ଷ ପୂରଣ କରିଛନ୍ତି
୧- ମଧ୍ୟପ୍ରଦେଶ
୨- ରାଜସ୍ଥାନ
୩- ତେଲେଙ୍ଗାନା
୪- ଛତିଶଗଡ଼
୫- ତେଲେଙ୍ଗାନା
୬. ଆନ୍ଧ୍ରପ୍ରଦେଶ
୭- ଝାଡ଼ଖଣ୍ଡ
୮- ଓଡ଼ିଶା
୯- ସିକ୍କିମ
୧୦-ଅରୁଣାଚଳ ପ୍ରଦେଶ
୧୧-ରିୟାଣା
୧୨- ମହାରାଷ୍ଟ୍ର
୧୩- ଝାଡ଼ଖଣ୍ଡ
୧୪- ଦିଲ୍ଲୀ
୧୫- ବିହାର
(୨୦୨୩ରୁ ୨୦୨୫ ପର୍ଯ୍ୟନ୍ତ ଏହି ସବୁ ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ଶେଷ ହେବ)