ମୋଦି ସରକାରଙ୍କ ନିର୍ବାଚନୀ ବଣ୍ଡ କ’ଣ ଏବଂ ସୁପ୍ରିମକୋର୍ଟ କାହିଁକି ଏହାକୁ ବନ୍ଦ କଲେ ?

Must read

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର କିଛିମାସ ପୂର୍ବରୁ ସୁପ୍ରିମକୋର୍ଟ ୬ ବର୍ଷ ପୁରୁଣା ଇଲେକ୍ଟୋରାଲ ବଣ୍ଡ  ଯୋଜନାକୁ ବେଆଇନ ଘୋଷଣା କରିଛନ୍ତି। ଏଥିସହିତ ତୁରନ୍ତ ଏହା ମାଧ୍ୟମରେ ଦାନ ନେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବଣ୍ଡର ଗୋପନୀୟତା ବଜାୟ ରଖିବା ଅସାମ୍ବିଧାନିକ ବୋଲି କୋର୍ଟ କହିଛନ୍ତି। ଏହି ଯୋଜନା ସୂଚନା ଅଧିକାରର ଉଲ୍ଲଂଘନ।

ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗୁରୁବାର ଏହି ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ୨୦୧୯ରୁ ଆଜି ପର୍ଯ୍ୟନ୍ତ ଇଲେକ୍ଟୋରାଲ ବଣ୍ଡ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ଦେବାକୁ ପଡ଼ିବ । ଆୟକର ଆଇନର ଧାରା ୧୩୯ ଦ୍ୱାରା ସଂଶୋଧିତ ଧାରା ୨୯(୧)(ସି)କୁ ଇଲେକ୍ଟୋରାଲ ବଣ୍ଡ ସ୍କିମ୍ ଉଲ୍ଲଂଘନ କରିଛି ଏବଂ ଅର୍ଥ ଆଇନ, ୨୦୧୭ ଦ୍ୱାରା ସଂଶୋଧିତ ଧାରା ୧୩(ବି)ର ଉଲ୍ଲଂଘନ କରିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଇଲେକ୍ଟୋରାଲ ବଣ୍ଡ ଜାରି କରୁଥିବା ବ୍ୟାଙ୍କ ଅର୍ଥାତ୍ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଇଲେକ୍ଟୋରାଲ ବଣ୍ଡ ଗ୍ରହଣ କରୁଥିବା ରାଜନୈତିକ ଦଳର ବିବରଣୀ ଏବଂ ପ୍ରାପ୍ତ ସମସ୍ତ ସୂଚନା ପ୍ରକାଶ କରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୬ ତାରିଖ ସୁଦ୍ଧା ସେମାନଙ୍କୁ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରାଯିବ। ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଇସିଆଇ ଏହାକୁ ଅଫିସିଆଲ ୱେବସାଇଟରେ ପ୍ରକାଶ କରିବ। ଏହାପରେ ରାଜନୈତିକ ଦଳଗୁଡ଼ିକ ଇଲେକ୍ଟୋରାଲ ବଣ୍ଡ ରାଶି କ୍ରେତାଙ୍କ ଆକାଉଣ୍ଟକୁ ଫେରସ୍ତ କରିବେ। ଜାଣନ୍ତୁ ସୁପ୍ରିମକୋର୍ଟଙ୍କ ଏହି ରାୟର ଅର୍ଥ କ’ଣ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ସରକାରଙ୍କ ଉପରେ କିପରି ପ୍ରଭାବ ପକାଇବ ?

ଇଲେକ୍ଟୋରାଲ ବଣ୍ଡ କ’ଣ ?

ଇଲେକ୍ଟୋରାଲ ବଣ୍ଡ ହେଉଛି ସୁଧମୁକ୍ତ ବଣ୍ଡ ବା ମନି ଇନଷ୍ଟ୍ରୁମେଣ୍ଟ ଯାହାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଅଧିକୃତ ଶାଖାରୁ ଭାରତର କମ୍ପାନୀ ଏବଂ ବ୍ୟକ୍ତିବିଶେଷ କିଣିପାରିବେ । ଏହି ବଣ୍ଡଗୁଡ଼ିକ ୧୦୦୦, ୧୦,୦୦୦, ୧ ଲକ୍ଷ, ୧୦ ଲକ୍ଷ ଏବଂ ୧ କୋଟି ଟଙ୍କାର ଗୁଣାତ୍ମକ ମୂଲ୍ୟରେ ବିକ୍ରି ହୋଇଥିଲା। କୌଣସି ରାଜନୈତିକ ଦଳକୁ ଚାନ୍ଦା ଦେବା ପାଇଁ କେୱାଇସି ଅନୁଯାୟୀ ଆକାଉଣ୍ଟ ଜରିଆରେ ଏହାକୁ କିଣାଯାଇପାରିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜନୈତିକ ଦଳଗୁଡ଼ିକୁ ଏଗୁଡ଼ିକୁ ନଗଦ କରିବାକୁ ପଡ଼ିଥିଲା। ଦସ୍ତାବିଜରେ ଦାତାଙ୍କ ନାମ ଏବଂ ଅନ୍ୟାନ୍ୟ ସୂଚନା ରେକର୍ଡ କରାଯାଇନାହିଁ ଏବଂ ତେଣୁ ଇଲେକ୍ଟୋରାଲ ବଣ୍ଡକୁ ଅନାମବୋଲି କୁହାଯାଏ । କୌଣସି ବ୍ୟକ୍ତି କିମ୍ବା ସଂସ୍ଥା କେତେ ସଂଖ୍ୟକ ଇଲେକ୍ଟୋରାଲ ବଣ୍ଡ କିଣିପାରିବେ ତାହା ଉପରେ କୌଣସି ସୀମା ନ ଥିଲା। ସରକାର ୨୦୧୬ ଏବଂ ୨୦୧୭ର ଫାଇନାନ୍ସ ଆକ୍ଟ ଜରିଆରେ ଇଲେକ୍ଟୋରାଲ ବଣ୍ଡ ସ୍କିମ୍ ପ୍ରଚଳନ କରିବା ପାଇଁ ୪ଟି ଆଇନରେ ସଂଶୋଧନ କରିଥିଲେ। ଜନପ୍ରତିନିଧି ଆଇନ, ୧୯୫୧,(ଆରପିଏ), କମ୍ପାନୀ ଆଇନ, ୨୦୧୩, ଆୟକର ଆଇନ, ୧୯୬୧ ଏବଂ ବିଦେଶୀ ଯୋଗଦାନ ନିୟନ୍ତ୍ରଣ ଆଇନ, ୨୦୧୦ (ଏଫସିଆରଏ), ୨୦୧୬ ଏବଂ ୨୦୧୭ର ଫାଇନାନ୍ସ ଆକ୍ଟ ଜରିଆରେ ଏହି ସଂଶୋଧନ ଆଇନ ପ୍ରଣୟନ କରାଯାଇଥିଲା। ୨୦୧୭ରେ କେନ୍ଦ୍ର ସରକାର ଅର୍ଥ ବିଲଭାବେ ଇଲେକ୍ଟୋରାଲ ବଣ୍ଡ ସ୍କିମକୁ ଗୃହରେ ଆଗତ କରିଥିଲେ। ସଂସଦରେ ଇଲେକ୍ଟୋରାଲ ବଣ୍ଡ ଯୋଜନାର ବିଜ୍ଞପ୍ତି ପାରିତ ହେବା ପରେ ୨୦୧୮ ଜାନୁଆରୀ ୨୯ରେ ଜାରି କରାଯାଇଥିଲା।

ଅଦାଲତଙ୍କ ରାୟର ପ୍ରମୁଖ ପ୍ରସଙ୍ଗ

  • ଅର୍ଥ ଆଇନ, ୨୦୧୭ ଦ୍ୱାରା ସଂଶୋଧିତ ଧାରା ୧୩୯ ଏବଂ ଧାରା ୧୩(ବି) ଦ୍ୱାରା ସଂଶୋଧିତ ଆୟକର ଆଇନର ଧାରା ୨୯(୧)(ସି)ର ଉଲ୍ଲଂଘନ କରୁଛି ଇଲେକ୍ଟୋରାଲ ବଣ୍ଡ ସ୍କିମ ।
  • ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଇଲେକ୍ଟୋରାଲ ବଣ୍ଡ ଗ୍ରହଣ କରୁଥିବା ରାଜନୈତିକ ଦଳଗୁଡ଼ିକର ବିବରଣୀ ଏବଂ ସେମାନଙ୍କଠାରୁ ମିଳିଥିବା ସୂଚନା ପ୍ରକାଶ କରିବା ଉଚିତ। ଏହା ସହ ମାର୍ଚ୍ଚ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରବେ।
  • ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗ ନିଜ ଅଫିସିଆଲ ୱେବସାଇଟରେ ଏହି ସୂଚନା ପ୍ରକାଶ କରିବେ। ଏହାପରେ ରାଜନୈତିକ ଦଳମାନେ ଇଲେକ୍ଟୋରାଲ ବଣ୍ଡ ରାଶି କ୍ରେତାଙ୍କ ଆକାଉଣ୍ଟକୁ ଫେରସ୍ତ କରିବେ।
  • ଏହି ଯୋଜନା ଶାସକ ଦଳକୁ ଫାଇଦା ଉଠାଇବାରେ ସହାୟକ ହେବ।
  • ରାଜନୀତିରେ କଳାଧନକୁ ରୋକିବାରେ ଏହା ସହାୟକ ହେବ ବୋଲି କହି ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ଯୁକ୍ତିଯୁକ୍ତ କରାଯାଇପାରିବ ନାହିଁ ।
  • ଦାତାଙ୍କ ଗୋପନୀୟତା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସମ୍ପୂର୍ଣ୍ଣ ରିହାତି ଦେଇ ରାଜନୈତିକ ପାଣ୍ଠିରେ ସ୍ୱଚ୍ଛତା ହାସଲ କରାଯାଇପାରିବ ନାହିଁ।

More articles

LEAVE A REPLY

Please enter your comment!
Please enter your name here

Latest article