୨୦୧୪ ପରଠାରୁ ଅନେକ ପରିସଂଖ୍ୟାନ
ଭୁବନେଶ୍ୱର: ଗଣତନ୍ତ୍ରରେ ଲୋକଙ୍କ ଭୋଟରେ ସରକାର ଗଠନ ଓ ଭଙ୍ଗ ହୋଇଥାଏ। ସମଗ୍ର ନିର୍ବାଚନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ପ୍ରଚାର । ଦୁଇ ଦଶନ୍ଧି ପୂର୍ବରୁ ଟିଭି ଓ ଖବରକାଗଜ ପ୍ରଚାରର ସବୁଠାରୁ ବଡ଼ ମାଧ୍ୟମ ଥିଲା।
୨୪ ଘଣ୍ଟାରେ ଥରେ ଖବରକାଗଜ ପ୍ରକାଶ ପାଇବା ପରେ ଖବରକାଗଜ ସର୍ବସାଧାରଣଙ୍କ ପାଖରେ ପହଞ୍ଚୁଥିବାବେଳେ ଟେଲିଭିଜନରେ ୨୪ ଘଣ୍ଟିଆ ଖବର ପ୍ରକାଶ ପାଇଥାଏ। କିନ୍ତୁ ଏବେ ସେକେଣ୍ଡରେ ଲୋକଙ୍କ ପାଖରେ ସୂଚନା ପହଞ୍ଚୁଛି ଏବଂ ଏହାର ସବୁଠାରୁ ବଡ଼ ମାଧ୍ୟମ ହେଉଛି ସୋସିଆଲ ମିଡିଆ।
୨୦୧୪ ଲୋକସଭା ନିର୍ବାଚନ ପରଠାରୁ ସୋସିଆଲ ମିଡିଆ ଭାରତରେ ନିର୍ବାଚନର ପ୍ରକୃତ ଆଧାର ପାଲଟିଛି। ହ୍ଵାଟ୍ସଆପ୍, ଫେସବୁକ୍, ଏକ୍ସ (ପୂର୍ବରୁ ଟ୍ୱିଟର), ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ଏବଂ ଗୁଗୁଲ୍ ଭଳି ପ୍ଲାଟଫର୍ମ ନିର୍ବାଚନ ଫଳାଫଳ ବଦଳାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।
୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସୋସିଆଲ ମିଡିଆକୁ ସବୁଠାରୁ ବଡ଼ ଅସ୍ତ୍ର କରିଥିଲା। ସେତେବେଳେ କ୍ଷମତାରେ ଥିବା କଂଗ୍ରେସ ନିଜର ଶକ୍ତିକୁ ବୁଝି ପାରିନଥିଲା ଏବଂ ବାକି ବିରୋଧୀ ଦଳମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଥିଲା।
କିନ୍ତୁ ୨୦୧୯ ଲୋକସଭା ନିର୍ବାଚନବେଳକୁ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ମଧ୍ୟ ଏହି ଖେଳରେ ପାରଙ୍ଗମ ହୋଇଯାଇଥିଲେ। ୨୦୧୫ ପରେ ସୋସିଆଲ ମିଡିଆରେ ରାହୁଲ ଗାନ୍ଧିଙ୍କ ଫଲୋଅର୍ସ ସଂଖ୍ୟା ମଧ୍ୟ ବହୁ ସଂଖ୍ୟାରେ ବୃଦ୍ଧି ପାଇଛି। ଭାରତରେ ଇଣ୍ଟରନେଟ୍ ଲୋକଙ୍କ ପାଖରେ ପହଞ୍ଚିବା ପରେ ରାଜନୈତିକ ଦଳଗୁଡ଼ିକ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପହଞ୍ଚିବା ଆରମ୍ଭ କରିଛନ୍ତି।
ଏବେ ସୋସିଆଲ ମିଡିଆରେ ନ ଥିବା ପାର୍ଟି ଖୁବ୍ କମ୍ ହେବ। ବିଜେପି, କଂଗ୍ରେସ, ଆମ୍ ଆଦମୀ ପାର୍ଟି ଏବଂ ସମାଜବାଦୀ ପାର୍ଟି ଭଳି ପ୍ରମୁଖ ରାଜନୈତିକ ଦଳମାନେ ନିଜସ୍ୱ ‘ସାଇବର ଆର୍ମି’ ପ୍ରସ୍ତୁତ କରିଛନ୍ତି। ଏହି ଟିମଗୁଡ଼ିକ ୨୪ ଘଣ୍ଟା ଧରି କିଛି ଏଜେଣ୍ଡା କିମ୍ବା ପ୍ରଚାର ପ୍ରସାରରେ ନିୟୋଜିତ ଅଛନ୍ତି। କୌଣସି ସୂଚନା ସେକେଣ୍ଡରେ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚୁଛି। ଯୁବପିଢ଼ି ଏହି ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିଥାନ୍ତି ଏବଂ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସୋସିଆଲ ମିଡିଆ ହେଉଛି ସବୁଠାରୁ ସହଜ ମାଧ୍ୟମ।
୨୦୧୯ରେ ହୋଇଥିବା ଏକ ସର୍ଭେ ଅନୁଯାୟୀ, ୨୦୧୪ ପୂର୍ବରୁ ପ୍ରତି ୧୦ ଜଣ ଭୋଟରଙ୍କ ମଧ୍ୟରୁ ମାତ୍ର ଜଣେ ଫେସବୁକ୍ ବ୍ୟବହାର କରୁଥିଲେ। କିନ୍ତୁ ୨୦୧୭ ବେଳକୁ ଏହା ୨୦ ପ୍ରତିଶତ ବୃଦ୍ଧି ପାଇଥିଲା ଅର୍ଥାତ୍ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇଥିଲା। ଏହାପରେ ୨୦୧୯ ନିର୍ବାଚନରେ ଏହା ୩୨ ପ୍ରତିଶତ ବୃଦ୍ଧି ପାଇଥିଲା।
ହ୍ୱାଟ୍ସଆପରେ ମଧ୍ୟ ସମାନ ତଥ୍ୟ ଥିଲା ଏବଂ ୨୦୧୭ରେ ୨୨% ଏବଂ ୨୦୧୯ ସୁଦ୍ଧା ୩୪% ବୃଦ୍ଧି ଘଟିଥିଲା। ଏହି ସମୟ ମଧ୍ୟରେ ଫେସବୁକ୍ ଓ ହ୍ଵାଟ୍ସଆପ୍ ଭଳି ୟୁଟ୍ୟୁବ୍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ସମାନ ପ୍ରତିଶତରେ ବୃଦ୍ଧି ପାଇଛି। ୨୦୧୯ରେ ୩୧ ପ୍ରତିଶତ ଭୋଟର ଏହାକୁ ବ୍ୟବହାର କରୁଥିଲେ। ସେହିପରି ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ସଂଖ୍ୟା ୧୫ ପ୍ରତିଶତ ଥିଲା।
ଟ୍ୱିଟର ବିଷୟରେ କହିବାକୁ ଗଲେ ୨୦୧୪ରେ ୨ ପ୍ରତିଶତ ଭୋଟର ଏହାକୁ ବ୍ୟବହାର କରୁଥିଲେ, କିନ୍ତୁ ୨୦୧୯ରେ ଏହି ସଂଖ୍ୟା ୧୨ ପ୍ରତିଶତରେ ପହଞ୍ଚିଥିଲା। ପ୍ରତି ୮ ଜଣ ଭୋଟରଙ୍କ ମଧ୍ୟରୁ ଜଣେ ଏହି ସୋସିଆଲ ମିଡିଆରେ ସକ୍ରିୟ ଥିଲେ।
କିଏ କେତେ ଟଙ୍କା ଖର୍ଚ୍ଚ କରୁଛି?
ପାଖାପାଖି ଗତ ୫ ବର୍ଷ ଅର୍ଥାତ୍ ୨୦୧୯ରୁ ୨୦୨୩ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଫେସବୁକରେ ପ୍ରଚାର ପାଇଁ ୩୩ କୋଟି ଟଙ୍କା ଖର୍ଚ୍ଚ କରିଛି। ତେବେ ଏହା ସମସ୍ତ ପରାମର୍ଶଦାତାଙ୍କ ଦ୍ୱାରା ଫେସବୁକରେ ଖର୍ଚ୍ଚ କରାଯାଇଥିବା ମୋଟ ଅର୍ଥର ୧୦ ପ୍ରତିଶତ ଅଟେ।
ଏହି ସମୟ ମଧ୍ୟରେ କଂଗ୍ରେସ ୧୦.୫୮ କୋଟି, ତୃଣମୂଳ କଂଗ୍ରେସ ୮.୦୪ କୋଟି, ଡିଏମକେ ୪.୩୧ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହି ସମ୍ପୂର୍ଣ୍ଣ ତଥ୍ୟ ବିଜନେସ୍ ଲାଇନ୍ ଦ୍ୱାରା କରାଯାଇଥିବା ଏକ ଗବେଷଣା ଉପରେ ଆଧାରିତ। ଏହା ହେଉଛି ଫେସବୁକରେ ଥିବା ପେଜଗୁଡ଼ିକର ଡାଟା ଯାହା ପାର୍ଟି ନାମରେ ଚାଲୁଛି। ଏଥିରେ ନେତାଙ୍କ ବ୍ୟକ୍ତିଗତ ପୃଷ୍ଠାରୁ ତଥ୍ୟ ଅନ୍ତର୍ଭୁକ୍ତ ନାହିଁ।
worldpopulationreview.com ଅନୁଯାୟୀ, ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଫେସବୁକ ବ୍ୟବହାରକାରୀ ଦେଶ। ବର୍ତ୍ତମାନ ଏହି ସଂଖ୍ୟା ୩୧.୫ କୋଟି ରହିଛି। ଏବେ ଏହି ତଥ୍ୟରୁ ଆପଣ ବୁଝିପାରିବେ ଫେସବୁକ କେତେ ବଡ଼ ପ୍ରଚାରର ମାଧ୍ୟମ ଏବଂ ରାଜନୈତିକ ଦଳମାନେ ଫେସବୁକରେ କାହିଁକି ଟଙ୍କା ଖର୍ଚ୍ଚ କରୁଛନ୍ତି।
ଇଣ୍ଡିଆନ୍ ପଲିଟିକାଲ୍ ଆକ୍ସନ କମିଟି (ଆଇ-ପାକ୍) ଅନେକ ରାଜନୈତିକ ଦଳର ଡିଜିଟାଲ୍ ପ୍ରମୋସନ୍ ଦାୟିତ୍ୱ ନେଇଛି। ଯେଉଁଥିରେ ଏଆଇଟିସି ଓ ୱାଇଏସଆର କଂଗ୍ରେସ ସାମିଲ ଅଛନ୍ତି। ଏହାବ୍ୟତୀତ ଆଇ-ପାକ୍ ୨୦୨୧ରେ ଅନୁଷ୍ଠିତ ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମକେ ଏବଂ ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପାଇଁ ମଧ୍ୟ କାର୍ଯ୍ୟ କରିଛି।
କିଏ ଅଫିସିଆଲ୍ ପେଜରେ କେତେ ଖର୍ଚ୍ଚ କରିଛି
ଗତ ପାଞ୍ଚବର୍ଷ ମଧ୍ୟରେ ବିଜେପିର ଅଫିସିଆଲ୍ ପେଜରେ ୧୦.୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାପରେ କୁପ୍ ଆପ୍ ପାଇଁ ୭.୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଟିଏମସିର ପେଜ୍ ‘ବଙ୍ଗଳାର ଗୋର୍ବୋ ମମତା’ ପାଇଁ ୫.୮୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଫେସବୁକରେ ଯେଉଁ ୧୫ଟି ପେଜରେ ସର୍ବାଧିକ ଟଙ୍କା ଖର୍ଚ୍ଚ ହୋଇଛି, ସେଥିମଧ୍ୟରୁ ୬ଟି ପେଜ ବିଜେପିର ଏବଂ ୨ଟି ପେଜ କଂଗ୍ରେସର। ଏହାବ୍ୟତୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ପ୍ରଚାର କରିଥିବା ‘ଏକ ଧୋଖା କେଜ୍ରିୱାଲ ନେ’ ପୃଷ୍ଠାରେ ଗତ ୫ ବର୍ଷ ମଧ୍ୟରେ ୩.୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ପୃଷ୍ଠାର ନାମ ପୂର୍ବରୁ ‘ପଲ୍ଟୁ ଏକ୍ସପ୍ରେସ୍’ ଥିଲା। ଏତଦ୍ ବ୍ୟତୀତ ‘ଉଲ୍ଟା ଚସ୍ମା’ ନାମକ ଏକ ପେଜ ରହିଛି ଯେଉଁଥିରେ ବିରୋଧୀ ମେଣ୍ଟରେ ସାମିଲ ରାହୁଲ ଗାନ୍ଧି, ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଭଳି ନେତାଙ୍କ ବିରୋଧରେ ଅଭିଯାନ ଚାଲିଛି। ଗତ ପାଞ୍ଚବର୍ଷ ମଧ୍ୟରେ ଏଥିପାଇଁ ୧.୯୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି।