ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କ ପତ୍ନୀ ସାରା ଅବଦୁଲ୍ଲାଙ୍କୁ ଛାଡ଼ପତ୍ର ଦେଇଛନ୍ତି । ସଚିନ ଓ ସାରା ୨୦୦୪ରେ ବିବାହ କରିଥିଲେ । ସାରା ଅବଦୁଲ୍ଲା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଝିଅ ଏବଂ ଓମାର ଅବଦୁଲ୍ଲାଙ୍କ ଭଉଣୀ ।
ସଚିନ ପାଇଲଟ ରାଜସ୍ଥାନ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାମାତ୍ରେ ଖବର ପ୍ରସାରିତ ହୋଇଥିଲା ଯେ ସେ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହୋଇଯାଇଛନ୍ତି । ବାସ୍ତବରେ ସେ ନିଜେ ସତ୍ୟପାଠରେ ଏହା ପ୍ରକାଶ କରିଛନ୍ତି । ନିକଟ ଅତୀତରେ ସଚିନ ପାଇଲଟଙ୍କ ପୂର୍ବରୁ ମଧ୍ୟ ଏମିତି ଅନେକ ନେତା ଅଛନ୍ତି, ଯେଉଁମାନଙ୍କର ଜୀବନସାଥୀଙ୍କ ସହ ଛାଡ଼ପତ୍ର ଚର୍ଚ୍ଚାରେ ରହିଥିଲା । ଆସନ୍ତୁ ନଜର ପକାଇବା …
ଚଳିତ ବର୍ଷ ଏପ୍ରିଲ ମାସରେ ୟୁପିର ଯୋଗୀ ଆଦିତ୍ୟନାଥ ସରକାରରେ ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହଙ୍କ ଛାଡ଼ପତ୍ର ହୋଇଥିଲା । ତାଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱାତୀ ସିଂହ ତାଙ୍କର ୨୨ ବର୍ଷର ବିବାହକୁ ଛାଡ଼ପତ୍ର ଦେଇ ଶେଷ କରିଥିଲେ ।
ଦୟାଶଙ୍କର ସିଂ ଛାଡ଼ପତ୍ର ଉପରେ କହିଥିଲେ ଯେ ଏହି ଛାଡ଼ପତ୍ର ତାଙ୍କ ଇଚ୍ଛା ବିରୁଦ୍ଧରେ । ସେ ଗୋଟିଏ ଦିନ ବି କୋର୍ଟ ଯାଇନଥିଲେ । ଏହା ସତ୍ତ୍ୱେ ଯଦି ସ୍ୱାତୀ ଅଲଗା ହୋଇଯାଇଛନ୍ତି, ତେବେ କିଛି ଫରକ ପଡ଼େ ନାହିଁ ।
ବିଜେପି ସାଂସଦ ମନୋଜ ତିୱାରୀଙ୍କ ଛାଡ଼ପତ୍ର ମଧ୍ୟ ଚର୍ଚ୍ଚାରେ ରହିଥିଲା । ମନୋଜ ତିୱାରୀ କହିଥିଲେ ଯେ ସେ କେବେବି ଛାଡ଼ପତ୍ର ନେବାକୁ ଚାହୁଁନଥିଲେ । ମନୋଜ ତିୱାରୀଙ୍କ କହିବା ଅନୁଯାୟୀ, ସେ ତାଙ୍କ ପତ୍ନୀ ରାଣୀ ତିୱାରୀଙ୍କୁ ଛାଡ଼ପତ୍ର ନ ଦେବା ପାଇଁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ଛାଡ଼ପତ୍ରର ଯନ୍ତ୍ରଣା ଭୋଗୁଛନ୍ତି । ଛାଡ଼ପତ୍ର ପରେ ମାନ ନିଜ ଫେସବୁକରେ ଏକ ପୋଷ୍ଟ ଲେଖିଥିଲେ ଯେ ସେ ଜନସାଧାରଣଙ୍କ ସେବା କରିବା ପାଇଁ ବୈବାହିକ ଜୀବନରୁ ଅଲଗା ହୋଇଯାଇଛନ୍ତି ।
ଟିଏମସି ସାଂସଦ ନୁସରତ ଜାହାଁଙ୍କ ଛାଡ଼ପତ୍ର ମଧ୍ୟ ଚର୍ଚ୍ଚାରେ ରହିଥିଲା । ନୁସରତ ଜାହାଁ ୨୦୧୯ରେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ଦୁହିଁଙ୍କ ଛାଡ଼ପତ୍ର ହୋଇଯାଇଥିଲା । ନୁସରତ ଜାହାଁ ତାଙ୍କ ଛାଡ଼ପତ୍ର ଖବରକୁ ବୈଷୟିକ ଦୃଷ୍ଟିରୁ ଭୁଲ ବୋଲି କହିଥିଲେ ଏବଂ କହିଥିଲେ ଯେ ଆମର ବିବାହ ଆଇନଗତ ନୁହେଁ ।
ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କ ଅଭିନେତ୍ରୀ ପତ୍ନୀ ପ୍ରିୟଦର୍ଶିନୀଙ୍କଠାରୁ ଛାଡ଼ପତ୍ର ନେଉଛନ୍ତି । ଉଭୟଙ୍କ ମାମଲା ମାସ ମାସ ଧରି କୋର୍ଟରେ ରହିଛି । କୋର୍ଟରେ ଆବେଦନ କରିବା ପରେ ସାଂସଦ କହିଥିଲେ ଯେ ଦୁଇବର୍ଷ ଧରି ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିନଥିଲେ । ଏହା ସେମାନଙ୍କୁ ମାନସିକ ଚାପ ଦେଇଥାଏ । ସେଥିପାଇଁ ସେମାନେ ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି । ଅନୁଭବଙ୍କ ଘର ଛାଡିବାକୁ କୋର୍ଟ ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁଭବଙ୍କୁ ତାଙ୍କ ପତ୍ନୀଙ୍କୁ ମାସିକ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।