ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗ ଦେବେ ନାହିଁ ବୋଲି ନିଶ୍ଚିତ କରିବା ପରେ ଭାରତ ଏବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ନୂଆଦିଲ୍ଲୀ ଗସ୍ତ ପାଇଁ ନିମନ୍ତ୍ରଣ କରିଛି । ଯଦି ଫ୍ରାନ୍ସ ରାଷ୍ଟ୍ରପତି ଏହି ନିମନ୍ତ୍ରଣକୁ ଗ୍ରହଣ କରନ୍ତି, ତେବେ ଭାରତ ଏହାକୁ ଆନୁଷ୍ଠାନିକଭାବେ ଘୋଷଣା କରିବ । ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁଙ୍କୁ ନେଇ ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କରେ ତିକ୍ତତା ଲାଗି ରହିଥିବାବେଳେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଏହି ନିମନ୍ତ୍ରଣ ଦିଆଯାଇଛି । ନୂଆଦିଲ୍ଲୀରେ ଆୟୋଜିତ ଏହି ଭବ୍ୟ ପ୍ୟାରେଡରେ ଫ୍ରାନ୍ସ ନେତା ଷଷ୍ଠଥର ପାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେବେ । ରାଫେଲ ଓ ଆତଙ୍କବାଦ ବିରୋଧରେ ଲଢ଼େଇରେ ଦୁଇଦେଶ ମଧ୍ୟରେ ବନ୍ଧୁତା ବହୁତ ମଜଭୁତ ହୋଇଥିବାବେଳେ ଏହି କାରଣରୁ ଫ୍ରାନ୍ସକୁ ଭାରତ ପାଇଁ ‘ନ୍ୟୁ ରୁଷିଆ’ ବୋଲି କୁହାଯାଉଛି ।
ଫ୍ରାନ୍ସ ହେଉଛି ଏକମାତ୍ର ଦେଶ ଯାହାର ନେତାଙ୍କୁ ଅନେକଥର ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥିଭାବେ ଡକା ଯାଇଛି । ଗତ କିଛିବର୍ଷ ମଧ୍ୟରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବାରେ ଲାଗିଛି । ପୂର୍ବରୁ ଭାରତର ସାଧାରଣତନ୍ତ୍ର ଦିବସ ପରେଡରେ ଆମେରିକା ସମେତ କ୍ୱାଡ୍ ଦେଶମୁଖ୍ୟ ଅତିଥିଭାବେ ଯୋଗଦେବେ ବୋଲି ଯୋଜନା ହୋଇଥିଲା । ଏହି ପ୍ୟାରେଡର ଶେଷ ଅବସରରେ କ୍ୱାଡ୍ ଦେଶ, ବିଶେଷ କରି ଆମେରିକାର ‘କାର୍ଯ୍ୟସୂଚୀ ନ ହେବା’ ନାଁ’ରେ ଝଟକା ଦେବା ପରେ ଏବେ ବନ୍ଧୁ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଛି । କୁହାଯାଉଛି ଯେ ବାଇଡେନ ଭାରତ ଆସିବା ପରିବର୍ତ୍ତେ ଚଳିତ ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି କରିବାକୁ ପସନ୍ଦ କରିଛନ୍ତି ।
ଫ୍ରାନ୍ସ ହେଉଛି ଭାରତର ଦ୍ୱିତୀୟ ରୁଷିଆ
ନିର୍ବାଚନ କାରଣରୁ ବାଇଡେନଙ୍କ ଭାରତ ଗସ୍ତ ହୋଇପାରିନାହିଁ । ଏପରିକି କ୍ୱାଡ୍ ଦେଶଗୁଡ଼ିକର ବୈଠକକୁ ମଧ୍ୟ ସ୍ଥଗିତ ରଖିବାକୁ ପଡ଼ିଛି । ତାହା ମଧ୍ୟ ଯେତେବେଳେ କ୍ୱାଡର କଡ଼ା ପ୍ରତିଦ୍ୱନ୍ଦ୍ୱୀ ଚୀନ୍ ଦକ୍ଷିଣ ଚୀନ୍ ସାଗରରୁ ହିମାଳୟ ପର୍ଯ୍ୟନ୍ତ ନିଜର ସାମରିକ ପ୍ରସ୍ତୁତି ବଢ଼ାଇଛି । ଭାରତ ଓ ଫ୍ରାନ୍ସ ମଧ୍ୟରେ ବନ୍ଧୁତା ବିଷୟରେ କହିବାକୁ ଗଲେ ଏହା କ୍ରମାଗତଭାବେ ବୃଦ୍ଧି ପାଉଛି । ଚଳିତ ବର୍ଷ ଫ୍ରାନ୍ସର ଜାତୀୟ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ୨୦୧୬ରେ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରୋଙ୍କୋଇସ ଓଲାନ୍ଦ ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଭାରତ ଫ୍ରାନ୍ସଠାରୁ କିଣିଥିବା ରାଫେଲ ଲଢୁଆ ବିମାନ ସାଧାରଣତନ୍ତ୍ର ଦିବସ ପରେଡରେ ଉଡ଼ିପାରେ ବୋଲି ବିଶ୍ୱାସ କରାଯାଉଛି ।
ଏବେ ଫ୍ରାନ୍ସ ଭାରତକୁ ନୌସେନା ପାଇଁ ୨୬ଟି ରାଫେଲ ଏମ ଲଢୁଆ ବିମାନ ଦେବାକୁ ଚାହୁଁଛି । ୧୯୭୬ ମସିହାରେ ପ୍ରଥମ ଥର ପାଇଁ ଫ୍ରାନ୍ସର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୋକ୍ ଚିରାକ୍ ସାଧାରଣତନ୍ତ୍ର ଦିବସ ଉତ୍ସବର ମୁଖ୍ୟ ଅତିଥି ହୋଇଥିଲେ । ସାଧାରଣତନ୍ତ୍ର ଦିବସ ପରେଡ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ସମୟରେ କୂଟନୈତିକ ଏବଂ ସାମରିକ ଶକ୍ତି ଖୋଲାଖୋଲି ଭାବରେ ପ୍ରଦର୍ଶିତ ହୋଇଥାଏ । ସେଥିପାଇଁ ଭାରତର ସାଧାରଣତନ୍ତ୍ର ଦିବସ ପରେଡ ଉପରେ ସାରାବିଶ୍ୱର ନଜର ରହିଛି । ଏହାବ୍ୟତୀତ ଫ୍ରାନ୍ସ ଭାରତକୁ ୬ଟି ସ୍କର୍ପିନ୍ ବୁଡ଼ାଜାହାଜ ଦେଇଥିବାବେଳେ ଆଉ ୩ଟି ବୁଡ଼ାଜାହାଜ ଦେବାକୁ ଆଲୋଚନା ଚାଲିଛି । ଚୀନ୍ ଓ ପାକିସ୍ତାନ ନୌସେନା ସହ ମୁକାବିଲା କରିବା ପାଇଁ ଏହି ବୁଡ଼ାଜାହାଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ସବୁବେଳେ ଭାରତ ସହ ଛିଡ଼ା ହୋଇଛି ଫ୍ରାନ୍ସ
ଫ୍ରାନ୍ସ ହେଉଛି ଏକମାତ୍ର ଦେଶ ଯିଏ ଭାରତକୁ ଦ୍ୱିତୀୟ ପରମାଣୁ ପରୀକ୍ଷଣ କରିବାରୁ ଅଟକାଇ ନ ଥିଲା । ଭାରତ ଓ ଫ୍ରାନ୍ସ ମଧ୍ୟରେ ବିଶ୍ୱ ସ୍ତରରେ ବନ୍ଧୁତା ଦେଖିବାକୁ ମିଳିଛି । ଫ୍ରାନ୍ସ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଏବଂ ଏହି ବିଶ୍ୱ ସ୍ତରୀୟ ସଂସ୍ଥାକୁ ସମ୍ପୂର୍ଣ୍ଣ ସମର୍ଥନ କରେ । ଭାରତର ଶତ୍ରୁ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବ ନାହିଁ ବୋଲି ଫ୍ରାନ୍ସ ପ୍ରତିଶ୍ରୁତି ଦେଇଛି । ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦି କ୍ଷମତାକୁ ଫେରିବା ପରେ ଦୁଇଦେଶ ମଧ୍ୟରେ ଏହି ସମ୍ପର୍କ ଆହୁରି ମଜବୁତ ହେବାରେ ଲାଗିଛି । କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦକୁ ନେଇ ଇମାନୁଏଲ ମାକ୍ରୋନ୍ ଅନ୍ୟ ଦେଶମାନଙ୍କ ଭଳି କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । କେବଳ ଏତିକି ନୁହେଁ ଜାତିସଂଘ ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଓ ଚୀନ୍ ଡାକିଥିବା ବୈଠକରେ ପାକିସ୍ତାନ ଓ ଚୀନ୍ ଭାରତକୁ ସମର୍ଥନ କରିଥିଲେ । ମାସୁଦ ଆଝାର ସମ୍ପର୍କିତ ପ୍ରସ୍ତାବରେ ଫ୍ରାନ୍ସ ଭାରତକୁ ସମର୍ଥନ କରିଥିଲା । ଏହି କାରଣରୁ ଫ୍ରାନ୍ସ ଏବେ ଭାରତ ପାଇଁ ‘ନୂଆ ରୁଷିଆ’ ପାଲଟିଛି ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ରୁଷ୍ ଦଶନ୍ଧି ଧରି ଭାରତକୁ ସମର୍ଥନ କରିଆସୁଛି ।