ଇନ୍ଦିରା, ରାଜୀବ ଓ ସୋନିଆଙ୍କୁ ନେତା କରିଥିବା ୟୁପିକୁ ନେଇ ଗାନ୍ଧୀ ପରିବାର ଏବେ ଅସନ୍ତୁଷ୍ଟ !

Must read

କ’ଣ ରହିଛି ରାହୁଲ-ପ୍ରିୟଙ୍କାଙ୍କ ରଣନୀତି ?

ନୂଆଦିଲ୍ଲୀ: ଡିସେମ୍ବର ୨୦ରୁ ଉତ୍ତରପ୍ରଦେଶରେ କଂଗ୍ରେସର ଉତ୍ତରପ୍ରଦେଶ (ୟୁପି) ଜୋଡୋ ଯାତ୍ରା ଆରମ୍ଭ ହୋଇଛି । ସାହାରନପୁରର ପ୍ରସିଦ୍ଧ ସିଦ୍ଧପୀଠ ଶକୁମ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରି ଯାତ୍ରା ଆରମ୍ଭ ହୋଇଛି । ୟୁପି କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟ ଏହି ଯାତ୍ରାର ନେତୃତ୍ୱ ନେଉଛନ୍ତି । କିନ୍ତୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ସ୍ଥାନୀୟ ଲୋକମାନେ ଖୋଜୁଛନ୍ତି । ଗତ କିଛିବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୟୁପିରେ କଂଗ୍ରେସର ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । କିନ୍ତୁ ଏଥିରେ ଗାନ୍ଧୀ ପରିବାରର କେହି ସାମିଲ ହୋଇନାହାନ୍ତି । ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କାହିଁକି ଗାନ୍ଧୀ ପରିବାର ୟୁପିକୁ ଏତେ ଘୃଣା କରୁଛନ୍ତି ?

ନିକଟରେ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ ୟୁପି କଂଗ୍ରେସ ନେତାମାନଙ୍କର ଏକ ବୈଠକ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଏବଂ ୟୁପି ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସହ ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା । ଏହି ବୈଠକରେ ୟୁପିରୁ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟଙ୍କ ସହ ଅନେକ ନେତା ଯୋଗ ଦେଇଥିଲେ । ପୂର୍ବ ଭଳି ରାଜ୍ୟରେ ଗାନ୍ଧୀ ପରିବାର ସଦସ୍ୟଙ୍କ ସକ୍ରିୟ ଉପସ୍ଥିତି ପାଇଁ ୟୁପି ନେତାମାନେ ଇଚ୍ଛା ପ୍ରକାଶ କରିଥିଲେ । ୟୁପି ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଯୋଗଦାନ ପାଇଁ ମଧ୍ୟ ସେ ଅନୁରୋଧ କରିଥିଲେ । କିନ୍ତୁ ବୈଠକରେ ରାହୁଲ ଯାହା କହିଥିଲେ ତାହା କେଉଁଠି ନା କେଉଁଠି ସ୍ପଷ୍ଟ କରିଦେଇଛି ଯେ ଗାନ୍ଧୀ ପରିବାର ଦୃଷ୍ଟିରେ ଏବେ ଉତ୍ତରପ୍ରଦେଶର ସ୍ଥିତି ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କଠାରୁ ଆରମ୍ଭ କରି ରାହୁଲ ଆମେଠିରୁ ସାଂସଦ ହେବା ଭଳି ନାହିଁ ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ୟୁପିରେ ଦଳୀୟ ନେତାଙ୍କ ମଧ୍ୟରେ ଉତ୍ସାହର ଅଭାବ ରହିଛି । ତେଲେଙ୍ଗାନାର ଉଦାହରଣ ଦେଇ ସେ କହିଛନ୍ତି ଯେ ୪ଜଣ ନେତା ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ଏବଂ ସମସ୍ତେ ଦଳକୁ ଜିତାଇବା ପାଇଁ କଠିନ ପରିଶ୍ରମ କରିଥିଲେ । କିନ୍ତୁ ଅପରପକ୍ଷରେ ୟୁପିରେ ଏଭଳି ତିନିଜଣ ନେତା ନାହାନ୍ତି, ଯେଉଁମାନେ ମୁଖ୍ୟମନ୍ତ୍ରୀ ହେବା ପାଇଁ କିଛି ବି କରିବାର ସାମର୍ଥ୍ୟ ରଖିଛନ୍ତି । ମୋଟାମୋଟି ଭାବେ ୟୁପିର ନେତାମାନେ କେବଳ କେନ୍ଦ୍ରୀୟ ନେତୃତ୍ୱ ଉପରେ ନିର୍ଭର କରିବାକୁ ଚାହୁଁଛନ୍ତି, ଯେଉଁ କାରଣରୁ ଦଳ ସେଠାରେ ଠିଆ ହୋଇପାରୁନାହିଁ କି ଜିତିପାରୁନାହିଁ । ରାହୁଲଙ୍କ ଏହି ବୟାନକୁ ନେଇ ଲକ୍ଷ୍ନୌରେ କ୍ଷମତା କରିଡରରେ ଜୋରଦାର ଚର୍ଚ୍ଚା ଚାଲିଛି । ରାଜନୈତିକ ବିଶ୍ଳେଷକମାନେ ଏହାକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖୁଛନ୍ତି ।

‘ନିଜେ କିଛି କରନ୍ତୁ’ ବାର୍ତ୍ତା

ରାହୁଲ ଗାନ୍ଧୀଙ୍କ ଏହି ବୟାନ ଉତ୍ତରପ୍ରଦେଶର କଂଗ୍ରେସ ନେତାମାନଙ୍କୁ କଡ଼ା ବାର୍ତ୍ତା ଦେଇଛି । ତାହା ହେଉଛି ପ୍ରଥମେ ଆପଣ ନିଜେ ସଂଗଠନ ଗଠନ କରନ୍ତୁ । କିଛି କରନ୍ତୁ ଏବଂ ତା’ପରେ କେନ୍ଦ୍ରୀୟ ନେତୃତ୍ୱ କିମ୍ବା ଗାନ୍ଧୀ ପରିବାରକୁ ଆଶା କରନ୍ତୁ । ତେବେ ରାହୁଲଙ୍କ ଯୁକ୍ତିର ମଧ୍ୟ ଏକ ଆଧାର ରହିଛି । ସେ ୧୯୯୯ ମସିହାରୁ ଲଗାତାର ଆମେଥିରୁ ସାଂସଦ ଥିଲେ । ସେ ୟୁପିରେ ଲଗାତାର ସକ୍ରିୟ ଥିଲେ କିନ୍ତୁ ସଂଗଠନ ଠିଆ ହୋଇପାରିନଥିଲା । ରାହୁଲ ଗାନ୍ଧିଙ୍କ ଗସ୍ତକୁ ଦେଖିଲେ ବିମାନବନ୍ଦରରୁ ତାଙ୍କ ସଭାସ୍ଥଳ ପର୍ଯ୍ୟନ୍ତ କଂଗ୍ରେସ ନେତାଙ୍କ ଭିଡ଼ ବେଶ୍ ଦୃଶ୍ୟମାନ ହେଉଥିଲା । ଯଦି ସେ ଆମେଠି ଗସ୍ତ କରିବାକୁ ଆସନ୍ତି, ତେବେ ଲକ୍ଷ୍ନୌରୁ ଆମେଠି ପର୍ଯ୍ୟନ୍ତ ସମସ୍ତ କଂଗ୍ରେସ ନେତାଙ୍କ ଭିଡ଼ ଜମିବ, କିନ୍ତୁ ସେ ଦିଲ୍ଲୀ ଫେରିବାମାତ୍ରେ ୟୁପି କଂଗ୍ରେସ କାର୍ଯ୍ୟାଳୟରେ ନୀରବତା ରହିବ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଗତ କିଛିବର୍ଷ ହେବ ରୀତା ବହୁଗୁଣା ଯୋଶୀ ୟୁପି କଂଗ୍ରେସ ସଭାପତି ଥିବା ସମୟରେ କଂଗ୍ରେସ ଟିକେ ଲଢ଼େଇ କରୁଥିବା ଦେଖିବାକୁ ମିଳିଥିଲା । ଅନେକ ପ୍ରସଙ୍ଗରେ ଦଳ ଲକ୍ଷ୍ନୌଠାରୁ ଆରମ୍ଭ କରି ସାରାରାଜ୍ୟରେ ସଫଳ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଲାଗୁଥିଲା କଂଗ୍ରେସ ସଂଗଠନ ପୁନର୍ଜୀବିତ ହେଉଛି । କିନ୍ତୁ ଏହା ପରେ ଫଳାଫଳ ମିଳିଥିଲା ଶୂନ ।

ରାହୁଲଙ୍କ ପରେ ପ୍ରିୟଙ୍କା ଗାନ୍ଧୀ ଯେତେବେଳେ ୨୦୧୯ରୁ ୟୁପିରେ ସକ୍ରିୟ ହୋଇଥିଲେ, ପ୍ରାୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ସୋନଭଦ୍ରରୁ ଲକ୍ଷ୍ମୀପୁର ଖେରି ପର୍ଯ୍ୟନ୍ତ ପ୍ରିୟଙ୍କା ଗାନ୍ଧି ନିଜ ଆଭିମୁଖ୍ୟରେ ଦଳକୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦିଲ୍ଲୀ ଫେରିବାମାତ୍ରେ ଦଳ ପୁରୁଣା ବାଟକୁ ଫେରିଯାଉଥିଲା । ୨୦୧୯ରେ କଂଗ୍ରେସର ଖରାପ ପରାଜୟ ଏବଂ ଆମେଠିରୁ ରାହୁଲଙ୍କ ପରାଜୟ ଦଳୀୟ ନେତୃତ୍ୱଙ୍କୁ ଆଶ୍ଚର୍ଯ୍ୟ ଓ ନିରାଶ କରିଥିଲା । ଯେତେବେଳେ ରାହୁଲ ଗାନ୍ଧୀ ନିଜେ ୱାୟନାଡରୁ ବିଜୟୀ ହୋଇଥିଲେ, ସେତେବେଳେ ସେ ଦକ୍ଷିଣ ଭାରତ ଏବଂ ଉତ୍ତର ଭାରତର ରାଜନୀତି ମଧ୍ୟରେ ପାର୍ଥକ୍ୟ ବୁଝାଇବା ଆରମ୍ଭ କରିଥିଲେ । ରାହୁଲଙ୍କ ଏହି ବୟାନ ତାଙ୍କୁ ଆମେଥିର ପରାଜୟ ପରେ ଉପୁଜିଥିବା ନିରାଶାକୁ ଅନୁଭବ କରାଇଥିଲା ।

୨୦୨୨ ବିଧାନସଭା ନିର୍ବାଚନରେ ଇତିହାସରେ ସବୁଠାରୁ ଖରାପ ପ୍ରଦର୍ଶନ

୨୦୧୯ରେ କଂଗ୍ରେସ କେବଳ ସୋନିଆ ଗାନ୍ଧୀଙ୍କ ରାଏବରେଲିରୁ ଲୋକସଭା ଆସନ ବଜାୟ ରଖିପାରିଥିଲା । ଏହାପରେ ପ୍ରିୟଙ୍କା ଗାନ୍ଧୀ ସାମ୍ନାକୁ ଆସି ଦଳକୁ ପୁନରୁଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ । ସେ ମଧ୍ୟ ଲକ୍ଷ୍ନୌରେ କ୍ୟାମ୍ପ କରିବା ଆରମ୍ଭ କରିଥିଲେ, କିନ୍ତୁ କଂଗ୍ରେସକୁ ନିର୍ବାଚନରେ ଇତିହାସରେ ସବୁଠାରୁ ଖରାପ ପ୍ରଦର୍ଶନ ଦେଖିବାକୁ ପଡ଼ିଥିଲା । ଏହି ନିର୍ବାଚନରେ କଂଗ୍ରେସ ୪୦୩ ଟି ବିଧାନସଭା ଆସନରୁ ୩୯୯ ଟି ଆସନରେ ପ୍ରାର୍ଥୀ ଦେଇଥିଲା । ଏମାନଙ୍କ ମଧ୍ୟରୁ ୩୮୭ ଜଣ ପ୍ରାର୍ଥୀ ଜାମିନ ହରାଇଥିଲେ । ଏବଂ ଦଳ ମାତ୍ର ୨ଟି ଆସନରେ ବିଜୟୀ ହୋଇପାରିଥିଲା । ଏମାନଙ୍କ ମଧ୍ୟରେ ରାମପୁର ଖାସର ଆରାଧନା ମିଶ୍ର ମୋନା ଏବଂ ମହାରାଜଗଞ୍ଜର ଫରେଣ୍ଡାର ବୀରେନ୍ଦ୍ର ଚୌଧୁରୀ ରହିଛନ୍ତି ।

ଏହି ନିର୍ବାଚନରେ ୟୁପିବାସୀ ଏକ ପ୍ରକାରରେ କଂଗ୍ରେସକୁ ଦର୍ପଣ ଦେଖାଇଥିଲେ । ସେମାନେ ତାଙ୍କୁ କହିଥିଲେ ଯେ ସେମାନେ ଜାଣିଥିବା କଂଗ୍ରେସ ଅତୀତର କଥା । ସେହିପରି ୨୦୨୨ରେ ଏହି ପରାଜୟ ପରେ ପ୍ରିୟଙ୍କା ଗାନ୍ଧି ମଧ୍ୟ ୟୁପିଠାରୁ ନିଜକୁ ଦୂରେଇ ନେଇଛନ୍ତି ।

ରାହୁଲ ଗାନ୍ଧୀ କ’ଣ ଦକ୍ଷିଣକୁ ନେଇ ଖୁସିରେ ଅଛନ୍ତି ?

ଉତ୍ତରପ୍ରଦେଶରେ ରାହୁଲ ଗାନ୍ଧୀ ନିଜେ ନିଜ ଆସନ ହରାଇଥିଲେ, ଦଳର ପ୍ରଦର୍ଶନ ଖରାପ ଥିଲା । ଅନ୍ୟପକ୍ଷରେ କର୍ଣ୍ଣାଟକ ଓ ତେଲେଙ୍ଗାନାରେ ବିଜୟ ପରେ ଦକ୍ଷିଣ ବନାମ ଉତ୍ତର ଭାରତର ରାଜନୀତିକୁ ନେଇ କଂଗ୍ରେସରେ ଚର୍ଚ୍ଚା ଜୋର ଧରିଛି । ରାହୁଲ ଗାନ୍ଧି ଏବେ ତେଲେଙ୍ଗାନାର ଉଦାହରଣ ଦେଉଛନ୍ତି । ତାଙ୍କର ଭାରତ ଯୋଡୋ ଯାତ୍ରାର ଆରମ୍ଭ ଏବଂ ଗୁରୁତ୍ୱପୂର୍ଣ୍ଣ ରହଣୀ ମୁଖ୍ୟତଃ ଦକ୍ଷିଣରେ ଥିଲା । ୟୁପି ଭଳି ଏକ ବଡ଼ ରାଜ୍ୟରେ ତାଙ୍କର ଯାତ୍ରା କେବଳ ସୀମାନ୍ତ ଜିଲ୍ଲା ଦେଇ ଯାଇଥିଲା । ଏବେ ଗାନ୍ଧୀ ପରିବାର ମଧ୍ୟ ୟୁପି ଯୋଡୋ ଯାତ୍ରାଠାରୁ ବହୁ ଦୂରରେ ନଜର ଆସୁଛନ୍ତି । ଏଭଳି ସ୍ଥିତିରେ ରାହୁଲ ଗାନ୍ଧୀଙ୍କୁ ଦକ୍ଷିଣର ରାଜନୀତି ପସନ୍ଦ ଆସିବା ଆରମ୍ଭ ହୋଇଛି ଏବଂ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ସେ ଆମେଠିଠାରୁ ଦୂରେଇ ରହିପାରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏହା ଭିନ୍ନକଥା ଯେ ଯଦିଓ ୟୁପି କଂଗ୍ରେସ ନେତୃତ୍ୱ ଉଭୟ ରାହୁଲ ଏବଂ ପ୍ରିୟଙ୍କାଙ୍କୁ ନିର୍ବାଚନରେ ପ୍ରବେଶ କରିବାକୁ ଅନୁରୋଧ କରିଛନ୍ତି ।

ଇଣ୍ଡି ମେଣ୍ଟକୁ ବଞ୍ଚାଇବା ପାଇଁ ରଣନୀତି ନୁହେଁ କି ?

ୟୁପିରେ କଂଗ୍ରେସ ନେତାମାନେ ନିଜେ ଦଳୀୟ ସଂଗଠନ ଗଠନ କରି ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ଉଚିତ ବୋଲି ରାହୁଲ ଗାନ୍ଧୀ ତାଙ୍କ ବୟାନ ସହ ସଙ୍କେତ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଗାନ୍ଧୀ ପରିବାରର ଅନୁପସ୍ଥିତିରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ସମନ୍ୱୟ ସହଜ ହେବ । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ଅଖିଳେଶ ଯାଦବଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା । ସମାଜବାଦୀ ପାର୍ଟି ୟୁପିର ମୁଖ୍ୟ ବିରୋଧୀ ଦଳ । ଗତ ନିର୍ବାଚନର ପରିସଂଖ୍ୟାନରୁ ସ୍ପଷ୍ଟ ଜଣାପଡୁଛି ଯେ ଅନେକ ସ୍ଥାନରେ ସପାକୁ ଏକକାଳୀନ ମୁସଲମାନ ଭୋଟ ମିଳିଛି । ଗୋଟିଏ ପଟେ ବିଏସପି ଏହାର ମୁକାବିଲାରେ ବ୍ୟସ୍ତ ଥିବାବେଳେ କଂଗ୍ରେସ ମଧ୍ୟ ମୁସଲମାନମାନଙ୍କୁ ନିଜର ପୁରୁଣା ଶକ୍ତିଶାଳୀ ଭୋଟ ବ୍ୟାଙ୍କଭାବେ ବିବେଚନା କରୁଛି । ରଣନୀତି ହେଉଛି ଗାନ୍ଧୀ ପରିବାରର ଅନୁପସ୍ଥିତିରେ ୟୁପି କଂଗ୍ରେସ ନେତାମାନେ ଯେଉଁ ଅଭିଯାନ ଚଳାଇବେ, ସମାଜବାଦୀ ପାର୍ଟି ସେତେଟା ଅସନ୍ତୁଷ୍ଟ ହେବ ନାହିଁ । ବର୍ତ୍ତମାନ କଂଗ୍ରେସ କେବଳ କିଛି ଗୁରୁତ୍ୱପୂର୍ଣ୍ଣ ଆସନକୁ ଟାର୍ଗେଟ କରିବ ଏବଂ ଭବିଷ୍ୟତରେ ଆଗାମୀ ରଣନୀତି ଉପରେ ବିଚାର କରିବ ।

More articles

LEAVE A REPLY

Please enter your comment!
Please enter your name here

Latest article