- ରାଜ୍ୟପାଳଙ୍କ କ୍ଷମତାକୁ ନେଇ କାହିଁକି ହଙ୍ଗାମା ହେଉଛି ?
ନଆଦିଲ୍ଲୀ : ରାଜ୍ୟ ବିଧାନସଭାରେ ପାରିତ ହୋଇଥିବା ବିଲକୁ ରୋକିବା ପାଇଁ ରାଜ୍ୟପାଳଙ୍କ ପାଖରେ କେତେ କ୍ଷମତା ରହିଛି ? ଏବେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି । ନିକଟରେ ୩ଟି ରାଜ୍ୟର ମାମଲା ସୁପ୍ରିମକୋର୍ଟକୁ ଆସିଛି । ସେହି ମାମଲାଗୁଡ଼ିକର ଶୁଣାଣି ହୋଇଛି । ପଞ୍ଜାବ ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ରାୟ ଶୁଣାଇଛନ୍ତି । ତାମିଲନାଡୁ, କେରଳ ଏବଂ ପଞ୍ଜାବ ସରକାର ସୁପ୍ରିମକୋର୍ଟରେ ପୃଥକ ପିଟିସନ୍ ଦାଖଲ କରି ଅଭିଯୋଗ କରିଛନ୍ତି ଯେ, ଗୃହରେ ବିଲ ପାରିତ ହେବା ସତ୍ତ୍ୱେ ନିଜ ନିଜ ରାଜ୍ୟପାଳମାନେ ଏହି ବିଲ ଉପରେ ନିଷ୍ପତ୍ତି ନେଉ ନାହାନ୍ତି ଏବଂ ଏହାକୁ ଅନୁମୋଦନ କରୁନାହାନ୍ତି । ନିର୍ବାଚିତ ସରକାରଙ୍କ କ୍ଷମତା କ’ଣ ଏବଂ ଏହି ବିଲକୁ ରୋକିବା ପାଇଁ ରାଜ୍ୟପାଳଙ୍କର କେତେ ଅଧିକାର ରହିଛି ତାହା ପରୀକ୍ଷା କରାଯାଉଛି ।
କ’ଣ ରହିଛି ବିବାଦ
ନଭେମ୍ବର ୬ତାରିଖରେ ପଞ୍ଜାବ ମାମଲା ସୁପ୍ରିମକୋର୍ଟରେ ଆସିଥିଲା । ପଞ୍ଜାବ ସରକାରଙ୍କ ପକ୍ଷରୁ ଅଭିଷେକ ମନୁ ସିଂଘଭି କହିଥିଲେ ଯେ ରାଜ୍ୟପାଳଙ୍କ ନିକଟକୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ପଠାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହି କାରଣରୁ ସରକାର ଚଳାଇବାରେ ଅସୁବିଧା ହେଉଛି । ଅନିୟମିତତା ଦର୍ଶାଇ ରାଜ୍ୟପାଳ ଏହି ବିଲର ବିଚାରକୁ ସ୍ଥଗିତ ରଖିଛନ୍ତି ।
ତାମିଲନାଡୁ ସରକାର ମଧ୍ୟ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି କହିଛନ୍ତି ଯେ ରାଜ୍ୟପାଳ ବିଧାନସଭାରେ ପାରିତ ବିଲ ଅନୁମୋଦନରେ ବିଳମ୍ବ କରୁଛନ୍ତି । କୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ କରିବାକୁ କହିଛନ୍ତି । ଏହି ମାମଲାରେ ଅଦାଲତକୁ ସହଯୋଗ କରିବାକୁ ସେ ଆଟର୍ଣ୍ଣି ଜେନେରାଲ କିମ୍ବା ସଲିସିଟର ଜେନେରାଲଙ୍କୁ କହିଥିଲେ । ସୁପ୍ରିମକୋର୍ଟ ଏହି ମାମଲାକୁ ଗମ୍ଭୀର ବୋଲି କହିଛନ୍ତି । ବିଧାନସଭାରେ ପାରିତ ହୋଇଥିବା ୮ଟି ବିଲ ଉପରେ ରାଜ୍ୟପାଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି କେରଳ ସରକାର ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି ।
ଶୁଣାଣି ବେଳେ କ’ଣ କହିଲେ ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ ପଞ୍ଜାବ ରାୟରେ କହିଛନ୍ତି ଯେ ରାଜ୍ୟପାଳ କୌଣସି କାର୍ଯ୍ୟାନୁଷ୍ଠାନ ବିନା ଏହି ବିଲ୍କୁ ଅନନ୍ତକାଳ ପର୍ଯ୍ୟନ୍ତ ବିଚାରାଧୀନ ରଖିପାରିବେ ନାହିଁ । ରାଜ୍ୟପାଳ ହେଉଛନ୍ତି ଜଣେ ଅନିର୍ବାଚିତ ରାଷ୍ଟ୍ରମୁଖ୍ୟ ଯିଏ ସାମ୍ବିଧାନିକ କ୍ଷମତା ରଖୁଛନ୍ତି । ରାଜ୍ୟ ବିଧାନସଭାର ସ୍ୱାଭାବିକ ଆଇନ ପ୍ରଣୟନ ପ୍ରକ୍ରିୟାକୁ ବାଧା ଦେବା ପାଇଁ ସେ ନିଜ କ୍ଷମତାର ବ୍ୟବହାର କରିପାରିବେ ନାହିଁ ।
ସଂସଦୀୟ ଗଣତନ୍ତ୍ରରେ କ୍ଷମତା ନିର୍ବାଚିତ ପ୍ରତିନିଧିଙ୍କ ପାଖରେ ରହିଛି ବୋଲି ସୁପ୍ରିମକୋର୍ଟ କହିଥିଲେ । ବିଧାନସଭା ଅଧିବେଶନ ଉପରେ ରାଜ୍ୟପାଳ ସନ୍ଦେହ କରିପାରିବେ ନାହିଁ । କୋର୍ଟ ପଞ୍ଜାବର ରାଜ୍ୟପାଳଙ୍କୁ ବିଚାରାଧୀନ ବିଲ ଉପରେ ବିଚାର କରି ନିଷ୍ପତ୍ତି ନେବାକୁ କହିଛନ୍ତି ।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ ଯେ ବିଧାନସଭା ଅଧିବେଶନ ଉପରେ ସନ୍ଦେହ ସୃଷ୍ଟି କରି ରାଜ୍ୟପାଳଙ୍କ ପାଇଁ ବିଲ ଅନୁମୋଦନ ବନ୍ଦ କରିବାର କୌଣସି ବିକଳ୍ପ ନାହିଁ । ରାଜ୍ୟପାଳ ନିଆଁ ସହ ଖେଳୁଛନ୍ତି ।
ସୁପ୍ରିମକୋର୍ଟ ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ତାଙ୍କ ପାଖରେ ଥିବା ୪ଟି ବିଲ ଉପରେ ବିଚାର କରି ନିଷ୍ପତ୍ତି ନେବାକୁ କହିଥିଲେ । ପଞ୍ଜାବ ରାଜ୍ୟପାଳ ବିଧାନସଭା ଅଧିବେଶନରେ ଏହି ବିଲ ପାରିତ ହେବା ପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ବିଲକୁ ସ୍ଥଗିତ ରଖିଥିଲେ । ବିଧାନସଭା ଅଧିବେଶନ ଉପରେ କୌଣସି ପ୍ରକାର ସନ୍ଦେହ ସୃଷ୍ଟି କରିବା ଗଣତନ୍ତ୍ର ପାଇଁ ବିପଦ ବୋଲି ସୁପ୍ରିମକୋର୍ଟ କହିଥିଲେ । ବାଚସ୍ପତିଙ୍କୁ ବିଧାନସଭାର ଅଭିଭାବକଭାବେ ବିବେଚନା କରାଯାଇଛି ।
ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ବାଚସ୍ପତିଙ୍କର ଗୃହ ବୈଠକକୁ ସ୍ଥଗିତ ରଖିବାର ଅଧିକାର ଅଛି, କିନ୍ତୁ ଗୃହକୁ ସ୍ଥାୟୀଭାବେ ସ୍ଥଗିତ ରଖିବା ପାଇଁ ଏହାର ଅପବ୍ୟବହାର କରାଯାଇପାରିବ ନାହିଁ । ଏହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ । ରାଜ୍ୟପାଳଙ୍କୁ ଏଭଳି ଅଧିକାର ଦିଆଗଲେ କ’ଣ ହେବ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଯଦି ରାଜ୍ୟପାଳଙ୍କ ପାଖରେ ଏଭଳି କ୍ଷମତା ରହିଥାଏ, ତେବେ ସଂସଦୀୟ ଗଣତନ୍ତ୍ର ଜାରି ରହିପାରିବ କି ?
ରାଜ୍ୟପାଳ ବିଲ ରୋକି ପାରିବେ ନାହିଁ: ବିଶେଷଜ୍ଞ
ଲୋକସଭାର ପୂର୍ବତନ ମହାସଚିବ ପିଟିଡି ଆଚାରୀ କହିଛନ୍ତି ଯେ ସମ୍ବିଧାନ ନିର୍ବାଚିତ ସରକାରଙ୍କୁ ସମସ୍ତ କ୍ଷମତା ପ୍ରଦାନ କରିଛି । ରାଜ୍ୟର ନିର୍ବାଚିତ ସରକାରଙ୍କ ପାଖରେ କାର୍ଯ୍ୟନିର୍ବାହୀ କ୍ଷମତା ରହିଛି । ରାଜ୍ୟପାଳଙ୍କୁ କେବଳ ମନ୍ତ୍ରିମଣ୍ଡଳର ପରାମର୍ଶ କ୍ରମେ କାମ କରିବାକୁ ପଡ଼ିବ । ଯଦି ଗୃହରେ କୌଣସି ବିଲ ପାରିତ ହୋଇ ରାଜ୍ୟପାଳଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଏ, ତେବେ ରାଜ୍ୟପାଳଙ୍କ ପାଖରେ ସୀମିତ ବିକଳ୍ପ ରହିଛି । ସେ ଏହାକୁ ଅନୁମୋଦନ ଦେଇପାରିବେ କିମ୍ବା ବିଧାନସଭାକୁ ପୁନର୍ବାର ବିଚାର ପାଇଁ କହିପାରିବେ କିମ୍ବା ସେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇପାରିବେ । ସେ କୌଣସି ବିଲକୁ ନିଜ ପାଖରେ ବିଚାରାଧୀନ ରଖିପାରିବେ ନାହିଁ । ରାଜ୍ୟପାଳଙ୍କୁ ସମ୍ବିଧାନ ଅନୁଯାୟୀ କାମ କରିବାକୁ ପଡ଼ିବ ଏବଂ ସମ୍ବିଧାନରେ ନିର୍ବାଚିତ ସରକାରଙ୍କର ସମସ୍ତ ଅଧିକାର ରହିଛି । ଯେତେବେଳେ ସରକାର ସଂଖ୍ୟାଲଘୁରେ ଥାଏ କିମ୍ବା ମିଶ୍ରିତ ସରକାର ଗଠନ ପ୍ରସଙ୍ଗ ଥାଏ, ସେତେବେଳେ ରାଜ୍ୟପାଳ ନିଜ ବିବେକ ବଳରେ ନିଷ୍ପତ୍ତି ନିଅନ୍ତି, କିନ୍ତୁ ଯଦି କୌଣସି ନିର୍ବାଚିତ ସରକାର ସଂଖ୍ୟାଗରିଷ୍ଠ ତା’ହେଲେ ତା’ର ପରାମର୍ଶ ପାଳନ କରିବାକୁ ପଡ଼ିଥାଏ । ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ କେଟିଏସ୍ ତୁଳସୀ କହନ୍ତି, ସଂସଦୀୟ ଗଣତନ୍ତ୍ରରେ ନିର୍ବାଚିତ ସରକାରଙ୍କୁ କ୍ଷମତା ଦିଆଯାଇଛି । ଯଦି ଗୃହରେ କୌଣସି ବିଲ ପାରିତ ହୁଏ ତେବେ ରାଜ୍ୟପାଳଙ୍କୁ ଏହାକୁ ସିଲ କରିବାକୁ ପଡ଼ିବ । ରାଜ୍ୟପାଳ ହେଉଛନ୍ତି ରାଜ୍ୟର ମୁଖ୍ୟ କିନ୍ତୁ ତାଙ୍କୁ ମନ୍ତ୍ରିମଣ୍ଡଳର ପରାମର୍ଶ କ୍ରମେ କାର୍ଯ୍ୟ କରିବାକୁ ପଡ଼ିବ । ସେ ନିଜେ ନିଷ୍ପତ୍ତି ନେଇପାରିବେ ନାହିଁ ।