କେମିତି ନିର୍ଦ୍ଧାରଣ କରାଯାଏ ଲୋକସଭା ନିର୍ବାଚନ ତାରିଖ ?

Must read

୪ଟି ନିର୍ବାଚନ ତଥ୍ୟରୁ ଜାଣନ୍ତୁ କେବେ ମତଦାନ ହେବ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ୨୦୨୪ ଜୁନ୍ ୧୬ରେ ଶେଷ ହେଉଛି । ଏଭଳି ସ୍ଥିତିରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ନିର୍ବାଚନ କମିଶନ । ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ୨୦୨୪ ଲୋକସଭା ନିର୍ବାଚନ କେବେ ହେବ ?

ଏପ୍ରିଲ ୧୬ରୁ ଦେଶରେ ଲୋକସଭା ନିର୍ବାଚନ ଆରମ୍ଭ ହେବ କି ? ନିର୍ବାଚନ କମିଶନଙ୍କ ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିର୍ବାଚନ ତାରିଖକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ତେବେ ନିର୍ବାଚନ ଆୟୋଗ ସ୍ପଷ୍ଟଭାବେ କହିଛନ୍ତି ଯେ ଏହି ତାରିଖରୁ ନିର୍ବାଚନ ହେବା ଜରୁରୀ ନୁହେଁ ।

ନିର୍ବାଚନ କମିଶନ ଏକ ବିବୃତିରେ କହିଛନ୍ତି ଯେ, ନିର୍ବାଚନର ସମ୍ଭାବ୍ୟ ତାରିଖ ସୋସିଆଲ ମିଡିଆରେ ଭାଇରାଲ ହେବା ଏକ ପରାମର୍ଶ । ଅଧିକାରୀମାନେ ଯେପରି ଜିଲ୍ଲାସ୍ତରରେ ନିର୍ବାଚନର ଯୋଜନାକୁ ଠିକ୍ ସମୟରେ ଶେଷ କରିପାରିବେ ଏବଂ ବ୍ୟବସ୍ଥା କରିପାରିବେ ସେଥିପାଇଁ ଏହି ତାରିଖ ଦିଆଯାଇଛି ।

ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ଆନୁଷ୍ଠାନିକଭାବେ ତାରିଖ ଘୋଷଣା କରିନାହାନ୍ତି, କିନ୍ତୁ ଗତ ୪ଟି ଲୋକସଭା ନିର୍ବାଚନ ଏବଂ ସାମ୍ବିଧାନିକ ବ୍ୟବସ୍ଥା ଆଧାରରେ ଆମେ ସମ୍ଭାବ୍ୟ ସମୟସୀମା ଆକଳନ କରିପାରିବା ।

କେମିତି ନିର୍ଦ୍ଧାରଣ କରାଯାଏ ଲୋକସଭା ନିର୍ବାଚନ ତାରିଖ ?

ଭାରତୀୟ ସମ୍ବିଧାନର ଧାରା ୩୨୪ ଅନୁଯାୟୀ, ଭାରତର ଲୋକସଭା, ବିଧାନସଭା, ରାଜ୍ୟସଭା ନିର୍ବାଚନ ଭାରତର ନିର୍ବାଚନ ଆୟୋଗଦ୍ୱାରା ଆୟୋଜନ କରାଯାଏ ।

ସମ୍ବିଧାନଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ବାଚନ କରିବା ନିର୍ବାଚନ କମିଶନଙ୍କ ଦାୟିତ୍ୱ । ଲୋକସଭା ନିର୍ବାଚନ ତାରିଖ ସ୍ଥିର କରିବାରେ ମଧ୍ୟ କମିଶନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ଲୋକସଭାର ପ୍ରତ୍ୟେକ ଗୃହର କାର୍ଯ୍ୟକାଳ ୫ ବର୍ଷ ଏବଂ ଏହି କାର୍ଯ୍ୟକାଳ ସୀମା ଶେଷ ହେବା ପୂର୍ବରୁ ପୁନର୍ବାର ନିର୍ବାଚନ କରିବାକୁ ପଡ଼ିବ । ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଯେପରି ସମ୍ବିଧାନଦ୍ୱାରା ଉଲ୍ଲଂଘନ ନ ହୁଏ ତାହା ନିର୍ବାଚନ ଆୟୋଗଙ୍କୁ ସୁନିଶ୍ଚିତ କରିବାକୁ ପଡ଼ିବ ।

ନିର୍ବାଚନ ତାରିଖ ନିର୍ଦ୍ଧାରଣ କରିବା ସମୟରେ ନିର୍ବାଚନ ଆୟୋଗ କେତେକ ପରିସ୍ଥିତିକୁ ମଧ୍ୟ ବିଚାରକୁ ନେଇଥାନ୍ତି । ଉଦାହରଣସ୍ୱରୂପ, ନିର୍ବାଚନ ଦିନ ସେହି ଅଞ୍ଚଳରେ ଅଧିକ ଗରମ କିମ୍ବା ବର୍ଷା ନ ହେବାର ତାରିଖ ରହିବା ଉଚିତ, ଯାହା ମତଦାନକୁ ପ୍ରଭାବିତ କରିଥାଏ ।

ଯେପରି କୌଣସି ରାଜନୈତିକ ଦଳ ଅଯଥା ଫାଇଦା ନ ପାଇବେ ଏବଂ ନିର୍ବାଚନ ନିରପେକ୍ଷଭାବେ ସମ୍ପନ୍ନ ହେବ ସେଥିପାଇଁ ଏଭଳି ତାରିଖ ଚୟନ କରାଯାଏ । ଏହାବ୍ୟତୀତ ଧାର୍ମିକ ପର୍ବପର୍ବାଣୀ, ଜାତୀୟ ଛୁଟି, ସ୍ୱତନ୍ତ୍ର ପରୀକ୍ଷା ତାରିଖ, ସୁରକ୍ଷା ବାହିନୀର ଉପଲବ୍ଧତାକୁ ମଧ୍ୟ ନିର୍ବାଚନ ଆୟୋଗ ବିଚାରକୁ ନେଇଥାନ୍ତି ।

ମତଦାନର କେତେଦିନ ପୂର୍ବରୁ ତାରିଖ ଘୋଷଣା ହୁଏ

ଗତ ୪ଟି ସାଧାରଣ ନିର୍ବାଚନ (୨୦୧୯, ୨୦୧୪, ୨୦୦୯ ଓ ୨୦୦୪)କୁ ଦେଖିଲେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା ଓ ମତଦାନ ମଧ୍ୟରେ ପ୍ରାୟ ୪୦ରୁ ୫୦ ଦିନର ବ୍ୟବଧାନ ରଖିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ଏପ୍ରିଲ ୧୧ରୁ ମେ ୧୯ ମଧ୍ୟରେ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା, କିନ୍ତୁ ନିର୍ବାଚନ ଆୟୋଗ ମାର୍ଚ୍ଚ ପ୍ରାରମ୍ଭରେ ତାରିଖ ଘୋଷଣା କରିଥିଲେ ।

୨୦୧୪ ଓ ୨୦୦୯ରେ ନିର୍ବାଚନ କମିଶନ ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ୨୦୧୯ ଏପ୍ରିଲ ୭ରୁ ମେ ୧୨ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ହୋଇଥିଲା । ୨୦୦୯ରେ ଏପ୍ରିଲ ୧୬ରୁ ମେ ୧୩ ପର୍ଯ୍ୟନ୍ତ ସାରାଦେଶରେ ନିର୍ବାଚନ ହୋଇଥିଲା । ତେବେ ୨୦୦୪ ମସିହା ଫେବ୍ରୁଆରି ୨୯ ତାରିଖରେ ଏହି ତାରିଖ ଘୋଷଣା କରାଯାଇଥିଲା ।

ପୂର୍ବ ନିର୍ବାଚନକୁ ଆଧାର କରି ଅନୁମାନ କରାଯାଇପାରେ ଯେ ଚଳିତ ବର୍ଷ ୨୦୨୪ରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।

୨୦୨୪ ଲୋକସଭା ନିର୍ବାଚନ କେବେ ହେବ ?

ଲୋକସଭା ନିର୍ବାଚନ ପାଇଁ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଗତ ୪ଟି ଲୋକସଭା ନିର୍ବାଚନ ବିଷୟରେ କହିବାକୁ ଗଲେ ଏପ୍ରିଲରୁ ମତଦାନ ଆରମ୍ଭ ହୋଇ ମେ ମାସ ସୁଦ୍ଧା ନିର୍ବାଚନ ସରିଛି । ୨୦୧୯ ଏପ୍ରିଲ ୧୧, ୨୦୧୪ରେ ଏପ୍ରିଲ ୭, ୨୦୦୯ରେ ଏପ୍ରିଲ ୧୬ ଓ ୨୦୦୪ରେ ଏପ୍ରିଲ ୨୦ରେ ନିର୍ବାଚନ ଆରମ୍ଭ ହୋଇଥିଲା ।

୨୦୨୪ରେ ଅଷ୍ଟାଦଶ ଲୋକସଭାର ସଦସ୍ୟ ଚୟନ ପାଇଁ ଏପ୍ରିଲରୁ ମେ ମାସ ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବାର ସମ୍ଭାବନା ରହିଛି । ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ସମୟ ପାଣିପାଗ ଦୃଷ୍ଟିରୁ ମଧ୍ୟ ଭଲ ବୋଲି ବିବେଚନା କରାଯାଏ । ଏହି ନିର୍ବାଚନ ୫ରୁ ୭ଟି ପର୍ଯ୍ୟାୟରେ ହୋଇପାରେ ।

ଆପଣଙ୍କ ରାଜ୍ୟରେ କ’ଣ ପର୍ଯ୍ୟାୟ ନିର୍ବାଚନ ହେବ ?

ଅଧିକ ଲୋକସଭା ଆସନ ଥିବା କେତେକ ରାଜ୍ୟରେ ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନ ହୋଇଥାଏ । ଯେପରିକି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ । କେତେକ କ୍ଷୁଦ୍ର ରାଜ୍ୟରେ ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ସରିଛି । ଦିଲ୍ଲୀ, ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ, ତ୍ରିପୁରା, ନାଗାଲାଣ୍ଡ ।

ପଶ୍ଚିମ ୟୁପିରେ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ପର୍ଯ୍ୟାୟ ଏବଂ ପୂର୍ବ ୟୁପିରେ ଅବଶିଷ୍ଟ ପର୍ଯ୍ୟାୟରେ ନିର୍ବାଚନ ସମ୍ଭବ । ସେହିପରି ବିହାରରେ ସବୁ ପର୍ଯ୍ୟାୟରେ ନିର୍ବାଚନ ହେବାର ସମ୍ଭାବନା ରହିଛି ।

ଗତ ଲୋକସଭା ନିର୍ବାଚନର ତଥ୍ୟକୁ ଆଧାର କରି ଜାଣନ୍ତୁ କେଉଁଠି ହୋଇପାରେ ନିର୍ବାଚନ-

  • ପ୍ରଥମ ପର୍ଯ୍ୟାୟ: ଜମ୍ମୁ-କଶ୍ମୀର, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ସିକ୍କିମ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ଲାକ୍ଷାଦ୍ୱୀପ ।
  • ଦ୍ୱିତୀୟ ପର୍ଯ୍ୟାୟ- ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ଓଡ଼ିଶା, ତାମିଲନାଡୁ, ତ୍ରିପୁରା, ୟୁପି, ପଶ୍ଚିମବଙ୍ଗ ଓ ପୁଡୁଚେରୀ ।
  • ତୃତୀୟ ପର୍ଯ୍ୟାୟ: ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ଗୋଆ, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଦାଦ୍ରା ଓ ନଗର ହାଭେଲି, ଦାମନ ଓ ଦିଉ ।
  • ଚତୁର୍ଥ ପର୍ଯ୍ୟାୟ- ବିହାର, ଉତ୍ତରପ୍ରଦେଶ, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ, ପଶ୍ଚିମବଙ୍ଗ ।
  • ପଞ୍ଚମ ପର୍ଯ୍ୟାୟ- ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ।
  • ଷଷ୍ଠ ପର୍ଯ୍ୟାୟ: ବିହାର, ହରିୟାଣା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ-ଏନସିଆର ।
  • ସପ୍ତମ ପର୍ଯ୍ୟାୟ: ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଞ୍ଜାବ, ବିହାର, ପଶ୍ଚିମବଙ୍ଗ, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ।

କେବେ ଆସିବ ନିର୍ବାଚନ ଫଳାଫଳ ?

ସାଧାରଣତଃ ଶେଷ ପର୍ଯ୍ୟାୟ ମତଦାନ ପରେ ତୃତୀୟ କିମ୍ବା ଚତୁର୍ଥ ଦିନରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥାଏ । ୨୦୧୯ରେ ମେ ୨୩ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ୨୦୧୪ ଓ ୨୦୦୯ରେ ମେ’ ୧୬ତାରିଖରେ ଫଳାଫଳ ଆସିଥିଲା । ୨୦୦୪ରେ ମେ ୧୩ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା ।

ଏହି ଆଧାରରେ ଅନୁମାନ କରାଯାଇପାରେ ଯେ ୨୦୨୪ରେ ମଧ୍ୟ ନିର୍ବାଚନ ଫଳାଫଳ ମେ ୧୩ରୁ ମେ ୨୩ ମଧ୍ୟରେ ସମସ୍ତଙ୍କ ସାମ୍ନାରେ ରହିବ। ମେ’ ମାସରେ ଭୋଟ ଗଣତି ପରେ ୫୪୩ ଆସନ ବିଶିଷ୍ଟ ଲୋକସଭାର ସ୍ଥିତି ସ୍ପଷ୍ଟ ହେବ ।

ଆଚରଣ ବିଧି କେବେ ଲାଗୁ ହେବ ?

ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମଗ୍ର ଦେଶ କିମ୍ବା ସେହି ରାଜ୍ୟରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆଚରଣ ବିଧି ଲାଗୁ କରାଯାଏ । ୧୯୬୨ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ପ୍ରଥମ ଥର ପାଇଁ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମଧ୍ୟରେ ଆଚରଣ ବିଧି ଜାରି କରିଥିଲେ ।

୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ମାର୍ଚ୍ଚ ପ୍ରଥମ ସପ୍ତାହରୁ ଲାଗୁ ହୋଇପାରେ । ଏହି ସମୟ ମଧ୍ୟରେ କୌଣସି ନୂଆ ବିଲ ଆଗତ ହୋଇପାରିବ ନାହିଁ । କେନ୍ଦ୍ର କିମ୍ବା ରାଜ୍ୟ ସରକାର କୌଣସି ନୂଆ ଯୋଜନା ଘୋଷଣା କିମ୍ବା କାର୍ଯ୍ୟକାରୀ କରିପାରିବେ ନାହିଁ । ରାଜନୈତିକ ଦଳ କିମ୍ବା ପ୍ରାର୍ଥୀମାନେ ନିଜ ପ୍ରଚାର ପାଇଁ ସରକାରୀ ସମ୍ବଳ ବ୍ୟବହାର କରିପାରିବେ ନାହିଁ । ମତଦାନ କେନ୍ଦ୍ରକୁ ଭୋଟରଙ୍କ ଆସିବା ପାଇଁ ରାଜନୈତିକ ଦଳମାନେ ଗାଡ଼ିର ବ୍ୟବସ୍ଥା କରିପାରିବେ ନାହିଁ ।

ଆଦର୍ଶ ଆଚରଣ ବିଧି ଅନୁଯାୟୀ କୌଣସି ଦଳ କିମ୍ବା ପ୍ରାର୍ଥୀ ଏପରି କୌଣସି କାର୍ଯ୍ୟକଳାପରେ ଲିପ୍ତ ହୋଇପାରିବେ ନାହିଁ ଯାହା ପାରସ୍ପରିକ ଘୃଣା ସୃଷ୍ଟି କରିବ କିମ୍ବା ଦୁଇ ଜାତି ଓ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବ । ମସଜିଦ, ଚର୍ଚ୍ଚ, ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନକୁ ନିର୍ବାଚନୀ ପ୍ରଚାର ପାଇଁ ପ୍ଲାଟଫର୍ମଭାବେ ବ୍ୟବହାର କରାଯାଇପାରିବ ନାହିଁ ।

ଭୋଟରଙ୍କୁ ଲାଞ୍ଚ ଦେବା, ଭୋଟରଙ୍କୁ ଭୟଭୀତ କରିବା, ମତଦାନ କେନ୍ଦ୍ରର ୧୦୦ ମିଟର ଭିତରେ ପ୍ରଚାର କରିବା ନିର୍ବାଚନ ଆଇନ ଅନୁଯାୟୀ ଅପରାଧ । ଯଦି କୌଣସି ପ୍ରାର୍ଥୀ ଏହି ନିୟମକୁ ଉଲ୍ଲଂଘନ କରନ୍ତି ତେବେ ସେହି ପ୍ରାର୍ଥୀଙ୍କ ନାମାଙ୍କନ ବାତିଲ ହୋଇପାରେ । ଗିରଫ ହେଲେ ସହଜରେ ଜାମିନ ମିଳେ ନାହିଁ ।

More articles

LEAVE A REPLY

Please enter your comment!
Please enter your name here

Latest article