- ନୂଆ ଚେହେରାଙ୍କ ଉପରେ ବାଜି ଲଗାଇପାରେ ଦଳ
- ଲୋକସଭା ନିର୍ବାଚନ ପାଇଁ ବିଜେପିର ମିଶନ ୨୦୨୪ ସମ୍ପୂର୍ଣ୍ଣ ପ୍ରସ୍ତୁତ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପି ଏଥର ନୂଆ ଚେହେରାଙ୍କୁ ଅଧିକ ସୁଯୋଗ ଦେଇପାରେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳ ଏଥର ପ୍ରାୟ ୧୦୦ କିମ୍ବା ତା’ଠାରୁ ଅଧିକ ସାଂସଦଙ୍କ ଟିକେଟ କାଟିପାରେ। ଆଜି ସନ୍ଧ୍ୟାରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଯେଉଁଥିରେ ପ୍ରାର୍ଥୀଙ୍କ ନାମ ମୋହର ଲାଗିପାରେ ଏବଂ ଦିନେ କିମ୍ବା ଦୁଇଦିନ ମଧ୍ୟରେ ବିଜେପି ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। ଗତବର୍ଷ ଅନୁଷ୍ଠିତ ବିଭିନ୍ନ ବିଧାନସଭା ନିର୍ବାଚନରେ ବିଜେପି ଅନେକ ବିଧାୟକଙ୍କ ଟିକେଟ କାଟିଥିଲା ଏବଂ ଏଥିରେ ବରିଷ୍ଠ ନେତାମାନେ ମଧ୍ୟ ସାମିଲ ଥିଲେ। ଏଥର ଲୋକସଭା ନିର୍ବାଚନରେ ବହୁ ସଂଖ୍ୟକ ଟିକେଟ କଟାଯିବ ଏବଂ ନୂଆ ଚେହେରାଙ୍କୁ ଅଧିକ ସୁଯୋଗ ମିଳିବ ବୋଲି ଦଳୀୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।
ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାର ଫାଇଦା ମଧ୍ୟ ବିଜେପିକୁ ମିଳିଛି। ବିଜେପି ମଧ୍ୟ ଲଗାତାର ବାର୍ତ୍ତା ଦେଉଛି ଯେ ବିଜେପିରେ କର୍ମୀମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଦଳ ଯାହାକୁ ଚାହିଁବ ତାକୁ ଦାୟିତ୍ୱ ଦେଇପାରେ। ବିଜେପି ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରି କର୍ମୀମାନଙ୍କୁ ଏହି ବାର୍ତ୍ତା ଦେଇଛି।
ନିକଟରେ ଅନୁଷ୍ଠିତ ବିଜେପି ରାଷ୍ଟ୍ରୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ଫୁଲ (ବିଜେପିର ନିର୍ବାଚନ ଚିହ୍ନ) ବିଜେପିର ପ୍ରାର୍ଥୀ ବୋଲି ସ୍ପଷ୍ଟ କରିଥିଲେ। ଏହାପରେ କିଛି ବଡ଼ ନେତାଙ୍କ ଟିକେଟ ମଧ୍ୟ କାଟି ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଯେଉଁ ଆସନରେ ବିରୋଧୀ ମେଣ୍ଟ ଏକାଠି ଲଢ଼ୁଛି ସେଠାରେ ବିଜେପି ସାଂସଦମାନେ ଟିକେଟ ହରାଇବାର ସମ୍ଭାବନା ଅଧିକ ରହିଛି।
୨୦୧୯ରେ କେତେ ସାଂସଦଙ୍କ ଟିକେଟ କଟିଥିଲା
୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୭୧ରୁ ଅଧିକ ସାଂସଦଙ୍କ ଟିକେଟ କାଟିଥିଲା। ମଧ୍ୟପ୍ରଦେଶରେ ୫ ଜଣ ସାଂସଦଙ୍କୁ ବଦଳାଯାଇଥିବା ବେଳେ ଛତିଶଗଡ଼ରେ ବିଜେପି ସମସ୍ତ ୧୦ ଜଣ ସାଂସଦଙ୍କ ଟିକେଟ କାଟିଦେଇଥିଲା। ଏଥର ଏହି ସଂଖ୍ୟା ଅଧିକ ହେବାର ସମ୍ଭାବନା ରହିଛି। କିଛିମାସ ତଳେ ବିଜେପି ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ ନିଜର ୨୧ ଜଣ ସାଂସଦଙ୍କୁ ପ୍ରାର୍ଥୀ କରିଥିଲା। ରାଜସ୍ଥାନରେ ବିଜେପି ୭, ମଧ୍ୟପ୍ରଦେଶରେ ୭, ଛତିଶଗଡ଼ ୪ ଓ ତେଲେଙ୍ଗାନାରେ ୩ ଜଣ ପ୍ରାର୍ଥୀ ଦେଇଥିଲେ। ବିଜୟୀ ସାଂସଦମାନେ ଇସ୍ତଫା ଦେଇ ଏବେ ବିଭିନ୍ନ ବିଧାନସଭାର ସଦସ୍ୟ ଅଛନ୍ତି।